Unknown

 

 

 

 

 

 

 

 

 

 

 

ଦୁରନ୍ତ ଅଭିଳାଷ

ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

“ବାସନ୍ତୀ”ର ଅନ୍ୟତମ ଔପନ୍ୟାସିକା

 

ସୂଚୀପତ୍ର

 

ଦୁରନ୍ତ ଅଭିଳାଷ

ମିଗୁୟେଲ କାରଭାନଟେସ ସାଭେଦ୍ରା

ସୀମା

ଲିଅନ ଫୟେଟ ଭାନଗାର

ଇଚ୍ଛାମତୀ

ସୀଗରୀଡ଼ ଉଣ୍ଡସେଟ

✽✽✽

 

ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକାବଳୀ

 

।। ଉପନ୍ୟାସ ॥

 

ପିଶାଚ / ହାତକଡ଼ି / ମାୟାପୁରୀ / ଚକ୍ରବ୍ୟୁହ/ ହରଣଚାଳ / ପ୍ରଥମ ପ୍ରେମ / କପଟ ପାଶା ॥

 

॥ ମୌଳିକ ଗଳ୍ପ ଗୁଚ୍ଛ ॥

 

ନୈବେଦ୍ୟ / ଓଢ଼ଣା ଖୋଲ / ଉଡ଼ନ୍ତା ବୋମା / ମଳୟ ବହିଲାଣି / ଗୋଟିଏ ସନ୍ଧ୍ୟା-/ ଅନ୍ଧ ଦେଶକୁ ଗଲି / ଦେହ ନିଲାମ ହେଉଛି / ଗରଳେ କଲୁ ଅଧିକାରୀ ॥

 

।। ଅନୁବାଦ ॥

 

ଅଚ୍ଛବ / ସଙ୍ଗମ / ବତିଘର / ବନଚାରୀ / ନଗ୍ନସତ୍ୟ / କାଳାନ୍ତକ / ଅଙ୍ଗୀକାର / ରମଣୀ ମନ / ମାଆ ଓ ପୁଅ / ବାତୋୟାଲା / ଦୁଇଟି ନାରୀ / ଆନନ୍ଦ କୁମାର / ଖୁନ୍‍ ପରେ ଖୁନ୍‍ / ଆନା କାରେନିନା / ଅପରିଚିତାର ପତ୍ର / ବିଦାୟ, ଗୁରୁଦେବ / ଦେଶ ବିଦେଶର କାହାଣୀ-/ ଦୁଇଟି ନଗରୀର କାହାଣୀ / ବିବେକାନନ୍ଦ: ଜୀବନ ଓ ବାଣୀ / ନୋବେଲ ଲରିୟେଟଙ୍କ ସରସ ଗପ / ଆମେରିକାର ଶ୍ରେଷ୍ଠ ଗଳ୍ପ / ଇଂଲଣ୍ଡର ଶ୍ରେଷ୍ଠ ଗଳ୍ପ / ସୋଭିୟେଟର ଶ୍ରେଷ୍ଠ ଗଳ୍ପ / ଫ୍ରାନ୍ସର ଶ୍ରେଷ୍ଠ ଗଳ୍ପ / ଜର୍ମାନୀର ଶ୍ରେଷ୍ଠ ଗଳ୍ପ / ଇତାଲୀର ଶ୍ରେଷ୍ଠ ଗଳ୍ପ / ୟୁରୋପର ଶ୍ରେଷ୍ଠ ଗଳ୍ପ / ଏସିଆର ଶ୍ରେଷ୍ଠ ଗଳ୍ପ / ଲଢ଼େଇ ସରିଲା ଯେବେ / ନୀଳ ନୟନା / ଅପଚ୍ଛାୟା ॥

 

॥ ପୃଥିବୀର ଶ୍ରେଷ୍ଠ ଉପନ୍ୟାସ ॥

 

କାଦମ୍ବରୀ / ଆନନ୍ଦ ମଠ / ଜନନୀ / ଅଦୃଶ୍ୟ ମାନବ / ବସୁଧା / ଯୁଦ୍ଧ ଓ ଶାନ୍ତି / ସୂର୍ଯ୍ୟାସ୍ତ / ଲଳିତା /ସିଦ୍ଧାର୍ଥ / ଦୁରନ୍ତ ଅଭିଳାଷ / ନରମେଧ / ଅନୁରାଗିଣୀ / ବୋଧୋଦୟ / ରତି / ଦକ୍ଷିଣା ପବନ / ତିମି ଶିକାର / କାମିନୀ / ଅପରାଧ / ଭଙ୍ଗା ଗଢ଼ା / କର୍କଟ କ୍ରାନ୍ତି ॥

 

॥ ପ୍ରାପ୍ତିସ୍ଥାନ ॥

 

ଜେ. ମହାପାତ୍ର ଏଣ୍ଡ କୋ:, କଟକ–୨

✽✽✽

 

ଦଶମକୋଠରୀ

 

ବର୍ଣ୍ଣବୋଧ ନ ପଢ଼ି ଲେଖାପଢ଼ା ଶିଖିଥିବା ଲୋକ ଯେମିତି ଦେଖା ଯାଆନ୍ତି ନାହିଁ, ସେମିତି ଡନ କୁଇକସୋଟର ନାମ ଶୁଣି ନ ଥିବା ପାଠୁଆ ଲୋକ ମଧ୍ୟ ଜଗତରେ ବିରଳ । ପ୍ରାୟ ସାଢ଼େ ତିନି ଶହ ବର୍ଷ ତଳର ଅନବଦ୍ୟ ସୃଷ୍ଟି ଏହି ଅଲୌକିକ ଚରିତ୍ରଟି ଆଜି ମଧ୍ୟ ଆମର କଥାବାର୍ତ୍ତା ଭିତରେ ବେଳେ ବେଳେ ଆସି ଯାଇଥାଏ । ସ୍ପେନୀୟ ଆଶାବାଦୀ ଲେଖକ କାରଭାନଟେସଙ୍କର ଜୀବନ ବଡ଼ କରୁଣ । ଜୀବନର ପ୍ରଥମାବସ୍ଥାରୁ ଦାରିଦ୍ର୍ୟ ସହିତ ଯୁଝି ଯୁଝି ନାନା ଧରଣର ଜୀବିକାରେ ନିଜକୁ ସାମିଲ କରି, ମୁର୍‍ମାନଙ୍କ ଦ୍ଵାରା ଆଲଜିୟର୍ସର କାରାଗାରରେ ବନ୍ଦୀ ହୋଇ, ପାଞ୍ଚ ବର୍ଷ ପରେ କୌଶଳରେ ସ୍ପେନକୁ ପଳାଇ ଆସି, ତେତିଶ ବର୍ଷ ବୟସରେ ସେ ସାହିତ୍ୟର ସେବା କରିବାକୁ ମନସ୍ଥ କଲେ । ୧୫୮୫ରେ ସେ ଲେଖିଲେ ଗ୍ରାମ୍ୟ ଉପନ୍ୟାସ “ଲାଗାଲସ”, ମଞ୍ଚୋପଯୋଗୀ କେତୋଟି ମିଳନାତ୍ମକ ନାଟକ ଓ କିଛି କବିତା । ନାଟକ ଓ କବିତା ତାହାଙ୍କୁ ଯଥେଷ୍ଟ ଅର୍ଥ ଯୋଗାଇ ପାରିଲା ନାହିଁ । ଫଳରେ କୋଡ଼ିଏ ବର୍ଷ କାଳ ସେ ଚରମ ଅଭାବ ଓ ଅନାଟନ ଭିତରେ ଦିନ ଯାପନ କଲେ । ତଥାପି ତାଙ୍କର ନାନା ଅଦ୍ଭୁତ ଧରଣର ଗପଗୁଡ଼ିକ “ଏକଜେମପ୍ଳାରୀ ନଭେଲ୍‍ସ” ନାମରେ ୧୬୧୩ରେ ପ୍ରକାଶିତ ହେଲା, ୧୬୧୪ରେ “ଦି ଜର୍ନି ଟୁ ପ୍ରାନାସାସ” ଏବଂ ୧୬୧୫ରେ ‘‘ଏଇଟ ପ୍ଳେଜ ଆଣ୍ଡ ଏଇଟ ନିଉ ଇଣ୍ଟାରଲଡ଼ସ ନେଭାର ଆକ୍ଟେଡ” । ଗୋଟାଏ ପାଗଳାମୀ ପ୍ରତି ତାଙ୍କର ସବୁଠାରୁ ବେଶି ଝୁଙ୍କ ଥିବାରୁ, ସେଭିଲର କାରାଗାର ଭିତରେ ୧୫୯୭ରେ ସେ “ଡନ କୁଇକସୋଟ ଦ୍ୟ ଲା ମାଞ୍ଚା”ରେ ହାତ ଦେଇଥିଲେ । ସୃଷ୍ଟିଶୀଳତାର ଅପ୍ରତ୍ୟାଶିତ ଗଭୀରତା ତଥା ସମ୍ଭାବନା ଦୃଷ୍ଟିରୁ, ଏପରି ଏକ ବିଷୟରେ ସେ ନିଜ କ୍ଷମତାର ପୂର୍ଣ୍ଣ ପ୍ରୟୋଗର ଉପଯୁକ୍ତତା ପ୍ରତିପାଦନ କଲେ–ଅବଶ୍ୟ ୧୬୦୫ରେ ପ୍ରଥମ ଖଣ୍ଡ ଓ ୧୬୧୫ରେ ଏହାର ଦ୍ୱିତୀୟ ଖଣ୍ଡ ପ୍ରକାଶିତ ହୋଇ ସମଗ୍ର ୟୁରୋପରେ ଚହଳ ପକାଇ ଦେଇଥିଲା ।

 

ଏହି କୌତୂହଳମୟ ରୋମାଞ୍ଚକର ଅଭିଯାନ ଗ୍ରନ୍ଥଟିକୁ ଯୁଗର ପ୍ରଭାବରେ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଇ ପାରେ । ତଥାପି ୟୁରୋପୀୟ ସାହିତ୍ୟରେ ଏହାର ପ୍ରଭାବ ସୁଦୂର ପ୍ରସାରୀ । ଏକମାତ୍ର ବାଇବେଲ ଛଡ଼ା, ଅନ୍ୟାନ୍ୟ ଗ୍ରନ୍ଥ ତୁଳନାରେ, ଏହା ସର୍ବାଧିକ ଭାଷାରେ ଅନୂଦିତ ହୋଇଅଛି । ପ୍ରଚ୍ଛନ୍ନ ଶ୍ଳେଷ, ଉଦ୍ଦେଶ୍ୟହୀନ ବିଦ୍ରୂପ ଓ ଚିନ୍ତାକୁଳ ଗଭୀରତା ହେଉଛି ଏହି ରସମୟ ଉପନ୍ୟାସଟିର ପ୍ରାଣକେନ୍ଦ୍ର । ଲେଖକଙ୍କର ଜୀବିତାବସ୍ଥାରେ ଏପରି ଆଲୋଚନାର ସୂତ୍ରପାତ ହୋଇଥିଲା–“ସାନ ପିଲାମାନେ ବହିଟି ହାତରେ ଧରି ଲେଉଟାନ୍ତି, କିଶୋରମାନେ ଏହାକୁ ପଢ଼ନ୍ତି, ବୟସ୍କମାନେ ଏହା ବୁଝନ୍ତି, ଆଉ ବୃଦ୍ଧମାନେ ଏହାର ପ୍ରଶଂସା କରନ୍ତି । ମୋଟ କଥା ହେଲା, ସମଗ୍ର ପୃଥିବୀରେ ଏହି ବହି ଏତେ ପ୍ରଚଳିତ, ଆଲୋଚିତ, ପଠିତ ଓ ପରିଚିତ ଯେ ଲୋକେ ଗୋଟିଏ ରୋଗଣା ଘୋଡ଼ା ଦେଖିଲା କ୍ଷଣି ଚିତ୍କାର କରନ୍ତି–‘‘ଏହି ଯେ ସେହି ରୋଜିନାଣ୍ଟି-।”

 

ଜର୍ମାନ ଲେଖକ ଡକ୍ଟର ଲିଅନ ଫୟେଟଭାନଗାର ୧୯୩୩ରେ ଜର୍ମାନୀରୁ ବିତାଡ଼ିତ ହୋଇ ଦକ୍ଷିଣ ଫ୍ରାନ୍ସକୁ ପଳାଇ ଯାଇଥିଲେ । ପରେ ଫ୍ରାନ୍ସ ଜର୍ମାନ ଅଧିକାରକୁ ଆସିଗଲାରୁ କିଛି କାଳ ଅନ୍ତରୀଣ ବନ୍ଦୀ ଅବସ୍ଥାରେ ରହି, ସେ ଶେଷକୁ ଆମେରିକାରେ ଯାଇ ଆଶ୍ରୟ ନେଲେ । ଯୁଦ୍ଧ ଓ ଅବରୋଧ କାଳୀନ ଦକ୍ଷିଣ ଫ୍ରାନ୍ସର ପଟଭୂମିରେ ସେ “ସୀମା” ଉପନ୍ୟାସ ରଚନା କଲେ । ସୀମା ନାମ୍ନୀ ଜଣେ ସାଧାରଣ ଫରାସୀ ଝିଅ ପାଞ୍ଚ ଶହ ବର୍ଷ ତଳର ବିପ୍ଳବୀ ନାୟିକା ଜୋନ ଅଫ୍‍ ଆର୍କର ଆଦର୍ଶରେ ଅନୁପ୍ରାଣିତ ହୋଇ କିପରି ଫରାସୀ ପ୍ରତିରୋଧ ବାହିନୀ ଗଢ଼ି ଜର୍ମାନ ସୈନ୍ୟମାନଙ୍କ ସହିତ ନିଜ ଦେଶ ପାଇଁ ଲଢ଼େଇ କରିଥିଲା, ଏହି ଉପନ୍ୟାସରେ ତାହାର ଏକ ନିଖୁଣ ବାସ୍ତବ ଚିତ୍ର ଦିଆ ଯାଇଛି । କିଶୋରୀ କନ୍ୟାଟିଏ ଦେଶପ୍ରେମର ଅନଳରେ ଆତ୍ମବିସର୍ଜନ କରିଛି ଏବଂ ନିଜକୁ ବୀରବାଳା ଜୋନ ଅଫ୍‍ ଆର୍କର ଅଂଶ ବିଶେଷ ବୋଲି ମନେକରି, ସେହି ଅଭୂତପୂର୍ବ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ସେ ଦୁର୍ଦ୍ଧର୍ଷ ଜର୍ମାନ ବାହିନୀ ବିରୁଦ୍ଧରେ ଅବିଚଳିତ ସଂଗ୍ରାମ କରିଛି । ବାସ୍ତବିକ ଏହି ଉପନ୍ୟାସଟିର ଆଙ୍ଗିକ ବଡ଼ ବିଚିତ୍ର, ମହତ ଓ ତାତ୍ପର୍ଯ୍ୟ ପୂର୍ଣ୍ଣ, ଏଥିରେ ସନ୍ଦେହ ନାହିଁ ।

 

ତୃତୀୟଟି ହେଉଛି ନରଓୟେର ନୋବେଲ ଲରିୟେଟ ଶ୍ରୀମତୀ ସୀଗରୀଡ଼ ଉଣ୍ଡସେଟଙ୍କର ଅତୁଳନୀୟ ଚିରନ୍ତନ ସାହିତ୍ୟ କୃତି “ଇଚ୍ଛାମତୀ”, ଯାହାର ଏକ ସର୍ବ ଯୁଗୀୟ ଆବେଦନ ପାଠକ ମହଲରେ ରହିଛି ।

 

ଚାଲନ୍ତୁ ଆର କୋଠରୀକୁ ।

 

ବଡ଼ ଓଷା,

 

୪, ମାର୍ଗଶିର, ୧୩୭୯

ଲକ୍ଷ୍ମୀ ନାରାୟଣ ମହାନ୍ତି

(୧୯, ନଭେମ୍ବର, ୧୯୭୨)

 

✽✽✽

 

ମିଗୁୟେଲ ଦ୍ୟ କାରଭାନଟେସ ସାଭେଦ୍ରା

Unknown

ଦୁରନ୍ତ ଅଭିଳାଷ

 

ସ୍ପେନ ଦେଶର ଦକ୍ଷିଣ ଅଞ୍ଚଳରେ ଲା-ମଞ୍ଚ ଗ୍ରାମରେ କୁଇକସାଡ଼ା ନାମକ ଜଣେ ବ୍ୟକ୍ତି ବାସ କରୁଥିଲା । ତାହାର କେତେ ମାଣ ଜମି ଥିଲା । ସେ ଚାଷବାସ କରି ଆରାମରେ ଦିନ କାଟୁଥିଲା । ତାହାର ପରିବାର ବୋଇଲେ ଚାଳିଶ ବର୍ଷ ବୟସ୍କା ଜଣେ ଗୃହ-ପରିଚାଳିକା, ପ୍ରାୟ କୋଡ଼ିଏ ବର୍ଷର ଭାଣିଜୀଟିଏ, ଆଉ ଘର ଓ ବାହାରର ସବୁ କାମଦାମ ପାଇଁ ଜଣେ ଚାକର ଟୋକା । କୁଇକସାଡ଼ାର ବୟସ ପଚାଶ ବର୍ଷ, ଅବିବାହିତ, ଶକ୍ତ ସମର୍ଥ । ତାହାର ଥିଲା ଗୋଟିଏ ଦରମଲା ଧଡ଼ିଆ ଘୋଡ଼ା, ମାଟିଆ ଶିକାରୀ କୁକୁରଟିଏ ଏବଂ ବିଲବାଡ଼ିର କାମ ଦାମ ସକାଶେ ତିନୋଟି ଗଧ । ଘୋଡ଼ାଟି ଯେମିତି, ତାହାର ମାଲିକ ମଧ୍ୟ ସେମିତି । ବିଲରେ ହଳ କଲାବେଳେ ଜୁଆଳି ଘଷି ହୋଇ ହୋଇ ଘୋଡ଼ାର ବେକ ଟିକିଏ ଲମ୍ବ ଓ ସରୁ ହୋଇ ଯାଇଛି, ତାହାର ଖାଇବାରେ କମତି ନାହିଁ, କିନ୍ତୁ ପଞ୍ଜରା ଦିଶୁଛି, ପଛ ଗୋଡ଼ ଦୁଇଟା କୁଞ୍ଚା କୁଞ୍ଚା, ଲାଞ୍ଜଟା ଖଣ୍ଡିଏ ଦଉଡ଼ି ପରି ଆଣ୍ଠୁଯାଏ ଝୁଲୁଛି । ଅବିକଳ ତାହାରି ପରି ଚେହେରା କୁଇକସାଡ଼ାର, ହାଡ଼ ବିଜି ବିଜି, ଡେଙ୍ଗା, ପତଳା, କୋଟରଗତ ଆଖି । ଘୋଡ଼ାକୁ ସବାର୍‍ ଠିକ୍‍ ମିଳିଥିଲା । ବେଳେ ବେଳେ କୁଇକସାଡ଼ାର ଅଧର କୋଣରେ ହସ ଖେଳିଯାଏ । ତାହାର ଝାଡ଼ୁ ଭଳିଆ ନିଶକୁ ଆନନ୍ଦରେ ହାତରେ ସାଉଁଳୁ ସାଉଁଳୁ ସେ ମନେମନେ ଭାବେ, ମହୀମଣ୍ଡଳେ ନାହାନ୍ତି ଏମନ୍ତ ଜନ ଯେ ତାହା ପରି ବୀର ପୁଙ୍ଗବକୁ ପ୍ରଶଂସା ନ କରି ରହି ପାରିବ ।

 

କୁଇକସାଡ଼ାର କିଛି କାମ ନ ଥାଏ, ଯଥେଷ୍ଟ ଅବସର । ବହି ପଢ଼ି ସେ ସମୟ ବିତାଏ-। ସେତେବେଳେ ଚାରି ପାଞ୍ଚ ଶହ ବର୍ଷ ପୂର୍ବେ ବହି ଭିତରେ ଥିଲା କେତେ ଖଣ୍ଡ ଧର୍ମଗ୍ରନ୍ଥ, ଆଉ ବାକିସବୁ ଯୋଦ୍ଧାମାନଙ୍କର ବୀର ଚରିତ । କୁଇକସାଡ଼ାର ଅତି ପ୍ରିୟ ଥିଲା ଦ୍ୱିତୀୟ ଶ୍ରେଣୀର ବହିସବୁ । ସମ୍ପତ୍ତିବାଡ଼ିର ଆୟର ତିନି ଭାଗ ଚାଲିଯାଏ ଘର ଖର୍ଚ୍ଚରେ । ବାକି ଏକ ଭାଗ ସେ ଏଭଳି ବହି କିଣାରେ ପୂରାପୂରି ବ୍ୟୟ କରେ । ସ୍ପେନୀୟ ଭାଷାରେ ଲିଖିତ ଇଂରେଜ, ଫରାସୀ, ଇତାଲୀୟ ଓ ସ୍ପେନିଶ ନାଇଟମାନଙ୍କର ଗୌରବମୟ ଅଲୌକିକ କୀର୍ତ୍ତିକଳାପ ସେଥିରେ ବର୍ଣ୍ଣିତ ହୋଇଥାଏ । ସେହି ବହିସବୁ କୁଇକସାଡ଼ାର ଗ୍ରନ୍ଥାଗାରରେ ସଜା ହୋଇ ରହିଥାଏ । ବରାବର ପଢ଼ି ପଢ଼ି ସେହି ବହିସବୁର ବିଷୟ ବସ୍ତୁ ତାହାର ପ୍ରାୟ ମୁଖସ୍ଥ ହୋଇ ଯାଇଥିଲା-। ନାଇଟମାନଙ୍କର ଶୌର୍ଯ୍ୟ ବୀର୍ଯ୍ୟର ଗାଥା ସବୁ ପଢ଼ି ପଢ଼ି ଏବଂ ସେସବୁ ଅହରହ ଭାବି ଭାବି ସେମାନଙ୍କର ଅଲୌକିକ ଅନୁଭୂତି ଓ ଆବେଗ ଧୀରେ ଧୀରେ କୁଇକସାଡ଼ାର ରକ୍ତ ମାଂସରେ ମିଶିଗଲା । ରାତିରେ ସେ ନାଇଟମାନଙ୍କୁ ସ୍ଵପ୍ନ ଦେଖିଲା, ସେମାନଙ୍କ ପରି ଚିନ୍ତା କଲା ଏବଂ ସେମାନଙ୍କ ଭାଷାରେ କଥାବାର୍ତ୍ତା କରିବାକୁ ଲାଗିଲା । ମୋଟ ଉପରେ ନିଜେ ଜଣେ ନାଇଟ ବୋଲି ତାହାର ଏକ ଦୃଢ଼ ଧାରଣା ଜାତ ହେଲା । ଯଦି କେହି କେବେ କହିଦିଏ ଯେ ନାଇଟମାନଙ୍କର ଯୁଗ ଚାଲି ଯାଇଛି, ତେବେ ସଙ୍ଗେ ସଙ୍ଗେ ସେ ନବଯୁଗର ସମାଜ ଉପରେ ରାଗି ପଞ୍ଚମ ହୋଇଯାଏ । ନାଇଟମାନଙ୍କର ଅମଳ ଯେ ସୁବର୍ଣ୍ଣ ଯୁଗ ଥିଲା, ସେ ଏହି ଧାରଣାରୁ ତିଳେହେଲେ ବିଚ୍ୟୁତ ହୁଏ ନାହିଁ ।

 

ଦିନ ଥିଲା, ଯେତେବେଳେ ୟୁରୋପର ଶାନ୍ତିରକ୍ଷା ଓ ଶତ୍ରୁ ଦମନ ନିମନ୍ତେ ରାଜା ନାଇଟ ସମ୍ପ୍ରଦାୟ ସୃଷ୍ଟି କରିଥିଲେ ଏବଂ ଜନ ସାଧାରଣ ସେମାନଙ୍କୁ ଦେବଦୂତ ପରି ସମାଦର କରୁଥିଲେ । ବାସ୍ତବିକ ବୀର ପୁଙ୍ଗବମାନେ ହିଁ ନାଇଟ ଉପାଧିରେ ଭୂଷିତ ହେଉଥିଲେ । ସେତେବେଳେ ଦେଶରେ ପୋଲିସ ନଥିଲା । ଏହି ନାଇଟମାନେ ଚାରିଆଡ଼େ ବୁଲି ବୁଲି ଦୁଷ୍ଟ ବିନାଶି ଶାନ୍ତ ଜନଙ୍କୁ ପାଳୁଥିଲେ । କିନ୍ତୁ କାଳକ୍ରମେ ଦେଶରେ ରାଜାମାନଙ୍କର ଶାସନ ପ୍ରତିଷ୍ଠିତ ହେଲା; ରାଜକର୍ମଚାରୀମାନେ ନିଯୁକ୍ତ ହେଲେ ଏବଂ ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ରାଜ ସୈନ୍ୟର ଘାଟି ବସିଲା । ନୂତନ ବ୍ୟବସ୍ଥାରେ ଶାସନକାର୍ଯ୍ୟ ସ୍ଥାୟୀ ଭାବରେ ନିର୍ବାହ ହେଲା । ସୁତରାଂ ନାଇଟ ସମ୍ପ୍ରଦାୟର ଅସ୍ତିତ୍ଵ ଆଉ ରହିଲା ନାହିଁ ।

 

କିନ୍ତୁ ଏହି ସହଜ କଥାଟା କେହି କୁଇକସାଡ଼ାକୁ କେବେ ବୁଝାଇ ଦେଲେ ନାହିଁ । ଗୋଟାଏ ଅଜବ ଧରଣର ପାଗଳାମି ତା’ଦ୍ଵାରା ମଗଜ ଭିତରେ ନିରନ୍ତର ଖେଳି ବୁଲିଲା । ସବୁ କଥାରେ ପ୍ରକୃତିସ୍ଥ ଲୋକ ପରି ତାହାର ଆଚରଣ, ମାତ୍ର ଏହି ଗୋଟିଏ କଥାରେ ତାହାର ମୁଣ୍ଡ ଖରାପ । ଶୟନରେ ସପନରେ ଓ ଜାଗରଣରେ ବରାବର କେବଳ ନାଇଟମାନଙ୍କର ଚିନ୍ତା କରୁଁ କରୁଁ ଗୋଟାଏ ବିଚିତ୍ର ଖିଆଲ ତାହାର ମଗଜରେ ଢୁକିଲା । ସେ ମେନେମନେ ଭାବିବାକୁ ଲାଗିଲା, ଏହି ଯୁଗରେ ନାଇଟମାନଙ୍କର ଅଭାବରୁ ପୃଥିବୀର ଭୟଙ୍କର ଅଧୋଗତି ହୋଇଛି ଏବଂ ସେଥିରୁ ଧରଣୀକୁ ଉଦ୍ଧାର କରିବାର ଭାର ଭଗବାନ ତାହା ଉପରେ ନ୍ୟସ୍ତ କରିଛନ୍ତି ।

 

ନାଇଟ ବିହୁନେ ଜଗତରେ ଶାନ୍ତି ନାହିଁ । ସେହି ଶାନ୍ତି ସ୍ଥାପନ ସକାଶେ ରାଜାଙ୍କ ଦ୍ୱାରା ନିଯୁକ୍ତ ନ ହେଲେ ସୁଦ୍ଧା କୁଇକସାଡ଼ାକୁ ନାଇଟ ବେଶରେ ଦେଶ ବିଦେଶ ପର୍ଯ୍ୟଟନ କରିବାକୁ ହେବ । ଦୁଇ ଚାରି ଜାଗାରେ ନିଜର ବୀରତ୍ଵର ପରିଚୟ ଦେଇ ପାରିଲେ ତାହାର କୀର୍ତ୍ତି ଗାଥା ରାଜାଙ୍କ କାନରେ ଯାଇ ପଡ଼ିବ ଏବଂ ସେ ଅଚିରେ ଏକ ନିଶ୍ଚୟ ନିଯୁକ୍ତିପତ୍ର ପାଇବ । ସେ ଯେତେ ଏହି ବିଷୟ ଭାବେ, ତାହାର ମନରେ ଧାରଣ ଦୃଢ଼ୀଭୂତ ହୁଏ ଯେ ବିଲୁପ୍ତ ବୀର ଧର୍ମର ପୁନଃ ପ୍ରତିଷ୍ଠା ନିମନ୍ତେ ଭଗବାନ ତାହାକୁ ଧରାଧାମକୁ ପଠାଇଛନ୍ତି ।

 

ନିଜର ଦୃଢ଼ ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ କୁଇକସାଡ଼ାକୁ ସକଳ ପ୍ରୟୋଜନୀୟ ଆୟୋଜନ କରିବାକୁ ହେବ । ଘୋଡ଼ା ତ ତାହାର ଅଛି, ତାହାର ନାମକରଣ କଲା “ରୋଜିନାଣ୍ଟି”, ଅର୍ଥାତ୍‍ ଭୂତପୂର୍ବ ଭାରବାହୀ । ସେହିପରି ନିଜର ନାମ ବଦଳାଇ କଲା “ଡନ କୁଇକସୋଟ ଦ୍ୟ–ଲା–ମାଞ୍ଚା” ତାହାର ଜନ୍ମସ୍ଥାନର ନାମକୁ ସ୍ମରଣୀୟ କରିବା ପାଇଁ । ଚିରାଚରିତ ରୀତି ଅନୁସାରେ ଜଣେ ଆରାଧ୍ୟା, ଦେବୀଙ୍କର ନାଇଟ ରୂପେ ପରିଚିତ ହେବା ସକାଶେ ସେ ନିଜ ଦେବୀଙ୍କର ନାମ ରଖିଲା ଡାଲସିନିୟା ଦେଲ ଟୋବୋସୋ, ଅର୍ଥାତ୍‍ ଟୋବୋସା ବାସିନୀ କୃଷକ କନ୍ୟା ଡାଲସିନିୟା । ପୂର୍ବପୁରୁଷଙ୍କ ଭିତରୁ କାହାରି ଜଣକର ସାରିଏ ଲୌହ ଯୁଦ୍ଧ ପୋଷାକ ଗୋଦାମ ଘରେ ପଡ଼ିଥିଲା–ଟୋପି, ବର୍ମ, ହାତ ଓ ପାଦର ଆଚ୍ଛାଦନ । ଶିରସ୍ତ୍ରାଣର ଯେଉଁ ଅଂଶଟିରେ ମୁଖ ଆବୃତ କରିବାକୁ ହୁଏ, ସେଟା ନ ମିଳିବାରୁ ସେ ଖଣ୍ଡିଏ ମୋଟା ମଲାଟ କାଗଜରେ ନିଜ ମୁଖର ମାପରେ ମୁଖାବରଣଟି ତିଆରି କରି ସେଥିରେ କଳା ରଙ୍ଗ ବୋଳି ଟୋପି ସାଙ୍ଗରେ ତାହାକୁ ଶକ୍ତ ଭାବରେ ବାନ୍ଧି କରି ପିନ୍ଧିଲା । ଲୌହ ପୋଷାକଟି ଘଷି ମାଜି ସଫା କରିବାରୁ ବେଶ୍‍ ଚକଚକିଆ ଦିଶିଲା ।

 

ପ୍ରସ୍ତୁତି ସାରିଲାରୁ ଦିନେ ଡନ କୁଇକସୋଟ ସ୍ଥିର କଲା, ତାହାର ଭାଣିଜୀ କି ଅନ୍ୟ କାହାକୁ ନ ଜଣାଇ ଦିନେ ରାତିରେ ଅନ୍ଧାରରେ ସେ ଚୁପ୍‍ଚାପ୍‍ ଘରୁ ବାହାରି ପଡ଼ିବ । ଦଳିତ ନିଷ୍ପେଷିତ ଅତ୍ୟାଚାରିତ ଦୁର୍ବଳ ଜନତାର ଆର୍ତ୍ତ ଚିତ୍କାରରେ ଗଗନ ପବନ ମଥିତ ହେଉଛି, ସେ କିପରି ବା ଏଠାରେ ଆଉ ସ୍ଥିର ହୋଇ ବସି ରହିବ ?

 

ରଜନୀର ଶେଷ ଯାମ । ନିବିଡ଼ ଅନ୍ଧକାର । ପୁରବାସୀ ସମସ୍ତେ ନିଦ୍ରିତ । ଡନ କୁଇକସୋଟ ଧୀରେ ଧୀରେ ବିଛଣାରୁ ଉଠି ଯୁଦ୍ଧ ପୋଷାକରେ ସଜ୍ଜିତ ହେଲା । ତା’ପରେ ସେ ଚୁପିଚୁପି ଘୋଡ଼ାଶାଳକୁ ଯାଇ ରୋଜିନାଣ୍ଟିକୁ ଜିନ ଲଗାମ ଓ ରେକାବ ପିନ୍ଧାଇ ଦେଲା । ତା’ପରେ ଆସ୍ତେ ଆସ୍ତେ ଘୋଡ଼ାର ପିଠି ଥାପୁଡ଼ାଇ ତାହା ଉପରେ ଚଢ଼ି ବସି ଏବଂ ଭଗବାନ ଓ ଆରାଧ୍ୟା ଦେବୀଙ୍କର ନାମ ସ୍ମରଣ କରି, ସେ ଘରୁ ବାହାରି ପଡ଼ିଲା ।

 

ରୋଜିନାଣ୍ଟି ଖୋଲା ପଡ଼ିଆରେ ଦୋହଲି ଦୋହଲି ଚାଲିଛି, ଆଉ ତାହାର ପିଠି ଉପରେ ବସି ଡନ କୁଇକସୋଟର ଛାତି କୁଣ୍ଢେମୋଟ ଫୁଲି ଉଠୁଛି ଉତ୍ତେଜନାରେ, ଆତ୍ମ-ପ୍ରସାଦରେ ଓ ନାଇଟର ଗୌରବରେ । ଆଜି ବୀରଶୂନ୍ୟ ଧରଣୀରେ ଏକମାତ୍ର ନାଇଟ ହେଉଛି ଡନ କୁଇକସୋଟ ଦ୍ୟ–ଲା–ମାଞ୍ଚା । ସମୀରଣ ମନ୍ଦମନ୍ଦ ସ୍ୱରରେ ନାଇଟର ପ୍ରଶସ୍ତି ଗାନ କରୁଥିଲା-। ଗ୍ରହ ଉପଗ୍ରହମାନେ ନାଇଟର ଅଗ୍ରଗତି ଉପରେ ସତର୍କ ଦୃଷ୍ଟି ରଖିଥିଲେ । ଅତ୍ୟାଚାରିତମାନଙ୍କର ଲୌହ ଶୃଙ୍ଖଳ ଝଣଝଣ ଶବ୍ଦ କରି ଭାଙ୍ଗି ପଡ଼ୁଥିଲା, ଆଉ ଏକମାତ୍ର ନାଇଟର ଉତ୍ତୋଳିତ ତରବାରି ଦେଖି ଅତ୍ୟାଚାରୀ ପାଷଣ୍ଡ ଦୈତ୍ୟମାନେ ଦ୍ରୁତ ଧାଇଁ ପଳାଉଥିଲେ-

 

ଏକମାତ୍ର ନାଇଟର ଅଚାନକ ମନରେ ଗୋଟାଏ ପ୍ରଚଣ୍ଡ ଧକ୍କା ଖାଇଲା । ଡନ କୁଇକସୋଟର ଫୁଲି ଉଠିଥିବା ଉଦ୍ଦୀପନାର ବେଲୁନଟି ଫାଟିଗଲା । ବର୍ତ୍ତମାନ ତ ସେ ନାଇଟ ହୋଇ ନାହିଁ ! ଅନ୍ୟ ନାଇଟଦ୍ୱାରା ନାଇଟ ରୂପେ ଅଭିଷିକ୍ତ ନ ହେଲେ କୌଣସି ବ୍ୟକ୍ତିର ନାଇଟର ନାମ ଧାରଣ କରିବାର ଅଧିକାର ନାହିଁ । ସୁତରାଂ ଏପରି ଯୋଦ୍ଧା ହୋଇ ଲାଭ କଅଣ ? ନାଇଟ ହୋଇ ନ ପାରିଲେ, ତାହାର ସବୁ ଶ୍ରମ ପଣ୍ଡ ହେବ । ତେଣୁ ସେ ମନେମନେ ଚିନ୍ତା କଲା, ଏ ଦେଶରେ କଅଣ ଏବେ ପ୍ରକୃତରେ ଏମିତି ଜଣେ ହେଲେ ନାଇଟ ନାହିଁ, ଯେ ନତଜାନୁ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚାର କାନ୍ଧରେ ତରବାରି ଛୁଆଁଇ କହିପାରିବ–“ଉଠ ଡନ କୁଇକସୋଟ, ମୁଁ ତୁମକୁ ଆଜି ନାଇଟ ପଦରେ ଅଭିଷିକ୍ତ କଲି ?’’

 

 

ରାତି ପହିଲା । ଡନ କୁଇକସୋଟ କ୍ରମାଗତ ଚାଲିବାରେ ଲାଗିଛି, ପ୍ରାନ୍ତର ପରେ ଗ୍ରାମ, ପୁଣି ଗ୍ରାମ ପରେ ପ୍ରାନ୍ତର ଅତିକ୍ରମ କରି । ଗ୍ରାମବାସୀମାନେ ତାହାର ଅପରୂପ ବେଶଭୂଷା ଦେଖି ଅବାକ ହୋଇ ଯାଆନ୍ତି । ସେମାନଙ୍କ ଭିତରୁ କେହି କେହି ତାହାକୁ ଭୂତ ମନେକରି ଛାତି ଉପରେ କ୍ରୁଶ ଚିହ୍ନ ଆଙ୍କି ଆଙ୍କି ଦୌଡ଼ି ପଳାନ୍ତି, ବୁଲା କୁକୁରଗୁଡ଼ାକ ଭୋ ଭୋ ରଡ଼ି ଛାଡ଼ି ତାହାକୁ ଖେଦି ନିଅନ୍ତି, ଆଉ କୁଇକସୋଟ ହାତରେ ଧରିଥିବା ଲମ୍ବା ବର୍ଚ୍ଛାଟା ଉଞ୍ଚାଇ କୁକୁରଗୁଡ଼ାକୁ ଘଉଡ଼ାଏ । ଖରାର ତେଜ ବଢ଼େ । ପ୍ରାତଃଭୋଜନ ମିଳେ ନାହିଁ, ମଧ୍ୟାହ୍ନ ଭୋଜନର ସମୟ ବି ଗଡ଼ିଯାଏ । କ୍ଷୁଧା ପିପାସାରେ ଡନ କୁଇକସୋଟ ଓ ରୋଜିନାଣ୍ଟି ଉଭୟେ କାତର ହୋଇପଡ଼ନ୍ତି । କିନ୍ତୁ କେହି ତାହାକୁ ଆଦରରେ ଡାକି କହେନା–ନାଇଟ ମହୋଦୟ, ମୋ ଘରକୁ ଆସନ୍ତୁ, ଟିକିଏ ବିଶ୍ରାମ କରନ୍ତୁ, ଘୋଡ଼ାଟିକୁ ବି କିଛି ଖାଇବାକୁ ଦିଅନ୍ତୁ । ସତ କଥା କହିବାକୁ ଗଲେ, ନିଜ ଗ୍ରାମର ଏତେ ନିକଟରେ କାହାରି ଘରେ ଅତିଥି ହେବାକୁ କୁଇକସୋଟର ମୋଟେ ଇଚ୍ଛା ନ ଥିଲା । କାରଣ କଥାରେ କଥାରେ ତାହାର ଅସଲ ପରିଚୟ ଜଣାପଡ଼ିଯିବ ଏବଂ ସେହି ଖବର ଘରେ ପହଞ୍ଚିଲେ ତାହାର ଭାଣିଜୀ ଚାକର ବାକର ନେଇ ଧାଇଁ ଆସିବ ପଳାତକ ନାଇଟକୁ ଫେରାଇ ନେବାପାଇଁ । ନା, ଏକ୍ଷଣି କେଉଁଠି ଅଟକିବାକୁ ହେବ ନାହିଁ, ଆହୁରି ଦୂରକୁ ଯିବାକୁ ହେବ । ରାତି ନ ହେବା ଯାଏ ଅବିରାମ ଚାଲିବାକୁ ପଡ଼ିବ ।

ଅବଶେଷରେ ସୂର୍ଯ୍ୟ ଅସ୍ତ ହେଲେ । ଗୋଧୂଳିର ମଳିନ ଆଲୋକରେ କୁଇକସୋଟ ସାମନାରେ ଗୋଟିଏ ବଡ଼ ଘର ଦେଖି ପାରିଲା । ତାହାକୁ ଗୋଟାଏ ଦୁର୍ଗ ମନେକରି ସେ ହୃଷ୍ଟ ଚିତ୍ତରେ ଅଗ୍ରସର ହେଲା ।

 

ଦୁର୍ଗରେ ପ୍ରବେଶ କରିବାକୁ ବସିଲା ବେଳେ ହଠାତ୍‍ ଗୋଟାଏ ଶିଙ୍ଗା ବାଜିଲା । ଜଣେ ପଶୁ ପାଳକ ଘୁଷୁରି ଚରାଉଥିଲା, ସନ୍ଧ୍ୟା ହେବାର ଦେଖି ସେ ଶିଙ୍ଗା ଫୁଙ୍କିଲାରୁ ପଲର ଘୁଷୁରିସବୁ ଦୂରରୁ ଧାଇଁ ଆସିଲେ । ଏସବୁ ସେ ଦେଖି ବି ଦେଖିଲା ନାହିଁ କି ଏଥିରେ ମଥା ଖେଳାଇଲା ନାହିଁ-। ଦୁର୍ଗ ଦ୍ୱାରରେ ଶିଙ୍ଗା-ଧ୍ୱନି ଶୁଣି ସେ ନିଃସନ୍ଦେହରେ ଘର ଭିତରେ ପ୍ରବେଶ କଲା-

 

ଘରର ଦୁଆର ମୂହଁରେ ଦୁଇଟି ଝିଅ ଠିଆ ହୋଇଥିଲେ । ପ୍ରକୃତରେ ସେହି ଘରଟି ହେଉଛି ଗୋଟିଏ ସରାଇଖାନା, ଆଉ ସେହି ଝିଅ ଦୁହେଁ ଅନ୍ୟ ଗାଁକୁ ଯିବା ବାଟରେ ରାତିରେ ଆଶ୍ରୟ ନେବା ପାଇଁ ଏଠାକୁ ଆସିଥିଲେ । ମାତ୍ର ଡନ କୁଇକସୋଟ ସରାଇଖାନାକୁ ଦୁର୍ଗ ଓ ଝିଅ ଦୁହିଁଙ୍କୁ ରାଜକୁମାରୀ ମନେକରି, ଘୋଡ଼ାର ପିଠି ଉପରୁ ତଳକୁ କୁଦି ପଡ଼ିଲା ଏବଂ ସେମାନଙ୍କ ସାମନାରେ ଆଣ୍ଠୁମାଡ଼ି ବସି ଉଚ୍ଛ୍ୱସିତ ଭାବରେ ଜଣାଇଲା–ସୁନ୍ଦରୀ ଓ ମହୀୟସୀ ମହିଳାମାନେ ! ମୁଁ ପଥିକ ନାଇଟ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚା ଆପଣମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରୁଛି । ମୋର ବାହୁ ବଳ ଆପଣମାନଙ୍କ ସେବାରେ ନିଯୁକ୍ତ କରିବା ପାଇଁ ଏବଂ ମୋର ଶାଣିତ ତରବାରି ଆପଣମାନଙ୍କର ଶତ୍ରୁ ନିଧନ ସକାଶେ ଉତ୍ତୋଳନ କରିବା ପାଇଁ ମୁଁ ସର୍ବଦା ପ୍ରସ୍ତୁତ ଅଛି । ଯେଉଁ ଭାବରେ ପ୍ରୟୋଜନ ଆପଣମାନେ ମୋର ସାହାଯ୍ୟ ଗ୍ରହଣ କରି ପାରନ୍ତି ।

 

ଏହି କିମ୍ଭୂତକିମାକାର ପୋଷାକ ପରିହିତ ଦୀର୍ଘକାୟ ରୁଗ୍‍ଣ ଲୋକଟିର ତୁଣ୍ଡରୁ ଏପରି ବିଚିତ୍ର ସମ୍ଭାଷଣ ଶୁଣି, ଝିଅ ଦୁହେଁ ହସି ହସି ଗଡ଼ିଗଲେ । ସେମାନଙ୍କୁ ହସିବାର ଦେଖି କୁଇକସୋଟ ସ୍ଵଭାବତଃ ଅତ୍ୟନ୍ତ ବିରକ୍ତ ହେଲା ଏବଂ ସେମାନଙ୍କୁ ମୃଦୁ ଭର୍ତ୍ସନା କଲା–ମହିଳାମାନଙ୍କର ଖାଲି ସୁନ୍ଦରୀ ହେଲେ ଚଳେ ନାହଁ ସେମାନଙ୍କର ଶାଳୀନତାବୋଧ ଥିବା ନିହାତି ଦରକାର । ଏହା ଶୁଣି ଝିଅମାନଙ୍କୁ ଆହୁରି ମଜା ଲାଗିଲା । କଳା ମଲାଟ କାଗଜରେ ଆଚ୍ଛାଦିତ କୁଇକସୋଟର ମୁହଁଟି ଦେଖିବା ପାଇଁ ସେମାନେ ଉଙ୍କି ମାରିଲେ । ଏଥର କୁଇକସୋଟ ରୀତିମତ ରାଗରେ ପାଚିଗଲା, କଅଣ କରିବ କିଛି ଭାବି ପାରିଲା ନାହିଁ । ଠିକ୍‍ ଏତିକିବେଳେ ସରାଇଖାନାର ମାଲିକ ଆସି ହାଜର ହେଲା । ନବାଗତ ଅତିଥିର ଚେହେରା ଦେଖି ସେ ବି ଝିଅ ଦୁହିଁଙ୍କ ପରି ହସିବାକୁ ଯାଉଥିଲା, ମାତ୍ର ତାହାର ହାତରେ ଲମ୍ବା ବର୍ଚ୍ଛା ଓ କଟିରେ ଦୀର୍ଘ ତରବାରି ଦେଖିପାରି ସେ ଡରି ଯାଇ ବିନୀତ କଣ୍ଠରେ ଜଣାଇଲା–ନାଇଟ ମହାଶୟ, ଯଦି ଆପଣ ରାତିରେ ଏଠାରେ ରହିବାକୁ ଚାହାନ୍ତି, ଆପଣଙ୍କର ସବୁ ପ୍ରୟୋଜନୀୟ ଜିନିଷ ପାଇବେ, କେବଳ ବିଛଣା ଛଡ଼ା ।

 

ଡନ କୁଇକସୋଟ ଉଦାର ସ୍ୱରରେ ଜବାବ ଦେଲା–ମୁଁ ଯେକୌଣସି ଜାଗାରେ ପଡ଼ିଯାଇପାରେଁ । ନାଇଟମାନଙ୍କର ବିଳାସ ବ୍ୟସନ ନ ରହିବା ଭଲ । ତେବେ ରୋଜିନାଣ୍ଟି ପାଇଁ ମୁଠାଏ ଦାନା ଲୋଡ଼ା, ଦିନ ସାରା ବିଚରାର ପେଟରେ କିଛିହେଲେ ପଡ଼ି ନାହିଁ ।

 

ସଙ୍ଗେ ସଙ୍ଗେ ସରାଇର ମାଲିକ ଘୋଡ଼ାଟିକୁ ଘୋଡ଼ାଶାଳ ଆଡ଼କୁ ନେଇଗଲା । ଏହା ଦେଖି କୁଇକସୋଟ ଏକାବେଳେ ବିଚଳିତ ହେଲା । ସେ ମନେମନେ ସ୍ଥିର କଲା, ସୁଯୋଗ ମିଳିଲେ ତାହାକୁ ନାଇଟ ପଦରେ ଅଭିଷିକ୍ତ କରିବା ଲାଗି ସେ ଦୁର୍ଗସ୍ଵାମୀକୁ (ସରଇର ମାଲିକ) ଆବେଦନ କରିବ ।

 

ଇତିମଧ୍ୟରେ ଖବର ଆସିଲା, ଅତିଥିମାନଙ୍କର ଖାଦ୍ୟ ଦିଆ ହୋଇଛି । ଦିନସାରା ଉପବାସ ଥିବାରୁ ଖାଦ୍ୟର ନାମ ଶୁଣିଲା କ୍ଷଣି କୁଇକସୋଟ ଧାଇଁଗଲା । ଝିଅ ଦୁହେଁ ବି ଚାଲିଲେ-। ଗୋଟିଏ ଲମ୍ବା ଟେବୁଲରେ ସମସ୍ତେ ଖାଇ ବସିଲେ ।

 

ବର୍ତ୍ତମାନ ଗୋଟିଏ ଅସୁବିଧା ଦେଖା ଦେଲା । ନାଇଟମାନଙ୍କର ପ୍ରଥା ଅନୁଯାୟୀ ଡନ କୁଇକସୋଟ ଶିରସ୍ତ୍ରାଣ ପରିଧାନ କରିଥିଲା । ଏଥିରେ ଦୁଇଟି ଅଂଶଥିଲା, ମଥାରେ ଟୋପି ଓ ମୁହଁର ଢାଙ୍କୁଣି । ତାହାର ଶିରସ୍ତ୍ରାଣରେ ଟୋପି ଅଂଶଟି ଆଗରୁ ଥିଲା, ମୁହଁର ଢାଙ୍କୁଣିଟା ସେ ନିଜେ ମଲାଟ କାଗଜରେ ତିଆରି କରି ଟୋପି ସାଙ୍ଗରେ ଫିତାରେ ଜୋରରେ ବାନ୍ଧି ଦେଇଥିଲା । ସାଧାରଣତଃ ଶିରସ୍ତ୍ରାଣର ଦୁଇଟି ଅଂଶ କବଜାରେ ଏପରି ଭାବରେ ଅଣ୍ଟା ଯାଇଥାଏ ଯେ ମୁହଁର ଢାଙ୍କୁଣିଟାକୁ ଇଚ୍ଛାମତେ ଉପରକୁ ଟେକି ଦେଲେ ଖିଆପିଆରେ ସୁବିଧା ହୁଏ । କିନ୍ତୁ ମଲାଟର ଢାଙ୍କୁଣିରେ କବ୍‍ଜାର ବ୍ୟବସ୍ଥା ନ ଥିବାରୁ, ସମସ୍ତଙ୍କ ସାମନାରେ ଫିତାଟା ଖୋଲିବାକୁ ଗଲେ ଏକ ହାସ୍ୟକର ବ୍ୟାପାର ହେବ, ବିଶେଷତଃ ହସର ଖୋରାକ ପାଇଲେ ଝିଅ ଦୁହେଁ ଆଉ ସ୍ଥାନ କାଳ ପାତ୍ର ବିବେଚନା କରିବେ ନାହିଁ । ଅତଏବ କୁଇକସୋଟ ବହୁତ ଭାବିଚିନ୍ତି ସ୍ଥିର କଲା, ସେ କଦାପି ମୁହଁରୁ ଢାଙ୍କୁଣି ଖୋଲିବ ନାହିଁ, ସେଥିରେ ଖିଆପିଆ ହେଉ ବା ନ ହେଉ । ଏଣେ ପ୍ରଚଣ୍ଡ ଭୋକରେ ତାହାର ପେଟ ଜଳୁଛି, ନ ଖାଇଲେ ଦେହରେ ତାକତ ଆସିବ ନାହିଁ, ଘୋଡ଼ାରେ ଚଢ଼ି ବା ଧାଇଁବ କିପରି ? ତାହା ଛଡ଼ା ଦୈତ୍ୟ ଦାନବମାନଙ୍କ ସହିତ ତାହାକୁ ଯୁଝିବାକୁ ପଡ଼ିପାରେ । ଅତଏବ ଯେକୌଣସି ଉପାୟରେ ତାହାର କିଛି ଖାଇବା ନିହାତି ଦରକାର । ଅବଶେଷରେ ଭଗବାନ ତାହାକୁ ଗୋଟାଏ ବାଟ ବତାଇ ଦେଲେ । ସେ ଦୁଇ ହାତରେ ଢାଙ୍କୁଣି ସମେତ ସମୁଦାୟ ଶିରସ୍ତ୍ରାଣଟାକୁ ଟେକି ଧରିଲା ଏବଂ ଝିଅ ଦୁହେଁ ତାହାର ପାଟିରେ ଖାଦ୍ୟ ପୂରାଇ ଦେବାକୁ ଲାଗିଲେ ।

 

ଖାଇବା ସିନା କୌଣସି ମତେ ହୋଇଗଲା, ମାତ୍ର ପିଇବା ତ ଏମିତି ଭାବରେ ହୋଇପାରିବ ନାହିଁ । ସୁତରାଂ ଖଣ୍ଡିଏ ଲମ୍ବା ନଳ ଆଣି ନାଇଟର ପାଟିରେ ପୂରାଇ ଦିଆଗଲା, ଆଉ ନଳର ଆର ମୁଣ୍ଡଟା ମଦ ଭାଣ୍ଡ ଭିତରେ ରହିଲା । କୁଇକସୋଟ ନଳରେ ଚୋଷି ଚୋଷି ଯଥା ସମ୍ଭବ ମଦ ପାନ କଲା ।

 

ଭୋଜନ ପରେ କୁଇକସୋଟ ନିରୋଳାରେ ସରାଇ ମାଲିକର ସାମନାରେ ହଠାତ୍‍ ଆଣ୍ଠୁମାଡ଼ି ବସି କାତର କଣ୍ଠରେ କହିଲା–ମୋ ସହିତ ଆଉ ଛଳନା କରିବେ ନାହିଁ, ସେ ମହମାନ୍ଵିତ ଦୁର୍ଗସ୍ୱାମୀ । ଆପଣ ଯେ ଜଣେ ଯଶସ୍ଵୀ ନାଇଟ, ମୋର ତାହା ବୁଝିବାକୁ ବାକି ନାହିଁ । ମୁଁ ବି ନାଇଟ ହେବା ଲାଗି ବାହାରିଛି । ନାଇଟ ହେଲା ଭଳି ସବୁ ଶିକ୍ଷା ଓ ଯୋଗ୍ୟତା ମୋର ଅଛି । କିନ୍ତୁ ଦୁର୍ଭାଗ୍ୟ ଯେ ଅଦ୍ୟାବଧି ମୋର ଅଭିଷେକ ହୋଇ ନାହିଁ । ମୁଁ ଆପଣଙ୍କ ନିକଟରେ ସେହି ଅନୁଗ୍ରହ ଭିକ୍ଷା କରୁଛି । ଆପଣ ମୋତେ ନାଇଟ ପଦରେ ଅଭିଷିକ୍ତ କରନ୍ତୁ । ଆଜି ରାତିରେ ଏହି ଦୁର୍ଗର ଗିର୍ଜାରେ ମୁଁ ରାତି ସାରା ଉଜାଗର ରହିବି । ଆପଣ ତ ଜାଣନ୍ତି, ନାଇଟର ଅଭିଷେକରେ ବାଧା ଦେବା ପାଇଁ ଦୈତ୍ୟ ଦାନବ ଯାଦୁକରମାନେ ସଜାଗ ନାଇଟକୁ ମାୟା ମନ୍ତ୍ରରେ ବଶ କରି ବା ତାହାକୁ ଶୋଇ ପକାଇ ତାହାର ଅସ୍ତ୍ରଗୁଡ଼ିକ ଅପହରଣ କରନ୍ତି । ଯଦି ସେମାନେ ଏଥିରେ ସଫଳ ହୁଅନ୍ତି, ତାହାହେଲେ ନାଇଟର ଅଭିଷେକ ଆଉ ହୋଇପାରେ ନାହିଁ । ମୋ କ୍ଷେତ୍ରରେ ସେମାନେ ନିଶ୍ଚୟ ଚେଷ୍ଟା କରିବେ । ମୁଁ ତାହା ଜାଣେ, କାରଣ ବର୍ତ୍ତମାନ ଦୁନିଆରେ ପର୍ଯ୍ୟଟକ ନାଇଟ ଆଦୌ ନାହାନ୍ତି, ବହୁ ଦିନ ପରେ ମୁଁ ଏକା ବାହାରିଛି । ମୋର ଉଦ୍ଦେଶ୍ୟ ଭଣ୍ଡୁର କରିବା ପାଇଁ ସେମାନେ ମୋର ଅସ୍ତ୍ରଶସ୍ତ୍ର ଚୋରି କରି ନେଇ ପାରନ୍ତି । କିନ୍ତୁ ସେମାନେ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚାକୁ ଜାଣି ନାହାନ୍ତି । ଆପଣ ଦେଖିବେ, ସେମାନଙ୍କର ସବୁ ଅପଚେଷ୍ଟା ବ୍ୟର୍ଥ ହେବ । ଆପଣ ଖାଲି ମୋତେ କଥା ଦିଅନ୍ତୁ ଯେ ଆଜି ରାତିଟା କୌଣସି ମତେ ନିରାପଦରେ କଟିଗଲେ କାଲି ସକାଳେ ଆପଣ ନିଶ୍ଚୟ ମୋତେ ନାଇଟ ପଦରେ ଅଭିଷିକ୍ତ କରିବେ ।

 

ଏହା ଶୁଣି ସରାଇ ମାଲିକର ଅକଲ ଗୁଡ଼ୁମ୍ ହୋଇଗଲା । ସେ ଆଗରୁ ସନ୍ଦେହ କରିଥିଲା, ଏହି ଲୋକଟିର ମଥାରେ କିଛି ଗୋଳମାଳ ଅଛି । ତେବେ ସେ ଚତୁର ଥିବାରୁ ତତ୍‍କ୍ଷଣାତ୍‍ ବୁଝିପାରିଲା, କୁଇକସୋଟ ସାଙ୍ଗରେ ବ୍ୟବହାର କଲେ ସେ ଅନାୟାସରେ ତାହାର କବଳରୁ ମୁକୁଳି ପାରିବ । ତେଣୁ ସେ ଅତି ଗମ୍ଭୀର ଗଳାରେ କହିଲା–ମହାଶୟ, ଆପଣ ଯେଉଁସବୁ ବୀରୋଚିତ କଥା କହିଲେ, ସେଥିରୁ ମୋର ଦୃଢ଼ ବିଶ୍ୱାସ ହେଲା ଯେ ନାଇଟ ପଦରେ ଅଭିଷିକ୍ତ ହେବାର ସମ୍ପୂର୍ଣ୍ଣ ଯୋଗ୍ୟତା ଆପଣଙ୍କର ଅଛି । ମୁଁ ନିଜେ ଜୀବନଯାକ ନାଇଟ ବୃତ୍ତି କରି ବୁଲୁଛି ଏବଂ ବହୁ ବୀରଙ୍କୁ ମଧ୍ୟ ନାଇଟତ୍ଵ ପ୍ରଦାନ କରିଛି । ହେଲା, ଆପଣ ଆଜି ରାତିରେ ଉଜାଗର ରହି ନିଜର ଅସ୍ତ୍ରଶସ୍ତ୍ର ପହରା ଦିଅନ୍ତୁ, କାଲି ସକାଳେ ମୁଁ ନିଶ୍ଚୟ ଆପଣଙ୍କୁ ନାଇଟ ପଦରେ ଅଭିଷିକ୍ତ କରିବି । ତେବେ ମୋ ଦୁର୍ଗରେ ବର୍ତ୍ତମାନ ଗିର୍ଜା ନାହିଁ । ସେଥିରେ ଅବଶ୍ୟ କିଛି ଯାଏ ଆସେନାହିଁ । ଯେ ମନ ପ୍ରାଣରେ ଭଗବାନଙ୍କୁ ଡାକି ପାରେ, ତାହା ପକ୍ଷରେ ଯେକୌଣସି ସ୍ଥାନ ହିଁ ଗିର୍ଜା ଅଟେ । ତାହାହେଲେ ଆପଣ ଏହି ଅଗଣାରେ ବସିରହି ରାତିଟା କଟାନ୍ତୁ, କେହି ଆପଣଙ୍କୁ ବାଧା ଦେବ ନାହିଁ ।

 

ଦୁର୍ଗା ସ୍ୱାମୀର ସହୃଦୟ ବ୍ୟବହାରରେ କୁଇକସୋଟ ଅତିଶୟ ପ୍ରୀତ ହେଲା । ସେ ତାହାକୁ ଆନ୍ତରିକ ଧନ୍ୟବାଦ ଜଣାଇ ଅଗଣାରେ ଯାଇ ରାତି ଉଜାଗର ରହିବା ପାଇଁ ପ୍ରସ୍ତୁତ ହେଲା । ଅଗଣାରେ ଥିବା କୂଅ ଉପରର ପକ୍‍କା ଗାନ୍ଥିନିଟା ଅବିକଳ ଗିର୍ଜାର ବେଦୀ ପରି ଉଚ୍ଚ ହୋଇଛି । ତାହାରି ଉପରେ ନିଜର ବର୍ମ, ଶିରସ୍ତ୍ରାଣ, ଢାଲ, ତରବାରି, ବର୍ଚ୍ଛା, ଇତ୍ୟାଦି ଥୋଇ କୁଇକସୋଟ ଅଗଣାର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ପଦଚାରଣ କରିବାକୁ ଲାଗିଲା ।

 

ସରାଇ ମାଲିକଠାରୁ ପାଗଳା ନାଇଟ ସମ୍ବନ୍ଧରେ ଅଜବ କଥା ସବୁ ଶୁଣି, ଅନ୍ୟ ଅତିଥିମାନେ ତାହାକୁ ଉଙ୍କି ମାରି ଦେଖିଲେ । ଅଗଣାରେ ଆଲୁଅ ଜଳୁ ନ ଥିଲା, ମାତ୍ର ଜହ୍ନ ପଡ଼ିଥିଲା । ସେତିକିବେଳେ ଦଳେ ନୂଆ ଲୋକ ସରାଇଖାନାରେ ଆସି ପହଞ୍ଚିଲେ । ସେମାନେ ଗଧ ଉପରେ ମାଲ ଲଦି ଗାଁ ଗାଁ ବୁଲି ଫେରି କରନ୍ତି । ଆଗରୁ ବହୁଥର ସେମାନେ ଏହି ସରାଇଖାନାକୁ ଆସିଛନ୍ତି । ଏଠାକାର ହାଲ୍‍ଚାଲ୍‍ ସବୁ ସେମାନଙ୍କୁ ଜଣା । ଗଧଗୁଡ଼ାକୁ ଘୋଡ଼ାଶାଳରେ ପୂରାଇ ଦେଇ, ସେମାନଙ୍କ ଭିତରୁ ଜଣେ ପାଣି ନେବା ଲାଗି ବାଲତି ଧରି କୂଅ ମୂଳକୁ ଗଲା । କୂଅରେ ବାଲତି ପକାଇବାକୁ ଗଲାବେଳେ ସେ ଦେଖିଲା, ଗାନ୍ଥିନି ଉପରେ କେତେଗୁଡ଼ାଏ ଲୁହାର ଜିନିଷ ରହିଛି । ସେଠାରୁ ଉଠାଇ ନ ଦେଲେ କୂଅରୁ ପାଣି କାଢ଼ିବାରେ ଅସୁବିଧା ହେବ ଭାବି ସେସବୁକୁ ସେ ତଳେ ଥୋଇ ଦେଲା । ସଙ୍ଗେ ସଙ୍ଗେ ତାହାକୁ ଜଣେ ଦୈତ୍ୟ କି ଯାଦୁକର ବୋଲି ଆଶଙ୍କା କରି କ୍ରୁଦ୍ଧ କୁଇକସୋଟ ବର୍ଚ୍ଛା ଉଠାଇ ସେହି ଲୋକର ମୁଣ୍ଡରେ ଜୋରରେ ଏକ ଆଘାତ କଲା । ଗୋଟାଏ ଅସ୍ପଷ୍ଟ ଆର୍ତ୍ତନାଦ କରି ଲୋକଟି ଭୂଇଁରେ ପଡ଼ିଗଲା । କୁଇକସୋଟ ନିଜର ଅସ୍ତ୍ରଶସ୍ତ୍ର ସବୁ ପୁଣି କୂଅର ଗାନ୍ଥିନି ଉପରେ ସଜାଇ ରଖିଲା ।

 

ଫେରିବାଲା ଦଳର ଆଉ ଜଣେ ଲୋକ କୂଅରୁ ପାଣି ନେବାକୁ ଆସିଲା । ଅଗଣାର ମଝିରେ ଜଣେ ଲୋକ ପଡ଼ିଥିବାର ଦେଖି ସେ ହଠାତ୍‍ ଆତଙ୍କିତ ହେଲା । ସଙ୍ଗେ ସଙ୍ଗେ କୁଇକସୋଟର ବର୍ଚ୍ଛା ଆସି ତାହା ଉପରେ ପଡ଼ିଲା । ସାମାନ୍ୟ ଆଘାତ ପାଇ ସେ ରଡ଼ି ଛାଡ଼ିଲା । ଚାହୁଁଚାହୁଁ ଫେରିବାଲା ଦଳଟା ଯାକ, ସରାଇର ମାଲିକ, ଝିଅ ଦୁହେଁ ଓ ଅନ୍ୟ ଅତିଥିମାନେ ସମସ୍ତେ ଆସି ସେଠାରେ ଠୁଳ ହେଲେ । ଫେରିବାଲାମାନେ ଆଲୁଅରେ ଦେଖିଲେ, ସେମାନଙ୍କ ଭିତରୁ ଜଣେ ଅଚେତ ହୋଇ ତଳେ ପଡ଼ିଛି ଏବଂ ଆଉ ଜଣେ ଆହତ ହୋଇଛି, ଆଉ ଡେଙ୍ଗା ରୋଗଣା ଭୂତ ଭଳିଆ ଲୋକଟି ଗୋଟାଏ ବର୍ଚ୍ଛା ଧରି ଦୁନିଆଯାକର ଦୈତ୍ୟ ଦାନବ ଓ ଯାଦୁକର ସମସ୍ତଙ୍କୁ ଧମକାଉଛି । କୁଇକସୋଟର ହାତରେ ବର୍ଚ୍ଛା ଓ ତରବାରିକୁ ଡରି କେହି ତାହା ପାଖକୁ ଯିବାକୁ ସାହସ କଲେନାହିଁ । ମାତ୍ର ସେମାନେ ତାହାର ମୁଣ୍ଡକୁ ଲକ୍ଷ୍ୟ କରି ଢେଲା ପଥର ଫିଙ୍ଗିବାକୁ ଲାଗିଲେ ।

 

ସେମାନେ ଯେତେ ଢେଲା ଫିଙ୍ଗିବାକୁ ଲାଗିଲେ, କୁଇକସୋଟର ଆସ୍ଫାଳନ ସେତେ ବଢ଼ିବାକୁ ବସିଲା । ଢେଲା ରୋକିବା ପାଇଁ ସେ ଜୋରରେ ତରବାରି ବୁଲାଇଲା । ସରାଇଖାନାର ମାଲିକ ପାଟିକରି ସେମାନଙ୍କୁ ଥମିବାକୁ ଅନୁରୋଧ କଲା । ସେମାନଙ୍କୁ ଟିକିଏ ଶାନ୍ତ କରି ସାରି ସେ କୁଇକସୋଟ ପାଖକୁ ଗଲା ।

 

ଦୈତ୍ୟ ଦାନବମାନଙ୍କୁ ଯଥାଯଥ ଶିକ୍ଷା ଦେଇ ପାରିଛି ଭାବି କୁଇକସୋଟ ଆତ୍ମହରା ହେଲା । ସାମନାରେ ସରାଇର ମାଲିକକୁ ଦେଖି ସେ ଗମ୍ଭୀର ଭାବରେ କହିଲା–ମହାମାନ୍ୟ ନାଇଟ ! ଦେଖିଲେ ତ ଘଟଣାଟା ! ମୁଁ ମୂଳରୁ ଆପଣଙ୍କୁ କହି ନ ଥିଲି ଯେ ନାଇଟର ଅଭିଷେକରେ ବାଧା ଦେବା ପାଇଁ ନରକର ଦୂତମାନେ ସର୍ବଦା ପ୍ରସ୍ତୁତ ରହିଛନ୍ତି ? ଯାହାହେଉ, ଏବେ ସେମାନେ ସମୁଚିତ ଶିକ୍ଷା ପାଇଛନ୍ତି । ଏପରି ଅପକର୍ମ କରିବାକୁ ସେମାନେ ଆଉ କେବେ ସହଜରେ ଆଗଭର ହେବେ ନାହିଁ ।

 

ସରାଇଖାନାର ମାଲିକ ଜବାବ ଦେଲା–ଏମାନେ ଆଉ ଆଗଭର ହୋଇ ନ ପାରନ୍ତି । କିନ୍ତୁ ନୂଆ ନୂଆ ଦୈତ୍ୟ ଓ ଯାଦୁକରମାନେ ଯେକୌଣସି ସମୟରେ ଆସିଯାଇ ପାରନ୍ତି । ସେଇଥିପାଇଁ ମୁଁ ଆପଣଙ୍କ ଅଭିଷେକ ଏକ୍ଷଣି ସାରି ଦେଉଛି । ସକାଳ ଯାଏ ଅପେକ୍ଷା କରିବାର ଦରକାର ନାହିଁ । ଶାସ୍ତ୍ରରେ ଅଛି, ଦୁଇ ଘଣ୍ଟା ରାତି ଜଗିଲେ ହିଁ ଯଥେଷ୍ଟ । ଆପଣତ ଚାରି ଘଣ୍ଟା ଜାଗିଛନ୍ତି । ସୁତରାଂ ଆପଣ ପ୍ରସ୍ତୁତ ହୁଅନ୍ତୁ, ମୁଁ ଏକ୍ଷଣି ଆପଣଙ୍କର ଅଭିଷେକ କରିବି ।

 

ଡନ କୁଇକସୋଟ ତତ୍‍କ୍ଷଣାତ୍‍ ସାଗ୍ରହରେ ସମ୍ମତି ଜଣାଇଲା । ତହୁଁ ସରାଇଖାନାର ମାଲିକ ଯାଇ ନିଜ ଘରୁ ଖଣ୍ଡିଏ ମୋଟା ବନ୍ଧେଇ ଖାତା ନେଇ ଆସିଲା ଏବଂ ପୃଷ୍ଠା ଲେଉଟାଇବାକୁ ଲାଗିଲା । କୁଇକସୋଟ ତଳେ ଆଣ୍ଠୁମାଡ଼ି ବସିଲା । ସରାଇଖାନାର ମାଲିକ ଡାହାଣ ହାତରେ ନାଇଟର ତରବାରିର ପିଠିପଟଟା କୁଇକସୋଟର ଛାତି ଉପରେ ଥରେ ଆଘାତ କଲା ଏବଂ ଅସ୍ପଷ୍ଟ ସ୍ୱରରେ ମନ୍ତ୍ର ପାଠ କରୁଁ କରୁଁ କାନ୍ଧ ଉପରେ ଆଉ ଥରେ ଆଘାତ କଲା । ତା’ପରେ ସେ ଗମ୍ଭୀର କଣ୍ଠରେ ଆଦେଶ ଦେଲା–ଏବେ ଉଠନ୍ତୁ, ଡନ କୁଇକସୋଟ ଦ୍ୟ–ଲା–ମାଞ୍ଚା । ଆପଣଙ୍କର ଅଭିଷେକ ସରିଲା । ଆଜିଠୁଁ ଆପଣ ଜଣେ ପ୍ରକୃତ ନାଇଟ ହେଲେ ।

 

ଡନ କୁଇକସୋଟ ଉଠିପଡ଼ି ଛିଡ଼ା ହେଲା । ସେହି ଝିଅ ଦୁହେଁ ତାହା ଆଡ଼କୁ ଚାଲି ଆସିଲେ । ଜଣେ କୁଇକସୋଟର କଟିରେ ତରବାରି ବାନ୍ଧିଦେଲା ଏବଂ ଅନ୍ୟ ଜଣକ ତାହାର ବେକରେ ଢାଲଟି ଝୁଲାଇ ଦେଲା ।

 

ସେତେବେଳେ ପ୍ରାୟ ଭୋର ହେବା ଉପରେ । ଡନ କୁଇକସୋଟ ଘୋଡ଼ାଶାଳକୁ ଯାଇ ରୋଜିନାଣ୍ଟିକୁ ସାଜ ପିନ୍ଧାଇଲା ଏବଂ ତା’ପରେ ଦୁର୍ଗସ୍ୱାମୀଠାରୁ ବିଦାୟ ନେଇ ନୂତନ ଉତ୍ସାହ ଓ ଉଦ୍ଦୀପନାରେ ବାହାରି ପଡ଼ିଲା । ଅବଶେଷରେ ଏହି ପାଗଳ ଅତିଥିର ହାତରୁ ତ୍ରାହି ପାଇ ସରାଇର ମାଲିକ ଆନନ୍ଦରେ ନିଃଶ୍ଵାସ ମାରିଲା ।

 

 

ଏତେ ଦିନେ ଡନ କୁଇକସୋଟର ଜୀବନର ଏକ ପରମ ଅଭିଳାଷ ପୂର୍ଣ୍ଣ ହେଲା । ଆଜି ସେ ଜଣେ ଅଭିଷିକ୍ତ ନାଇଟ । ଦୁର୍ବଳର ପକ୍ଷରୁ ସବଳର ମୁଣ୍ଡ ଉପରେ ତରବାରି ଉଠାଇବାର ଅଧିକାର ସେ ପାଇଲା । ସେ ପ୍ରତିଜ୍ଞା କଲା, ଦୁନିଆର ଯେତେ ସବୁ ଦଳିତ ନିଷ୍ପେଷିତ ପୀଡ଼ିତ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ସେ ନିଜର ଜୀବନ ବିସର୍ଜନ ଦେଇ ଦୂର କରିବ । ସେ ଆପେ ଆପେ ଗୋଟାଏ ନୂଆ ଉପାଧି “ବିଷଣ୍ଣ ବଦନ ନାଇଟ” ଗ୍ରହଣ କରି ଆଗୁସାର ହେଲା-। ଗୋଟିଏ ବଣ ଭିତରେ ଯାଇ ସେ ପହଞ୍ଚିଲା । ଏତିକିବେଳେ ସହସା ଏକ ଆର୍ତ୍ତ ଚିତ୍କାର ତାହାର କାନରେ ବାଜିଲା । ସେହି କ୍ରନ୍ଦନର ସ୍ୱରକୁ ଲକ୍ଷ୍ୟ କରି କୁଇକସୋଟ ଅସୀମ ଉତ୍ସାହରେ ତାହାର ଘୋଡ଼ା ଛୁଟାଇଲା ।

କିଛି ଦୂର ଗଲାରୁ ଗୋଟିଏ ଭୟଙ୍କର ଦୃଶ୍ୟ ତାହାର ଆଖିରେ ପଡ଼ିଲା । ଜଣେ ଷଣ୍ଢମାର୍କା ଚେହେରାର କୃଷକ ଗୋଟିଏ ବାଳକକୁ ଗଛରେ ବାନ୍ଧିଦେଇ ଚାବୁକରେ ପ୍ରହାର କରୁଥିଲା ଏବଂ ବାଳକଟି ଯନ୍ତ୍ରଣାରେ ଚିତ୍କାର କରୁଥିଲା । ଏହା ଦେଖି ରାଗରେ କୁଇକସୋଟର ରକ୍ତ ଗରମ ହୋଇଗଲା । କୃଷକ ପାଖକୁ ଘୋଡ଼ା ନେଇ ତରବାରି ଖୋଲି ସେ ଗର୍ଜନ କଲା–ସାବଧାନ ପାଷାଣ୍ଡ ! ମୁଁ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚା ହୁକୁମ ଦେଉଛି, ତୁରନ୍ତ ଚାବୁକଟା ଫିଙ୍ଗି ଦେ । ନୋହିଲେ ଏହି ତରବାରିରେ ତୋର ମୁଣ୍ଡ ଗଣ୍ଡ ଦୁଇ ଖଣ୍ଡ କରିଦେବି ।

ନିର୍ଜନ ବଣ ଭିତରେ ଜଣେ କିମ୍ଭୂତକିମାକାର ଲୋକକୁ ଦେଖି କୃଷକ ହଡ଼ବଡ଼େଇ ଗଲା । ଏଣେ ବାଳକର ଟିକିଏ ଦମ୍ଭ ଆସିଲା । ସେ କାନ୍ଦି କାନ୍ଦି କୁଇକସୋଟ ଆଗରେ ଗୁହାରି କଲା–ଏହି କୃଷକ ହେଉଛି ମୋର ମୁନିବ । ଅନେକ ଦିନ ହେଲା ମୁଁ ତାହା ପାଖରେ ଚାକିରି କରିଛି । ମନ ପ୍ରାଣ ଦେଇ ଯେତେ କାମ କଲେ ସୁଦ୍ଧା ମୁନିବ ମୋତେ ବେତନ ନ ଦେଇ ବରାବର ବେତରେ ପିଟେ । ଆଜି ବେତନ ପାଇଁ ଟିକିଏ କଡ଼ା ତାଗଦା କଲାରୁ ସେ ମୋତେ ଏହି ବଣକୁ ନେଇ ଆସି ନିର୍ମମ ଭାବରେ ଚାବୁକରେ ପିଟୁଛି । ଆପଣ ଜଣେ ବୀର ପୁରୁଷ, ଏହି ଅତ୍ୟାଚାରର ପ୍ରତିକାର ବିଧାନ କରନ୍ତୁ ।

ତତ୍‍କ୍ଷଣାତ୍‍ ଡନ କୁଇକସୋଟ ତରବାରି ଉଞ୍ଚାଇ କୃଷକକୁ ହୁକୁମ ଦେଲା–ଏକ୍ଷଣି ବାଳକକୁ ଫିଟାଇ ଦେ ।

ତହୁଁ କୃଷକ ଭୟରେ ଥରି ଥରି ପିଲାଟିର ବନ୍ଧନ ଖୋଲି ଦେଲା ।

କୁଇକସୋଟ ବାଳକକୁ ପଚାରିଲା–ତୁ କେତେଦିନ ହେଲା ଏହା ପାଖରେ ଚାକିରି କଲୁଣି ? ଦରମା କେତେ ତୋର ମାସକୁ ?

ପିଲାଟି ଜବାବ ଦେଲା–ଆଜ୍ଞା, ନଅ ମାସ ହେଲା, ମାସକୁ ଦରମା ସାତ ଟଙ୍କା ।

କୁଇକସୋଟ କୃଷକକୁ ଆଦେଶ ଦେଲା–ଏହି ବାଳକକୁ ତେଷଠି ଟଙ୍କା ଦେଇଦିଅ ଏକ୍ଷଣି, ନୋହିଲେ ମୋ ସାଙ୍ଗରେ ଦ୍ୱନ୍ଦ୍ୱ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଅ ।

କୃଷକ ମୁହଁ ଓଳାଇ କହିଲା–ସେ ଏତେ ଟଙ୍କା ପାଇବ ନାହିଁ । ମୁଁ ତାହାକୁ ତିନି ଯୋଡ଼ା ଜୋତା କିଣି ଦେଇଛି । ବେରାମ ସମୟରେ ଗାଁର ବାରିକକୁ ଡାକି ତାହାର ଶିରା କାଟି ଖରାପ ରକ୍ତ ତକ କାଢ଼ି ଦେଇଛି । ଏସବୁ ଖର୍ଚ୍ଚ ମୁଁ କାଟି ନେବି ।

 

ତୁମେ ପଇସାଟାଏ ସୁଦ୍ଧା କାଟି ପାରିବ ନାହିଁ–କୁଇକସୋଟ ହୁକୁମ ଦେଲା ।

 

କୃଷକ ବିଷଣ୍ଣ ବଦନରେ ଜଣାଇଲା–ଏକ୍ଷଣି ମୋ ପାଖରେ ତ ଟଙ୍କା ନାହିଁ । ସେ ମୋ ସାଙ୍ଗରେ ଘରକୁ ଚାଲୁ, ତାହାର ସବୁ ପାଉଣା ମୁଁ ଚୁକ୍ତି କରିଦେବି ।

 

ବାଳକ ଚିକ୍ତାର କଲା–ନାଁ, ନାଁ, ମୁଁ ଆଉ ତାହା ସାଙ୍ଗରେ ଯିବି ନାହିଁ । ଘରକୁ ଗଲେ ସେ ବାକି ଚମଡ଼ାତକ ମୋ ପିଠିରୁ ଉତାରି ଦେବ ।

 

କୁଇକସୋଟ ବାଳକକୁ ଆଶ୍ୱାସନା ଦେଲା–ଯଦି ସେ ଏମିତି କାମ କରେ, ମୁଁ ତାହାକୁ ଉଚିତ ଦଣ୍ଡ ଦେବି । ଯେତେ ଅସତ୍‍ ହେଲେ ସୁଦ୍ଧା କୌଣସି ନାଇଟ ବଚନର ଖିଲାପ କରେ ନାହିଁ-। ତୋର ଡରିବାର କିଛି କାରଣ ନାହିଁ । ତୁ ତାହା ସାଙ୍ଗରେ ଯାଆ ।

 

କିନ୍ତୁ ଆପଣଙ୍କୁ କେଉଁଠି ପାଇବି ଯେ ଖବର ଦେବି ? –ବାଳକ ବ୍ୟାକୁଳ କଣ୍ଠରେ ପଚାରିଲା ।

 

ମୁଁ କେବେ କେଉଁଠି ଅଛି, ତାହା ତୁ ହଜାରେ ଲୋକଙ୍କ ତୁଣ୍ଡରୁ ଶୁଣି ପାରିବୁ–କହି ଡନ କୁଇକସୋଟ ପୁଣି ତାହାର ଘୋଡ଼ା ଛୁଟାଇଲା ।

 

ଯାଉଁ ଯାଉଁ କୁଇକସୋଟ ଗୋଟାଏ ଚଉମୁହାଣି ରାସ୍ତାରେ ପହଞ୍ଚିଲା । କେଉଁଆଡ଼େ ଯିବ ସ୍ଥିର କରି ନ ପାରି ସେ ଘୋଡ଼ାର ଲଗାମ ହୁଗୁଳାଇ ଦେଲା । ରୋଜିନାଣ୍ଟି ମନ ଇଚ୍ଛା ଚାଲିଲା-। କିଛି ବାଟ ଯାଇ କୁଇକସୋଟ ଦେଖିଲା, ସାମନାରୁ ସାତ ଆଠ ଜଣ ଲୋକ ଛତା ଧରି ଚାଲି ଚାଲି ଆସୁଛନ୍ତି । ଏବଂ ପଛରେ କେତୁଟା ଗଧର ପିଠିରେ ମାଲପତ୍ର ଲଦା ହୋଇଛି । ସେମାନେ ନିରୀହ ବଣିକ, ଟୋଲେଡ଼ୋରୁ ମାର୍ଶିୟା ଯାଉଥିଲେ ରେଶମୀ କପଡ଼ା କିଣିବା ପାଇଁ-। ଯେତେବେଳେ ଡନ କୁଇକସୋଟ ସେମାନଙ୍କୁ ଡାକି ନିଜର ଦାବି ଜଣାଇଲା, ସେମାନେ ଆବାକାବା ହେଲେ । ନାଇଟର ବେଶଭୂଷା ଓ ଢଙ୍ଗଢାଙ୍ଗ ସେମାନଙ୍କୁ ଏମିତି ଅଜବ ମନେହେଲା ଯେ ମୂଳରୁ ସେମାନେ ତାହାକୁ ଜଣେ ପାଗଳ ବୋଲି ଧରିନେଲେ । ତେଣୁ ସେମାନେ ତାହାକୁ ଭଦ୍ର ଭାବରେ ଜବାବ ଦେଲେ–ମହାମାନ୍ୟ ନାଇଟ, ହୁଏତ ଆପଣଙ୍କର ଦାବି ମୋଟେ ଅସଙ୍ଗତ ନୁହେଁ । କିନ୍ତୁ ଟିକିଏ ବିବେଚନା କରନ୍ତୁ, ଆପଣଙ୍କର କଥିତ ସେହି ମହିଳା ଡାଲସିନିୟାକୁ ଆମେ କେବେହେଲେ ଦେଖି ନାହୁଁ । ସୁତରାଂ ସେ ସାରା ପୃଥିବୀରେ ଶ୍ରେଷ୍ଠ ମହିଳା କି ନା, ଆମେ ତାହା ବା କିପରି କହିପାରିବୁ ?

 

କୁଇକସୋଟ ରାଗି ନିଆଁ ହୋଇଗଲା ଏବଂ ହୁକୁମ ଦେଲା–ଯେମିତି ଭଗବାନଙ୍କୁ ନ ଦେଖି ସର୍ବ ଶକ୍ତିମାନ ବୋଲି ସ୍ଵୀକାର କରାଯାଏ, ସେମିତି ମୋର ଆରାଧ୍ୟା ଦେବୀ ଡାଲସିନିୟା ଦେଲ ଟୋବୋସୋଙ୍କୁ ବି ନ ଦେଖି ନାରୀ ଶିରୋମଣି ବୋଲି ମାନିବାକୁ ହେବ । ତୁମ୍ଭେମାନେ ତ ସାମାନ୍ୟ ବଣିକ । ଯେକୌଣସି ପରାକ୍ରମୀ ନାଇଟ ନିକଟରେ ବି ମୁଁ ଏହି ଦାବି ଉପସ୍ଥାପିତ କରେ-। ଯେ ଏହି ଦାବି ନ ମାନେ, ତାହା ସାଙ୍ଗରେ ମୋର ଦ୍ୱନ୍ଦ୍ଵ ଯୁଦ୍ଧ ହୁଏ ।

 

କଥା ଶେଷ ନ କରି ଡନ କୁଇକସୋଟ ଏମିତି ଭାବରେ ଘୋଡ଼ା ଛୁଟାଇ ଦେଲା ଯେ ବଣିକମାନଙ୍କ ଉପରେ ପ୍ରାୟ ଚଢ଼ି ଯିବାକୁ ବସିଲା । ଯେ ସାମନାରେ ପଡ଼ିବ ତାହାର ପେଟ ଫୁଟାଇ ଦେବା ପାଇଁ ସେ ବର୍ଚ୍ଛା ଟେକି ଧରିଥିଲା । ବଣିକମାନେ କୁଆଡ଼େ ପଳାଇଲେ, ଠିକ୍‍କରି ପାରୁନଥିଲେ । ଠିକ୍‍ ଏତିକିବେଳେ ବିଚରା ଲଙ୍ଗଳ ଟଣା ଘୋଡ଼ା ରୋଜିନାଣ୍ଟିର ପେଟରେ ରେକାବର ଖୁଞ୍ଚା ଲାଗିବାରୁ ସେ ପ୍ରାଣପଣେ ଧାଇଁବାକୁ ଯାଇ ତଳେ କଚାଡ଼ି ପଡ଼ିଲା । ସେ ଏକାବେଳେ ଓଲଟି ପଡ଼ିବାରୁ, ଡନ କୁଇକସୋଟ ଘୋଡ଼ାର ପିଠିର ତଳେ ଚାପା ପଡ଼ିଗଲା । ଖୁବ୍ ଡେଙ୍ଗା ବୋଲି ତାହାର ଶରୀରର ଉପର ଭାରଟା କୌଣସି ମତେ ବାହାରେ ରହିଲାଗ, ମାତ୍ର ପେଟ ତଳୁ ଶରୀରର ବାକି ଅଂଶଟା ଅଦୃଶ୍ୟ ହେଲା ।

 

ତାହାର ଏହି ଦୁରବସ୍ଥା ଦେଖି ବଣିକମାନେ ହସି ହସି ଗଡ଼ି ଗଲେ । ଏଥିରେ କୁଇକସୋଟର କ୍ରୋଧର ନିଆଁ ଅଧିକ ଜଳିଲା । ଘୋଡ଼ା ତଳୁ ବାହାରିବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରୁଁ କରୁଁ ସେମାନଙ୍କ ଉପରେ କଦର୍ଯ୍ୟ ଭାଷାରେ ଅଜସ୍ର ଗାଳି ବର୍ଷଣ କଲା । ତଥାପି ବଣିକମାନେ ଧୈର୍ଯ୍ୟ ଧରି ରହିଥିଲେ । କିନ୍ତୁ ସେମାନଙ୍କର ଜଣେ ଚାକର ତାହା ସହି ନ ପାରି କୁଇକସୋଟ ଆଡ଼କୁ ଧାଇଁ ଆସିଲା । ଘୋଡ଼ାର ପିଠି ତଳେ ପଡ଼ିଥିବା ବର୍ଚ୍ଛାଟା ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ସେଥିରୁ ଖଣ୍ଡିଏ ଉଠାଇ ନେଇ ସେ ଧରାଶାୟୀ ନାଇଟକୁ ଗୋଡ଼ରୁ ମୁଣ୍ଡ ଯାଏ ପିଟିବାକୁ ଲାଗିଲା । ଅବଶେଷରେ ବଣିକମାନଙ୍କ ଆଦେଶରେ ଚାକର କ୍ଷାନ୍ତ ହେଲା । ତା’ପରେ ସେମାନେ ସମସ୍ତେ ନିଜ ବାଟରେ ଚାଲିଗଲେ ।

 

ଘୋଡ଼ାର ପିଠି ତଳେ ଚାପା ପଡ଼ି କୁଇକସୋଟ ଛଟପଟ ହେଲା । ଦେହ ସାରା ଏତେ ବ୍ୟଥା ହେଉଥାଏ ଯେ ମୁକ୍ତ ହେବା ପାଇଁ ସେ ନିଜର ହାତଗୋଡ଼ ହଲାଇ ପାରିଲା ନାହିଁ । ଭାଗ୍ୟକୁ କିଛି କ୍ଷଣ ପରେ ଜଣେ ଲୋକ ଗଧରେ ଚଢ଼ି ସେଠାରେ ହାଜର ହେଲା । ସେ କୁଇକସୋଟର ଗ୍ରାମବାସୀ ହୋଇଥିବାରୁ ନାଇଟକୁ ଓ ତାହାର ଘୋଡ଼ାକୁ ଚିହ୍ନି ପାରିଲା । ସେତେବେଳେ କୁଇକସୋଟ ପାଗଳ ପରି ପ୍ରଳାପ କରୁଥିଲା । ତାହା ଶୁଣି ଲୋକଟିର ମନେହେଲା, ବୋଧହୁଏ ପ୍ରତିବେଶୀ କୁଇକସୋଟ ପାଗଳ ହୋଇ ଯାଇଛି । ସେ ତାହାକୁ ଅତି କଷ୍ଟରେ ଘୋଡ଼ାର ତଳୁ ବାହାର କରି ନିଜ ଗଧର ପିଠି ଉପରେ ଶୁଆଇ ଦେଲା ଏବଂ ରୋଜିନାଣ୍ଟିର ଲଗାମ ହାତରେ ଧରି ଗଧଟିକୁ ସାବଧାନରେ ଗାଁ ଆଡ଼କୁ ଅଡ଼େଇ ନେଲା । ରାତିର ଅନ୍ଧାରରେ ସେ କୁଇକସୋଟକୁ ତାହାର ଘରେ ପହୁଞ୍ଚାଇ ଦେଲା ।

 

କୁଇକସୋଟର ଏମିତି ହାଲ ଦେଖି ଘରେ ତାହାର ଭାଣିଜୀ ଓ ଗୃହ-ପରିଚାଳିକା କନ୍ଦାକଟା କଲେ । ଖବର ପାଇ ଗାଁର ପାଦ୍ରୀ ସାଙ୍ଗରେ ବାରିକକୁ ଧରି ହାଜର ହେଲେ । ବାରିକ ଔଷଧ ଓ ପାଦ୍ରୀ ଉପଦେଶ ଦେବାକୁ ଲାଗିଲେ । ମାତ୍ର ଉପଦେଶ ନ ଶୁଣି କୁଇକସୋଟ ନାଇଟମାନଙ୍କର ବିଭିନ୍ନ ଉପାଖ୍ୟାନ ସବୁ ଅନର୍ଗଳ ବକୁଥିଲା । ଏହା ଦେଖି ପାଦ୍ରୀ ଅବାକ ହେଲେ-। ଭାଣିଜୀ କାନ୍ଦି କାନ୍ଦି କହିଲା–ମାମୁଁଙ୍କର ମଥା ବିଲ୍‍କୁଲ୍‍ ବିଗିଡ଼ି ଯାଇଛି । ନାଇଟମାନଙ୍କର କାହାଣୀ ପଢ଼ି ପଢ଼ି ସେ ନିଜେ ବି ଶେଷକୁ ଜଣେ ନାଇଟ ହୋଇ ଯାଇଛନ୍ତି । ଯେତେବେଳେ ଛଅ ଦିନ ପରେ ତାହାଙ୍କୁ ଦେଖିବାକୁ ପାଇଲୁ, ସେ ନାଇଟ ପରି ଲୁହାର ପୋଷାକ ପିନ୍ଧିଥିଲେ । ସେଟା ଆମର ଗୋଦାମ ଘରେ ଅଳିଆ ଗଦା ଭିତରେ ପଡ଼ିଥିଲା ।

 

ଗୃହ ପରିଚାଳିକା ଜଣାଇଲା–ସେହି ପୋଷାକ ପିନ୍ଧି ଲଙ୍ଗଳଟଣା ଘୋଡ଼ାରେ ଚଢ଼ି ସେ ରାତାରାତି ଗାଏବ ହେଲା । ଛଅ ଦିନ ଯାଏ ତାହାର କିଛି ପତ୍ତା ମିଳିଲା ନାହିଁ । ଭାଗ୍ୟକୁ ପଡ଼ିଶା ପେଡ୍ରୋ ମେଳାରୁ ଫେରିଲା ବେଳେ ବାଟରେ ତାହାକୁ ଦେଖିପାରି ଘରକୁ ନେଇ ଆସିଲା ।

 

ଭାଣିଜୀ କହିଲା–ସବୁ ଅନର୍ଥର ମୂଳ ହେଉଛି ସେହି ବହିଗୁଡ଼ାକ । ମୋର ତ ଇଚ୍ଛା ହେଉଛି, ସେଗୁଡ଼ାକ ପୋଡ଼ି ପାଉଁଶ କରି ଦିଅନ୍ତି ।

 

ପାଦ୍ରୀ ପଚାରିଲେ–ପୋଡ଼ିବାରେ ବାଧା କଅଣ ? ତେବେ ତାହା ଆଗରୁ ମୁଁ ସେହି ବହିଗୁଡ଼ିକ ଅନ୍ତତଃ ଥରେ ଦେଖିବାକୁ ଚାହେଁ ।

 

ତହୁଁ ସେମାନେ ପାଦ୍ରୀ ଓ ବାରିକକୁ ଲାଇବ୍ରେରୀକୁ ନେଇ ଗଲେ । ଆଲମାରୀର ଥାକରେ ପ୍ରାୟ ଦୁଇ ଶହ ମୋଟା ମୋଟା ବହି ଓ ଗୁଡ଼ାଏ ହାତ ଲେଖା ପୋଥି ଥିଲା । ସବୁ ବହିରେ ପ୍ରାଚୀନ ନାଇଟମାନଙ୍କର କାହାଣୀ ବର୍ଣ୍ଣିତ ହୋଇଥିଲା । କେଉଁଟା ସ୍ପେନିଶ ଭାଷାରେ ଲିଖିତ, କେଉଁଟା ବା ବିଦେଶୀ ଭାଷାର ଅନୁବାଦ, ମାତ୍ର ସବୁ ସେହି ଗଞ୍ଜା ଖୋରି ଗପ ।

 

ପାଦ୍ରୀ ଖଣ୍ଡିଏ ଲେଖାଏଁ ବହି ହାତରେ ଧରି କିଛି କ୍ଷଣ ଓଲଟ ପାଲଟ କରୁ ଥାଆନ୍ତି ଏବଂ ତା’ପରେ ତାହାକୁ ଝରକା ବାଟେ ଅଗଣାକୁ ଫିଙ୍ଗି ଦେଉ ଥାଆନ୍ତି । ସେ ଭାଣିଜୀକୁ କହିଲେ–ତୁମେ ଯାଅ, ଅଗଣାରେ ନିଆଁ ଜାଳି ଏ ବହିଗୁଡ଼ିକ ପୋଡ଼ି ପକାଅ । ଏଗୁଡ଼ାକ ଦୁନିଆରେ କେବେ କାହାରି କିଛି ଉପକାରରେ ଆସିବ ନାହିଁ ।

 

ସେହି ଦିନ ସବୁ ବହି ନିଆଁରେ ପୋଡ଼ି ପାଉଁଶ ହୋଇଗଲା । ସେତେବେଳେ କୁଇକସୋଟ ବିଛଣାରେ ଅଚେତ ହୋଇ ପଡ଼ିଥିଲା । ସେ ଆଦୌ ଜାଣି ପାରିଲା ନାହିଁ, ଇତିମଧ୍ୟରେ ତାହାର କି ସର୍ବନାଶ ହେଲା ।

 

କେତେଦିନ ପରେ କୁଇକସୋଟ ଟିକେ ସୁସ୍ଥ ହେଲା । ଘର ଭିତରେ ଚଲାବୁଲା କରିବା ପାଇଁ ସେ ଟିକିଏ ଶକ୍ତି ଫେରି ପାଇଲା । ତହୁଁ ସେ ଲାଇବ୍ରେରୀ ଆଡ଼କୁ ଗୋଡ଼ ବଢ଼ାଇଲା । କିନ୍ତୁ ସେ ନିଜର ପ୍ରିୟ ଲାଇବ୍ରେରୀ ଖୋଜି ପାଇଲା ନାହିଁ । ପାଦ୍ରୀଙ୍କ ନିର୍ଦ୍ଦେଶରେ ଖାଲିତ ବହି ସବୁ ପୋଡ଼ି ଦିଆଯାଇ ନ ଥିଲା; ଲାଇବ୍ରେରୀର ଦୁଆରକୁ ଇଟା ବସାଇ କାନ୍ଥ ସାଙ୍ଗରେ ମିଶାଇ ଦିଆ ହୋଇଥିଲା । ଲାଇବ୍ରେରୀର ଦୁଆର ଖୋଜି ଖୋଜି ନ ପାଇ କୁଇକସୋଟ କିଛି କ୍ଷଣ ଗୁମ୍‍ ମାରି ବସିପଡ଼ିଲା । ଏଥିପାଇଁ ସେ ପାଦ୍ରୀଙ୍କୁ କି ଅନ୍ୟ କୌଣସି ଲୋକକୁ ଦାୟୀ ନ କରି ନାଇଟମାନଙ୍କର ଚିର ଶତ୍ରୁ ଯାଦୁକରମାନଙ୍କ ଉପରେ ଦୋଷ ଚପାଇଲା । ସେ ଦୁର୍ବୃତ୍ତ ଯାଦୁକରମାନଙ୍କୁ ସତର୍କ ବାଣୀ ଶୁଣାଇଲା–ଜାଣି ରଖ ତୁମ୍ଭେମାନେ, ଡନ କୁଇକସୋଟ ଏପରି ଛଳନାରେ କଦାପି ଦବିଯିବ ନାହିଁ । ବରଂ ଏଥର ମୁଁ ଦୁଇ ଗୁଣ ଉତ୍ସାହରେ କାମରେ ଲାଗିବି । ମୂଳରୁ ତୁମ୍ଭେମାନେ ମୋ ପଛରେ ଲାଗିଛ । ଇତିମଧ୍ୟରେ ଯେତେ ଘଟଣା ଘଟିଗଲା, ସବୁଥିରେ ତୁମର ଅଦୃଶ୍ୟ କାରସାଦି ରହିଛି । ସବୁ ମାୟା, ଛଳନା । କିନ୍ତୁ ଜାଣିରଖ କୁଚକ୍ରୀଗଣ, ମୁଁ ଏତେ ସହଜରେ ଦବିଯାଉ ନାହିଁ । ମୋର ଆଦର୍ଶ ହେଉଛନ୍ତି ପ୍ରାଚୀନ ଯୁଗର ଅତି ସ୍ମରଣୀୟ ମହାବୀର ଆମାଡ଼ିସ, ଦୁର୍ଦ୍ଧର୍ଷ ଯୋଦ୍ଧା ଓର୍ଲାଣ୍ଡୋ, ଦିଗ୍‍ବିଜୟୀ ନାଇଟ ସାର୍‍ ଲାନ୍‍ସଲ ଟା ମୁଁ କଦାପି ତୁମ୍ଭମାନଙ୍କର ମାୟାରେ ଭୁଲିବି ନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମୁଁ ପୁଣି ଅଭିଯାନରେ ବାହାରିବି । ଅତ୍ୟାଚାରୀମାନଙ୍କୁ ସେମାନଙ୍କର ନିରଙ୍କୁଶ ଅତ୍ୟାଚାର ଚଳାଇବାକୁ ମୁଁ ଆଉ କଦାପି ସୁଯୋଗ ଦେବି ନାହିଁ । ମୋତେ ପୁଣି ବ୍ୟାପକ ଆୟୋଜନ କରିବାକୁ ହେବ । ଗଲା ଥରର ଅଭିଯାନକୁ ଠିକ୍‍ ଅଭିଯାନ ବୋଲି କୁହା ଯାଇ ପାରିବ ନାହିଁ । କାରଣ ସେତେବେଳେ ମୋର ଅଭିଷେକ ହୋଇ ନ ଥିଲା । ଏଥର ଠିକ୍‍ ନାଇଟ ପରି ସାଜି ବାହାରିବାକୁ ହେବ । ହେଲେ ବର୍ଚ୍ଛାଟା ଭାଙ୍ଗି ଯାଇଛି, ଆଉ ଗୋଟାଏ ନୂଆ ବର୍ଚ୍ଛା ଲୋଡ଼ା । ଶିରସ୍ତ୍ରାଣ ସାଙ୍ଗରେ ମଲାଟର ମୁହଁ ଢାଙ୍କୁଣି ଆଉ ଚଳିବ ନାହିଁ, ସେଥିରେ ଖିଆପିଆରେ ଢେର ଅସୁବିଧା, ଆଉ ଲୋକେ ବି ଦେଖିଲେ ହସନ୍ତି । ତେଣୁ ଲୁହାର ଟୋପି ସାଙ୍ଗରେ ଗୋଟାଏ ଲୁହାର ଢାଙ୍କୁଣି କବଜା ଦେଇ ଲଗାଇବାକୁ ପଡ଼ିବ । ସବୁଠୁଁ ବଡ଼ କଥା ହେଲା ଜଣେ ସହଚର ଦରକାର, ଯେ ମୋ ସଙ୍ଗରେ ବରାବର ଛାୟା ପରି ଘୂରି ବୁଲିବ ଏବଂ ମୋର ସମସ୍ତ ପରିଚର୍ଯ୍ୟା କରିବ ।

 

କୁଇକସୋଟ ମନେମନେ ଭାବିଲା ସବା ଆଗେ ଜଣେ ସହଚର ନିହାତି ଦରକାର । ସେ ଗାଁର ସବୁ ଲୋକଙ୍କ କଥା ଚିନ୍ତା କଲା, ମାତ୍ର କେହି ତାହାର ମନକୁ ପାଇଲେ ନାହିଁ । କେବଳ ଜଣକ ସମ୍ବନ୍ଧରେ ସେ ଟିକିଏ ଆଶା ପୋଷଣ କଲା–ତାହାର ପଡ଼ିଶା ଚାଷୀ ସାଙ୍କୋ ପାଞ୍ଜା, ଖର୍ବକାୟ, ମୋଟା ଓ ଝଙ୍କୁଲା ନିଶ । ସାଙ୍କୋ ପାଞ୍ଜାର ଅବସ୍ଥା ଅବଶ୍ୟ ଖୁବ୍‍ ଖରାପ ନୁହେଁ । ତାହାର କିଛି ଜମି ଅଛି, ସେ ନିଜର ସ୍ତ୍ରୀ ଓ ପୁଅ ଝିଅ ସହିତ ସେଥିରେ ଖଟି ଯାହା ଫସଲ ଅମଳ କରେ ସେମାନଙ୍କର ଏକ ରକମ ଚଳିଯାଏ । କିନ୍ତୁ ସାଙ୍କୋ ପାଞ୍ଜା ସେଥିରେ ସନ୍ତୁଷ୍ଟ ନୁହେଁ, ବେଶୀ କିଛି ଚାହେଁ, ଉଚ୍ଚ ଆଶା ପୋଷଣ କରେ ।

 

ଏହି ସୁଯୋଗ ଉଣ୍ଡି କୁଇକସୋଟ ଖୁବ୍ ହୁସିଆରିରେ ସାଙ୍କୋ ନିକଟରେ ପ୍ରସ୍ତାବଟି ପକାଇଲା ।

 

ସାଙ୍କୋ ଏହା ଶୁଣି ପ୍ରଥମେ ପଚାରିଲା–କେତେ ଦରମା ଦେବେ ?

 

ଦରମା କଥା ଶୁଣି କୁଇକସୋଟର ତୁଣ୍ଡରୁ କିଛି କ୍ଷଣ ପଦିଏ କଥା ବାହାରିଲା ନାହିଁ । ତା’ପରେ ସେ ଜଣାଇଲା–କୌଣସି ନାଇଟ ତାହାର ସହଚରକୁ କେବେ ଦରମା ଦେବାର କଥା ତ ମୋତେ ଜଣା ନାହିଁ ।

 

ଦରମା ନ ପାଇଲେ ମୁଁ ବା ଯିବି କାହିଁକି ?

 

ଦୁନିଆରେ ଦରମା ଛଡ଼ା ଆହୁରି ଭଲ ଜିନିଷ ଅଛି, ଯାହା ନାଇଟର ସହଚର ପାଇ ପାରେ ।

 

ଯଥା ?

 

ଗୌରବ ।

 

ସେଥିରେ କଅଣ ପେଟ ପୂରିବ ?

 

ସେ ଦିନ ଏମିତି ଭାବରେ ଏଣୁତେଣୁ ଆଲୋଚନା ଚାଲିଲା; ମାତ୍ର କିଛି ସ୍ଥିର ହୋଇପାରିଲା ନାହିଁ । ତଥାପି ଆଶା ନ ଛାଡ଼ି କୁଇକସୋଟ କହିଲା–ନଗଦ ଦରମା ଦେବାର ରୀତି ନାଇଟମାନଙ୍କର ନ ଥିଲା । ହଁ, ସେମାନେ ନିଜର ସହଚରମାନଙ୍କୁ ମୋଟା ମୋଟା ପୁରସ୍କାର ଦେଉଥିଲେ । କୌଣସି କୌଣସି ନାଇଟ ନିଜର ସହଚର ଉପରେ କେବେ ପ୍ରସନ୍ନ ହୋଇ ତାହାକୁ ଖଣ୍ଡିଏ ଜମିଦାରୀ ଦେଇଛି କିମ୍ବା ଗୋଟିଏ ଦ୍ଵୀପର ଶାସକ କରିଥିବାର ନଜିର ପୁସ୍ତକରୁ ମିଳେ ।

 

ବର୍ତ୍ତମାନ ସାଙ୍କୋକୁ ଟିକିଏ ଆକୃଷ୍ଟ ହେବାର ଦେଖି କୁଇକସୋଟ ପ୍ରତିଶ୍ରୁତି ଦେଲା–ପ୍ରଥମ ସୁଯୋଗରେ ମୁଁ ତୁମକୁ ଗୋଟିଏ ଦ୍ଵୀପର ଶାସକ କରିଦେବି ।

 

ବର୍ତ୍ତମାନ କୁଇକସୋଟର ସମକ୍ଷରେ ଆରାଧ୍ୟା ଦେବୀର ନିର୍ବାଚନ ସମସ୍ୟାଟି ଉପସ୍ଥିତ ହେଲା । ଏହା ସତରେ ତାହା ପକ୍ଷରେ ସବୁଠାରୁ କଠିନ କାମ । ପଚାଶ ବର୍ଷ ଭିତରେ ସେ କୌଣସି ନାରୀର ସଂସ୍ପର୍ଶରେ ଆସି ନ ଥିଲା । ତେବେ ତାହାର ମନୋନୀତ ନାରୀ ସୁଶ୍ରୀ ଓ ଅଭିଜାତ ବଂଶୀୟ ଯୁବତୀ ହେବା ବିଧେୟ । ହଠାତ୍‍ ତାହାର ଗୋଟିଏ ଝିଅର କଥା ମନେପଡ଼ିଲା-। ତାହାର ଘର ଟୋବୋସୋ ଗ୍ରାମରେ, ବାପ ଦରଜିର କାମ କରେ, ନାମ ଆଲଡ଼ୋଞ୍ଜା । ଦିନେ କୁଇକସୋଟ ଘୋଡ଼ାରେ ଚଢ଼ି ବୁଲି ବାହାରିଥିଲା । ପାଖ ଗାଁର ପଡ଼ିଆରେ ଛିଡ଼ା ହୋଇ ଆଲଡ଼ୋଞ୍ଜା ତାହାର ଅଜବ ଚେହେରା ସାଙ୍ଗକୁ ହାଡ଼ୁଆ ଘୋଡ଼ାକୁ ଦେଖି ହସି ହସି ଗଡ଼ି ଯାଇଥିଲା । କିନ୍ତୁ ସେ ଝିଅଟିର ହସ ଓ ଥଟା ଦେହକୁ ନେଇ ନ ଥିଲା ।

 

ମାତ୍ର ଆଜି ଆରାଧ୍ୟା ଦେବୀ ଖୋଜିବାକୁ ବସି କୁଇକସୋଟର ମନେହେଲା, ସେହି ଦରଜିର ଝିଅ ଆଲଡ଼ୋଞ୍ଜାକୁ ଏହି ଆସନରେ ବସାଇବାରେ କିଛି ବାଧା ନାହିଁ । ସେ ନିଜର ବାହୁ ବଳରେ ଆରାଧ୍ୟ ଦେବୀକୁ ଦୁନିଆରେ ଶ୍ରେଷ୍ଠା ମହିଳା ରୂପେ ପ୍ରଚାର କରିବ । ତହୁଁ ଏହା ସ୍ଥିର କରି ସେ ଅଲଡ଼ୋଞ୍ଜାର ନୂଆ ନାମ ଦେଲା ଡାଲସିନିୟା ଦେଲ ଟୋବୋସୋ ।

 

ବାସ୍‍, ଯାତ୍ରାର ସବୁ ଆୟୋଜନ ଏଥର ସରିଲା–ନୂଆ ବର୍ଚ୍ଛା, ମୁହଁ ଢାଙ୍କୁଣି, ପ୍ରଚୁର ଖାଦ୍ୟ ଓ ପୋଷାକପତ୍ର । ତା’ପରେ ଦିନେ ଅନ୍ଧାର ରାତିରେ ନାଇଟ ଓ ସହଚର ଉଭୟେ ଚୁପ୍‍ଚାପ୍‍ ଘରୁ ବାହାରି ପଡ଼ିଲେ । ଡନ କୁଇକସୋଟ ନିଜର ଧଡ଼ିଆ ଘୋଡ଼ା ରୋଜିନାଣ୍ଟିର ପିଠିରେ, ଆଉ ସାଙ୍କୋ ପାଞ୍ଜା ନିଜର ଗଧ ଡାପଲର ପିଠିରେ ଚଢ଼ି ଲକ୍ଷ୍ୟ ପଥରେ ଯାତ୍ରା କଲେ ।

 

 

ଦୁହେଁ ଆନନ୍ଦ ମନରେ ନାନା ବିଷୟରେ କଥାବାର୍ତ୍ତା ହୋଇ ଆଗେଇ ଚାଲିଲେ । ରାତି ପାହିଲା । କୁଇକସୋଟ ଦେଖିଲା, ସେମାନେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଆସି ପହଞ୍ଚିଛନ୍ତି, ଜନପ୍ରାଣୀ ଆଖିରେ ପଡ଼ୁନାହାନ୍ତି, କେବଳ ଅଦୂରରେ ଠିଆହୋଇ ଦଳେ ବିଶାଳକାୟ ଦୈତ୍ୟ ଲମ୍ବା ଲମ୍ବା ବାହୁ ମେଲି ତାହାକୁ ଦ୍ଵନ୍ଦ୍ଵ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି ।

 

କୁଇକସୋଟର ମନରେ ଭୀଷଣ ଉତ୍ତେଜନା ଜାତ ହେଲା । ସେ ସହଜରେ ସାଙ୍କୋକୁ ଡାକି କହିଲା–ଦେଖ ବନ୍ଧୁ, ଆମ ସାମନାରେ ସେହି ଦୈତ୍ୟ ବାହିନୀ । ମୁଁ ଏକା ସେମାନଙ୍କର ସମବେତ ଶକ୍ତିକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ଦେଇପାରିବି । ତୁମେ ଖାଲି ଠିଆହୋଇ ଦେଖ ।

 

ଏହା କହି କୁଇଜସୋଟ ଡାହାଣ ହାତରେ ବର୍ଚ୍ଛା ଉଞ୍ଚାଇ ଏବଂ ବାମ ହାତରେ ଲଗାମ ହୁଗୁଳାଇ ରୋଜିନାଣ୍ଟିର ପେଟରେ ରେକାବରେ ଗୋଟାଏ ଆଘାତ ଦେଲା ମାତ୍ରେ, ବିଚରା ଘୋଡ଼ଟି ପ୍ରାଣପଣେ ଦ୍ରୁତ ବେଗରେ ଧାଇଁଲା ।

 

ଏଣେ ସାଙ୍କୋ ତା’ର ସ୍ଵରରେ ପଛରୁ ରଡ଼ି ଛାଡ଼ିଲା–ପ୍ରଭୁ ! ପ୍ରଭୁ ! ଆପଣ କଅଣ କରୁଛନ୍ତି ! ଦୈତ୍ୟ କାହିଁ ? ସେଗୁଡ଼ାକ ପରା ହାଉଆ କଳ ! ଗହମ ପେଷା କଳ ! ରହନ୍ତୁ !

 

ସାଙ୍କୋର କଥା କୁଇକସୋଟର କାନରେ ପଡ଼ିଲା ନାହିଁ । ସେତେବେଳେ ତାହାର ତାଡ଼ନାରେ ଘୋଡ଼ାଟା ଯଥା ଶକ୍ତି ଧାଇଁ ଥାଏ ।

 

ସତରେ ସାଙ୍କୋର କଥା ଠିକ୍‍ । ଖୋଲା ପଡ଼ିଆରେ ହାଉଆ କଳସବୁ ଧାଡ଼ି ଧାଡ଼ି ହୋଇ ବସିଛି, ପବନରେ କଳଗୁଡ଼ିକର ପଲ ଦୋହଲୁଛି । ତାହା ଦେଖି କୁଇକସୋଟ ଭାବିଲା, ଦୈତ୍ୟମାନେ ହାତ ହଲାଇ ତାହାକୁ ଯୁଦ୍ଧକୁ ଆହ୍ଵାନ କରୁଛନ୍ତି ।

 

ଚାହୁଁ ଚାହୁଁ ଲଢ଼େଇ ଆରମ୍ଭ ହୋଇଗଲା । ନାଇଟ ବର୍ଚ୍ଛା ଉଞ୍ଚାଇ ଧାଇଁ ଯାଇ ଆଘାତ କଲା ମାତ୍ରେ, ସେଟା ହାଉଆ କଳର ପାଲରେ ଲାଖିଗଲା । ଠିକ୍‍ ସେତିକିବେଳେ ପ୍ରବଳ ବେଗରେ ଦମକାଏ ପବନ ବହିବାରୁ ସେହି ପାଲଟି ଜୋରରେ ଘୂରିବାକୁ ଲାଗିଲା । ବର୍ଚ୍ଛାଟା ଭାଙ୍ଗିଯାଇ ପାଲରେ ଅଟକି ରହିଲା ଏବଂ ତାହାରି ଟାଣରେ ଘୂରନ୍ତା ପାଲ ସାଙ୍ଗରେ ଘୋଡ଼ା ସମେତ କୁଇକସୋଟ ମଧ୍ୟ ଘୂରିଲା । ତା’ପରେ ଘୋଡ଼ା ସାଙ୍ଗରେ ସବାର ଡିଗବାଜି ଖାଇ ଗଡ଼ି ଗଡ଼ି ତଳେ ପଡ଼ିଗଲା ।

 

ଗଧରୁ ଓହ୍ଲାଇ ସାଙ୍କୋ ଡନ କୁଇକସୋଟ ଓ ଘୋଡ଼ାକୁ ତଳୁ ଉଠାଇଲା । ତା’ପରେ ସେ ପାଲରେ ଗଳି ଯାଇଥିବା ଭଙ୍ଗା ବର୍ଚ୍ଛାଟି ମଧ୍ୟ ଉଦ୍ଧାର କଲା । ସାଙ୍କୋର ସାହାଯ୍ୟରେ କୁଇକସୋଟ କୌଣସି ମତେ ଘୋଡ଼ାର ପିଠିରେ ଚଢ଼ି ବସିଲା, କିନ୍ତୁ ତାହାର ମନ ଭାରି ଖରାପ ହେଲା । କିଛି ସମୟ ନୀରବରେ ଯାଉଁ ଯାଉଁ ସେ କହିଲା–ସାଙ୍କୋ, ଢେର୍‍ ଭାବିଚିନ୍ତି ଦେଖିଲି, ଏଟା ସେହି ମାୟାବୀ ଯାଦୁକର ପ୍ରେଷ୍ଟନର କାଣ୍ଡ । ସେ ମୋର ତିଳେହେଲେ ଗୌରବ ସହି ପାରୁ ନାହିଁ । ମୁଁ ଆକ୍ରମଣ କରୁ ନ କରୁଣୁ, ସେ ଦୈତ୍ୟଗୁଡ଼ାକୁ ହାଉଆ କଳରେ ପରିବର୍ତ୍ତନ କରିଦେଲା ।

 

ସାଙ୍କୋ ଗମ୍ଭୀର କଣ୍ଠରେ କହିଲା–ଯାହା ହେବାର ତ ହେଲାଣି । ବେଳ ବେଶୀ ହେଉଛି, ଆସନ୍ତୁ କିଛି ଖାଇ ନେବା ।

 

ମୋତେ ଭୋକ ଲାଗୁ ନାହିଁ, ତୁମକୁ ଭୋକ ହେଉଥିଲେ କିଛି ଖାଇ ପାର–କହି କୁଇକସୋଟ ନୀରବ ରହିଲା । ଅସଲ କଥା ହେଉଛି, କେତେଥର ଡିଗବାଜି ଖାଇବା ଫଳରେ ତାହାର ଦେହ ଏତେ ପୀଡ଼ା ହେଉଥିଲା ଯେ ଖାଇବାକୁ କି କଥା କହିବାକୁ ତାହାର ଆଦୌ ଇଚ୍ଛା ହେଉ ନ ଥିଲା ।

 

ଅନୁମତି ପାଇଲା କ୍ଷଣି ସାଙ୍କୋ ଗଧର ପିଠିରେ ବସି ଥଳି ଫିଟାଇ କିଛି ଖାଦ୍ୟ ପାଟିରେ ପୂରାଇବାକୁ ଲାଗିଲା । ଖାଇଲା ବେଳେ ସେ ସାରା ଦୁନିଆର କଥା ଭୁଲିଗଲା ।

 

ଆଉ କିଛି ଦୂର ଗଲା ପରେ ଗୋଟିଏ ବଣ ପଡ଼ିଲା । ସେତେବେଳେ ଦିନ ଗଡ଼ିଲା ଉପରେ । ତହୁଁ ସେମାନେ ସ୍ଥିର କଲେ, ଏହି ବଣ ଭିତରେ ରାତିଟା କଟାଇବେ । ଦୁହେଁ ଦୁଇଟି ଗଛର ମୂଳରେ ଶୋଇଲେ । ଦେହର ପୀଡ଼ା ଯୋଗୁଁ କୁଇକସୋଟକୁ ନିଦ ମାଡ଼ିଲା ନାହିଁ । ସାଙ୍କୋର ନାସିକା ଗର୍ଜନରେ ବନ୍ୟ ପଶୁସବୁ ଭୟରେ ଏଣେତେଣେ ଧାଇଁ ପଳାଇବାକୁ ଲାଗିଲେ-

 

ସକାଳେ ପୁଣି ସେମାନଙ୍କର ଯାତ୍ରା ଆରମ୍ଭ ହେଲା । ଦେହର ପୀଡ଼ା ଟିକିଏ କମିଯିବାରୁ କୁଇକସୋଟର ମନ ପୁଣି ତାଜା ହେଲା । ଓକ୍‍ ଗଛର ଖଣ୍ଡିଏ ଶୁଖିଲା ଡାଳ ଭାଙ୍ଗି ଆଣି ସେ ଭଙ୍ଗା ବର୍ଚ୍ଛାର ଲୁହାର ମୁଣ୍ଡଟା ସେଥିରେ ଲଗାଇଦେଲା । ଆପାତତଃ ସେଟା ବର୍ଚ୍ଛାର କାମ ଚଳାଇବ, ସାମନାରେ ଲାତିସ ଗିରି ସଙ୍କଟଠାରେ ଯଥାର୍ଥ ବୀରତ୍ୱର ପରିଚୟ ଦିଆଯିବ । କୁଇକସୋଟ ଆଖି କାନ ଖୋଲା ରଖି ସାଙ୍କୋକୁ ପାଖକୁ ଡାକି କହିଲା–ଗୋଟାଏ ବିଷୟରେ ତୁମକୁ ହୁସିଆର କରି ଦେଉଛି । ଲଢ଼େଇ ବେଳେ ମୋତେ ଯେତେ ବିପନ୍ନ ଦେଖନା କାହିଁକି, ତୁମେ କଦାପି ମୋତେ ସାହାଯ୍ୟ କରିବାକୁ ଆଗଭର ହେବ ନାହିଁ ।

 

ସାଙ୍କୋ ଜିଭ କାମୁଡ଼ି କହିଲା–ନା, ମୋଟେ ନୁହେଁ । ଲଢ଼େଇ ଭିତରେ ପଶିବା ମୋର ସ୍ଵଭାବ ନୁହେଁ ।

 

ହଁ, ତେବେ ମନେରଖ, ଯଦି ଦେଖ ଯେ ନାଇଟ ଛଡ଼ା ଅନ୍ୟ କେହି ମୋତେ ଆକ୍ରମଣ କରିଛି, ତାହାହେଲେ ତୁମେ ତାହାକୁ ଦୁଇ ଚାରି ପାହାର ଦେଇ ପାର–କୁଇକସୋଟ ତାହାକୁ ବୁଝାଇଦେଲା ।

 

ସେମାନେ ଲାତିସ ଗିରି ସଙ୍କଟରେ ପ୍ରବେଶ କଲାବେଳେ ସାମନାରୁ କଳା ଆଲଖାଲା ପିନ୍ଧି ଦୁଇଜଣ ଲୋକ ଦୁଇଟି ଓଟ ଉପରେ ବସି ଆସୁଥିଲେ, ସେମାନଙ୍କ ପଛରେ ଗାଡ଼ିରେ ଜଣେ ମହିଳା ବସିଥିଲା ଏବଂ ଗାଡ଼ିର ପଛରେ କେତେଜଣ ଲୋକ ଗଧରେ ଚଢ଼ି ଓ କେତେକ ଚାଲି ଚାଲି ଆସୁଥିଲେ । କୁଇକସୋଟ ଦିବ୍ୟ ଦୃଷ୍ଟିରେ ଦେଖିଲା ଯେ ଦୁଇଜଣ ଯାଦୁକର ଜଣେ ରାଣୀଙ୍କୁ ବନ୍ଦୀ କରି ନେଇ ଯାଉଛନ୍ତି । ଏପରି ସ୍ଥଳେ ତାହାର ଆଶୁ କର୍ତ୍ତବ୍ୟ ହେଉଛି ପାପିଷ୍ଠ ଦୁହିଁଙ୍କୁ ନିଧନ କରି ବନ୍ଦିନୀ ରାଣୀଙ୍କୁ ଉଦ୍ଧାର କରିବା । ସେ ସାଙ୍କୋକୁ ସଂକ୍ଷେପରେ ନିଜ ଧାରଣାର ଟିକିଏ ଆଭାସ ଦେଇ ଓଟ ଆଡ଼କୁ ଘୋଡ଼ା ଚଳାଇ ନେଲା ।

 

ଏହା ଦେଖି ସାଙ୍କୋର ମଥାରେ ଚଡ଼କ ପଡ଼ିଲା । ସେହି ଆଲଖାଲାଧାରୀ ଲୋକ ଦୁହେଁ ଯେ ଧର୍ମଯାଜକ ! ତହୁଁ କୁଇକସୋଟକୁ ଆକ୍ରମଣରୁ କ୍ଷାନ୍ତ ହେବା ପାଇଁ ସେ ତା’ର ସ୍ଵରରେ ଚିତ୍କାର କଲା । କିନ୍ତୁ କୁଇକସୋଟର କାନରେ ତାହା ପଡ଼ିଲା ନାହିଁ, ଓଲଟି ସେ ହୁଙ୍କାର ଛାଡ଼ି ଗୋଟାଏ ଓଟ ଉପରକୁ ଘୋଡ଼ା ଚଢ଼ାଇ ଦେଇ ବର୍ଚ୍ଛାରେ ଏକ ଆଘାତ କଲା । ସଙ୍ଗେ ସଙ୍ଗେ ଧର୍ମଯାଜକ ଧରାଶାୟୀ ହେଲା । ସେତେବେଳେ ଅନ୍ୟ ଧର୍ମଯାଜକ ନିଜର ଓଟକୁ ଟିକିଏ ଦୂରକୁ ଅଡ଼େଇ ନେଇ ଯାଇଥିଲା ।

 

ସାମନାରେ ଏକ ଅପୂର୍ବ ସୁଯୋଗ ଦେଖି ସାଙ୍କୋ ଗଧରୁ ଓହ୍ଲାଇ ପଡ଼ି ଭୂପତିତ ଧର୍ମଯାଜକର ଲୁଗାପଟା ଦରାଣ୍ଡିବାକୁ ଲାଗିଲା । ଠିକ୍‍ ସେତିକିବେଳେ କୁଇକସୋଟକୁ ବନ୍ଦିନୀ ରାଣୀର ଗାଡ଼ି ପାଖରେ ଯାଇ ଠିଆ ହୋଇଥିବାର ଦେଖି, ଧର୍ମଯାଜକର ଚାକରମାନେ ସାହସ କରି ସାଙ୍କୋ ପାଖକୁ ଧାଇଁ ଆସିଲେ । ଜଣେ ଗର୍ଜନ କଲା–ଏ, କଅଣ କରୁଛ ?

 

ସାଙ୍କୋ ଜୋରରେ ଜବାବ ଦେଲା–ମୋ ଅଧିକାରର ବାହାରେ ମୁଁ କିଛି କରୁ ନାହିଁ । ମୋ ମୁନିବ ମୋତେ କହିଛନ୍ତି, ପରାଜିତ ନାଇଟର ସବୁ ସମ୍ପତ୍ତି ଉପରେ ବିଜୟୀର ସମ୍ପୂର୍ଣ୍ଣ ଅଧିକାର । ତେଣୁ ଏହାଠାରୁ ଯାହା ପାଇବି ସେସବୁ ମୁଁ ନେଇ ଯାଇ ପାରିବି ।

 

କିନ୍ତୁ ଚାକରମାନେ ଧର୍ମଯାଜକକୁ ନାଇଟ ବୋଲି ସ୍ଵୀକାର କଲେ ନାହିଁ ଏବଂ ସଙ୍କୋକୁ ଉତ୍ତମ ମଧ୍ୟମ ଚଢ଼ାଇଲେ । ଇତିମଧ୍ୟରେ ଧର୍ମଯାଜକ ଉଠିପଡ଼ି ଝାଡ଼ିଝୁଡ଼ି ହୋଇ ଓଟରେ ଚଢ଼ି ଦୂରରେ ଅପେକ୍ଷା କରିଥିବା ବନ୍ଧୁ ସହିତ ମିଳିତ ହୋଇ ଦ୍ରୁତ ସେହି ବିପଦଜନକ ସ୍ଥାନ ତ୍ୟାଗ କଲା-

 

ତେଣେ କୁଇକସୋଟ ଗାଡ଼ି ପାଖରେ ଘୋଡ଼ାରୁ ଓହ୍ଲାଇପଡ଼ି ମହିଳାକୁ ଅଭିବାଦନ କରି ବୀରୋଚିତ ଭାଷାରେ କହିଲା–ଭଦ୍ରେ ! ଯେଉଁ ପାଷଣ୍ଡ ଯାଦୁକରମାନେ ଆପଣଙ୍କୁ ବନ୍ଦୀ କରି ନେଇ ଯାଉଥିଲେ, ସେମାନଙ୍କୁ ମୁଁ ଏଠାରୁ ଘଉଡ଼ାଇ ଦେଇଛି । ବର୍ତ୍ତମାନ ଆପଣ ମୁକ୍ତ, ଯେଉଁଠାକୁ ଇଚ୍ଛା ଯାଇ ପାରନ୍ତି । ଯଦି ଆପଣଙ୍କର ମୋ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାର ଇଚ୍ଛା ଥାଏ, ତାହାହେଲେ ଆପଣ ଟୋବୋସୋକୁ ଯାଇ ମହିମାମୟୀ ଡାଲସିନିୟାଙ୍କୁ ମୋ ତରଫରୁ ଶ୍ରଦ୍ଧା ଜଣାଇ ଆସିବେ । ଏତିକି ମାତ୍ର ମୋର ଅନୁରୋଧ ।

 

ଡନ କୁଇକସୋଟର କଥା ନ ସରୁଣୁ, ମହିଳାର ଜଣେ ଅନୁଚର ଏହା ଶୁଣି ରାଗରେ ନିଆଁ ହୋଇ ଆଗେଇ ଆସି ତାହାର ସାମନାରେ ଗଧଟାକୁ ଠିଆ କରାଇଲା ଏବଂ କମରରୁ ଗୋଟିଏ ଲମ୍ବା ତରବାରି ବାହାର କଲା । ଲୋକଟିର ଉଗ୍ର ମୂର୍ତ୍ତି ଦେଖି କୁଇକସୋଟ ବି ନିଜର ଘୋଡ଼ା ଉପରେ ଚଢ଼ି ବସିଲା ଏବଂ ହାତରେ ଢାଲ ତରବାରି ଧରି ପ୍ରତିଦ୍ୱନ୍ଦ୍ୱୀ ଆଡ଼କୁ ଅଗ୍ରସର ହେଲା । ଅନୁଚରର ଢାଲ ନ ଥିବାରୁ, ସେ ଗାଡ଼ିରୁ ଖଣ୍ଡିଏ ବସିବା ଗଦି ଟାଣି ଆଣି ବାମ ହାତରେ ଉଞ୍ଚାଇ ଧରିଲା । ମଦ ମତ୍ତ ହସ୍ତୀ ପରି ଦୁହେଁ ପରସ୍ପରର ସମ୍ମୁଖୀନ ହେଲେ । ଘୋଡ଼ା ଓ ଗଧ ପିଠିରେ ସବାର ଧରି ଯଥା ସମ୍ଭବ ବେଗରେ ଧାଇଁ ଆସିଲେ । ହଠାତ୍‍ ଗଧଟା ଛାନିଆରେ ଅଟକିଗଲା, ଯେତେ ଚେଷ୍ଟା କଲେ ବି ସେ ଆଉ ପାହୁଣ୍ଡେ ଘୁଞ୍ଚିଲା ନାହିଁ । ତେଣେ ଛୁଟନ୍ତ ଘୋଡ଼ାରେ ବସି କୁଇକସୋଟର ପକ୍ଷରେ ତରବାରି ଚଳାଇବା ସୁବିଧାଜନକ ହେଲା ନାହିଁ । ଯେତେବେଳେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କର ସଂଘର୍ଷ ହେଲା, କୁଇକସୋଟ ଚଟାପଟ ତରବାରି ଚଳାଇ ପାରିଲା ନାହିଁ । ଅନୁଚର ଗଧ ପିଠିରେ ବସି ଆଗରୁ ତିଆରି ହୋଇଥିଲା । ଧକା ଲାଗୁ ନ ଲାଗୁଣୁ ସେ ଏତେ ଜୋରରେ ତରବାରିରେ କୁଇକସୋଟକୁ ଆଘାତ କଲା ଯେ ତାହାର ଗୋଟାଏ କାନ ସମେତ ଶିରସ୍ତ୍ରାଣର ଅଧେ କଟି ଯାଇ ଉଡ଼ିଗଲା । ତହୁଁ କୁଇକସୋଟ କାଳ ବିଳମ୍ବ ନ କରି ଘୋଡ଼ାର ରେକାବ ଉପରେ ପାଦ ରଖି ସିଧା ଠିଆହୋଇ ଦୁଇ ହାତରେ ତରବାରି ଧରି ଶତ୍ରୁର ମଥାରେ ଏକ ଶକ୍ତ ଆଘାତ ହାଣିଲା । ତରବାରିଟି ଦନ୍ଥରା ହୋଇ ଥିବାରୁ, ଅନୁଚରର ମୁଣ୍ଡଟା ଦୁଇ ଖଣ୍ଡ ହେଲା ନାହିଁ ସିନା, ମାତ୍ର ରକ୍ତ ଝରଝର ବହିଲା । ଲୋକଟା ଗଧର ପିଠିରୁ ତଳକୁ ଗଡ଼ି ପଡ଼ିଲା । ତତ୍‍କ୍ଷଣାତ୍‍ ବିଜୟୀ ବୀର କୁଇକସୋଟ ଘୋଡ଼ାରୁ କୁଦି ପଡ଼ି ପତିତ ଶତ୍ରୁର ଆଖି ଉପରେ ତରବାରିର ଅଗଟା ରଖି ବଜ୍ରଗମ୍ଭୀର କଣ୍ଠରେ ଆଦେଶ ଦେଲା–ଆତ୍ମସମର୍ପଣ କର, ନୋହିଲେ ଏହି ମୁହୂର୍ତ୍ତରେ ତୁମର ଶିରଚ୍ଛେଦ କରିବି ।

 

ଅନୁଚର ଅଚେତ ହୋଇ ପଡ଼ିଥିଲା । ସଙ୍ଗେ ସଙ୍ଗେ ତାହାର ମୁନିବାଣୀ ଆଗେଇ ଆସି କହିଲା–ତାହା ତରଫରୁ ମୁଁ କହୁଛି ଯେ ସେ ଆପଣଙ୍କ ନିକଟରେ ଆତ୍ମସମର୍ପଣ କରିଛି ଏବଂ ପ୍ରତିଶ୍ରୁତି ଦେଉଛି ଯେ ସେ ଆପଣଙ୍କର ଆଦେଶ ଯଥା ସାଧ୍ୟ ପାଳନ କରିବ ।

 

କୁଇକସୋଟ କୋଷରେ ତରବାରି ପୂରାଇ କହିଲା–ତାହାହେଲେ ମୁଁ ଆଦେଶ ଦେଉଛି ଯେ ତାହାର ଚେତା ପଶିଲା ମାତ୍ରେ ସେ ଯଥା ଶୀଘ୍ର ମୋର ଆରାଧ୍ୟା ଦେବୀ ଡାଲସିନିୟା ଦେଲ ଟୋବୋସୋଙ୍କ ପାଖକୁ ଯିବ ଏବଂ ତାହାଙ୍କୁ ଜଣାଇଦେବ ଯେ ସମଗ୍ର ପୃଥିବୀରେ ତାଙ୍କର ମହିମା ପ୍ରଚାର କରିବା ସକାଶେ ତାଙ୍କର ଏହି ଭକ୍ତ ନାଇଟ ତରବାରି ହସ୍ତରେ ଦେଶ ଦେଶାନ୍ତରରେ ପର୍ଯ୍ୟଟନ କରୁଅଛି ।

 

ସାଙ୍କୋ ଆସି ଅନୁଚରର ଗଧଟାକୁ ଧରିଲା, କାରଣ ପରାଜିତ ନାଇଟର ସବୁ ସମ୍ପତ୍ତି ଉପରେ ବିଜୟୀର ଅଧିକାର କାଏମ ହୁଏ । ତେବେ ସେ କହିଲା–ମୋର ଗଧ ଲୋଡ଼ା ନାହିଁ, ବରଂ ତାହାର ପିଠିରୁ କିଛି ଖାଦ୍ୟ ଥଳି ପାଇଲେ ମୋର କାମରେ ଲାଗିବ ।

 

ମହିଳା କହିଲା–ଆମର ସବୁ ଖାଦ୍ୟ ଆଉ ଗୋଟିଏ ଗଧର ପିଠିରେ ଲଦା ହୋଇଛି । ତୁମର ଯେତେ ଦରକାର ସେଥିରୁ ନେଇ ଯାଅ ।

 

ଅନୁମତି ପାଇ ସାଙ୍କୋ ନିଜର ଶୂନ୍ୟ ଥଳିଟା ପୂର୍ଣ୍ଣ କରି ନେଲା । ଆହତ ଅନୁଚରକୁ ଗଧର ପିଠିରେ ଉଠାଇ ମହିଳା ସଦଳ ବଳେ ସେଭିଲ ବନ୍ଦର ଅଭିମୁଖେ ଯାତ୍ରା କଲା ।

 

ସମ୍ମୁଖ ଯୁଦ୍ଧରେ ବିଜୟର ଗୌରବ ଅର୍ଜନ କରି କୁଇକସୋଟ ଆନନ୍ଦରେ ଆତ୍ମହରା ହେଲା । ଏତେ ଦିନ ପରେ ଅବିଶ୍ୱାସୀ ସାଙ୍କୋର ମନରେ ବି ପ୍ରଥମ ଧାରଣା ଜାତ ହେଲା ଯେ ତାହାହେଲେ ପ୍ରଭୁର କଥାବାର୍ତ୍ତା ତୁଚ୍ଛା ପାଗଳାମି ନୁହେଁ, ସେ ଲଢ଼େଇ କରି ଜାଣେ । କଥା ଥିଲା, ଜୟ ଲାଭ ପରେ କୁଇକସୋଟର ହାତରେ ଗୋଟାଏ ଦ୍ଵୀପ ପଡ଼ିବ ଏବଂ ତାହାର ଶାସନ ଭାର ସାଙ୍କୋକୁ ଦିଆଯିବ । ସୁତରାଂ ସେ ପଚାରିଲା–ଦ୍ୱୀପଟା କାହିଁ ?

 

କୁଇକସୋଟ ଜବାବ ଦେଲା–ଆରେ ମୂର୍ଖ ! ଏଠାରେ କଅଣ ସମୁଦ୍ର ଅଛି ଯେ ମୁଁ ଦ୍ଵୀପ ଜୟ କରି ତୋତେ ଦେବି ? ଆଗକୁ ଚାଲ୍‍; ଦେଖିବୁ କେତେ ଦ୍ୱୀପର ହାର ତୋର ଗଳାରେ କିପରି ଝୁଲାଇ ଦେବି !

 

 

ଗିରି ସଙ୍କଟ ଦେଇ ସେମାନେ ଗୋଟାଏ ପାହାଡ଼ିଆ ଅଞ୍ଚଳରେ ପହଞ୍ଚିଲେ । ଉଠାଣି, ଗଡ଼ାଣି, ମଝିରେ ମଝିରେ ଗଭୀର ଉପତ୍ୟକା ଭିତରେ ଛୋଟ ଛୋଟ ହ୍ରଦ ଓ ଝରଣା, ଲମ୍ବା ଲମ୍ବା ଗଛ, ଆଉ ବିଭିନ୍ନ ଜାତିର ପକ୍ଷୀର କଳରବ । କୁଇକସୋଟର ମଗଜରେ ଖେଳୁଥାଏ ଲଢ଼େଇ ଓ ଯାଦୁକର, ଆଉ ସାଙ୍କୋର ଏକମାତ୍ର ଚିନ୍ତା କେବେ ସେ ଗୋଟିଏ ଦ୍ୱୀପର ଦଖଲ ପାଇବ ।

 

ଯାଉଁ ଯାଉଁ ହଠାତ୍‍ ଦୁହେଁ ଅଟକିଗଲେ । ସାମନାରେ ଗୋଟାଏ ଟିଣ ବାକ୍ସ ପଡ଼ିଥିଲା । ସାଙ୍କୋ ସଙ୍ଗେ ସଙ୍ଗେ ଗଧ ଉପରୁ ଡେଇଁ ପଡ଼ି ବାକ୍ସଟି ଧରି ପକାଇ ଟିକିଏ ଟଣାଟଣି କରିବାରୁ ସେଟା ଖୋଲିଗଲା । ସେଥିରୁ ବାହାରିଲା କେତେ ଖଣ୍ଡ ସଫା ଜାମା ଓ ଶହେ କ୍ରାଉନର ମୁଣିଟିଏ-। ସେ ଟଙ୍କାତକ ଏମିତି କାଇଦାରେ ପକେଟରେ ପୂରାଇ ଦେଲା ଯେ କୁଇକସୋଟର ନଜରରେ ତାହା ପଡ଼ିଲା ନାହିଁ । ଆଗରୁ କୁଇକସୋଟ ତାହାକୁ ପର ଧନରେ ହାତ ନ ଦେବାକୁ ବାରମ୍ବାର ତାଗିଦ କରିଥିଲା । ବର୍ତ୍ତମାନ ସେ କହିଲା–ମୋତେ ଫାନ୍ଦରେ ପକାଇବା ପାଇଁ ବୋଧହୁଏ କୌଣସି ଦୁଷ୍ଟ ଯାଦୁକର ଜାମାଗୁଡ଼ାକ ଏଠାରେ ରଖି ଦେଇଛି । ନାଇଟ ପକ୍ଷରେ ପର ଧନ ଅପହରଣ ଏକାନ୍ତ ଅନ୍ୟାୟ ଓ ଗର୍ହିତ କର୍ମ ଅଟେ ।

 

ସାଙ୍କୋ ଯୁକ୍ତି କଲା–ପ୍ରଭୁ ! ଦେଖନ୍ତୁ, ଏହି ଜିନିଷ ମୁଁ ନେଲେ ତ ଆପଣଙ୍କର ବୀର ଧର୍ମ କ୍ଷୁଣ୍ଣ ହେବ ନାହିଁ । ଜଣା ଯାଉଛି, ବାକ୍ସଟା ଏଠାରେ କେତେଦିନରୁ ପଡ଼ିଛି । ଆଉ କିଛି ଦିନ ଏଟା ଧୂଳି ମାଟିରେ ପଡ଼ି ରହିଲେ ଏହି ଜାମାପଟାଗୁଡ଼ାକ ନଷ୍ଟ ହୋଇଯିବ । ଯଦି ଆମେ ଆଗରେ ମାଲିକର ଦେଖା ପାଇବା, ତାହାହେଲେ ତାହାକୁ ଏହା ଜିମା କରିଦେବା ।

 

କୁଇକସୋଟକୁ ବାଧ୍ୟ ହୋଇ ଏଥିରେ ରାଜି ହେବାକୁ ପଡ଼ିଲା । ସାଙ୍କୋ ଅତି ଆନନ୍ଦରେ ଗଧରେ ଚଢ଼ି ପ୍ରଭୁର ପଛେ ପଛେ ଯାଉଁ ଯାଉଁ ମଧୁର ସପନ ଦେଖିବାକୁ ଲାଗିଲା । ସହସା ସେମାନଙ୍କୁ ପୁଣି ରହିବାକୁ ପଡ଼ିଲା । ସାମନାରେ ଗୋଟାଏ ଛୋଟ ନଦୀ, ଆଉ କୂଳରେ ଗୋଟିଏ ଘୋଡ଼ା ମରି ପଡ଼ିଛି ।

 

କୁଇକସୋଟ କହିଲା–ସେହି ବାକ୍ସଟି ଯାହାର, ଏ ଘୋଡ଼ାଟି ବି ତାହାର ।

 

ସାଙ୍କୋ ଜବାବ ଦେଲା–ତାହାହେଲେ ଆମେ ନିଶ୍ଚୟ ତାହାର ମୃତ ଦେହ ଦେଖିବାକୁ ପାଇବା ।

 

କୁଇକସୋଟ ହଠାତ୍‍ ପାହାଡ଼ ଉପରକୁ ଆଙ୍ଗୁଳି ଦେଖାଇ କହିଲା–ମୃତ ଦେହ ନୁହେଁ, ଜିଅନ୍ତା ମଣିଷ, ହେଇ ଦେଖ ।

 

ସତରେ ପାହାଡ଼ ଉପରେ ଜଣେ ଲୋକ ଛିଡ଼ା ହୋଇଥିଲା–ଶତ ଛିନ୍ନ ପୋଷାକ, ଅଲରା ବାଳ, ପାଗଳ ପରି ଚେହେରା । ସିୟେରା ମୋରେନାରେ ଜନବସତି ନାହିଁ । ତଳେ ଉପତ୍ୟକାର ପଶୁ ପାଳକମାନେ ଛେଳି ପଲସବୁ ନେଇ ଏଠାକୁ ଚରାଇବାକୁ ଆସନ୍ତି ଏବଂ ପଲା ମାରି କିଛି ଦିନ ରହି ନିଜ ଘରକୁ ଫେରି ଯାଆନ୍ତି । କୁଇକସୋଟ ଜଣେ ଛାଗ ପାଳକକୁ ଦେଖି ପଚାରିଲାରୁ, ସେ ଜଣାଇଲା–କେତେ ମାସ ତଳେ ଆମେ ଜଣେ ଯୁବକକୁ ଦିନେ ପାହାଡ଼ ତଳେ ଦେଖିଥିଲୁ । ସେ ପଚାରୁଥିଲା, ପାହାଡ଼ ଉପରେ ସବୁଠାରୁ ବେଶି ଜନହୀନ ଅଞ୍ଚଳ କେଉଁଟା । ତା’ପରେ ସେ ଘୋଡ଼ା ଛୁଟାଇ ପାହାଡ଼ ଉପରକୁ ଚାଲି ଆସିଥିଲା । ପରେ ଆମେ ଘୋଡ଼ାଟାକୁ ନଦୀରେ ମରି ପଡ଼ିଥିବାର ଦେଖିଲୁ । ତାହାର ବାକ୍ସଟା ବି ପାହାଡ଼ରେ ପଡ଼ିଥିଲା, କିନ୍ତୁ ଆମେ ସେଟାକୁ ଛୁଇଁଲୁ ନାହୁଁ ।

 

ସାଙ୍କୋ ନିରୀହ ଭାବରେ ଜଣାଇଲା–ଆମେ ବି ସେଥିରେ ହାତ ଦେଇ ନାହୁଁ ।

 

ଛାଗ ପାଳକ କହିଲା–ତାହାହେଲେ ନିଶ୍ଚୟ ଭଲ କରିଛ । କାରଣ ପାଗଳମାନେ ଦୈବଶକ୍ତି ଧାରଣ କରନ୍ତି । ସେମାନଙ୍କ ଜିନିଷ ନେଇ କେହି ସହଜରେ ହଜମ କରି ପାରିବ ନାହିଁ-

 

ସେହି ଯୁବକଟି କଅଣ ପାଗଳ ? –କୁଇକସୋଟ ପଚାରିଲା ।

 

ଯେତେବେଳେ ଆମେ ତାହାକୁ ପାହାଡ଼ ତଳେ ପ୍ରଥମେ ଦେଖିଥିଲୁ, ସେତେବେଳେ ଅବଶ୍ୟ ସେ ପାଗଳ ନ ଥିଲା । କିନ୍ତୁ ଏଠାରେ ଦେଖିଲୁ, ସେ ସତରେ ପାଗଳ ହୋଇ ଯାଇଛି । ବେଳେ ବେଳେ ପାହାଡ଼ର ଚୂଡ଼ାରେ ତାହାର ଦେଖା ମିଳେ ।

 

ତାହାହେଲେ ଆମେ ତାହାକୁ ଦେଖିଛୁ ।

 

ସମୟ ସମୟରେ ଲୋକଟିର ମଥାକୁ ରକ୍ତ ଚଢ଼ିଗଲେ, ସେ ପାହାଡ଼ରୁ ତଳକୁ ଚାଲି ଆସେ ଏବଂ ସାମନାରେ ଯାହାକୁ ପାଏ ମାର ଧର କରି ତାହାଠାରୁ ଖାଦ୍ୟ ଦ୍ରବ୍ୟ ଛଡ଼ାଇ ନେଇ ଯାଏ । ବେଳେ ବେଳେ ସେ ଆମକୁ ଶାନ୍ତଶିଷ୍ଟ ଭାବରେ ଖାଦ୍ୟ ମାଗିଲେ, ଆମେ ତାହାକୁ ଦେଉ । ତାହାକୁ ସମୟ ସମୟରେ ଭଲ ଅବସ୍ଥାରେ ମଧ୍ୟ ଦେଖିଛୁ । ସେ ବଡ଼ ଲୋକର ପୁଅ ନିଶ୍ଚୟ ।

 

ସତକୁ ସତ ହଠାତ୍‍ ଦିନେ କୁଇକସୋଟର ସେହି ଯୁବକଟି ସହିତ ମୁହାଁମୁହିଁ ଭେଟ ହେଲା । ସେ ପ୍ରକୃତିସ୍ଥ ଥିବାରୁ ପଳାଇବାକୁ ଚେଷ୍ଟା କଲା ନାହିଁ । କୁଇକସୋଟ ନିଜର ସ୍ଵଭାବସୁଲଭ ଭାଷାରେ ତାହାକୁ ଆଶ୍ୱାସନା ଦେଇ ତାହାର ପ୍ରକୃତ କଥା ଜାଣିବାକୁ ଚାହିଁଲା–ଯଦି କୌଣସି ଅତ୍ୟାଚାରୀର ଦୁର୍ବ୍ୟବହାର ଯୋଗୁଁ ଆପଣଙ୍କର ଏହି ଦୁର୍ଦ୍ଦଶା ଘଟିଥାଏ, ତାହାହେଲେ ନିର୍ଭୟରେ ପ୍ରକାଶ କରନ୍ତୁ । ମୁଁ ନିଶ୍ଚୟ ଆପଣଙ୍କର ଦୁଃଖ ଲାଘବ କରିବି ।

 

ଯୁବକ ସଂକ୍ଷେପରେ ଜଣାଇଲା–ମୋର ନାମ କାର୍ଡେନିଓ, ଏକ ସମ୍ଭ୍ରାନ୍ତ ବଂଶର ସନ୍ତାନ-। ଲୁସିଣ୍ଡା ଆମର ପଡ଼ିଶା ଥିଲା । ସେହି ସୁନ୍ଦରୀ ତରୁଣୀକୁ ବିବାହ କରିବାକୁ ମୁଁ ମନେମନେ ସ୍ଥିର କରିଥିଲି । ଏହି ସମୟରେ ଏକ ଦୂର ସ୍ଥାନରେ ଚାକିରି ପାଇବାରୁ ମୁଁ ସେଠାକୁ ଚାଲିଗଲି-। ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଘରକୁ ଫେରିଲି, ମୋର ବନ୍ଧୁ ଡିଉକର ପୁଅ ଫାର୍ନାଣ୍ଡୋ ମଧ୍ୟ ମୋ ସାଙ୍ଗରେ ଆମ ଘରକୁ ଆସିଥିଲା । ସେ କୌଣସି କୌଶଳରେ ଲୁସିଣ୍ଡାର ବାପକୁ ଭୁଲାଇ ଗୋପନରେ ତାହାକୁ ବିଭା ହେଲା । ବାପର ଆଦେଶରେ ବିଭା ହେଲେ ସୁଦ୍ଧା, ଲୁସିଣ୍ଡା ତାହାର ସ୍ଵାମୀ ସହିତ କିଛି ସମ୍ପର୍କ ରଖିବାକୁ ଅସ୍ୱୀକାର କଲା ଏବଂ ଆତ୍ମହତ୍ୟା କରିବାକୁ ଧମକାଇଲା-। ତା’ପରେ କଅଣ ହେଲା ମୁଁ ଜାଣେ ନାହିଁ । କାରଣ ଲୁସିଣ୍ଡାର ବିବାହ ପରେ ମୁଁ ମନଦୁଃଖରେ ଦେଶ ତ୍ୟାଗ କଲି । ତା’ପରେ ସିୟେରା ମୋରେନାକୁ ଆସି ମୁଁ ପାଗଳ ହୋଇ ଯାଇଛି-

 

ଏତିକି କହିଲା ଉତ୍ତରୁ ବୋଧହୁଏ କାର୍ଡ଼େନିଓର ମଥା ପୁଣି ଖରାପ ହେଲା । ସେ ହଠାତ୍‍ କୁଆଡ଼େ ଧାଇଁ ପଳାଇଲା ଯେ ସେମାନେ ତାହାକୁ ଖୋଜି ଖୋଜି ଆଉ ପାଇଲେ ନାହିଁ । ମାତ୍ର କର୍ତ୍ତବ୍ୟ ପରାୟଣ କୁଇକସୋଟ ସ୍ଥିର କଲା, ହତଭାଗୀନି କାର୍ଡ଼େଓକୁ ଖୋଜି ବାହାର କରି ତାହା ସହିତ ଲୁସିଣ୍ଡାର ପୁନର୍ମିଳନର ବ୍ୟବସ୍ଥା ନ କଲା ପର୍ଯ୍ୟନ୍ତ ସେ ସିୟେରା ମୋରେନାରୁ ପାହୁଣ୍ଡେ ହେଲେ ଘୁଞ୍ଚିବ ନାହିଁ । ଏଠାରେ ସାଙ୍କୋର କିଛି କାମ ନ ଥିବାରୁ, ଏହି ଅବସରରେ ଘରକୁ ଯାଇ ଟିକିଏ ବୁଲି ଆସିବା ପାଇଁ ସେ ପ୍ରଭୁର ଅନୁମତି ପ୍ରାର୍ଥନା କଲା ।

 

କୁଇକସୋଟ ଏହି ପ୍ରସ୍ତାବରେ ଆପତ୍ତି ନ କରି ବରଂ ଉତ୍ସାହିତ ହେଲା ଏବଂ କହିଲା–ହଁ, ଯେତେବେଳେ ଘରକୁ ଯାଉଛ, ଥରେ ମହିମାମୟୀ ଡାଲସିନିୟା ଜେଲ ଟୋବୋସୋଙ୍କୁ ଦେଖା କରି ମୋ ତରଫରୁ ଜଣାଇ ଦେବ ଯେ ତାଙ୍କର ସାନ୍ନିଧ୍ୟରୁ ନିର୍ବାସିତ ହୋଇ ତାଙ୍କର ହତଭାଗା ନାଇଟ ଏକାବେଳେ ପାଗଳ ହୋଇ ଯାଇଛି ।

 

ସାଙ୍କୋ ଦ୍ୱିଧାରେ ପଚାରିଲା–ଆରାଧ୍ୟା ଦେବୀଙ୍କୁ ଗୋଟାଏ ମିଛ କଥା କହିବି ?

 

ମିଛ କାହିଁକି ? ମୁଁ କଅଣ ପାଗଳ ହୋଇ ନାହିଁ ?

 

ସେମିତି କିଛି ଲକ୍ଷଣ ତ ମାଲୁମ ହେଉ ନାହିଁ ।

 

ତହୁଁ କୁଇକସୋଟ ଡିଗବାଜି ଖାଇବାକୁ ଲାଗିଲା । ତାହାର ହାଡ଼ସବୁ ମଡ଼ମଡ଼ ହେଲାରୁ, ସାଙ୍କୋ ଡରରେ ତୁରନ୍ତ କହି ପକାଇଲା–ହେଲା, ହେଲା । ଏବେ ମୁଁ ହଲପ କରି ଡାଲସିନିୟାଙ୍କୁ ଜଣାଇ ପାରିବି ଯେ ଆପଣ ସତରେ ତାହାଙ୍କ ପାଇଁ ପାଗଳ ହୋଇଛନ୍ତି ।

 

 

ଡନ କୁଇକସୋଟ ସାଙ୍ଗରେ ବୋକା ଚାଷୀ ସାଙ୍କୋ ପାଞ୍ଜାକୁ ଧରି ବହୁତ ଦିନ ହେଲା ଘର ଛାଡ଼ିଲାଣି । ସେହି ଦିନରୁ ଦୁଇଟି ଘରେ ଦଣ୍ଡେହେଲେ ଶାନ୍ତି ନାହିଁ । କୁଇକସୋଟର ଭାଣିଜୀ ଓ ଗୃହ ପରିଚାଳିକା ଏବଂ ସାଙ୍କୋର ସ୍ତ୍ରୀ ଓ ଝିଅ ଅନବରତ ଆଖିରୁ ଲୁହ ଢାଳୁଛନ୍ତି ।

 

ସେମାନଙ୍କର ଦୁଃଖ ଦେଖି ଦେଖି ପାଦ୍ରୀ ଆଉ ସହି ପାରିଲେ ନାହିଁ । ଅବଶେଷରେ ସେ ସ୍ଥିର କଲେ, ବାରିକକୁ ସାଙ୍ଗରେ ନେଇ ପଳାତକ ନାଇଟ ଓ ତାହାର ସଙ୍ଗୀକୁ ଖୋଜିବାକୁ ବାହାରିବେ । ଯଥା ସମୟରେ ସେମନେ ଯାତ୍ରା ଆରମ୍ଭ କଲେ । ସେତେବେଳେ କୁଇକସୋଟର କୀର୍ତ୍ତି କାହାଣୀ ବାଟଘାଟରେ ସମସ୍ତଙ୍କ ତୁଣ୍ଡରେ ମୁଖରିତ ହେଉଥିଲା । ତେଣୁ କେଉଁ ରାସ୍ତାରେ ଗଲେ କୁଇକସୋଟକୁ ଠାବ କରିହେବ, ତାହା ଆଉ ବୁଝିବାକୁ ବାକି ରହିଲା ନାହିଁ । ସେହି ଅନୁସାରେ ସେମାନେ ଦୁଇ ଦିନ ବାଟ ଚାଲିଲା ପରେ ସଞ୍ଜବେଳେ ପ୍ରାୟ ସିୟେରା ମୋରେନା ନିକଟରେ ପହଞ୍ଚି ଗୋଟିଏ ସରାଇଖାନାରେ ଆଶ୍ରୟ ନେଲେ । କିଛି କ୍ଷଣ ପରେ ଜଣେ ବାଙ୍ଗରା ମୋଟା ଲୋକ ଗଧରେ ଚଢ଼ି ସିୟେରା ମୋରେନା ଆଡ଼ୁ ଆସି ସେଠାରେ ପହଞ୍ଚିଲା । ତାହାକୁ ଦେଖି ପାଦ୍ରୀ ଓ ବାରିକ ଚିହ୍ନି ପାରିଲେ ଏବଂ ଛଞ୍ଚାଣ ପରି ସେମାନେ ତାହାକୁ ଗଧର ପିଠିରୁ ଟେକି ନେଲେ । ପ୍ରଥମେ ସାଙ୍କୋର ଭୟ ଜାତ ହେଲା । କିନ୍ତୁ ଅବିଳମ୍ବେ ସେ ବୁଝିପାରିଲା ଯେ ସେମାନେ ତାହାର ଗାଁର ଲୋକ ଏବଂ ତାହାର ପ୍ରଭୁ ଓ ତାହାକୁ ଖୋଜି ବାହାର କରି ଘରକୁ ଫେରାଇ ନେବାପାଇଁ ବହୁ କଷ୍ଟ ସ୍ଵୀକାର କରି ଏତେ ଦୂରକୁ ଆସିଛନ୍ତି । ତହୁଁ ସେ ସେମାନଙ୍କ ପ୍ରତି ଅଶେଷ କୃତଜ୍ଞତା ପ୍ରକାଶ କଲା ।

 

ସେମାନଙ୍କ ଭିତରେ ଆଲୋଚନା ପରେ ସ୍ଥିର ହେଲା ଯେ ସାଙ୍କୋ ଏକ୍ଷଣି ଗାଁକୁ ନ ଯାଇ ପାଦ୍ରୀ ଓ ବାରିକକୁ ସାଙ୍ଗରେ ନେଇ ସିୟେରା ମୋରେନାକୁ ଫେରିଯିବ ।

 

ସାଙ୍କୋ ପଚାରିଲା–ଯେତେବେଳେ ପ୍ରଭୁ ମୋତେ ମହିମାମୟୀ ଡାଲସିନିୟାଙ୍କ କଥା ପଚାରିବେ, ମୁଁ ତାହାଙ୍କୁ କଅଣ ଜବାବ ଦେବି ?

 

ବାରିକ ଥଟା କରି କହିଲା–ମହିମମୟୀ ନା ଚୋପା । ସେହି ଦରଜିର ଝିଅ ଆଲଡ଼ୋଞ୍ଜା ଲୋରେଞ୍ଜୋ ନା ? ଆମ କୁଇକସୋଡ଼ାର କି ଅଲୌକିକ କଳ୍ପନା ଶକ୍ତି !

 

ପାଦ୍ରୀ ଆଶ୍ୱାସନା ଦେଲେ–ମୁଁ ତୁମକୁ ବାଟରେ ସବୁ କଥା ଆସ୍ତେ ଆସ୍ତେ ବୁଝାଇଦେବି-

 

ସରାଇଖାନାରୁ ପାଦ୍ରୀ ଓ ବାରିକ ଉଭୟେ ଛଦ୍ମ ବେଶ ଧାରଣ କଲେ–ପାଦ୍ରୀ ଜଣେ ବୟସ୍କା ମହିଳା, ଆଉ ବାରିକ ଜଣେ ଦାଢ଼ିଆ ବୁଢ଼ା । ସିୟେରା ମେରେନାରେ ପହଞ୍ଚି ସାଙ୍କୋ ତାହାର ପ୍ରଭୁ ନିକଟକୁ ଗଲା । ପାଦ୍ରୀ ଓ ବାରିକ ପାହାଡ଼ର ଏକ ନିର୍ଜନ ସ୍ଥାନରେ ଆଶ୍ରୟ ନେଲେ । ସେମାନେ ଦେଖି ପାରିଲେ । ପାଗଳଟାଏ ଗୋଟିଏ ଗଛର କୋଟରରେ ନିଘୋଡ଼ ନିଦରେ ଶୋଇରହିଛି । ସେମାନେ ଆଗରୁ କାର୍ଡ଼େନିଓର କଥା ଶୁଣିଥିବାରୁ, ତାହାକୁ ସେହି ଲୋକ ବୋଲି ସଙ୍ଗେ ସଙ୍ଗେ ଠଉରାଇ ପାରିଲେ, ତାହାଠାରୁ କିଛି ସାହାଯ୍ୟ ପାଇବା ଆଶାରେ ସେମାନେ ସେଠାରେ ଅପେକ୍ଷା କଲେ । କାର୍ଡ଼େନିଓର ନିଦ ଭାଙ୍ଗିଲା । ଭାଗ୍ୟକୁ ସେ ସେତେବେଳେ ପ୍ରକୃତିସ୍ଥ ଥିଲା । ସେ ନିଜର ସବୁ କଥା ସେମାନଙ୍କ ଆଗରେ ଅକପଟରେ ପ୍ରକାଶ କଲା ।

 

ସେମାନେ ଗୋଟିଏ ଉଚ୍ଚ ପାହାଡ଼ ଉପରେ ବସି କଥା ହେଉଥିଲେ । ଏହି ସମୟରେ ସେମାନେ କିଛି ଦୂରରେ ହଠାତ୍‍ ଜଣେ ସୁନ୍ଦର ଯୁବକକୁ ଦେଖି ପାରିଲେ । ସେହି କ୍ଳାନ୍ତ ଯୁବକ ଗୋଡ଼ ଧୋଇବା ପାଇଁ ଜୋତା ଖୋଲିଲା । ତାହାର ମୁଣ୍ଡରେ ଗୋଟାଏ ବଡ଼ ଧରଣର ଟୋପି ଥିଲା, ହଠାତ୍‍ ସେଟା ଖସି ପଡ଼ିଲାରୁ ତାହାର ଘନ କୃଷ୍ଣ ଦୀର୍ଘ କେଶଗୁଚ୍ଛ ଫିଟି ପଡ଼ିଲା । ଏଥିରୁ ସେମାନଙ୍କର ବୁଝିବାକୁ ବାକି ରହିଲା ନାହିଁ ଯେ ପ୍ରକୃତରେ ସେ ହେଉଛି ଯୁବକର ଛଦ୍ମ ବେଶରେ ଜଣେ ନାରୀ ।

 

ତହୁଁ ତିନିହେଁ ପାହାଡ଼ ଉପରୁ ଓହ୍ଲାଇ ଆସି ସେହି ସୁନ୍ଦରୀ ନାରୀ ସାମନାରେ ଉପସ୍ଥିତ ହେଲେ । ସେତେବେଳେ ସେ ଝରଣାର କୂଳରେ ବସି ବିଶ୍ରାମ କରୁଥିଲା । ନିର୍ଜନ ପାହାଡ଼ ମଝିରେ ଅଚାନକ ତିନି ଜଣ ଅଚିହ୍ନା ଲୋକଙ୍କୁ ଦେଖି ସେ ପ୍ରଥମେ ଭୟଭୀତ ହେଲା । କିନ୍ତୁ ସେମାନଙ୍କର ମଧୁର ବଚନ ଶୁଣି ଏବଂ ବିଶେଷତଃ ଜଣେ ନାରୀକୁ ଦେଖି ସେ ଧୀରେ ଧୀରେ ମନରେ ଦମ୍ଭ ଧରିଲା ।

 

ନାରୀ ରୂପୀ ପାଦ୍ରୀ ତାହାକୁ ସାନ୍ତ୍ଵନା ଦେଇ ପଚାରିଲେ–କାହିଁକି ତୁମେ ନାରୀ ହୋଇ ପୁରୁଷର ଛଦ୍ମବେଶ ଧାରଣ କରି ଏହି ନିର୍ଜନ ପର୍ବତରେ ଆତ୍ମଗୋପନ କରି ରହିଛ ? ମୁଁ ବୁଝିପାରୁଛି, ତୁମର କିଛି ବିପଦ ଘଟିଛି । ତୁମେ ଆମକୁ ବନ୍ଧୁ ବୋଲି ଭାବି ତୁମର ଅସଲ କଥା କୁହ । ତୁମର ଦୁଃଖ ଦୂର କରିବା ନିମନ୍ତେ ଆମେ ନିଶ୍ଚୟ ଯଥାସାଧ୍ୟ ଚେଷ୍ଟା କରିବୁ ।

 

ଆଶ୍ୱାସନା ପାଇ ରୂପସୀ ଯୁବତୀ ଜଣକ ନିଜର କାହାଣୀ ବର୍ଣ୍ଣନା କରିବାକୁ ଲାଗିଲା–ଏଠାରେ ବହୁ ଦୂରରେ ଜଣେ ଡିଉକଙ୍କ ଜମିଦାରୀରେ ଆମର ଘର । ମୋ ବାପା ଜଣେ ଧନୀ କୃଷକ । ମୋର ନାମ ଡୋରୋଥିୟା । ମୋ ରୂପ ଗୁଣରେ ଆକୃଷ୍ଟ ହୋଇ ଡିଉକର ପୁଅ ଫାର୍ନାଣ୍ଡୋ ମୋତେ ଗୁପ୍ତରେ ବିଭା ହେଲେ । ବିବାହ ପରେ ମୁଁ କିଛି ଦିନ ପରମ ସୁଖରେ ଅତିବାହିତ କଲି । ତା’ପରେ ଦିନେ ଫାର୍ନାଣ୍ଡୋ ନିଜର ବନ୍ଧୁ ସାଙ୍ଗରେ ତାହାର ଘରକୁ ଗଲା । ଅଳ୍ପ ଦିନ ଭିତରେ ସେଠାରୁ ଖବର ଆସିଲା ଯେ ସେଠାକାର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିର ଝିଅ ସାଙ୍ଗରେ ହଠାତ୍‍ ଫାର୍ନାଣ୍ଡୋର ବିବାହ ହୋଇ ଯାଇଛି । ତହୁଁ ମୁଁ ଦୁଃଖ ଓ ନୈରାଶ୍ୟରେ ପାଗଳ ହୋଇଗଲି-। ମୋର ଏପରି ଅବସ୍ଥା ଦେଖି ମୋ ବାପା ମୋତେ ନାନା କଥା ପଚାରିଲେ । ମୁଁ କିଛି କଥା ଲୁଚାଇ ରଖି ପାରିଲି ନାହିଁ । ମୋ ବାପାଙ୍କଠାରୁ ଏହା ଶୁଣି ଫାର୍ନାଣ୍ଡୋର ବାପା ଓ ଭାଇ ଖବର ଦେଲେ ଯେ ଫାର୍ନାଣ୍ଡୋ ଫେରି ଆସିଲେ ସେମାନଙ୍କର ବିବାହ ନାକଚ କରିଦେଇ ମୋତେ ଆଇନ ସଙ୍ଗତ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ସେମାନେ ଯଥାଯଥ ବ୍ୟବସ୍ଥା କରିବେ । କିନ୍ତୁ ଫାର୍ନାଣ୍ଡୋ ଆଉ ଫେରିଲା ନାହିଁ, ତାହାର ନୂଆ ସ୍ତ୍ରୀକୁ ନେଇ କୌଣସି ଏକ ଅଜ୍ଞାତ ସ୍ଥାନକୁ ଚାଲିଗଲା । ଏହି ଖବର ପାଇ ଆଉ କପାଳକୁ ଆଦରି ଚୁପ୍‍ଚାପ୍‍ ବସି ନ ରହି ମୁଁ ସ୍ଵାମୀଙ୍କୁ ଖୋଜିବା ଲାଗି ବାହାରି ପଡ଼ିଲି । ବାପା ଜାଣିଥିଲେ ମୋତେ ଏକା ଆସିବାକୁ କଦାପି ଅନୁମତି ଦେଇ ନ ଥାଆନ୍ତେ-। ତେଣୁ ମୁଁ ଦିନେ ଘରୁ ସମସ୍ତଙ୍କ ଅଜାଣତରେ ଲୁଚି ପଳାଇ ଆସିଲି ।

 

ଅଭାଗିନୀ ଡୋରୋଥିୟାର କରୁଣ କାହାଣୀ ଶୁଣି ପାଦ୍ରୀ ଓ ବାରିକ ବିଶେଷ ଦୁଃଖିତ ହେଲେ । କିନ୍ତୁ କାର୍ଡ଼େନିଓର ଆନନ୍ଦର ସୀମା ରହିଲା ନାହିଁ । କାରଣ ଫାର୍ନାଣ୍ଡୋ ଯେ ତାହାର ବିଶ୍ଵାସ ଘାତକ ବନ୍ଧୁ, ଏଥିରେ କିଛି ସନ୍ଦେହ ନାହିଁ । ଯଦି ବର୍ତ୍ତମାନ ଲୁସିଣ୍ଡା ସହିତ ଫାର୍ନାଣ୍ଡୋର ବିବାହ ନାକଚ କରି ଦିଆଯାଏ, ତାହାହେଲେ କାର୍ଡ଼େନିଓ ପକ୍ଷରେ ଲୁସିଣ୍ଡାକୁ ଲାଭ କରିବା ଅବଶ୍ୟ କଠିନ ହେବ ନାହିଁ ।

 

ଏଣେ ପାଦ୍ରୀ ମନେମନେ ଭାବିଲେ, ସେ ନିଶ୍ଚୟ କାର୍ଡ଼େନିଓ ଓ ଡୋରୋଥିୟାକୁ ଯଥାସମ୍ଭବ ସାହାଯ୍ୟ କରିବେ ଏବଂ ଡନ କୁଇକସୋଟକୁ ପାଇବା ପାଇଁ ବିନିମୟରେ ସେମାନଙ୍କର ସାହାଯ୍ୟ ମଧ୍ୟ ଗ୍ରହଣ କରିବେ । କିପରି ଭାବରେ ଦୁଇ ପକ୍ଷର କାର୍ଯ୍ୟ ଉଦ୍ଧାର କରିବା ସୁଗମ ହେବ, ସେହି ବିଷୟ ସେ ସେମାନଙ୍କ ସହିତ ଆଲୋଚନା କରିବାକୁ ଲାଗିଲେ ।

 

 

ଡନ କୁଇକସୋଟ ନିଜର ଆରାଧ୍ୟା ଦେବୀ ଡାଲସିନିୟାଙ୍କୁ ଧ୍ୟାନ କରିବାରେ ମଗ୍ନ ଥିଲା-। କାରଣ ନାଇଟମାନଙ୍କର ଚିରାଚରିତ ରୀତି ହେଉଛି, ଯେତେବେଳେ ଲଢ଼େଇ ନ ଥିବ ସେମାନେ ମହିମାମୟୀ ଦେବୀଙ୍କର ଆରାଧନାରେ ବ୍ୟାପୃତ ରହିବେ । ସେ ସାଙ୍କୋକୁ ଦେଖି ଅବାକ ହେଲା–ଏତେ ଶୀଘ୍ର କିପରି ତୁମେ ଫେରି ଆସିଲ ?

 

ସାଙ୍କୋ ଗମ୍ଭୀର ଗଳାରେ ଜବାବ ଦେଲା–ଯାଦୁକରମାନେ ମୋ ଗଧଟାକୁ ପବନରେ ଉଡ଼ାଇ ନେଇଗଲେ ।

 

କାହିଁକି ବା ସେମାନେ ଏହା କରିବାକୁ ଗଲେ ?

 

ଆପଣଙ୍କ ଉପରେ ସେମାନଙ୍କର ଯେଉଁ ରାଗ ଥିଲା, ସୁଯୋଗ ପାଇଲାରୁ ମୋ ଉପରେ ସେଥିରୁ କିଛି ଛିଣ୍ଡାଇଲେ । ସେମାନେ ମୋତେ ଯେଉଁ ଭୀଷଣ ଦୃଶ୍ୟ ଦେଖାଇଲେ, ମୁଁ ତ କାନ୍ଦି କାନ୍ଦି ସେଠାରୁ ପଳାଇ ଆସିଲି ।

 

କି ଦୃଶ୍ୟ ?

 

ଗୋଟିଏ ଭଙ୍ଗା କୁଡ଼ିଆ ସାମନାରେ ମହିମାମୟୀ ଡାଲସିନିୟା ଦେଲ ଟୋବୋସୋ ଚଷା ଝିଅ ପରି ଧୂଳିରେ ବସି ଗହମ ପାଛୁଡ଼ୁଛନ୍ତି ।

 

ଏଁ, ସେହି ଶ୍ରେଷ୍ଠା ରୂପସୀ ରମଣୀ ?

 

ଯାଦୁକରମାନେ ତାହାଙ୍କୁ ଏପରି ଏକ କଦର୍ଯ୍ୟ ଚେହେରାରେ ଆଣି ମୋ ସାମନାରେ ଠିଆ କରାଇଲେ ଯେ ମୋତେ ସତରେ ବାନ୍ତି ମାଡ଼ିଲା ।

 

ହେଉ, ଯାଦୁକରମାନେ ନିଶ୍ଚୟ ଦିନେ ନା ଦିନେ ଏହାର ପ୍ରତିଫଳ ଭୋଗିବେ । ତୁମେ ଯେଉଁ ବେଶରେ ଦେବୀ ଡାଲସିନିୟାଙ୍କୁଦେଖି ଥାଅ ନା କାହିଁକି, ଏହା ମୋ ପକ୍ଷରେ ପରମ ସୌଭାଗ୍ୟର କଥା । ହଁ, ମୋ କଥା ଶୁଣି ଦେବୀ କଅଣ କହିଲେ ?

 

ମୁଁ ଦେବୀଙ୍କ ସାମନାରେ ଯାଇ ଠିଆ ହୋଇଛି କି ନାହିଁ, ଯାଦୁକରମାନେ ସଙ୍ଗେ ସଙ୍ଗେ ଗୋଟାଏ ଦମକା ହାଉଆରେ ମୋତେ ଗଧର ପିଠିରେ ବସାଇ ଉଡ଼ାଇ ଆଣି ପୁଣି ସିୟେରା ମୋରେନାରେ ଛାଡ଼ି ଦେଲେ ।

 

କୁଇକସୋଟ ନୈରାଶ୍ୟରେ ଭାଙ୍ଗି ପଡ଼ି କହିଲା–ପାଷାଣ୍ଡମାନେ ଦେବୀଙ୍କୁ ଯାଦୁ କଲେ-? ତାହାହେଲେ ତାଙ୍କର ଅସଲ ଚେହେରା ଆଉ କେହି ଦେଖିବାକୁ ପାଇବେ ନାହିଁ ?

 

ଏତିକିବେଳେ ନାରୀ ବେଶିନୀ ପାଦ୍ରୀ ଓ ଦାଢ଼ିଆ ବାରିକ ଡେରୋଥିୟାକୁ ଶିଖାଇ ବୁଝାଇ ସାଙ୍ଗରେ ନେଇ ସେଠାରେ ଆସି ହାଜର ହେଲେ । କାର୍ଡ଼େନିଓ ମଧ୍ୟ ସେମାନଙ୍କ ସାଙ୍ଗରେ ଥିଲା । ବର୍ତ୍ତମାନ ତାହାର ମଥା ପ୍ରାୟ ଠିକ୍‍ ଥିଲା ଏବଂ ସେ ପରିଷ୍କାର ପୋଷକ ପିନ୍ଧିଥିଲା । ଚାରି ଜଣ ଦଳ ବାନ୍ଧି ଆସିଥିଲେ । ସବା ଆଗରେ ଥିଲା ଡୋରୋଥିୟା, ଏଥର ଅବଶ୍ୟ ପୁରୁଷ ବେଶରେ ନୁହେଁ । ତାହାର ଅପରୂପ ସୌନ୍ଦର୍ଯ୍ୟ ଦେଖି କୁଇକସୋଟ ଓ ସାଙ୍କୋ ବିହ୍ଵଳ ହୋଇଗଲେ । ଡୋରୋଥିୟା କାନ୍ଦି କାନ୍ଦି ଜଣାଇଲା–ହାୟରେ କପାଳ ! ମୋର ଆଶା କଅଣ ପୂରିବ ନାହିଁ ? ପୃଥିବୀର ଶ୍ରେଷ୍ଠ ନାଇଟ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚାଙ୍କର ଦର୍ଶନ କଅଣ ମୁଁ କେବେ ପାଇ ପାରିବି ନାହିଁ ?

 

ଏହା ଶୁଣି କୁଇକସୋଟ ଚମକି ପଡ଼ିଲା । ଅପରିଚିତା ସୁନ୍ଦରୀ ଜଣକ ତାହାକୁ ଖୋଜୁଥିବାର ଜାଣି ସାଙ୍କୋ ପରିଚୟ କରାଇଦେଲା–ଏହି ଯେ ଆପଣଙ୍କ ସାମନାରେ ସେହି ଚତୁର ବୀର ପୁଙ୍ଗବ ନାଇଟ ଡନ କୁଇକସୋଟ । ଆପଣ କଅଣ ଚାହାନ୍ତି, ଆଗକୁ ଆସି ନିର୍ଭୟରେ ପ୍ରକାଶ କରନ୍ତୁ ।

 

ଏ ସେହି ଡନ କୁଇକସୋଟ ? ଯାହାଙ୍କ କଥା ମୋର ପିତା ମୃତ୍ୟୁ ଶଯ୍ୟାରେ ମୋତେ କହି ଯାଇଥିଲେ, ଏ କଅଣ ସେହି ପୃଥିବୀର ଶ୍ରେଷ୍ଠ ନାଇଟ ଦ୍ୟ-ଲା-ମାଞ୍ଚା ? –ଯୁବତୀର ତୁଣ୍ତରୁ ଆଉ କଥା ବାହାରିଲା ନାହିଁ । ସେ ସଙ୍ଗେ ସଙ୍ଗେ କୁଇକସୋଟର ସାମନାରେ ଆଣ୍ଠୁମାଡ଼ି ବସିପଡ଼ିଲା । କୁଇକସୋଟ ବ୍ୟସ୍ତ ହୋଇ ନତଜାନୁ ସୁନ୍ଦରୀର ହାତ ଧରି ଉଠାଇବାକୁ ଚେଷ୍ଟା କଲା-। କିନ୍ତୁ ସୁନ୍ଦରୀ କୌଣସି ମତେ ଉଠିଲା ନାହିଁ ଏବଂ କାତର କଣ୍ଠରେ ନିବେଦନ କଲା–ମହା ଶକ୍ତିଶାଳୀ ନାଇଟ ଶିରୋମଣି ! ଆପଣ ଆଗେ ବଚନ ଦିଅନ୍ତୁ ଯେ ମୋର ପ୍ରାର୍ଥନା ପୂରଣ କରିବେ, ତାହାହେଲେ ଯାଇ ମୁଁ ଉଠିବି ।

 

ତହୁଁ କୁଇକସୋଟ ଅଗତ୍ୟା ପ୍ରତିଜ୍ଞା କଲା ଯେ ସୁନ୍ଦରୀର ଯେକୌଣସି ପ୍ରାର୍ଥନା ପୂରଣ କରିବା ନିମନ୍ତେ ସେ ଆତ୍ମବିସର୍ଜନ କରିବାକୁ ବି କଦାପି ପଶ୍ଚାତପଦ ହେବ ନାହିଁ ।

 

ଏହା ଶୁଣି ଡୋରୋଥିୟା ତଳୁ ଉଠି ଛିଡ଼ା ହେଲା ଏବଂ କାନ୍ଦ କାନ୍ଦ ହୋଇ ଜଣାଇଲା–ଇଥିଓପିଆ ଦେଶରେ ମାଇକୋମିକନ ହେଉଛି ବୃହତ୍ତମ ରାଜ୍ୟ । ମୁଁ ସେହି ରାଜ୍ୟର ରାଜକୁମାରୀ ମାଇକୋମିକୋନା । ମୁଁ ଶୈଶବରେ ମାଆଙ୍କୁ ହରାଇଛି । ମୋର ବାପା ଟିନାକ୍ରିଓ ଜଣେ ଜ୍ଞାନୀ ବ୍ୟକ୍ତି ଏବଂ କିଛି ଯାଦୁ ବିଦ୍ୟା ମଧ୍ୟ ଜାଣିଥିଲେ । ଅନ୍ତିମ ସମୟରେ ସେ ମୋତେ ଡାକି କହିଲେ–ବର୍ତ୍ତମାନ ତୋର ଶୋକ କରିବାର ବେଳ ନୁହେଁ । ତୋତେ ଧୈର୍ଯ୍ୟ ଧରି ଅତିଶୟ କଠୋର କର୍ତ୍ତବ୍ୟର ସମ୍ମୁଖୀନ ହେବାକୁ ପଡ଼ିବ । ଯାଦୁ ବିଦ୍ୟାର ସାହାଯ୍ୟରେ ମୁଁ ଜାଣିପାରିଲି, ମୋର ଦେହାନ୍ତ ହେଲା ମାତ୍ରେ ଦୈତ୍ୟରାଜ ପାଣ୍ଡାଫିଲାଣ୍ଡୋ ମୋର ରାଜ୍ୟ ଅଧିକାର କରିବ । ତାହାକୁ ବାଧା ଦେବାର ସାଧ୍ୟ କାହାରି ନାହିଁ । ତୁ ମଧ୍ୟ କଦାପି ସେ ଚେଷ୍ଟା କରିବୁ ନାହିଁ । ଶୁଣ, ମୋର ଉପଦେଶ ଅକ୍ଷରେ ଅକ୍ଷରେ ପାଳନ ନ କଲେ ତୋର ରକ୍ଷା ନାହିଁ । ମୋତେ କବର ଦେଇ ସାରି ତୋର ବିଶ୍ୱସ୍ତ ଅନୁଚର ଓ ଧାଈକୁ ସାଙ୍ଗରେ ନେଇ ତୁ ଗୋପନରେ ଦେଶ ତ୍ୟାଗ କରିବୁ । ତୁ ସିଧାସଳଖ ସ୍ପେନକୁ ଚାଲିଯିବୁ । କାରଣ ଦୈତ୍ୟରାଜ ପାଣ୍ଡାଫିଲାଣ୍ଡୋକୁ ବିନାଶ କରିବା ପାଇଁ ଯେଉଁ ମହାବୀର ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି ସେହି ଦେଶରେ ତୁ ତାଙ୍କର ଦର୍ଶନ ଲାଭ କରିବୁ । ସେ ଦେଖିବାକୁ ଦୀର୍ଘକାୟ, କୃଶ ତନୁ, ଗାଲର ହାଡ଼ ଉଚ୍ଚ ଏବଂ ଗୋଟାଏ କାନର ଅଧେ ନାହିଁ । ତାଙ୍କର ଚେହେରା ଦେଖି ହୁଏତ ତୁ ବୁଝି ପାରିବୁ ନାହିଁ ଯେ ସେ ହେଉଛନ୍ତି ବର୍ତ୍ତମାନ ଯୁଗରେ ନାଇଟ ଧର୍ମର ଶ୍ରେଷ୍ଠ ପୂଜାରୀ । କିନ୍ତୁ ମୋ କଥା ବିଶ୍ୱାସ କର, ସେହିଁ ଏକମାତ୍ର ବ୍ୟକ୍ତି ଯେ ତୋର ଶତ୍ରୁକୁ ନିଧନ କରି ତୋତେ ରାଜ୍ୟ ଫେରାଇ ଦେଇ ପାରିବେ । ତୁ ଯେକୌଣସି ଉପାୟରେ ତାହାଙ୍କୁ ଏହି ରାଜ୍ୟକୁ ନେଇ ଆସି ପାରିଲେ ନିଶ୍ଚୟ ତୋର କାର୍ଯ୍ୟ ସିଦ୍ଧ ହେବ ।

 

ଡୋରୋଥିୟା ନୀରବ ରହିଲାରୁ, ନାରୀ ବେଶିନୀ ପାଦ୍ରୀ ମଧୁର ସ୍ୱରରେ ବ୍ୟକ୍ତ କଲା–ଶୁଣନ୍ତୁ ନାଇଟ ପ୍ରବର, ସମ୍ରାଟ ଟିନାକ୍ରିଓଙ୍କର ଶେଷ କଥା ପଦକ ନାରୀ ସୁଲଭ ଲଜ୍ଜା ହେତୁ ରାଜକୁମାରୀ ଅବଶ୍ୟ ପ୍ରକାଶ କରିପାରିଲେ ନାହିଁ । ସମ୍ରାଟ କହି ଯାଇଛନ୍ତି, ଯେତେବେଳେ ନାଇଟ ଡନ କୁଇକସୋଟ ଦୈତ୍ୟରାଜକୁ ବଧ କରି ରାଜକୁମାରୀକୁ ସିଂହାସନରେ ବସାଇବେ, ସେତେବେଳେ ରାଜକୁମାରୀଙ୍କୁ ମଧ୍ୟ ନିଶ୍ଚୟ ତାଙ୍କରି ଗଳାରେ ବରଣମାଳା ଦେବାକୁ ହେବ ।

 

ଏହା ଶୁଣିଲା ମାତ୍ରେ କୁଇକସୋଟ ଚିତ୍କାର କଲା–ତାହା କେମିତି ହେବ ? ଜୀବନ ମରଣରେ ମୋର ଆରାଧ୍ୟା ଦେବୀ ଯେ ଡାଲସିନିୟା ଦେଲ ଟୋବୋସୋ !

 

ସାଙ୍କୋ ଚଢ଼ା ଗଳାରେ କହିଲା–ଆପଣ ଡାଲସିନିୟାର ଆରାଧନାରେ ହିଁ ଥାଆନ୍ତୁ । ଏତେ ବଡ଼ ରାଜ୍ୟଟା ଆପଣଙ୍କ ହାତରେ ପଡ଼ିଲେ କଅଣ ଆପଣ ନେବେ ନାହିଁ ? ଆପଣଙ୍କର ତ ବହୁତ ସୁବିଧା ହେବ । ତାହା ଛଡ଼ା ମୋତେ ଯେ ଗୋଟାଏ ଦ୍ଵୀପ ଦେବାକୁ ପ୍ରତିଶ୍ରୁତି ଦେଇ ଆପଣ ମୋ ନାକରେ ଦଉଡ଼ି ବାନ୍ଧି ଏଯାଏ ଟାଣିବାରେ ଲାଗିଛନ୍ତି !

 

ଡୋରୋଥିୟା ସାଙ୍କୋକୁ ଟିକିଏ ଶାନ୍ତ କରି କହିଲା–ଯଦି ମହାନାଇଟ ମୋତେ ବିଭା ନ ହୁଅନ୍ତି, ତଥାପି ମୁଁ ଜବାବ ଦେଉଛି ତାଙ୍କର ପ୍ରତିଶ୍ରୁତି ଦ୍ଵୀପ ମୁଁ ନିଶ୍ଚୟ ତୁମକୁ ଦେବି ।

 

ଆପାତତଃ ବିବାହ ପ୍ରସଙ୍ଗ ଚାପି ରଖି ସେମାନେ ଦୈତ୍ୟ ବଧର ଅଭିଯାନ ଆରମ୍ଭ କରିବା ପାଇଁ ଲାଗି ପଡ଼ିଲେ । ପ୍ରଥମେ ସମୁଦ୍ର କୂଳରେ ଯାଇ ପହଞ୍ଚିବାକୁ ହେବ, ତା’ପରେ ଯେକୌଣସି ଜାହାଜରେ ଚଢ଼ି ମାଇକୋମିକନ ରାଜ୍ୟରେ ଓହ୍ଲାଇବାକୁ ପଡ଼ିବ । ଅନୁଚର ଓ ଧାଈଙ୍କୁ ବାଟଘାଟ ସବୁ ମାଲୁମ ଅଛି, ତେଣୁ କିଛି ଚିନ୍ତା ନାହିଁ ।

 

ସମସ୍ତଙ୍କ ଆଗେ ଆଗେ ଘୋଡ଼ାରେ ଚଢ଼ି ଡନ କୁଇକସୋଟ ଚାଲିଛି । ଏତେ ଗୌରବ ଓ ଆଦର ସତ୍ତ୍ୱେ ତାହାର ମନରେ ସରାଗ ନାହିଁ । କାରଣ ନିଜର ଆରାଧ୍ୟା ଦେବୀ ଡାଲସିନିୟାଙ୍କୁ ଧୂଳିରେ ବସି ଗହମ ପାଛୁଡ଼ୁ ଥିବାର ସାଙ୍କୋ ନିଜେ ଦେଖି ଆସିଛି । ଏଣେ ସାଙ୍କୋର ଆନନ୍ଦ କହିଲେ ନ ସରେ । ଏତେ ଦିନେ ଦ୍ୱୀପଟା ତାହାର ହାତରେ ପଡ଼ିଲେ, ସେ ତାହାର ସ୍ତ୍ରୀ ଓ ଝିଅକୁ ନେଇ ଯାଇ ସେଠାରେ ବସବାସ କରିବ ! ଡୋରୋଥିୟା ଓ କାର୍ଡ଼େନିଓର ମନରେ ମଧ୍ୟ ହରଷ ପୂରି ରହିଥିଲା । ପାଦ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ପଳାତକ ଫାର୍ନାଣ୍ଡୋକୁ ଖୋଜି ବାହାର କଲେ ଡୋରୋଥିୟା ତାହାର ବୈଧ ସ୍ତ୍ରୀ ହେବ ଏବଂ କାର୍ଡ଼େନିଓ ଅନାୟାସରେ ପ୍ରେମିକା ଲୁସିଣ୍ଡାକୁ ପାଇ ପାରିବ । କିନ୍ତୁ ସବୁଠାରୁ ବେଶୀ ଆନନ୍ଦ ହେଉଛି ପାଦ୍ରୀ ଓ ବାରିକଙ୍କର । ସେମାନଙ୍କର ଏତେ କଷ୍ଟ ସାର୍ଥକ ହୋଇଛି । କୁଇକସୋଟକୁ ଘରକୁ ଫେରାଇ ନେଉଥିବାରୁ, ସେମାନେ ଆତ୍ମପ୍ରସାଦ ଲାଭ କରୁଥିଲେ ।

 

ସଞ୍ଜବେଳେ ସମସ୍ତେ ଯାଇ ସେହି ସରାଇଖାନାରେ ଉପସ୍ଥିତ ହେଲେ, ଯେଉଁଠି ତିନି ଦିନ ତଳେ ସାଙ୍କୋ ପାଦ୍ରୀଙ୍କୁ ଭେଟିଥିଲା । ରାତିଟା ସେଠାରେ କଟାଇବାର ବ୍ୟବସ୍ଥା ହେଲା । ଯେଝେ ଯେଝାର କୋଠରୀ ବାଛିନେଇ ବିଶ୍ରାମ କରିବାକୁ ଯାଉଛନ୍ତି, ଠିକ୍‍ ଏତିକିବେଳେ ଗୋଟିଏ ଗାଡ଼ି ଆସି ଅଗଣାରେ ରହିଲା । ସେଥିରୁ ପ୍ରଥମେ ଓହ୍ଲାଇଲା ଜଣେ ସୁବେଶ ତରୁଣ ଏବଂ ତା’ପରେ ନିଜର ଅନିଚ୍ଛା ସତ୍ତ୍ୱେ ଜଣେ ଲୋତକ ନୟନା ସୁନ୍ଦରୀ ଯୁବତୀ ! ସେମାନଙ୍କୁ ଦେଖିଲା କ୍ଷଣି କାର୍ଡ଼େନିଓ ଓ ଡୋରୋଥିୟା ଉଭୟେ ଚିତ୍କାର କଲେ ।

 

କେତେଦିନ ହେଲା ଫାର୍ନାଣ୍ଡୋ ଅନୁତାପର ଅନଳରେ ଜଳି ପୋଡ଼ି ହେଉଥିଲା, କାରଣ ଲୁସିଣ୍ଡା ଆତ୍ମହତ୍ୟା କରିବା ପାଇଁ ତାହାକୁ ବରାବର ଧମକାଉଥିଲା । ତାହାଛଡ଼ା ଖବର ମିଳିଛି ଯେ ଘରକୁ ଫେରିଗଲେ ତାହାର ବାପା ଡୋରୋଥିୟାକୁ ବୋହୂ କରି ନେଇ ଆସିବେ । ତାହାହେଲେ ବିଚାରୀ ଲୁସିଣ୍ଡାର ଅବସ୍ଥା କଅଣ ହେବ ? ସେ ତାହାରି ବାପଘରକୁ ଫେରିଯିବାକୁ ମଙ୍ଗୁ ନାହିଁ, ଆଉ ତେଣେ କାର୍ଡ଼େନିଓ ପାଗଳ ହୋଇ କୁଆଡ଼େ ପଳାଇଛି । ଏହି ଚାରି ଜଣ ସରାଇଖାନାରେ ଏକାଠି ହୁଅନ୍ତେ, କିଛି କ୍ଷଣ କନ୍ଦାକଟା ଓ ଯୁକ୍ତିତର୍କ ପରେ ସ୍ଥିରହେଲା ଯେ ଫାର୍ନାଣ୍ଡୋ ନିଜର ପ୍ରଥମ ସ୍ତ୍ରୀ ଡୋରୋଥିୟାକୁ ନେଇ ଏବଂ ଲୁସିଣ୍ଡା ନିଜର ପ୍ରେମିକ କାର୍ଡ଼େନିଓକୁ ନେଇ ଯେଝେ ଯେଝାର ବାପ ପାଖକୁ ଚାଲିଯିବେ । ପରଦିନ ସେମାନେ ସରାଇଖାନାରେ ବସି ମନେମନେ ଭବିଷ୍ୟତର ସୁନେଲି ସୁଖ ସପନ ଦେଖିବାକୁ ଲାଗିଲେ । ଡନ କୁଇକସୋଟ ଓ ସାଙ୍କୋ ପାଞ୍ଜା ଖାଲି ବ୍ୟସ୍ତ ହେଉଥାଆନ୍ତି, ମାଇକୋମିକନରେ ପହଞ୍ଚି ନ ପାରିଲେ ଦୈତ୍ୟ ବଧ ହୋଇପାରିବ ନାହିଁ କି ଦ୍ୱୀପର ଶାସନ ଭାର ମିଳିବ ନାହିଁ । ରାଜକୁମାରୀ ମାଇକୋମିକୋନାକୁ ଅପରିଚିତ ବାଟୋଇ ଫାର୍ନାଣ୍ଡୋ ସହିତ ବସି ଫୁସୁରଫାସର ହେଉଥିବାର ଦେଖି ସାଙ୍କୋ ଟିକିଏ ବିରକ୍ତ ହେଲା ।

 

ଦିନସାରା ଲୋକ ଲଗାଇ ପାଦ୍ରୀ ଓ ବାରିକ ଶକ୍ତ ଓ ମୋଟା କାଠରେ ଗୋଟିଏ ବଡ଼ ମଜଭୁତ ପଞ୍ଜୁରୀ ତିଆରି କଲେ । ରାତିରେ କୁଇକସୋଟ ଶୋଇଥିଲା । ସମସ୍ତେ ଲମ୍ବା ଦାଢ଼ି ଲଗାଇ ଓ କଳା ପୋଷାକ ପିନ୍ଧି ତାହାର କୋଠରୀରେ ପଶି କୁଇକସୋଟକୁ ମୋଟା ଦଉଡ଼ିରେ ଶକ୍ତ କରି ବାନ୍ଧି ପଞ୍ଜୁରୀ ଭିତରେ ବନ୍ଦ କରିଦେଲେ ।

 

ସକାଳେ ସାଙ୍କୋ ତାହାର ପ୍ରଭୁକୁ ଦଉଡ଼ିରେ ବନ୍ଧା ହୋଇ ଗୋଟିଏ କାଠର ପଞ୍ଜୁରୀ ଭିତରେ ଲମ୍ବ ହୋଇ ପଡ଼ି ରହିବାର ଦେଖି ଅବାକ ହେଲା । ସେ ତତ୍‍କ୍ଷଣାତ୍‍ ଦୁଃଖରେ କାନ୍ଦି ପକାଇଲା–ଏ କଅଣ, ପ୍ରଭୁ ?

 

କୁଇକସୋଟ ଦୀର୍ଘଶ୍ଵାସ ଛାଡ଼ି ଜବାବ ଦେଲା–ମୁଁ ଦୈତ୍ୟ–ରାଜ ପାଣ୍ଡାଫିଲାଣ୍ଡୋ ବିରୁଦ୍ଧରେ ଅଭିଯାନ କରୁଛି ବୋଲି ଶୁଣି, ସେ ଆଗରୁ ସତର୍କ ହୋଇ ମୋତେ ବନ୍ଦୀ କରିବା ପାଇଁ ତାହାର ବନ୍ଧୁ ଯାଦୁକରମାନଙ୍କୁ ଏଠାକୁ ପଠାଇଛି ।

 

ଗୋଟିଏ ଗୋରୁ ଗାଡ଼ି ଧୀରେ ଧୀରେ ଚାଲିଛି, ଗାଡ଼ି ଉପରେ ଗୋଟିଏ ପ୍ରକାଣ୍ଡ ପଞ୍ଜୁରୀ, ଜଣେ ଡେଙ୍ଗା ଲୋକ ତାହା ଭିତରେ ଲମ୍ବ ହୋଇ ପଡ଼ିଛି, ତାହାର ହାତଗୋଡ଼ ମୋଟା ଦଉଡ଼ିରେ ବନ୍ଧା ହୋଇଛି, ମାତ୍ର ସେ ଲୌହ ବର୍ମ ପରିଧାନ କରିଛି ଏବଂ ତାହାର କଟିରେ ଲମ୍ବା ତରବାରିଟି ଲାଗିଛି । ଗାଡ଼ିର ଦୁଇ ପାଖରେ ପାଦ୍ରୀ ଓ ବାରିକ ନିଜ ନିଜର ଅସଲ ବେଶ ଧାରଣ କରି ଚାଲିଛନ୍ତି । ସାଙ୍କୋ ଗଧରେ ଚଢ଼ି ଏବଂ ଘୋଡ଼ାର ଲଗାମ ହାତରେ ଧରି ଗାଡ଼ିର ପଛେ ପଛେ ଯାଉଛି ।

 

କୁଇକସୋଟ ପଞ୍ଜୁରୀ ଭିତରୁ ପାଦ୍ରୀଙ୍କୁ ପଚାରିଲା–ଆପଣମାନେ ଏଠାକୁ କେଉଁଠୁ ଆସିଲେ ?

 

ପାଦ୍ରୀ କପାଳରେ ହାତ ମାରି ଜବାବ ଦେଲେ, ଭାରତବର୍ଷରେ ମୋର ଜଣେ ଆତ୍ମୀୟଙ୍କ ଦେହାନ୍ତ ହୋଇଛି । ସେ ଦାନପତ୍ର କରି ମୋତେ ପ୍ରଚୁର ଅର୍ଥ ଦେଇ ଯାଇଛନ୍ତି । ସେହି ଅର୍ଥ ଭାରତବର୍ଷରୁ କିପରି ଅଣାଯିବ, ସେ ବିଷୟରେ ପରାମର୍ଶ କରିବାପାଇଁ ମୁଁ ବାରିକକୁ ସାଙ୍ଗରେ ନେଇ ସେଭିଲ ବନ୍ଦରକୁ ଯାଇଥିଲି । ଫେରିଲା ବେଳେ ରାତିରେ ଆମେ ସରାଇଖାନାରେ ଆଶ୍ରୟ ନେଲୁ । ସକାଳେ ଆମେ ବାହାରିଲା ବେଳକୁ ଦେଖିଲୁ ଯେ କେତେଜଣ ଦାଢ଼ିଆ କଳା ପୋଷାକ ପିନ୍ଧା ଅଚିହ୍ନା ଲୋକ ତୁମକୁ ବନ୍ଧନ ଅବସ୍ଥାରେ ପଞ୍ଜୁରୀରେ ଭର୍ତ୍ତି କଲେ ।

 

ଯାଦୁକର ! –କୁଇକସୋଟ କ୍ଷୀଣ ସ୍ୱରରେ କହିଲା ।

 

ପାଦ୍ରୀ ସମର୍ଥନ ଜଣାଇଲେ–ହଁ, ସେୟା ହେବ । ଯାଦୁକର ନ ହେଲେ ସେମାନେ କିପରି ଜାଣିଲେ ଯେ ଆମେ ହେଉଛୁ ତୁମର ଗ୍ରାମବାସୀ ? ତୁମକୁ ତୁମ ଘରକୁ ନେଇଯିବା ପାଇଁ ସେମାନେ ଆମକୁ କହିଲେ । ସେଠାରେ ନ ପହଞ୍ଚିଲେ କୁଆଡ଼େ ତୁମର ଏହି ମାୟା ମନ୍ତ୍ରର ବନ୍ଧନ କୌଣସି ମତେ ଖୋଲିବ ନାହିଁ ।

 

କୁଇକସୋଟ ନିଃଶ୍ଵାସ ନେଇ କହିଲା–ନିଶ୍ଚୟ । ଯାଦୁ ମନ୍ତ୍ରର ସାହାଯ୍ୟ ନ ନେଇଥିଲେ ମୋ ପରି ଜଣେ ପ୍ରତାପୀ ନାଇଟକୁ କଅଣ ସେମାନେ ବାନ୍ଧି ପାରି ଥାଆନ୍ତେ ? ହାୟ, କିଏ କହିପାରିବ, ଏହି ମାୟାମନ୍ତ୍ରରୁ ମୁକ୍ତିଲାଭର ଉପାୟ କଅଣ ?

 

ପାଦ୍ରୀ ସାନ୍ତ୍ଵନା ଦେଇ କହିଲେ–ସେଥିପାଇଁ କିଛି ଚିନ୍ତା କର ନାହିଁ । ସେମାନେ ମୋତେ କହି ଯାଇଛନ୍ତି, ଘରେ ପହଞ୍ଚିଲେ ତୁମେ ଖଲାସ ହେବ ।

 

ସାଙ୍କୋ ପଛରୁ ତୀବ୍ର ଗର୍ଜନ କଲା–ହେଉ, ସେୟା ପଛକେ ହେଲା । କିନ୍ତୁ ରାଜକୁମାରୀ ମାଇକୋମିକନ ଯେ ହାତରୁ ଖସିଗଲା, ବୋଧହୁଏ ତାହାର ରାଜ୍ୟ ଉଦ୍ଧାର କରିବାର ମତଲବ ଆଉ ନାହିଁ, ଫାର୍ନାଣ୍ଡୋ ସାଙ୍ଗରେ ସେ ଦେଶରେ ରହିଯିବ ।

 

ତାହା ଉପରେ ମଧ୍ୟ ଯାଦୁ ମନ୍ତ୍ରର ପ୍ରଭାବ ପଡ଼ିଛି–କୁଇକସୋଟ ପୁଣି ଦୀର୍ଘଶ୍ଵାସ ଛାଡ଼ିଲା ।

 

ହାୟରେ, ଦ୍ଵୀପଟା ହାତକୁ ଆସୁଁ ଆସୁଁ ଖସିଗଲା–ସାଙ୍କୋ ମଥାର ବାଳ ଛିଣ୍ଡାଇବାକୁ ଲାଗିଲା ।

 

ଅବଶେଷରେ ଗୋରୁ ଗାଡ଼ି ଗାଁରେ ଯାଇ ପହଞ୍ଚିଲା । କୁଇକସୋଟକୁ ଦେଖିବା ପାଇଁ ପଡ଼ିଶାମାନେ ଆସି ରୁଣ୍ଡ ହେଲେ । ସେମାନେ ତାହାକୁ ଘରକୁ ନେଇଯାଇ ବିଛଣାରେ ଶୁଆଇ ଦେଇ ବନ୍ଧନ ଖୋଲି ଦେଲେ । ବନ୍ଧନର ବ୍ୟଥାରେ ଏବଂ ମନର ବେଦନାରେ ବହୁତ ଦିନ ଯାଏ ବିଛଣାରୁ ଉଠି ପାରିଲା ନାହିଁ । ସେ କଠିନ ରୋଗରେ ପଡ଼ିଲା ।

 

ଏହି ସମୟରେ ତାହାର ସବୁ ରକମ ତତ୍ତ୍ଵାବଧାନର ଭାର ପାଦ୍ରୀ ନିଜେ ନେଲେ । ସାମସନ କାରାସ୍କୋ ନାମକ ଜଣେ ଗ୍ରାମବାସୀ ଯୁବକ ପ୍ରାୟ ବରାବର କୁଇକସୋଟକୁ ଦେଖିବାକୁ ଆସୁଥିଲା । ସେ ବିଦେଶରୁ ସ୍ନାତକ ଉପାଧି ଲାଭ କରିଥିଲା । କୁଇକସୋଟ ବିଛଣାରେ ପଡ଼ି ରହି ପାଦ୍ରୀ ଓ ସାମସନଙ୍କ ସାଙ୍ଗରେ ନାନା ବିଷୟରେ ଆଳାପ କରେ । ବିଭିନ୍ନ ବିଷୟରେ କୁଇକସୋଟର ଗଭୀର ଜ୍ଞାନର ପରିଚୟ ପାଇ ସାମସନ ବିସ୍ମିତ ତଥା ଦୁଃଖିତ ମଧ୍ୟ ହୁଏ । ଏପରି ବିଚକ୍ଷଣ ଲୋକଟା କାହିଁକି ବା ଖାଲି ଗୋଟାଏ ବିଷୟରେ ଏମିତି ପାଗଳାମିର ପରିଚୟ ଦେଉଛି-?

 

ପାଦ୍ରୀ ଓ ସାମସନ ସ୍ଥିର କଲେ, ଯେକୌଣସି ଉପାୟରେ କୁଇକସୋଟକୁ ଘରେ ଅଟକାର ରଖିବାକୁ ହେବ । କିନ୍ତୁ ତାହାକୁ ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି କହିଲେ, ସେ ତ କାହାରି କଥା ମାନିବ ନାହିଁ । ଯଦି କୌଣସି ଉପାୟରେ ତାହାଠାରୁ ପ୍ରତିଶ୍ରୁତି ନିଆଯାଏ ଯେ ସେ ଘରୁ ପଦାକୁ ବାହାରିବ ନାହିଁ, ତାହାହେଲେ ସେ ଆଜୀବନ କଦାପି ନିଜ କଥାର ଖିଲାପ କରିବ ନାହିଁ । ତଥାପି ସୁସ୍ଥ ହେଲା ମାତ୍ରେ କୁଇକସୋଟ ଯେ ପୁଣି ଅଭିଯାନରେ ବାହାରି ପଡ଼ିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ । ତେଣେ ସାଙ୍କୋ ଏ ଅବଧି ଦ୍ଵୀପର ଆଶା ଛାଡ଼ି ନାହିଁ ଏବଂ ବସି ବସି ଦିନ ଗଣୁଛି ।

 

ଦିନେ ସାମସନ କୁଇକସୋଟକୁ ଜଣାଇଲା–ନାଇଟ ମହାଶୟ, ଆପଣଙ୍କର କୀର୍ତ୍ତି କାହାଣୀ ବହିରେ ଛପା ହୋଇ ବାହାରିଲାଣି !

 

ବିସ୍ମୟର ଛଳନା କରି କୁଇକସୋଟ କହିଲା–ନା, ନା, ତାହା ହୋଇ ନ ପାରେ । ମୁଁ ଏମିତି କି ବଡ଼ କାମ କରିଛି ଯେ ତାହା ବହିରେ ଲେଖା ଯାଇ ପାରେ ?

 

ଏଁ, ଆପଣ ବଡ଼ କାମ କରି ନାହାନ୍ତି ତ ଦୁନିଆରେ ଆଉ କିଏ କରିଛି ? ସେହି ଯେ ତିରିଶଟା ଦୈତ୍ୟଙ୍କୁ ଗୋଟିଏ ହାତରେ ଆକ୍ରମଣ କରି ପରାସ୍ତ କରି ଦେଇଥିଲେ ! ଦୁଷ୍ଟ ଯାଦୁକରମାନେ ସଙ୍ଗେ ସଙ୍ଗେ ଦୈତ୍ୟମାନଙ୍କୁ ହାଉଆ କଳରେ ପରିବର୍ତ୍ତିତ କରି ଦେଇଥିଲେ ସତ, କିନ୍ତୁ ତାହା ବୋଲି ସେଥିରେ ଆପଣଙ୍କ ବୀରତ୍ଵର ମୂଲ୍ୟ ତ ତିଳେହେଲେ ଊଣା ହୋଇ ନାହିଁ ! ତା’ପରେ ବିସ୍କେବାସୀ ଯୋଦ୍ଧା ସହିତ ଲୋମହର୍ଷଣକର ଦ୍ୱନ୍ଦ୍ଵଯୁଦ୍ଧ, ଯେଉଁଥିରେ ଯାଦୁକରମାନେ ଦାନ୍ତ ଗଳାଇ ପାରିଲେ ନାହିଁ ! ଆପଣଙ୍କ ବୀରତ୍ଵର କାହାଣୀ ସମ୍ବନ୍ଧରେ ଲିଖିତ ବହିଟି ଆମ ଦେଶରେ ତିରିଶ ହଜାର ଖଣ୍ଡ ଛପା ହୋଇଛି । ଅନ୍ୟସବୁ ଭାଷାରେ ଅନୁବାଦ ହୋଇ କେତେ ଲକ୍ଷ ଖଣ୍ଡ ଯେ ଛାପା ହୋଇଛି, ସେ ଖବର ଏକ୍ଷଣି ମିଳି ନାହିଁ । ମୁଁ ସବୁ ଖବର ଆପଣଙ୍କୁ ଆଣି ଦେବି ।

 

ଏହା ଶୁଣି କୁଇକସୋଟର ମନ ଅପାର ଆନନ୍ଦରେ ଭରିଗଲା । ସାଙ୍କୋ ପ୍ରାୟ ବରାବର ତାହାକୁ ଦେଖିବାକୁ ଆସେ । କାର୍ଡ଼ୋନିଓର ବାକ୍ସରୁ ପାଇଥିବା ନଗଦ ଶହେ କ୍ରାଉନ ସ୍ତ୍ରୀର ହାତରେ ଦେଇଥିବାରୁ ସାଙ୍କୋର ସ୍ତ୍ରୀ ଟେରେସା ଟିକିଏ ନରମ ହୋଇଛି । କିନ୍ତୁ ସେ ସ୍ଵାମୀଙ୍କୁ ସତର୍କ କରି ଦେଇଛି, ନାଇଟ ମହାଶୟଙ୍କଠାରୁ ଯେମିତି ଏଣିକି ନିୟମିତ ଭାବରେ ଟଙ୍କା ଆଣିବା ଦରକାର ।

 

ସୁସ୍ଥ ହୋଇ କୁଇକସୋଟ ଦିନେ ସାଙ୍କୋକୁ କହିଲା–ତାହାହେଲେ ଏବେ ବାହାରିବା ଚାଲ ।

 

ସାଙ୍କୋ ମୁଣ୍ଡ କୁଣ୍ଡାଇ ଜଣାଇଲା–ମୋର କିଛି ଆପତ୍ତି ନାହିଁ । କିନ୍ତୁ ଏଥର ଖାଲି ଦ୍ଵୀପର ଭରସାରେ ମୁଁ ଯାଇ ପାରିବି ନାହିଁ, କିଛି ମାସିକ ବେତନ ନିୟମିତ ଭାବରେ ମୋର ଲୋଡ଼ା ।

 

ମୁଁ ପରା ତୁମକୁ ଆଗରୁ ବୁଝାଇ ଦେଇଥିଲି, ନାଇଟମାନେ ସେମାନଙ୍କର ସହଚରମାନଙ୍କୁ କିଛି ବେତନ ଦିଅନ୍ତି ନାହିଁ । ତୁମ ଇଚ୍ଛା ନ ହେଲେ ତୁମେ ନ ଯାଅ ପଛକେ, ମାତ୍ର ବେତନର ଅଙ୍ଗୀକାର କରି ମୁଁ କଦାପି ବୀର ଧର୍ମର ଅପମାନ କରିପାରିବି ନାହିଁ ।

 

କୁଇକସୋଟ ଉତ୍ତେଜିତ ହୋଇ ଟିକିଏ ବଡ଼ ପାଟିରେ ସାଙ୍କୋକୁ ଏହି କଥା କହୁଥିଲା । ଘରେ ପ୍ରବେଶ କଲାବେଳେ ସାମସନର କାନରେ ତାହା ପଡ଼ିଲା । ସେ ପଚାରିଲା–ସାଙ୍କୋକୁ କଅଣ କହୁଛନ୍ତି, ନାଇଟ ମହାଶୟ ?

 

ଆପଣ କୌଣସି ବହିରେ କେବେ ପଢ଼ିଛନ୍ତି ଯେ ନାଇଟ ତାହାର ସହଚରକୁ ନଗଦ ବେତନ ଦିଏ ?

 

ସାମସନ ଅବାକ ହୋଇ ପଚାରିଲା–ସାଙ୍କୋ ଚାହୁଁଛି ନା କଅଣ ?

 

ଖାଲି ଚାହୁଁଛି ? ମୋତେ ସଫା ସଫା କହୁଛି, ବେତନ ନ ଦେଲେ ସେ ମୋର ସହଚର ହୋଇ ଯିବାକୁ ରାଜି ନୁହେଁ ।

 

ସେ ରାଜି ନ ହେଉ କିଛି ପରବାଏ ନାହିଁ । ମୁଁ ଯିବି ଆପଣଙ୍କ ସାଙ୍ଗରେ । ଆପଣଙ୍କ ପରି ମହା ନାଇଟର ସହଚର ହେବାର ସୁଯୋଗ ପାଇଲେ ମୋଇ ଜନ୍ମ ସାର୍ଥକ ହେବ ।

 

ଏହା ଶୁଣି ସାଙ୍କୋର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ । କିଛି କ୍ଷଣ ପରେ ସେ କର ଯୋଡ଼ି ନିବେଦନ କଲା–ନା, ସାମସନଙ୍କୁ ଆପଣଙ୍କ ସହିତ ଯିବାକୁ ହେବ ନାହିଁ । ମୁଁ ତ ବରାବର ଯାଉଛି, ଏଥର ବି ଯିବି । ମୋ ସ୍ତ୍ରୀର ବୁଦ୍ଧିରେ ପଡ଼ି ବେତନ କଥା ସିନା ମୁଁ ଉଠାଇ ଥିଲି-। ଛାଡ଼ନ୍ତୁ ସେ କଥା ।

 

 

ଅବଶେଷରେ ଯାତ୍ରାର ସମସ୍ତ ଆବଶ୍ୟକୀୟ ଆୟୋଜନ ସମ୍ପୂର୍ଣ୍ଣ ହେଲା । ମହା ନାଇଟ ଡନ କୁଇକସୋଟ ପ୍ରକାଶ୍ୟରେ ବୀର ଦର୍ପରେ ତୃତୀୟ ଅଭିଯାନରେ ବାହାରିଲା । ସାଙ୍ଗରେ ଏକାନ୍ତ ବିଶ୍ଵସ୍ତ ସହଚର ସାଙ୍କୋ ପାଞ୍ଜା ।

 

ସାମସନ ତାହାକୁ ଜଣାଇଲା–ସରାଗୋସା ନଗରୀରେ ଗୋଟିଏ ମହା ସମ୍ମିଳନୀ ଅନୁଷ୍ଠିତ ହେଉଛି । ପୃଥିବୀର ବିଭିନ୍ନ ଦେଶରୁ ପ୍ରସିଦ୍ଧ ନାଇଟମାନେ ଆସି ସେଠାରେ ସମବେତ ହେବେ ଏବଂ ଦ୍ୱନ୍ଦ୍ୱ ଯୁଦ୍ଧରେ ପ୍ରବୃତ୍ତ ହୋଇ ଯେଝେ ଯେଝାର ଶକ୍ତିର ପରିଚୟ ଦେବେ । ଏପରି ଏକ ସମ୍ମିଳନୀରେ ଡନ କୁଇକସୋଟଙ୍କ ପରି ଜଣେ ଅପରାଜେୟ ନାଇଟର ଉପସ୍ଥିତି ଏକାନ୍ତ ବାଞ୍ଛନୀୟ ।

 

ତହୁଁ କୁଇକସୋଟ ସ୍ଥିର କଲା, ସେ ନିଶ୍ଚୟ ସାରାଗୋସା ନଗରୀକୁ ଯିବ ଏବଂ ସେଠାରେ ସମବେତ ନାଇଟମାନଙ୍କଠାରୁ ଅବଶ୍ୟ ସ୍ଵୀକୃତି ଆଦାୟ କରିବ ଯେ ପୃଥିବୀରେ ନାରୀମାନଙ୍କ ମଧ୍ୟରେ ରୂପ ଗୁଣ ଓ ମହିମାରେ ସର୍ବଶ୍ରେଷ୍ଠା ହେଉଛନ୍ତି ତାହାର ଆରାଧ୍ୟା ଦେବୀ ଡାଲସିନିୟା ଦେଲ ଟୋବୋସୋ । ଘୋଡ଼ା ମନ୍ଥର କଦମରେ ଯାଉଥିଲା, ମାତ୍ର କୁଇକସୋଟର ଚିନ୍ତାର ଘୋଡ଼ା ବିଜୁଳି ବେଗରେ ଧାଇଁଥିଲା । ହଠାତ୍‍ ସେହି ଚିନ୍ତାର ଘୋଡ଼ା ଠାଏ ଝୁଣ୍ଟି ପଡ଼ିଲା । ତା’ପରେ ସେ ନିଜର ବାହନ ଘୋଡ଼ାକୁ ଅଟକାଇ କହିଲା–ସାଙ୍କୋ, ଟୋବୋସୋକୁ ଚାଲ । ସାରାଗୋସାକୁ ଯିବା ଆଗରୁ ମୁଁ ଦେବୀ ଡାଲସିନିୟାଙ୍କୁ ଶ୍ରଦ୍ଧା ଜଣାଇ ତାହାଙ୍କ ମୁଖରୁ ମୋ ପ୍ରତି ଶୁଭେଚ୍ଛାର ବାଣୀ ଶୁଣିବି ।

 

ସଞ୍ଜ ନ ହେଉଣୁ କୁଇକସୋଟ ଟୋବୋସୋ ଗାଁରେ ପହଞ୍ଚିଲା । ସେଠାରେ ଯାହାକୁ ଦେଖିଲା ସେ ପଚାରିଲା–ରାଜକୁମାରୀ ଡାଲସିନିୟାଙ୍କର ଦୁର୍ଗ କେଉଁଠି ?

 

ଏହା ଶୁଣି ସମସ୍ତେ କୁଇକସୋଟର ମୁହଁକୁ ଆବାକାବା ହୋଇ ଚାହିଁ ରହିଲେ । କେହି କିଛି ଜବାବ ଦେଇ ପାରିଲେ ନାହିଁ । କୁଇକସୋଟ ମ୍ଳାନ ହସି ସାଙ୍କୋକୁ କହିଲା–ଦେଖୁଛ, ଏବେ ବି ଯାଦୁକରମାନେ ମୋ ପଛରେ ଲାଗିଛନ୍ତି । ଗୋଟାଏ ପ୍ରକୃତ ଦୁର୍ଗକୁ ସେମାନେ ମୋ ସାମନାରୁ ଲୁଚାଇ ରଖିଛନ୍ତି ।

 

ସାଙ୍କୋ ସଂଶୟରେ ଜଣାଇଲା–ସତରେ ରାଜକୁମାରୀଙ୍କର ଦୁର୍ଗ ଅଛି କି ନା ଆପଣ ତାହା ଭଲଭାବରେ ଜାଣନ୍ତି । କିନ୍ତୁ ମୁଁ ତାହାଙ୍କୁ ସେ ଦିନ ଜଣେ ଚଷାର ଘରେ ଗହମ ପାଛୁଡ଼ୁଥିବାର ଦେଖିଥିଲି ।

 

କୁଇକସୋଟ ତାହାକୁ ଧମକାଇ କହିଲା–ସେଟା ତୁମର ଦୃଷ୍ଟି ବିଭ୍ରମ । ରାଜକୁମାରୀ କଦାପି ଚଷାର ଘରେ ରହି ନ ପାରେ । ଯଦି ତୁମର ଦୃଷ୍ଟିରେ ସେହି ଦୁର୍ଗ କୁଡ଼ିଆର ରୂପ ଧାରଣ କରିଥାଏ, ତାହାହେଲେ ସେଟା ଯାଦୁକରମାନଙ୍କର କାରସାଦି ବୋଲି ଜାଣିବ । ତେବେ ସେହି ଚଷାର କୁଡ଼ିଆଟା କେଉଁଠି ଅଛି, ମୋତେ ଟିକିଏ ଦେଖାଇ ଦିଅ ।

 

ଏଥର ସାଙ୍କୋ ମହା ସଙ୍କଟରେ ପଡ଼ିଲା । କାରଣ ଅସଲ କଥା ହେଉଛି, ଗଲା ଥର ସେ ଟୋବୋସୋକୁ ନ ଯାଇ ମନରୁ ଫାନ୍ଦି ଡାଲସିନିୟା ସହିତ ତାହାର ସାକ୍ଷାତର ବିବରଣୀ ନିଜର ପ୍ରଭୁକୁ ଜଣାଇଥିଲା । ସୁତରାଂ ଏକ୍ଷଣି ସେ ଏ ସଙ୍କଟରୁ କିପରି ଉଦ୍ଧାର ପାଇବ ? ଭାବି ଭାବି ସେ ଗୋଟାଏ ବୁଦ୍ଧି ପାଞ୍ଚିଲା–ଆଗରୁ ଦେବୀ ଡାଲସିନିୟାଙ୍କ ପାଖକୁ ଖବର ନ ପଠାଇ ହଠାତ୍‍ ଆପଣ ତାହାଙ୍କ ସାଙ୍ଗରେ ଯାଇ ଦେଖା କରିବା କଅଣ ଉଚିତ ? ତାଙ୍କର ବାପା ଅଛନ୍ତି, ସେ କଅଣ ଭାବିବେ ? ରାତି ହେଉ, ମୁଁ ଆଗେ ଯାଇ ଦେବୀଙ୍କୁ ଆପଣଙ୍କ ଆଗମନର କଥା ଜଣାଏ, ତା’ପରେ ବରଂ ଆପଣ ସେଠାକୁ ଗଲେ ଭଲ ହେବ ।

 

କୁଇକସୋଟ ଆଦୌ ଅବିବେଚକ ଲୋକ ନୁହେଁ । ସେ ଏହି ପ୍ରସ୍ତାବରେ ରାଜି ହେଲା-। ସାଙ୍କୋ କୁଇକସୋଟକୁ ନେଇ ଗାଁର ବାହାରେ ଗୋଟିଏ ବଣ ଭିତରେ ଛାଡ଼ିଦେଲା । ସେଠାରେ ମନ୍ଦ ମନ୍ଦ ସମୀରଣରେ ଗୋଟିଏ ଗଛ ତଳେ ବସି ନାଇଟ ବିଶ୍ରାମ କଲା, ଆଉ ଘୋଡ଼ା ଆନନ୍ଦରେ ଚରି ବୁଲି ଘାସ ଖାଇଲା ।

 

ତା’ପରେ ଦେବୀଙ୍କୁ ଖବର ଦେବା ପାଇଁ ସାଙ୍କୋ ବାହାରିଲା । କିଛି ବାଟ ଗଲା ପରେ ପ୍ରଭୁର ଦୃଷ୍ଟିର ଅନ୍ତରାଳ ହେଲାରୁ, ସେ ଗଧରୁ ଓହ୍ଲାଇ ଗୋଟିଏ ଗଛତଳେ ବସିଲା । ମନେମନେ ବହୁତ ଭାବି ଚିନ୍ତି ପ୍ରଭୁକୁ ଗୋଟାଏ କିଛି ମିଛ କଥା କହିଦେବ ବୋଲି ଠିକ୍‍ କରି, ସେ ଝୁଡ଼ି ଖୋଲି ପେଟେ ଖାଦ୍ୟ ଖାଇ ଶୋଇପଡ଼ିଲା । ରାତି ପାହିଲା । ଗଧର ପିଠିରେ ଚଢ଼ି ପ୍ରଭୁ ପାଖକୁ ଗଲାବେଳେ ସେ ବାଟରେ ଦେଖିଲା, ତିନି ଜଣ ଅସୁନ୍ଦରୀ ଗାଉଁଲି ଝିଅ ଗଧରେ ଚଢ଼ି ପଡ଼ିଆ ଆଡ଼କୁ ଯାଉଛନ୍ତି । ତହୁଁ ସେ ତତ୍‍କ୍ଷଣାତ୍‍ ଧାଇଁ ଯାଇ କୁଇକସୋଟକୁ ଜଣାଇଲା–ପ୍ରଭୁ ! ଚାଲନ୍ତୁ ଶୀଘ୍ର । ଦେବୀ ସେହି ପଡ଼ିଆରେ ଆପଣଙ୍କୁ ଅପେକ୍ଷା କରିଛନ୍ତି ।

 

କୁଇକସୋଟ କାଳ ବିଳମ୍ବ ନ କରି ଘୋଡ଼ା ଛୁଟାଇଲା । କିଛି ବାଟ ଗଲା ପରେ ସାଙ୍କୋ କହିଲା–ହେଇ ଦେଖନ୍ତୁ, ଦେବୀ ଦୁଇ ସହଚରୀଙ୍କ ସାଙ୍ଗରେ ଯାଉଛନ୍ତି ।

 

କୁଇକସୋଟ ବିସ୍ମୟରେ ପଚାରିଲା–ସାଙ୍କୋ, ଦେବୀ ଗଧରେ ଚଢ଼ି ଏମିତି ଦୀନହୀନ ବେଶଭୂଷାରେ ଆସିଲେ କାହିଁକି ?

 

ସାଙ୍କୋ ପାଟି କରି ଜବାବ ଦେଲା–ଆପଣ କଅଣ ଯେ କହୁଛନ୍ତି ! ଗଧ କାହିଁ ? ଦେବୀ ଓ ସହଚରୀ ଦୁହେଁ ଯେ ଆରବୀ ଘୋଡ଼ାରେ ଚଢ଼ିଛନ୍ତି, ଆଉ ସେମାନଙ୍କ ପୋଷାକରେ ମଣି ମୁକ୍ତା ସବୁ ଝଟକୁଛି !

 

କୁଇକସୋଟ ହଠାତ୍‍ ଟିକିଏ ଦବି ଗଲା । ଘୋଡ଼ା ଅଟକାଇ ସେ ପଚାରିଲା–ସାଙ୍କୋ, ତୁମେ ଠିକ୍‍ ଦେଖୁଛ ତ ? ମୁଁ କିନ୍ତୁ ଦେଖିପାରୁଛି, ଯେ ତିନୋଟି ଗରିବ ଅସୁନ୍ଦରୀ ବାଳିକା ଗଧରେ ଚଢ଼ି ଯାଉଛନ୍ତି ।

 

ସର୍ବନାଶ ହେଲା ! ସେ ଥର ଯାଦୁକରମାନେ ମୋର ଦୃଷ୍ଟି ବିକୃତ କରି ଦେଇଥିଲେ, ଏଥର ଆପଣଙ୍କର କରିଛନ୍ତି । ଆପଣ ସେଥିକି କିଛି ଚିନ୍ତା କରନ୍ତୁ ନାହିଁ, ଆଗେଇ ଯାଆନ୍ତୁ । ହୁଏତ ଦେବୀ ଆପଣଙ୍କର ପ୍ରକୃତ ରୂପ ଦେଖି ପାରିବେ ।

 

ତହୁଁ କୁଇକସୋଟ ମନରେ ସାହସ ବାନ୍ଧି ଘୋଡ଼ାକୁ ଦ୍ରୁତ ଛୁଟାଇଲା । ଘୋଡ଼ା ସେମାନଙ୍କ ପାଖକୁ ଧାଇଁ ଯାଇ ନିକଟତମ ଗଧଟାର ଦେହ ଚାଟିବାକୁ ଆରମ୍ଭ କଲା । ଗଧ ତାହାର ରସିକତା ବୁଝି ନ ପାରି ହୁରୁଡ଼ି ପଳାଇ ଯାଉଁ ଯାଉଁ ଝୁଣ୍ଟି ପଡ଼ିଲା ଏବଂ ତାହାର ପିଠିରେ ବସିଥିବା ଝିଅଟି ଓଲଟି ପଡ଼ିଲା । ତା’ପରେ ହୈ ଚୈ କାଣ୍ଡ–ଧରାଶାୟୀ ବାଳିକାର ଚିତ୍କାର, ଗଧରେ ଚଢ଼ିଥିବା ବାଳିକା ଦୁହିଁଙ୍କର ଗାଳି, ଗୁଲଜ, ଆକୁଳ ହୋଇ କୁଇକସୋଟର ନାଇଟ ସୁଲଭ ଅନର୍ଗଳ ବକ୍ତୃତା ।

କୁଇକସୋଟ ମନେକଲା, ତଳେ ପଡ଼ି ଯାଇଥିବା ଝିଅଟି ହେଉଛି ଡାଲସିନିୟା । ସଙ୍ଗେ ସଙ୍ଗେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ି ଝିଅଟିର ହାତ ଧରି ଉଠାଇବାକୁ ଲାଗିଲା–ହେ ଜ୍ୟୋତିର୍ମୟୀ ଦେବୀ ଡାଲସିନିୟା, ତୁମର ଭକ୍ତ ନାଇଟ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚାକୁ ତୁମେ ଚିହ୍ନିପାରୁ ନାହଁ ? ସାରାଗୋସାରେ ଅନୁଷ୍ଠିତ ହେଉଥିବା ନାଇଟ ସମ୍ମିଳନୀରେ ତୁମର ମହିମା ଘୋଷଣା କରିବା ପାଇଁ ପରା ତୁମର ଏହି ଦାସାନୁଦାସ ଯାଉଛି । ଏହି ଦୀନ ନାଇଟ ଦଣ୍ଡେ ସୁଦ୍ଧା ପାଶୋରି ପାରି ନାହିଁ ଯେ ତୁମର ଅପାର କରୁଣା ତାହାର ବାହୁରେ ଶକ୍ତି ସଞ୍ଚାର କରିଛି, ଆଉ ତୁମର ଶୁଭେଚ୍ଛା ତାହାକୁ ଦିଗ୍‍ବିଜୟ ଯାତ୍ରାରେ ଅନୁପ୍ରାଣିତ କରିଛି । ହେ ମହୀୟସୀ ଆରୋଧ୍ୟା ଦେବୀ ! ବହୁ ପ୍ରତୀକ୍ଷିତ ଏହି ସାକ୍ଷାତର ଶୁଭ ମୁହୂର୍ତ୍ତରେ ତୁମର କୃପା କରି ମୋତେ ଥରେ ମାତ୍ର କୁହ–ଏହି ଦୀନ ନାଇଟକୁ ତୁମେ ନିଜର ସେବକ ବୋଲି ସ୍ଵୀକାର କରୁଛ ।

ସେତେବେଳକୁ ସେହି ଝିଅଟି ଉଠି ଠିଆ ହେଲାଣି । ସେ ଓ ଅନ୍ୟ ଦୁହେଁ ଅଣ୍ଟାରେ ହାତ ଦେଇ ବୀର ଦର୍ପରେ ଅଶ୍ରାବ୍ୟ ଓ ଅଶ୍ଳୀଳ ଗାଳି ଦେବାରେ ଲାଗିଛନ୍ତି । ଏହା ଶୁଣି କୁଇକସୋଟ ବଜ୍ରାହତ, ହତବାକ୍‍ ଓ ଅଚୈତନ୍ୟ ହୋଇଗଲା । ସାଙ୍କୋର ଡକାଡକିରେ ତାହାର ଚେତା ପଶିଲା । ସେତେବେଳକୁ ସେହି ଝିଅ ତିନିହେଁ ଗଧରେ ଚଢ଼ି ଢେର୍‍ ଦୂରକୁ ଚାଲି ଗଲେଣି ।

ମର୍ମାହତ କୁଇକସୋଟ କରୁଣ କଣ୍ଠରେ ସାଙ୍କୋକୁ କହିଲା–ଦେଖିଲ ତ ଯାଦୁକରମାନଙ୍କର କାଣ୍ଡ ! ସ୍ଵୟଂ ଦେବୀ ମଧ୍ୟ ମୋତେ ଚିହ୍ନି ପାରିଲେ ନାହିଁ ।

ସାଙ୍କୋ ତୁରନ୍ତ ଜବାବ ଦେଲା–ଦେବୀ କାହିଁକି ଆପଣଙ୍କୁ ଚିହ୍ନିବେ ନାହିଁ ? ନ ଚିହ୍ନିଥିଲେ କଅଣ ସେ ଆପଣଙ୍କୁ ଏତେ ଆଦର ଆପ୍ୟାୟନ, ମଧୁର ସମ୍ଭାଷଣ ଓ ଦୃଢ଼ ଆଶ୍ୱାସନା ଜଣାଇ ଥାଆନ୍ତେ ? ମୁଁ ତ ନିଜ କାନରେ ଏ ସବୁ ଶୁଣିଛି ।

କାହିଁ, ମୁଁ ତ କିଛି ଶୁଣି ପାରିଲି ନାହିଁ ! ଖାଲି ଶୁଣିଲି ଗାଳି ଗୁଲଜ, ଅଭିଶାପ, ବ୍ୟଙ୍ଗ ବିଦ୍ରୂପ !

ତାହାହେଲେ ଯାଦୁକରମାନେ ନିଶ୍ଚୟ ଆପଣଙ୍କର ଶ୍ରବଣ ଶକ୍ତି ମଧ୍ୟ ବିକୃତ କରି ଦେଇଛନ୍ତି । ଆପଣ ଦେବୀଙ୍କର ଶେଷ କଥା ପଦକ ଠିକ୍‍ ଭାବରେ ଶୁଣି ପାରି ନାହାନ୍ତି ?

କି କଥା, ସାଙ୍କୋ ?

ସାରାଗୋସାରୁ ଆପଣ ବିଜୟ ମାଲ୍ୟ ନେଇ ଆସନ୍ତୁ, ମୁଁ ଏଣେ ବରମାଲ୍ୟ ଗୁନ୍ଥୁଛି ।

ଯାଦୁକରମାନଙ୍କର ନାମ କହି ସାଙ୍କୋ ଡାହା ମିଛ କଥାସବୁ ଏମିତି ଭାବରେ ବନେଇ ଚୁନେଇ କହିଲା ଯେ ଅବଶେଷରେ କୁଇକସୋଟ ବିଶ୍ୱାସ କଲା, ସତରେ ଦେବୀ ଡାଲସିନିୟାଙ୍କ ସହିତ ତାହାର ସାକ୍ଷାତ ହୋଇଛି । ସୁତରାଂ ତାହାର ଚିତ୍ତ ହରଷ ହେଲା ଏବଂ ବାହୁରେ ବିଶ୍ଵ ବିଜୟର ଅଦମ୍ୟ ଶକ୍ତି ଆସିଲା ।

କୁଇକସୋଟ ଓ ସାଙ୍କୋ ପୁଣି ଅଗ୍ରସର ହେଲେ । ବାଟରେ ଆଉ ଦୁଇ ଚାରି ଜଣ ଲୋକ ସେମାନଙ୍କ ସାଙ୍ଗରେ ଜୁଟିଲେ । କୁଇକସୋଟ ସେମାନଙ୍କୁ ନିଜ ବୀରତ୍ଵର କାହାଣୀ ଶୁଣାଉଥିଲା, ଏହି ସମୟରେ ସାମନାରୁ ଗୋଟିଏ ଗୋରୁ ଗାଡ଼ି ଆସିଲା । ତାହା ଉପରେ ଗୋଟିଏ ଲୁହା ପିଞ୍ଜରାରେ ଏକ ପ୍ରକାଣ୍ଡ ସିଂହ ଥିଲା । ଜଣାଗଲା, ଏହି ସିଂହଟି ଆଫ୍ରିକାରୁ ଧରା ହୋଇ ରାଜାଙ୍କର ପଶୁଶାଳାକୁ ନିଆ ଯାଉଅଛି ।

 

ସେତେବେଳେ ଡନ କୁଇକସୋଟର ହୃଦୟ ବୀରତ୍ଵର ଉଦ୍ଦୀପନାରେ ପରିପୂର୍ଣ୍ଣ ଥିଲା । ସେ ଶଗଡ଼ିଆକୁ ହୁକୁମ ଦେଲା–ପିଞ୍ଜରାର ଦୁଆର ଖୋଲି ଦେ, ମୁଁ ଏହି ସିଂହ ସାଙ୍ଗରେ ଲଢ଼ିବି ।

 

ଏହା ଶୁଣି ସମସ୍ତେ ହାଉଳି ଖାଇଲେ–ଏଁ, ସିଂହ ସାଙ୍ଗରେ ଲଢ଼ିବ, ଏକା ଥାବକେ ମଥା ଗୁଣ୍ଡ କରିଦେବ ଯେ ! ସମସ୍ତେ କୁଇକସୋଟ ପାଖକୁ ଯାଇ କାକୁତି ମିନତି କଲେ–ସେଟା ହେଉଛି-। ବଣର ଜାନୁଆର, ସେ ନାଇଟର ମର୍ଯ୍ୟାଦା କାହୁଁ ବୁଝିବ, ଆପଣ ତାହା ସାଙ୍ଗରେ ଲଢ଼ିଲେ ଅଯଥାରେ ପୈତୃକ ପ୍ରାଣଟା ବାଏଁ ବାଏଁ ହରାଇଲେ ।

 

କିନ୍ତୁ କୁଇକସୋଟ କାହାରି ମୋଟେ କଥା କାନକୁ ନେଲାନାହିଁ । ସେ ଘୋଡ଼ାକୁ ନେଇ ଏକାବେଳେ ଗାଡ଼ି ସାମନାରେ ଠିଆ କରାଇଲା । ଅନ୍ୟ ଉପାୟ ନ ଦେଖି ଲୋକମାନେ ଦୂରକୁ ଧାଇଁ ପଳେଇଲେ । ଗାଡ଼ିଆଳ ପିଞ୍ଜରାର ଦରଜା ଖୋଲି ଦେଲା । କୁଇକସୋଟ ବର୍ଚ୍ଛା ଉଞ୍ଚାଇ ଛିଡ଼ା ହେଲା । ଟିକିଏ ଆଗରୁ ଖାନା ଖାଇଥିବାରୁ ଦରଜା ଖୋଲା ଥିଲେ ସୁଦ୍ଧା, ସିଂହ ପଦାକୁ ବାହାରିବାକୁ ମୋଟେ ମନ କଲା ନାହିଁ । ଥରେ ଉଦାସୀନ ଭାବରେ କୁଇକସୋଟକୁ ଅନାଇ ସିଂହଟା କଡ଼ ଲେଉଟାଇ ଶୋଇଲା । ତହୁଁ କୁଇକସୋଟ ହସି ହସି କହିଲା–ଦେଖିଲ ତ, ବୀର ପୁରୁଷ ଦେଖିଲେ ସିଂହ ବି ଡରିଯାଏ ! ହେଉ, ଯାଅ, ଏଇ ଛେରୁଆ ଜାନୁଆରଟାକୁ ନେଇ ରାଜାଙ୍କୁ ଉପହାର ଦିଅ !

 

ଗାଡ଼ିଆଳ ପିଞ୍ଜରାର ଦରଜା ବନ୍ଦ କରି ଗାଡ଼ି ନେଇ ନିଜ ବାଟରେ ଚାଲିଗଲା । ସାଙ୍କୋ ଫେରି ଆସିଲାରୁ, କୁଇକସୋଟ ପଚାରିଲା–ମୋର ନାମ କଅଣ ଜାଣ ?

 

ସାଙ୍କୋ ଅବାକ ହୋଇ ଜବାବ ଦେଲା–ଉନ କୁଇକସୋଟ ଦ୍ୟ-ଲା-ମାଞ୍ଚା ପରା !

 

ଉପାଧିଟା ମନେଅଛି ?

 

ଅଛି, ଆଜ୍ଞା । ବିଷଣ୍ଣ ବଦନ ନାଇଟ ।

 

ନା, ଆଜିଠୁଁ ସେଟା ନାକଚ ହେଲା । ମୁଁ ନୂଆ ଉପାଧି ଗ୍ରହଣ କଲି–ସିଂହ ଦମନ ନାଇଟ ।

 

ବାଃ, ଚମତ୍କାର !

 

କୁଇକସୋଟ ବିଜୟ ଗର୍ବରେ ଅତି ଆନନ୍ଦରେ ସମୁଦ୍ର ଆଡ଼କୁ ଅଗ୍ରସର ହେଉଥିଲା । ସାରାଗୋସାକୁ ଯିବା ପାଇଁ ତାହାକୁ ବନ୍ଦରରେ ଜାହାଜ ଧରିବାକୁ ହେବ । ମାତ୍ର ସାଙ୍କୋ ଏଯାଏ ଦ୍ଵୀପ ଲାଭ କରି ନ ଥିବାରୁ ଟିକିଏ ମ୍ରିୟମାଣ ଦିଶୁଥିଲା । ଦିନେ ସେମାନେ ଏକ ବିସ୍ତୀର୍ଣ୍ଣ ଅରଣ୍ୟରେ ଯାଇ ପହଞ୍ଚିଲେ, କିଛି ଦୂର ଯାଉ ନ ଯାଉଣୁ ଶିକାରୀର ଶିଙ୍ଗା ଧ୍ୱନି ଶୁଭିଲା । ଅବିଳମ୍ୱେ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ସାକ୍ଷାତ ମିଳିବ ବୋଲି ଭାବ କୁଇକସୋଟ ଖୁବ୍‍ ଖୁସି ହେଲା ।

 

ସତକୁ ସତ ଡିଉକ ନିଜର ସ୍ତ୍ରୀ ଓ ବହୁ ଲୋକଙ୍କୁ ଘେନି ଶିକାରକୁ ଆସିଥିଲେ । କିଛି ଦୂରରେ ସେମାନଙ୍କର ଗୋଟିଏ ଘର ଅଛି । ଶିକାର ଚାଲିଥିବା ଯାଏ ସେମାନେ ସେହି ଘରେ ରହିବେ ଏବଂ ତା’ପରେ ସହରକୁ ଫେରିଯିବେ ।

 

କୁଇକସୋଟର ପରିଚୟ ପାଇ ସେମାନେ ବିଶେଷ ପ୍ରୀତ ହେଲେ–ଆମେ ବହିରେ ଆପଣଙ୍କର ଐତିହାସିକ କୀର୍ତ୍ତି କଳାପ ପଢ଼ିଛୁ । ଆପଣ କଅଣ ସେହି ବିଷଣ୍ଣ ବଦନ ନାଇଟ ଜନ କୁଇକସୋଟ ଦ୍ୟ-ଲା-ମାଞ୍ଚା ! ଆପଣଙ୍କର ଦର୍ଶନ ଲାଭ କରି ସତରେ ଆମେ ଆଜି ଧନ୍ୟ ହେଲୁ ।

 

କୁଇଜସୋଟ କହିଲା–ବର୍ତ୍ତମାନ ମୋର ଉପାଧି ହେଉଛି ସିଂହ ଦମନ ନାଇଟ ।

 

ଡିଉକ ଓ ତାଙ୍କର ପତ୍ନୀ ବୀରବର କୁଇକସୋଟ ଓ ସହଚର ସାଙ୍କୋକୁ ସେମାନଙ୍କ ଘରକୁ ନେଇଗଲେ । ଗଲାବେଳେ ଡିଉକଙ୍କ ସ୍ତ୍ରୀ ସାଙ୍କୋକୁ ପଚାରିଲେ–ତୁମେ କଅଣ ସତରେ ସିୟେରା ମୋରେନାରୁ ଡାଲସିନିୟାଙ୍କ ପାଖକୁ ଯାଇଥିଲ, ଆଉ ତାହାଙ୍କୁ ଧୂଳିରେ ବସି ଗହମ ପାଛୁଡ଼ିବାର ଦେଖିଥିଲ ?

 

ସାଙ୍କୋ ତାଚ୍ଛଲ୍ୟର ସ୍ଵରରେ ଜବାବ ଦେଲା–ଆପଣ କଅଣ ବିଶ୍ୱାସ କରୁଛନ୍ତି, ଏହି ଗଧରେ ଚଢ଼ି କେହି ଏତେ ଶୀଘ୍ର ସିୟେରା ମୋରେନାରୁ ଟୋବୋସୋକୁ ଯାଇ ଫେରି ଆସି ପାରେ ? ତେବେ ମୁଁ ତାହାଙ୍କୁ ଧୂଳିରେ ବସି ଗହମ ପାଛୁଡ଼ିବାର ନିଜ ଆଖିରେ ଦେଖି ନାହିଁ ସତ, କିନ୍ତୁ ସେ ଯେ ଜଣେ ଦରଜିର ଝିଅ ଏବଂ ତାହାର ଅସଲ ନାମ ଆଲଡ଼ୋଞ୍ଜା, ମୁଁ ତାହା ଭଲଭାବରେ ଜାଣେ ମୋର ପାଗଳ ପ୍ରଭୁ ତାହାକୁ ମହୀୟସୀ, ଶ୍ରେଷ୍ଠା ରୂପସୀ, ଦେବୀ ଓ ରାଣୀ କରିଛନ୍ତି ।

 

ଏହା ଶୁଣି ଡାଚେସ ହସି ହସି ଗଡ଼ିଗଲେ ଏବଂ ପଚାରିଲେ–ଯଦି କୁଇକସୋଟକୁ ପାଗଳା ବୋଲି ଜାଣ, ତୁମେ ବା ନିଜର ଘରଦ୍ଵାର ଛାଡ଼ି ତାହା ସାଙ୍ଗରେ ଘୁରୁଛ କାହିଁକି ?

 

ସାଙ୍କୋ କାତର ସ୍ଵରରେ ଜଣାଇଲା–ସେ ଯେ ମୋତେ ଗୋଟାଏ ଦ୍ଵୀପ ଦେବେ ବୋଲି କହିଛନ୍ତି !

 

ଆଚ୍ଛା, ଗୋଟାଏ ଦ୍ଵୀପ ପାଇଲେ ତୁମେ ଠିକ୍‍ ଭାବରେ ଶାସନ କରିପାରିବ ତ ?

 

ଉତ୍ସାହିତ ହୋଇ ସାଙ୍କୋ କହିଲା–ଦେଖନ୍ତୁନା ଦ୍ଵୀପଟା ଦେଇ ! ମୁଁ ଅତି ଶିକ୍ଷିତ ହୋଇ ନ ପାରେ, ମାତ୍ର ମୋର ବୁଦ୍ଧି କମ୍‍ ନୁହେଁ । ବୁଦ୍ଧିର ବଳରେ ମୁଁ ଶାସନକାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିପାରିବି ।

 

ସାଙ୍କୋଠାରୁ କୁଇକସୋଟର ତୃତୀୟ ଅଭିଯାନର ତିନୋଟି ଝିଅଙ୍କ କାହାଣୀ ଶୁଣି ଡାଚେସ ଅତ୍ୟନ୍ତ ମୁଗ୍ଧ ହେଲେ ଏବଂ ତାହାର ପିଠି ଥାପୁଡ଼ାଇ ପ୍ରତିଶ୍ରୁତି ହେଲେ–ମୋ ସ୍ୱାମୀଙ୍କ ଜମିଦାରୀରେ ବହୁତ ଦ୍ଵୀପ ଅଛି । ମୁଁ ତୁମକୁ ସେଥିରୁ ଗୋଟିଏ ଦେବି ।

 

ଡିଉକ ଓ ଡାଚେସ ନିରୋଳାରେ ବସି କୁଇକସୋଟର ସବୁ କଥା ଆଲୋଚନା କଲେ । ଡିଉକଙ୍କର ଗୋଟାଏ ଖିଆଲ ମଥାରେ ପଶିଲା, ବର୍ତ୍ତମାନ କୁଇକସୋଟ ଓ ସାଙ୍କୋକୁ ନେଇ ଏଠାରେ କିଛି ରସିକତା କରାଯାଉ । ତେଣୁ ସେ କୁଇକସୋଟକୁ କହିଲେ–ଯାଦୁକର ସମ୍ରାଟ ମାର୍ଲିନ ସମୟ ସମୟରେ ଏହି ଅରଣ୍ୟକୁ ଆଗମନ କରନ୍ତି । ଆଜି ରାତିରେ ତାଙ୍କର ଆଗମନର ଯଥେଷ୍ଟ ସମ୍ଭାବନା ଅଛି । ତୁମର ଇଚ୍ଛା ହେଲେ ତୁମେ ତାହାଙ୍କୁ କିଛି ପଚାରି ପାର ।

 

ଏହା ଶୁଣି କୁଇକସୋଟ ମନେମନେ ଭାବିଲା, ବିଶ୍ଵବିଖ୍ୟାତ ଯାଦୁକର ମର୍ଲିନ ଆସିଲେ ସେ ତାହାଙ୍କୁ ପଚାରିବ, କିପରି ଭାବରେ ଡାଲସିନିୟାଙ୍କ ଉପରୁ ଯାଦୁ ମନ୍ତ୍ରର ପ୍ରଭାବ ଅପସାରଣ କରା ଯାଇ ପାରିବ । ତାହାର ଏହି ଅଭିପ୍ରାୟ ଶୁଣି ଡିଉକ ସହାନୁଭୂତି ଜଣାଇଲେ ଏବଂ ରାତିରେ ତାହାକୁ ମାର୍ଲିନ ସହିତ ସାକ୍ଷାତର ସୁଯୋଗ ଦେବେ ବୋଲି କହିଲେ ।

 

ଘୋର ଅନ୍ଧକାର ରାତି । ବଣରେ ପ୍ରାସାଦର ବାହାରେ ଆସି ଠିଆ ହୋଇଥିଲେ ଡିଉକ, ଡାଚେସ, କୁଇକସୋଟ, ସାଙ୍କୋ ଓ ପାରିଷଦମାନେ । ହଠାତ୍‍ ଢଂ କରି ଗୋଟାଏ ଘଣ୍ଟା ବାଜିଲା ଏବଂ ଦୂରରୁ ଘର୍ଘର ଶବ୍ଦ ଶୁଭିଲା । ସମସ୍ତେ ଉତ୍କର୍ଣ୍ଣ ହୋଇ ସେହି ଆଡ଼କୁ ଅନାଇ ରହିଲେ । ଶବ୍ଦ କ୍ରମେ ନିକଟବର୍ତ୍ତୀ ହେଲା ଏବଂ ଗୋଟାଏ ନୀଳ ଆଲୁଅ ଝଲସିଲା । ତା’ପରେ ଗୋଟିଏ ରଥ ଆସି ପହଞ୍ଚିଲା । ସେହି ରଥକୁ ଚାରୋଟି ସିଂହ ଟାଣୁଥିଲେ । ରଥର ଭିତରେ ନୀଳ ଆଲୁଅରେ ହାଡ଼ର ଉଚ୍ଚ ଆସନରେ ଦୀର୍ଘ ଶ୍ମଶ୍ରୁଧାରୀ ମାର୍ଲିନ ହାତରେ ଯାଦୁ ଦଣ୍ଡ ଧରି ବସିଥିଲେ-

 

ଡିଉକ କୁଇକସୋଟକୁ ରଥ ଆଡ଼କୁ ଠେଲି ଦେଲେ । କୁଇକସୋଟ ଆଗକୁ ଯାଇ ହାତ ଯୋଡ଼ି ବିନୀତ ଭାବରେ ଜଣାଇଲା–ମହା ଯାଦୁକର ମାର୍ଲିନଙ୍କର ଜୟ ହେଉ ! ଏହି ଅକିଞ୍ଚନ ନାଇଟର କିଛି ପ୍ରଶ୍ନ ପଚାରିବାର ଅଛି । ଯାଦୁ ସମ୍ରାଟ ଦୟାକରି ତାହାର ଉତ୍ତର ଦେବେ କି ?

 

ମାର୍ଲିନ ମୁଖରେ କିଛି ଜବାବ ନ ଦେଇ ରଥ ଅଟକାଇଲେ । କୁଇକସୋଟ ନିଜର ପ୍ରାର୍ଥନା ପ୍ରକାଶ କଲା–କେଉଁ ଉପାୟରେ ମହୀୟସୀ ମହିଳା ଡାଲସିନିୟାଙ୍କ ଉପରୁ ଯାଦୁ ଶକ୍ତିର ପ୍ରଭାବ ଅପସୃତ ହେବ, କୃପା କରି ଆପଣ ମୋତେ ତାହା ବତାଇ ଦିଅନ୍ତୁ ।

 

ମୁହୂର୍ତ୍ତକର ନୀରବତା ପରେ ଗୁରୁ ଗମ୍ଭୀର ସ୍ଵରରେ ବହୁ ଦୂର ଆକାଶରୁ ମେଘର ଭୀମ ଗର୍ଜନ ପରି ଗୋଟିଏ ଶବ୍ଦ ଶୁଭିଲା–ଏକମାତ୍ର ଉପାୟରେ ଡାଲସିନିୟାର ଅଭିଶାପ ମୋଚନ ହୋଇପାରେ । ତାହା ହେଉଛି, ଯଦି କୁଇକସୋଟର ବିଶ୍ଵସ୍ତ ସହଚର ସାଙ୍କୋ ପାଞ୍ଜା ସ୍ଵେଚ୍ଛାରେ ନିଜର ପିଠିରେ ଗଣି ଗଣି ଚାବୁକର ତିନି ହଜାର ପାହାର ଗ୍ରହଣ କରିବ ।

 

ରଥର ଆଲୁଅ ଲିଭିଗଲା । ଗାଢ଼ ଅନ୍ଧକାର ଭିତରେ ମାର୍ଲିନର ସିଂହ ବାହିତ ରଥ ଅରଣ୍ୟରେ ଅଦୃଶ୍ୟ ହୋଇଗଲା । ସେତିକିବେଳେ ସାଙ୍କୋ କ୍ରୁଧ ଚିତ୍କାର କଲା–ମୋର କି ଗରଜ ପଡ଼ିଛି ଯେ ମୁଁ ଗଣି ଗଣି ତିନି ହଜାର ପାହାର ଖାଇବି ! ଏକ୍ଷଣି ମୁଁ ଗଧଟାକୁ ମୋ ଘର ଆଡ଼କୁ ମୁହାଁଇ ଦେଉଛି । ମୁଁ ଏଠାକୁ ମରିବା ପାଇଁ ଆସିଛି ନା କଅଣ ?

 

ସମସ୍ତେ ସାଙ୍କୋକୁ ଥଣ୍ଡା କରିବାକୁ ଚେଷ୍ଟା କଲେ । ଡିଉକ କହିଲେ–ମୁଁ ସାଙ୍କୋକୁ ଗୋଟିଏ ଦ୍ଵୀପ ଦେବି ବୋଲି ଠିକ୍‍ କରିଥିଲି । କିନ୍ତୁ ସେ ଯେତେବେଳେ ନିଜ ପ୍ରଭୁର ମାନ ରଖିବାକୁ ଚାହୁଁ ନାହିଁ, ସେପରି ନିମକହାରାମ ଲୋକକୁ ଦ୍ଵୀପ ଦେବା ଆଦୌ ଉଚିତ ନୁହେଁ ।

 

ସାଙ୍କୋ ମହା ଅଡ଼ୁଆରେ ପଡ଼ିଲା । ସେ ସମସ୍ତଙ୍କୁ କାକୁତି ମିନତି କରିବାକୁ ଲାଗିଲା । ତେବେ ଉଚେସ ଗୋଟାଏ ପେଞ୍ଚ ବାହାର କଲେ–ମାର୍ଲିନ ତ କହି ନାହାନ୍ତି ଯେ ଦିନେ ଗୋଟିଏ ଜାଗାରେ ଠିଆହୋଇ ତିନି ହଜାର ପାହାର ଖାଇବାକୁ ହେବ । ସୁତରାଂ ସୁବିଧା ମୁତାବକ ତିନି ହଜାର ବର୍ଷ ଭିତରେ ତୁମେ ତିନି ହଜାର ପାହାର ଖାଇଲେ ଚଳିବ ।

 

କୁଇକସୋଟ କହିଲା–ସେତେବେଳକୁ ଡାଲସିନିୟା ମାନବ ଶରୀର ତ୍ୟାଗ କରି ନିଶ୍ଚୟ ଦେବୀତ୍ଵ ପ୍ରାପ୍ତ ହୋଇଥିବେ ।

 

ଡିଉକ ପରାମର୍ଶ ଦେଲେ–ଅନ୍ୟ ଲୋକ ତାହାକୁ ଚାବୁକରେ ପାହାର କରିବା କଥା ତ ମାର୍ଲିନ କହି ନାହାନ୍ତି । ତେଣୁ ସାଙ୍କୋ ଯଦି ନିଜ ହାତରେ ନିଜେ ଚାବୁକର ପାହାର ଖାଏ ।

 

ଜଣେ ଆପତ୍ତି କଲା–ନିଜେ କିପରି ନିଜର ପିଠିରେ ଚାବୁକ ମାରିବ ?

 

ସାଙ୍କୋ ଖିଙ୍କାରି ହେଲା–କାହିଁକି ନୁହେଁ ? ହୁଏତ ଜୋରରେ ନୁହେଁ, ଆସ୍ତେ ଆସ୍ତେ ପାହାର ବସିଲେ ଡାଲସିନିୟାର ମୁକ୍ତି ତ ଅଟକିବ ନାହିଁ ।

 

ଡିଉକ କହିଲେ–ହେଉ, ତୁମେ ଆସ୍ତେ ଆସ୍ତେ ମାର, ସାଙ୍କୋ । ଏକ୍ଷଣି ପାଞ୍ଚ ପାହାର ବସାଅ, ଆମେ ନିଜ ଆଖିରେ ଦେଖୁଁ ।

 

ଯଦି କାଲି ଆପଣ ମୋତେ ଦ୍ଵୀପଟା ଦିଅନ୍ତେ, ତାହାହେଲେ ମୁଁ ମୋଟେ ଆପତ୍ତି କରନ୍ତି ନାହିଁ–ସାଙ୍କୋ ଗୁହାରି କଲା ।

 

ଡିଉକ ରାଜି ହେଲେ । କାଲି ଦ୍ଵୀପର ଶାସନ ଭାରର ପ୍ରତିଶ୍ରୁତି ପାଇ ସାଙ୍କୋ ହାତରେ ଚାବୁକ ଧରି ନିଜର କାନ୍ଧ ଉପରେ ହାତ ବୁଲାଇ ମାରିଲା । ଚାବୁକର ଅଧେ ତାହାର ପିଠିର ଚମଡ଼ାରେ ବାଜିଲା । ଏଥି ଲାଗି ଅବଶ୍ୟ ସାଙ୍କୋକୁ କିଛି ଦୋଷ ଦେଇ ହେଲା ନାହିଁ ।

 

 

ପରଦିନ ସାଙ୍କୋ ପାଞ୍ଜା ଡିଉକଙ୍କର ଗୁମାସ୍ତା ସହିତ ଦ୍ଵୀପ, ଅଭିମୁଖେ ଯାତ୍ରା କଲା । ଯାତ୍ରାର ପୂର୍ବରୁ ଡିଉକ ଏକାନ୍ତ ଗୋପନରେ ଗୁମାସ୍ତାକୁ ବହୁତ କିଛି ଉପଦେଶ ଦେଲେ । ମାତ୍ର ଡନ କୁଇକିସୋଟ ନିଜର ସହଚର ସାଙ୍କୋକୁ ପ୍ରକାଶ୍ୟରେ ଶାସନ ସମ୍ବନ୍ଧରେ ବହୁ ପ୍ରୟୋଜନୀୟ ଉପଦେଶ ଦେଲା ।

 

ଡିଉକଙ୍କ ବାସସ୍ଥାନଠାରୁ ବେରିଟେରିୟାର ଦୂରତା ପ୍ରାୟ ଶହେ ମାଇଲ । ବାସ୍ତବିକ ଏହା ସମୁଦ୍ର ଭିତରେ କୌଣସି ଏକ ଦ୍ଵୀପ ନୁହେଁ, ମାତ୍ର ସହରଟିଏ, ଲୋକସଂଖ୍ୟା ପ୍ରାୟ ହଜାରେ-। ଏହା ଡିଉକଙ୍କର ଜମିଦାରୀ, ତାଙ୍କରି ଲୋକେ ଶାସନ କରନ୍ତି । ଆପାତତଃ ଏଠାରେ କୌଣସି ଶାସନ ନ ଥିବାରୁ, ଡିଉକ ଖାମଖିଆଲରେ ନିରକ୍ଷର ଚଷା ସାଙ୍କୋକୁ ଏଠାକାର ଶାସନକର୍ତ୍ତାର ପଦରେ ନିଯୁକ୍ତ କଲେ ।

 

ବେରିଟେରିୟାର ଶାସନକର୍ତ୍ତାର ପ୍ରଧାନ କାର୍ଯ୍ୟ ହେଲା ପ୍ରଜାମାନଙ୍କର ସବୁ ରକମ ଅଭିଯୋଗର ବିଚାର କରିବା । ସାଙ୍କୋ ମୂଲ୍ୟବାନ ପୋଷାକ ପିନ୍ଧି ବିଚାରକର ଉଚ୍ଚ ଆସନରେ ଯାଇ ବସିଲା । ତାହାର ଆଖପାଖରେ ଗୁମାସ୍ତା, ଚିକିତ୍ସକ, ସୈନ୍ୟାଧ୍ୟକ୍ଷ, ଲେଖକ, ପ୍ରଭୃତି ବେଢ଼ି ରହିଥିଲେ । ପ୍ରଥମ ମାମଲା ପଡ଼ିଲା । ପହରା ଜଣେ ନାରୀ ଓ ଜଣେ ପୁରୁଷକୁ ବିଚାରାଳୟକୁ ନେଇ ଆସିଲା ।

 

ନାରୀର ଅଭିଯୋଗ ହେଉଛି–ସେ ରାସ୍ତା କଡ଼ରେ କ୍ଷେତ୍ରରୁ ପାଚିଲା ମିଠା ଫଳ ତୋଳି ଅଣ୍ଟିରେ ରଖୁଥିଲା, ପୁରୁଷ ଜଣକ ସେହି ବାଟେ ଗଲାବେଳେ ଜବରଦସ୍ତି ତାହାଠାରୁ ସବୁତକ ଫଳ ଛଡ଼ାଇ ନେଇ ଖାଇ ଦେଲା ।

 

ଅଭିଯୋଗ ଶୁଣି ସାଙ୍କୋ ପୁରୁଷକୁ ପଚାରିଲା–ତୁମର କିଛି କହିବାର ଅଛି ?

 

ପୁରୁଷ ଜବାବ ଦେଲା–ମୁଁ ଫଳ ଖାଇଛି ସତ, ମାତ୍ର ଜୋର୍‍ କରି ତାହାଠାରୁ ଛଡ଼ାଇ ନେଇ ନାହିଁ । ଆଗରୁ ତାହା ସହିତ ଚିହ୍ନା ଥିବାରୁ ସେ ମୋତେ ଯାଚିକରି ଖାଇବାକୁ ଦେଇଛି ।

 

କେଉଁ ପକ୍ଷରୁ ସାକ୍ଷୀ ନ ଥିଲେ । ସାଙ୍କୋ କିଛି କ୍ଷଣ ନୀରବରେ ଚିନ୍ତା କରି ଅଭିଯୁକ୍ତ ପୁରୁଷକୁ ପଚାରିଲା–ତୁମ ପାଖରେ କିଛି ପଇସାପତ୍ର ଅଛି ?

 

ଅଳ୍ପ କିଛି ଅଛି–ପୁରୁଷ କହିଲା ।

 

ଦିଅ ତ, ଦେଖେଁ ।

 

ପୁରୁଷ ବିଚାରକର ହାତକୁ ମୁଣିଟିଏ ବଢ଼ାଇ ଦେଲା । ସେଥିରେ କେତୁଟା ରୀୟାଲ ଥିଲା । ସାଙ୍କୋ ସଙ୍ଗେ ସଙ୍ଗେ ସେହି ମୁଣିଟି ଅଭିଯୋଗକାରିଣୀ ନାରୀର ହାତରେ ଦେଇ କହିଲା–ଏଇ ନିଅ ତୁମ ଫଳର ଦାମ୍‍ । ଚାଲି ଯାଅ ।

 

ବିଚାରକକୁ ଧନ୍ୟବାଦ ଦେଇ ନାରୀ ଖୁସି ହୋଇ ଚାଲିଗଲା । ତା’ପରେ ସେ ପୁରୁଷକୁ ଡାକି ନିମ୍ନ ସ୍ୱରରେ କହିଲା–ମୁଁ ଗୋଟାଏ ଉଦ୍ଦେଶ୍ୟ ରଖି ତୁମର ଟଙ୍କା ତାହାକୁ ଦେଇଛି । ମୁଁ ଅନୁମତି ଦେଉଛି, ତୁମେ ଏକ୍ଷଣି ଧାଇଁ ଯାଅ, ସେହି ନାରୀଠାରୁ ତୁମର ଟଙ୍କା ଛଡ଼ାଇ ନିଅ ।

 

ତହୁଁ ଲୋକଟି ଧାଇଁ ପଳାଇଲା । ବାହାରେ ଗୋଟାଏ ଗୋଳମାଳ ହେଲା । ନାରୀର ଚିତ୍କାର ଶୁଭିଲା । କିଛି କ୍ଷଣ ପରେ ସେ ପୁରୁଷଟିକୁ ଟାଣିଓଟାରି ବିଚାରାଳୟକୁ ନେଇ ଆସିଲା ଏବଂ ବିଚାରକକୁ ଜଣାଇଲା–ଧର୍ମାବତାର, ଲୋକଟା କି ରକମ ପାଜି ଦେଖନ୍ତୁ ତ । ଆପଣ ମୋତେ ଯେଉଁ ଟଙ୍କା ଦେଇଥିଲେ ସେ ସେତକ ମୋ’ଠାରୁ ଛଡ଼ାଇ ନେବାକୁ ବସିଛି ।

 

ସାଙ୍କୋ ନାରୀକୁ ପଚାରିଲା–ସେ ଛଡ଼ାଇ ନେଇଛି କି ?

 

ନାରୀ ସଗର୍ବରେ ଜବାବ ଦେଲା–ମୋର ହକ୍‍ ପାଉଣା, ସେ ମୋ’ଠାରୁ କାଢ଼ି ନେଇ ପାରିବ ? ମୁଁ ଏତେ ଦୁର୍ବଳ ନୁହେଁ ।

 

ସାଙ୍କୋ କହିଲା–ଆଚ୍ଛା, ମୁଣିଟା ମୋତେ ଦିଅ ତ, ଟିକିଏ ଦେଖେଁ ।

 

ନାରୀ ମୁଣିଟା ସାଙ୍କୋର ହାତକୁ ବଢ଼ାଇ ଦେଲାରୁ, ସେ ଖୋଲି ଦେଖିଲା, ଆଗରୁ ଯେତିକି ଟଙ୍କା ସେଥିରେ ଥିଲା ଏବେ ବି ତାହା ଅଛି । ତା’ପରେ ସେ ମୁଣିଟା ପୁଣି ପୁରୁଷର ହାତରେ ଦେଇ କହିଲା–ତୁମର ଜିନିଷ ତୁମେ ନିଅ ।

 

ସେ ନାରୀକୁ କହିଲା–ତୁମର ଅଭିଯୋଗ ଏକାବେଳେ ମିଛ । ପୁରୁଷ ତୁମଠାରୁ ଫଳ ଛଡ଼ାଇ ନେଇ ନାହିଁ । ତୁମଠାରୁ କିଛି ଜିନିଷ ଛଡ଼ାଇ ନେଲା ଭଳି ଜୋର୍‍ ତାହାର ନାହିଁ । ତମେ ତ ଏବେ ତାହାର ପରିଚୟ ସମସ୍ତଙ୍କ ସାମନାରେ ଦେଲ । ଅସଲ କଥା ହେଉଛି, ତାହା ପାଖରେ କିଛି ପଇସାପତ୍ର ଥିବାର ଜାଣିପାରି ତୁମେ ତାହାକୁ ଯାଚିକରି ଫଳ ଖାଇବାକୁ ଦେଇଛ, ଆଉ ତାହାଠାରୁ ଦାମ୍‍ ଅସୁଲ କରିବା ପାଇଁ ଏଠାରେ ମିଛରେ ନାଲିଶ୍‍ କରିଛ । ତୁମେ ଫଟା ପାହୁଲାଟାଏ ପାଇବ ନାହିଁ ।

 

ସାଙ୍କୋର ଅପୂର୍ବ ବିଚାର ଦେଖି ସମସ୍ତେ ସ୍ତବ୍ଧ ହେଲେ ।

 

୧୦

 

ବିଶ୍ୱାସୀ ସହଚର ସାଙ୍କୋକୁ ବିଦାୟ ଦେଇ ନାଇଟ ଡନ କୁଇକସୋଟ ମ୍ରିୟମାଣ ହୋଇ ପଡ଼ିଲା । ତାହାଛଡ଼ା ଡିଉକଙ୍କର ବିଳାସ ପରିପୂର୍ଣ୍ଣ ପ୍ରାସାଦରେ ଅଳସ ଜୀବନ ଯାପନ ତାହାକୁ ଆଦୌ ସୁଖକର ବୋଧ ହେଲା ନାହିଁ । ସେ ଆରାମକୁ ଘୃଣା କରେ, କାର୍ଯ୍ୟହିଁ ତାହାର ଅତି ପ୍ରିୟ । ଆଜି ସାଙ୍କୋ ତାହା ପାଖରେ ନାହିଁ, ସେ ବିଚରାର ଜୀବନର ସ୍ୱପ୍ନ ସଫଳ ହୋଇଛି, ଏବେ ସୁଖ ଶାନ୍ତିରେ ଦ୍ଵୀପ ଶାସନ କରୁ । ମାତ୍ର ଡାଲସିନିୟାଙ୍କର ଶାପ ମୋଚନ ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟଟି ସେ ନିୟମିତ ଭାବରେ କରୁଥାଉ । ଏହିସବୁ କଥା ଜଣାଇ ସେ ସାଙ୍କୋକୁ ଖଣ୍ଡିଏ ଚିଠି ଲେଖିଲା । ତା’ପରେ ସାରାଗୋସା ଅଭିମୁଖେ ଯାତ୍ରା ନିମନ୍ତେ ଶୁଭ ଦିନଟିଏ ସ୍ଥିର କରି ସେ ଡିଉକଙ୍କୁ ଜଣାଇଲା ।

 

ଡିଉକଙ୍କର ଇଚ୍ଛା ନୁହେଁ ଯେ ନାଇଟ କୁଇକସୋଟ ପାଗଳାମିର ଝୁଙ୍କରେ ପୁଣି ଆହୁରି ଦୂର ଦେଶକୁ ଯାଇ ହାସ୍ୟକର କାଣ୍ଡ ଘଟାଉ । ସେ ତ କାହାରି କଥା ଶୁଣିବ ନାହିଁ । ଏକମାତ୍ର ଉପାୟ ହେଉଛି, ତାହାର ବୀର ଗର୍ବରେ କଠିନ ଆଘାତ ପାଇଲେ ସେ ଦିଗ୍‍ବିଜୟର ସଂକଳ୍ପ ତ୍ୟାଗ କରି ଘରକୁ ଫେରି ଯାଇ ପାରେ । ତହୁଁ ସେ ଗୋଟାଏ କୌଶଳ ଫାନ୍ଦିଲେ ।

 

ଦିନେ ଡାଚେସଙ୍କର ପ୍ରଧାନ ପରିଚାରିକା କାନ୍ଦି କାନ୍ଦି କୁଇକସୋଟକୁ ଗୁହାରି କଲା–ମୋ ଝିଅ ସାଙ୍ଗରେ ଜଣେ ଧନୀ ଯୁବକର ବିବାହ ସ୍ଥିର ହୋଇଥିଲା । ସେ ବର୍ତ୍ତମାନ ବିଭା ହେବାକୁ ମନା କଲା । ଯୁବକର ବାପ ବେଳେ ବେଳେ ଡିଉକଙ୍କୁ ଟଙ୍କା ଧାର ଦିଅନ୍ତି । ସେଥିପାଇଁ ସେ ଏ ବିଷୟରେ କିଛି କରିପାରିବେ ନାହିଁ । ଏକ୍ଷଣି ଆପଣ ମୋର ଏକମାତ୍ର ସାହାଭରସା । ଶୁଣିଛି, ଆପଣ ଅନ୍ୟାୟ ଅତ୍ୟାଚାରର ବିହିତ ପ୍ରତିକାର ବିଧାନ କରନ୍ତି । ଏହି ଯୁବକକୁ ସମୁଚିତ ଦଣ୍ଡ ଦିଅନ୍ତୁ ।

 

ତାହାର ଆବେଦନ ଶୁଣି କୁଇକସୋଟ ଜବାବ ଦେଲା–ମୁଁ ସେହି ଯୁବକକୁ ଦ୍ୱନ୍ଦ୍ଵ ଯୁଦ୍ଧକୁ ଆହ୍ଵାନ କରୁଛି । ମହାମାନ୍ୟ ଡିଉକ ଏହାର ବ୍ୟବସ୍ଥା କରନ୍ତୁ । ଯୁଦ୍ଧର ସର୍ତ୍ତ ହେଉଛି, ଯଦି ମୁଁ ସେହି ଯୁବକକୁ ଦ୍ଵନ୍ଦ୍ୱ ଯୁଦ୍ଧରେ ପରାସ୍ତ କରେଁ ତାହାହେଲେ ସେ ବାଧ୍ୟ ହୋଇ ଏହି ଯୁବତୀକୁ ବିବାହ କରିବ ।

 

ଡିଉକ ଏ ପ୍ରସ୍ତାବରେ ସମ୍ମତ ହେଲେ । ସେ କଳ୍ପନାରେ ଯେଉଁ ଯୁବକକୁ ଠିଆ କରାଇଥିଲେ, ବର୍ତ୍ତମାନ ବାସ୍ତବ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୃତ୍ୟ ଟସିଲସକୁ ସେହି ସ୍ଥାନ ଗ୍ରହଣ କରିବାକୁ ଆଦେଶ ଦେଲେ । ମାତ୍ର ସେ ଟସିଲସକୁ ବାରମ୍ୱାର ହୁସିଆର କରିଦେଲେ, ଯେମିତି କୁଇକସୋଟ ସହିତ ସେ ଅଯଥା କିଛି ରକ୍ତପାତ ନ କରେ ।

 

ଦ୍ୱନ୍ଦ୍ଵ ଯୁଦ୍ଧର ପୂର୍ବଦିନ । ସକାଳେ ବିଛଣାରୁ ଉଠି କୁଇକସୋଟ ଘୋଡ଼ାରେ ଚଢ଼ି ସହରର ବାହାରେ ପଡ଼ିଆରେ ବୁଲି ହାଉଆ ଖାଉଥିଲା । ସହସା ଗୋଟାଏ ଆର୍ତ୍ତନାଦ ତାହାର କାନରେ ବାଜିଲା । ଏହି ଆର୍ତ୍ତନାଦ ନିଜର ସହଚର ସାଙ୍କୋର ବୋଲି ତାହାକୁ ମାଲୁମ ହେଲା । ତହୁଁ ସେ ସଙ୍ଗେ ସଙ୍ଗେ ସେହି ଦିଗକୁ ଘୋଡ଼ା ଛୁଟାଇଲା । କିଛି ଦୂରରେ ଗୋଟିଏ ଗଭୀର ଖାଲ ଭିତରେ ରକ୍ତ-ମାଂସ-ଦେହଧାରୀ ସାଙ୍କୋ ପାଞ୍ଜା ଓ ତାହାର ଗଧଟା ପଡ଼ିଥିଲେ । ସେ ଲୋକବାକ ଡାକି ଦଉଡ଼ି ବାନ୍ଧି ଅତି କଷ୍ଟରେ ଦୁହିଁଙ୍କୁ ଉପରକୁ ଉଠାଇଲା ।

 

ରସିକତା କରିବା ପାଇଁ ଡିଉକ ସାଙ୍କୋକୁ ଦ୍ୱୀପର ଶାସନକର୍ତ୍ତା କରି ପଠାଇଥିଲେ । ଦୁଇ ଚାରି ଦିନ ଭିତରେ ସେ ଆପେ ଆପେ ଯେମିତି ସେଠାରୁ ପଳାଇl ଆସେ, ସେଥିପାଇଁ ଡିଉକ ଗୁମାସ୍ତାକୁ କେତେକ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ନିର୍ଦ୍ଦେଶ ହେଉଛି, ସାଙ୍କୋକୁ ପେଟ ପୂରା ଖାଇବାକୁ ନ ଦେବା । କୌଣସି ନା କୌଣସି ରୋଗର ଛଳନାରେ ସରକାରୀ ଡାକ୍ତର ତାହାକୁ ଛଅ ଦିନ ଭିତରେ ଥରେ ମାତ୍ର ଖାଇବାକୁ ଦେଇଛି । ତଥାପି ଅଖିଆ ଅପିଆ ସାଙ୍କୋ ଶାସନକର୍ତ୍ତାର କାର୍ଯ୍ୟ ଭଲଭାବରେ ତୁଲାଇଛି । ଷଷ୍ଠ ଦିନର ରାତିରେ ଗୋଟାଏ ଗୋଳମାଳ ଶୁଣି ତାହାର ନିଦ ଭାଙ୍ଗିଗଲା । ଅନେକ ଲୋକ ଆସି ତାହାକୁ ଘେରିଯାଇ ପାଟିତୁଣ୍ଡ କଲେ ଯେ ସହରକୁ ଶତ୍ରୁର ଆକ୍ରମଣରୁ ରକ୍ଷା କରିବା ପାଇଁ ତାହାକୁ ଏକ୍ଷଣି ଲଢ଼େଇକୁ ଯିବାକୁ ପଡ଼ିବ । ଯୁଦ୍ଧର ପୋଷାକ କହି ତାହାକୁ ସେମାନେ ଏମିତି ଆଣ୍ଟ ଲୁହାର ଜାମାପଟା ପିନ୍ଧାଇ ଦେଲେ ଯେ ସେ ଚାଲି ନ ପାରି କଚାଡ଼ି ପଡ଼ିଲା । ସେ ତଳେ ପଡ଼ିଗଲା ମାତ୍ରେ ସମସ୍ତେ ତାହାର ପିଠି ଉପରେ ଚଢ଼ି କୁଦିଲେ । ଫଳରେ, ତାହାର ହାଡ଼ସବୁ ଚୂନା ହୋଇଗଲା । ଅବଶେଷରେ ଜଣେ କେହି ତାହାକୁ ତଳୁ ଉଠାଇ ଗଧର ପିଠିରେ ବସାଇଦେଲା । ଭୋର ହେଉ ନ ହେଉଣୁ ସାଙ୍କୋ ବେରିଟେରିୟା ତ୍ୟାଗ କଲା । ଶହେ ମାଇଲ ବାଟ । ଚାରି ପାଞ୍ଚ ଦିନ ହେଲା ସେ ଚାଲିଛି । କାଲି ରାତିରେ ସହରରେ ପ୍ରବେଶ କଲାବେଳେ ସେ ଏହି ଗଭୀର ଖାଲରେ ପଡ଼ିଗଲା । ଭାଗ୍ୟକୁ ତାହାର ପ୍ରଭୁ ପ୍ରାତଃଭ୍ରମଣରେ ଆସି ଥିବାରୁ, ସେ ମରୁଁ ମରୁଁ ବଞ୍ଚିଗଲା ।

 

ସାମାନ୍ୟ ଗୋଟାଏ କୌତୁକ ଖେଳର ଏଭଳି ଶୋଚନୀୟ ପରିଣାମର ବିବରଣୀ ଶୁଣି ଡିଉକ ଓ ଡାଚେସ ଉଭୟେ ଅତ୍ୟନ୍ତ ଦୁଃଖିତ ହେଲେ । ସେମାନେ ସ୍ଥିର କଲେ, ଏହି ଅନ୍ୟାୟର ଉପଯୁକ୍ତ କ୍ଷତିପୂରଣ ଭାବରେ ସାଙ୍କୋକୁ ବିଦାୟ ନେଲା ବେଳେ କିଛି ନଗଦ ଟଙ୍କା ଦିଆଯିବ ।

 

ଦ୍ୱନ୍ଦ୍ୱଯୁଦ୍ଧ ଦିନ । ଏକ ପକ୍ଷରେ କଙ୍କାଳସାର ଡନ କୁଇକସୋଟ ଓ ତାହାର ଧଡ଼ିଆ ଦରମଲା ଘୋଡ଼ା, ଆଉ ଅପର ପକ୍ଷରେ ମୁଖା ପିନ୍ଧା ପହିଲମାନ ଟସିଲସ ଓ ତାହାର ପ୍ରକାଣ୍ଡ ବଳିଷ୍ଠ ଘୋଡ଼ା । ଦୁଇ ପ୍ରତିଦ୍ୱନ୍ଦ୍ୱୀ ସାମନା ସାମନି ଠିଆ ହୋଇଥିଲେ । ଦର୍ଶକମାନଙ୍କ ଭିତରେ ପ୍ରଧାନ ପରିଚାରିକା ତାହାର ଝିଅକୁ ନେଇ ବସିଥିଲା । ଟସିଲସ ଝିଅଟିକୁ ଥରେ ଭଲ କରି ଦେଖିଲା ।

 

ଜଣେ କର୍ମଚାରୀ ଯୁଦ୍ଧକ୍ଷେତ୍ରରେ ମଧ୍ୟସ୍ଥ ରୂପେ ନିଯୁକ୍ତ ହୋଇଥିଲା । ସେ ଯଥାରୀତି ଟସିଲସକୁ ଶପଥ ପାଠ କରାଇଲା–ମୁଁ ଶପଥ କରୁଛି ଯେ ଯଦି ମାତେ ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚାଙ୍କ ନିକଟରେ ପରାଜୟ ସ୍ୱୀକାର କରିବାକୁ ହୁଏ, ତାହାହେଲେ ମୁଁ ବିନା ଆପତ୍ତିରେ ପରିଚାରିକା ଡୋନା ରୋଡ଼୍ରିଗେଜର କନ୍ୟାର ପାଣି ଗ୍ରହଣ କରିବାକୁ ବାଧ୍ୟ ହେବି ।

 

ତା’ପରେ ଶିଙ୍ଗା ବାଜିଲା । ପ୍ରତିନ୍ଦ୍ୱନ୍ଦ୍ୱୀ ଦୁହିଁଙ୍କୁ ପ୍ରସ୍ତୁତ ହେବା ପାଇଁ ସଙ୍କେତ ଦିଆଗଲା ।

 

କୁଇକସୋଟ ଘୋଡ଼ା ଛୁଟାଇବାକୁ ବସିଛି, ଏତିକିବେଳେ ଟସିଲସ ଚିତ୍କାର କଲା–ରହନ୍ତୁ, ରହନ୍ତୁ ! ଯୁଦ୍ଧ ଦରକାର ନାହିଁ । ଡନ କୁଇକସୋଟଙ୍କ ପରି ଜଣେ ଅପରାଜେୟ ନାଇଟଙ୍କ ସହିତ ଲଢ଼ିବା ମୋ ପକ୍ଷରେ ଶୋଭନୀୟ ନୁହେଁ । ମୁଁ ବିନା ଯୁଦ୍ଧରେ ତାହାଙ୍କ ନିକଟରେ ପରାଜୟ ସ୍ୱୀକାର କରୁଛି । ପରାଜୟ ନିମନ୍ତେ ମୋତେ ଯେଉଁ ଦଣ୍ଡ ଭୋଗିବାକୁ ହେବ, ତାହା ମଧ୍ୟ ମୁଁ ମଥା ପାତି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

 

ସୁନ୍ଦରୀ ଯୁବତୀକୁ ବିବାହ କରିବାର ଲୋଭରେ ଟସିଲସ ଡିଉକଙ୍କର ନିର୍ଦ୍ଦେଶକୁ ଉପେକ୍ଷା କଲା । କୁଇକସୋଟକୁ ଲାଞ୍ଛିତ କରିବା ପାଇଁ ଡିଉକ ଯେଉଁ ଷଡ଼ଯନ୍ତ୍ର କରିଥିଲେ ସେଟା ଚାପି ରଖିବା ଉଦ୍ଦେଶ୍ୟରେ ସେ ଟସିଲସ ଉପରେ କ୍ରୋଧ ପ୍ରକାଶ କଲେ ନାହିଁ । ଅନ୍ୟ ଲୋକର ନାମ ନେଇ ଯୁଦ୍ଧ କରିବାକୁ ଆସିଥିବା ଅପରାଧରେ ତାହାକୁ ଆପାତତଃ ଅଟକ ରଖା ହେଲା ସତ, ମାତ୍ର ତାହାକୁ ଗୋପନରେ ଆଶ୍ୱାସନା ଦିଆଗଲା ଯେ ପରିଚାରିକାର କନ୍ୟାର ଆପତ୍ତି ନ ଥିଲେ ନିଶ୍ଚୟ ତାହା ସହିତ ବିବାହ ହେବ । ଏଣେ ଟସିଲସକୁ ବିବାହ କରିବାକୁ ଝିଅ ଆପତ୍ତି କଲା ନାହିଁ-। ସୁତରାଂ ସବୁ ବିଷୟ ନିର୍ବିଘ୍ନରେ ତୁଟିଗଲା ।

 

କୁଇକସୋଟକୁ ସମ୍ମାନରେ ବିଦାୟ ଦିଆଗଲା । ଡାଚେସଙ୍କ ପକ୍ଷରୁ ସାଙ୍କୋ ପାଇଁ ମଧ୍ୟ କିଛି ଅର୍ଥର ବ୍ୟବସ୍ଥା ହେଲା । ପୁଣି ସେମାନେ ଯାତ୍ରା ଆରମ୍ଭ କଲେ । ବହୁ ବାଧାବିଘ୍ନ ଅତିକ୍ରମ କରି ଅବଶେଷରେ ସେମାନେ ସମୁଦ୍ର କୂଳରେ ଯାଇ ପହଞ୍ଚିଲେ, ଯେଉଁଠି ପ୍ରସିଦ୍ଧ ବନ୍ଦର ବାର୍ସେଲୋନା ଅବସ୍ଥିତ ।

 

ଦୀର୍ଘ ପର୍ଯ୍ୟଟନର ଶେଷଭାଗରେ ଦୁର୍ଦ୍ଧର୍ଷ ଦସ୍ୟୁ ସର୍ଦ୍ଦାର ରୋକା ଗୁଇନାର୍ଟ ସହିତ କୁଇକସୋଟର ଘନିଷ୍ଠ ପରିଚୟ ହେଲା । ସେ କୁଇକସୋଟର କୀର୍ତ୍ତି କାହାଣୀ ବହିରୁ ପଢ଼ି ବୀର ନାଇଟକୁ ଶ୍ରଦ୍ଧା କରୁଥିଲା । ପରିଚୟ ହେଲା ଠାରୁ ସେ ବରାବର କୁଇକସୋଟର ସାଥୀରେ ରହିଲା ଏବଂ ଦସ୍ୟୁ ସଙ୍କୁଳ ଅରଣ୍ୟ ଭିତରେ ତାହାକୁ ନିରାପଦରେ ନେଇ ଆସିଲା । ଦସ୍ୟୁ ହେଲେ ସୁଦ୍ଧା ଅଭିଜାତ ସମାଜରେ ସେ ଘୃଣିତ ନୁହେଁ । ତାହାର ବିଶେଷ ବନ୍ଧୁ ଆଣ୍ଟୋନିଓ ମୋରେନା ଆଗରୁ ତାହାଠାରୁ କୁଇକସୋଟର ଆଗମନର ଖବର ଜାଣିଥିଲା । ତେଣୁ ବାର୍ସେଲୋନାରେ ପହଞ୍ଚି କୁଇକସୋଟ ଦେଖି ଅବାକ ହେଲା ଯେ ଅଗଣିତ ଲୋକ ସମୁଦ୍ର କୂଳରେ ଠୁଳ ହୋଇ ତାହାର ଜୟଧ୍ୱନି କରୁଛନ୍ତି । କୁଇକସୋଟକୁ ସାଦର ଅଭ୍ୟର୍ଥନା କରି ତାହାର ଘରକୁ ନେଇଯିବା ଲାଗି ଆଣ୍ଟୋନିଓ ସେମାନଙ୍କୁ ପଠାଇଥିଲା ।

 

ଉଚ୍ଛ୍ୱସିତ ଆନନ୍ଦରେ କୁଇକସୋଟ ସହଚର ସାଙ୍କୋକୁ ଚୁପି ଚୁପି କହିଲା–ଦେଖୁଛ, ପୃଥିବୀର ସବୁ ଲୋକ ଆମ କଥା ଭଲ କରି ଜାଣିଲେଣି ।

 

ଜନତା କୁଇକସୋଟ ଓ ସାଙ୍କୋକୁ ପଟୁଆରରେ ଜୟଧ୍ୱନି କରି ଆଣ୍ଟୋନିଓର ଘରକୁ ନେଇଗଲା । ବିରାଟ ପ୍ରାସାଦ, ବିଳାସର ସମ୍ଭାରରେ ପରିପୂର୍ଣ୍ଣ । ସାରାଗୋସାର ଜାହାଜ ନ ଛାଡ଼ିବା ପର୍ଯ୍ୟନ୍ତ ସେମାନେ ସେଠାରେ ଆରାମରେ ରହିଲେ । ବୀର ଚୂଡ଼ାମଣି କୁଇକସୋଟକୁ ଦେଖିବା ପାଇଁ ପ୍ରତିଦିନ ସମ୍ଭ୍ରାନ୍ତ ନାଗରିକମାନେ ଦଳ ଦଳ ହୋଇ ଆସିଲେ ।

 

ଅବଶେଷରେ ଦିନେ ଖବର ମିଳିଲା, ସାରାଗୋସାର ଜାହାଜ ଛାଡ଼ିବ । କୁଇକସୋଟ ବନ୍ଧୁ ଆଣ୍ଟୋନିଓଠାରୁ ବିଦାୟ ନେଇ ସାଙ୍କୋ ସହିତ ଜାହାଜ ଘାଟରେ ଉପସ୍ଥିତ ହେଲା । ବହୁ ବନ୍ଧୁ ବିଦାୟ ସମ୍ଭାଷଣ ଜଣାଇବା ପାଇଁ ତାହା ସାଙ୍ଗରେ ଆସିଥିଲେ ।

 

ହଠାତ୍‍ ଦେଖାଗଲା, ଆଉ ଜଣେ ନାଇଟ ଜାହାଜ ଘାଟ ଆଡ଼କୁ ଘୋଡ଼ା ଛୁଟାଇଛି । କୁଇକସୋଟକୁ ଟିକିଏ ରହିବା ପାଇଁ ସେ ଦୂରରୁ ସଙ୍କେତ ଦେଉଛି । କୁଇକସୋଟ ଭାବିଲା–ବୋଧହୁଏ ଏହି ନାଇଟ ଜଣକ ସମ୍ମିଳନୀରେ ଯୋଗ ଦେବାକୁ ଯାଉଛି । ଯାହାହେଉ, ଭଲ ହେଲା-

 

କୁଇକସୋଟ ଠିଆହୋଇ ରହିଲା । ଆଗନ୍ତୁକ ନାଇଟ ଆସି ପହଞ୍ଚିଲା ମାତ୍ରେ ହାତରୁ ଦସ୍ତାନା ଖୋଲି କୁଇକସୋଟର ସାମନାରେ ଫିଙ୍ଗି ଦେଲା । ନାଇଟ ସମାଜର ଏହାହିଁ ହେଉଛି ଦ୍ୱନ୍ଦ୍ୱ ଯୁଦ୍ଧ ଆହ୍ଵାନର ସଙ୍କେତ । ସମସ୍ତେ ତାହାର ପରିଚୟ ତଥା ଆହ୍ଵାନର କାରଣ ଜାଣିବାକୁ ଚାହିଁଲେ-। କିନ୍ତୁ ନବାଗତ ନାଇଟ କିଛି ଜବାବ ଦେଲା ନାହିଁ ।

 

ଆଣ୍ଟୋନିଓ ଚିତ୍କାର କଲା–ଆପଣଙ୍କର ନାମ ନ କହିଲେ, ଏତେ ବଡ଼ ନାଇଟ କଦାପି ଆପଣଙ୍କ ସହିତ ଲଢ଼ିବେ ନାହିଁ । ତାଙ୍କର ତ ଆତ୍ମମର୍ଯ୍ୟାଦା ଅଛି !

 

ନବାଗତ ନାଇଟ ଜବାବ ଦେଲା–ମୋ ନାମ ଜାଣିବା କି ଦରକାର ? ଉପାଧି ଜାଣିଲେ ଯଥେଷ୍ଟ ହେବ । ମୋର ଉପାଧି ହେଉଛି ଶ୍ଵେତଚନ୍ଦ୍ର ନାଇଟ । ଦେଖନ୍ତୁ, ମୋର ଶିରସ୍ତ୍ରାଣ, ବର୍ମ, ଇତ୍ୟାଦି ସବୁଥିରେ ସେହି ଚିହ୍ନ ଅଙ୍କିତ ହୋଇଛି ।

 

କୁଇକସୋଟ ନିଜର ବନ୍ଧୁକୁ ବାଧା ଦେଇ କହିଲା–ଯଦି ସେ ଦ୍ୱନ୍ଦ୍ୱ ଯୁଦ୍ଧ କରିବାକୁ ଚାହୁଁଛନ୍ତି, କରନ୍ତୁ । ଡନ କୁଇକସୋଟ ଦ୍ୟ-ଲା-ମାଞ୍ଚା ଲଢ଼େଇ କରିବାରେ କାହାକୁ ଡରିଯିବାର ପାତ୍ର ନୁହେଁ । ସେ ପ୍ରକୃତ ନାଇଟ କି ନା, କେହି ପ୍ରଶ୍ନ ଉଠାଇ କିଛି ଫଳ ନାହିଁ । ଆଣ୍ଟୋନିଓ, ଆପଣ ମୋର ବନ୍ଧୁ, ତୁରନ୍ତ ଯୁଦ୍ଧର ବ୍ୟବସ୍ଥା କରନ୍ତୁ । ଲଢ଼େଇ ସାରି ମୋତେ ଜାହାଜରେ ଚଢ଼ିବାକୁ ହେବ ଯେ !

 

ଜାହାଜ ଘାଟରେ ଦ୍ୱନ୍ଦ୍ୱ ଯୁଦ୍ଧର ଆୟୋଜନ ହେଲା । ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ପରସ୍ପରର ସମ୍ମୁଖୀନ ହୋଇ ଠିଆ ହେଲେ । ମଧ୍ୟସ୍ଥ ସଂକେତ ଦେବାକୁ ଯିବାବେଳେ ନବାଗତ ନାଇଟ ଚିତ୍କାର କଲା–ଏହି ଯୁଦ୍ଧରେ ମୋର ସର୍ତ୍ତ ହେଉଛି, ଯେ ପରାସ୍ତ ହେବ ତାହାକୁ ବିଜୟୀର ଆଦେଶ ସର୍ବତୋଭାବେ ମାନି ଚଳିବାକୁ ହେବ ।

 

କୁଇକସୋଟ ଉଦାର କଣ୍ଠରେ କହିଲା–ଏହା ତ ଅତି ସଙ୍ଗତ ସର୍ତ୍ତ !

 

ମଧ୍ୟସ୍ଥର ସଙ୍କେତ ପାଇ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ପୂର୍ଣ୍ଣ ବେଗରେ ଘୋଡ଼ା ଛୁଟାଇ ଦେଲେ । ଦୁଇଟି ଘୋଡ଼ାର ମୁଣ୍ଡ ପ୍ରଚଣ୍ଡ ଭାବରେ ବାଡ଼େଇ ହେଲା । ସଙ୍ଗେ ସଙ୍ଗେ ରୋଜିନାଣ୍ଟି ଧକ୍କା ଖାଇ ଓଲଟି ପଡ଼ିଲା, ଆଉ କୁଇକସୋଟ ଛିଟିକି ଯାଇ ତଳେ ପଡ଼ିଲା । ତାହାର ପ୍ରତିନ୍ଦ୍ୱନ୍ଦ୍ୱୀ ବିଜୁଳି ବେଗରେ ଘୋଡ଼ାରୁ ଡେଇଁ ପଡ଼ି କୁଇକସୋଟର ଆଖି ଉପରେ ତରବାରି ଧରି କହିଲା–ନିଜର ପ୍ରତିଜ୍ଞା ଅନୁସାରେ ଆପଣ ମୋର ଆଦେଶ ପାଳନ କରିବାକୁ ରାଜି ତ ?

 

ମର୍ମାହତ କୁଇକସୋଟ କ୍ଷୀଣ ସ୍ୱରରେ ଜବାବ ଦେଲା–ନାଇଟ କେବେହେଲେ ନିଜ କଥାର ଖିଲାପ କରେନା ।

 

ତହୁଁ ନବାଗତ ନାଇଟ ସମସ୍ତଙ୍କୁ ଶୁଣାଇ ଉଚ୍ଚ ସ୍ୱରରେ କହିଲା–ତାହାହେଲେ ଶୁଣନ୍ତୁ, ନାଇଟ ମହାଶୟ । ମୋର ଆଦେଶ ଏହା ଯେ ଆପଣ ସାରାଗୋସାର ଯାତ୍ରାର ଇଚ୍ଛା ତ୍ୟାଗ କରି ବର୍ତ୍ତମାନ ଆପଣା ଘରକୁ ଫେରି ଯାଆନ୍ତୁ ଏବଂ ଅସ୍ତ୍ର ତ୍ୟାଗ କରି ଜଣେ ନିରୀହ ଗୃହସ୍ଥ ପରି ପୂରାପୂରି ବର୍ଷେ କାଳ ବାସ କରନ୍ତୁ ।

 

ଏହା କହି ସାରି ନବାଗତ ନାଇଟ ଘୋଡ଼ାରେ ଚଢ଼ି ବାର୍ସେଲୋନାକୁ ଯାଇ ବିଶ୍ରାମ କଲା । ଆଣ୍ଟୋନିଓ ବି ତାହା ପଛେ ପଛେ ସରାଇଖାନାରେ ହାଜର ହେଲା ଏବଂ ତାହାର ପରିଚୟ ପଚାରିଲା ।

 

ନବାଗତ ନାଇଟ ଜବାବ ଦେଲା–ମୁଁ ନାଇଟ ଫାଇଟ କିଛି ନୁହେଁ । ମୁଁ ଡନ କୁଇକସୋଟର ପଡ଼ିଶା । ମୋର ନାମ ସାମସନ କାରାସ୍କୋ । ତାହାର ସରଳ ଅନ୍ତର ଓ ସତ୍‍ଚରିତ୍ର ସକାଶେ ଆମେ ସମସ୍ତେ କୁଇକସୋଟକୁ ଭଲ ପାଉଁ । କିନ୍ତୁ ନାଇଟଗିରି ଦେଖାଇ ବୁଲିବା ହେଉଛି ତାହାର ଗୋଟାଏ ମସ୍ତ ପାଗଳାମି । ଯେତେ ଦିନ ଯାଏ ସେ ନିଜ ଦେଶରେ ଥିଲା, ଆମେ ତାହାର ଖବର ଅନ୍ତର ପାଉଥିଲୁ । ମାତ୍ର ଏଥର ସେ ସାରାଗୋସାର ଯାତ୍ରା ଲାଗି ସତକୁ ସତ ପ୍ରସ୍ତୁତ ହେଉଥିବାର ଶୁଣି ମୁଁ ଭାବିଲି, ଏବେ ତାହାକୁ କୌଣସି ମତେ ଏହି ଯାତ୍ରାରୁ ନିରସ୍ତ କରି ନ ପାରିଲେ, ଜୀବନରେ ଆଉ ଆମେ ତାହାକୁ ଫେରି ପାଇବୁ ନାହିଁ । ତେଣୁ ମୋତେ ଶେଷକୁ ଏହି କୌଶଳର ଆଶ୍ରୟ ନେବାକୁ ପଡ଼ିଲା ।

 

କାରାସ୍କୋର ଗୁପ୍ତ ଚତୁର କୌଶଳ ସଫଳ ହେଲା ସତ, ମାତ୍ର ଶେଷ ରକ୍ଷା ହେଲା ନାହିଁ । କାରଣ ଡନ କୁଇକସୋଟ ଅସ୍ତ୍ର ତ୍ୟାଗ କରି ଘରକୁ ଫେରି ଆସିଲା ସିନା, କିନ୍ତୁ ବର୍ଷଟିଏ ବଞ୍ଚିଲା ନାହିଁ । ନିଜ ଜୀବନର ଆଦର୍ଶ ଏପରି ଭାବରେ ବିନଷ୍ଟ ହେବାର ଦେଖି ସେ ଭଗ୍ନ ହୃଦୟରେ ଅକସ୍ମାତ୍‍ ପ୍ରାଣତ୍ୟାଗ କଲା ।

 

କୁଇକସୋଟର ମୃତ୍ୟୁ ପରେ ତାହାର ଦାନପତ୍ରରୁ ଜଣାଗଲା, ଆପଣା ସମ୍ପତ୍ତିର ଏକ ମୋଟା ଅଂଶ ସେ ନିଜର ବିଶ୍ୱସ୍ତ ସହଚର ସାଙ୍କୋ ପାଞ୍ଜାକୁ ଦେଇ ଯାଇଛି ।

✽✽✽

 

ଲିଅନ ଫୟେଟଭାନଗାର

Unknown

ସୀମା

 

ତିନି ସପ୍ତାହ ହେଲା ବରାବର ଶରଣାର୍ଥୀମାନଙ୍କୁ ଦେଖାଯାଉଛି, ପ୍ରଥମେ ଆସୁଥିଲେ ଖାଲି ଓଲନ୍ଦାଜ ଓ ବେଲଜିୟାନମାନେ, ମାତ୍ର ବର୍ତ୍ତମାନ ଉତ୍ତର ଫ୍ରାନ୍ସର ଅଧିବାସୀମାନେ ମଧ୍ୟ ଅଗ୍ରଗାମୀ ଶତ୍ରୁ ସୈନ୍ୟର ହାତରୁ ରକ୍ଷାପାଇବା ନିମନ୍ତେ ଦକ୍ଷିଣ ଅଞ୍ଚଳକୁ ପଳାଇ ଆସୁଛନ୍ତି । ଏକ୍ଷଣି ବାର୍ଗେଣ୍ଡୀ ସହର ସାରା ଦୁର୍ଗତ ଶରଣାର୍ଥୀମାନେ ଦଳ ଦଳ ହୋଇ ଛାଇ ଗଲେଣି ।

 

ଗଲା କାଲି ସାଇକେଲରେ ବଜାରକୁ ଯିବା ବେଳେ ସୀମାକୁ ଅତି କଷ୍ଟରେ ଭିଡ଼ ଭିତରେ ବାଟ କାଟି ଯିବାକୁ ହୋଇଥିଲା । ଆଜି ସେ ଘରେ ସାଇକେଲ ରଖିଦେଇ ଆସିଥିଲା । ଯେତେଥର ସେ ସହରକୁ ଯାଇଛି, ଶରଣାର୍ଥୀମାନଙ୍କର କରୁଣ ଓ ଅସହାୟ ଅବସ୍ଥା ଦେଖି ତାହାର ମନରେ ଭୟ ଓ ଆତଙ୍କ ଉପୁଜିଛି ଏବଂ କରୁଣା ଓ କୋମଳତାରେ ତାହାର ହୃଦୟ ବିଚଳିତ ହୋଇଛି ।

 

ସୀମା ପ୍ଲାନକାର୍ଡ଼ ରାସ୍ତାର ମୋଡ଼ରେ ଆସି ପହଞ୍ଚିଲା । ଏହି ଅବହେଳିତ ଜନହୀନ ପରିଷ୍କାର ସରୁ ପଥରେ ବି ଶରଣାର୍ଥୀମାନେ ଆସି ଭିଡ଼ କଲେଣି । ପନ୍ଦର ବର୍ଷର କିଶୋରୀ, ଦୀର୍ଘକାୟା, ପରିଧାନ ସବୁଜ ଛିଟର ପୋଷାକ, ହାତରେ ଗୋଟିଏ ବଡ଼ ବେତର ଝୁଡ଼ି, ପାଉଁଶିଆ କେଶ, ପ୍ରଶସ୍ତ କପାଳ ତଳେ ଯୋଡ଼ିଏ କଳା ଆଖି, ବୁଦ୍ଧିଦୀପ୍ତ ଚିନ୍ତାକୁଳ ମୁଖ, କଠିନ ଚିବୁକ, ଆଉ ଠିଆ ନାକ । ଦିପହରେ ଉତ୍ତାପ ଓ ଧୂଳି ଭିତରେ ଛିଡ଼ା ହୋଇ ସେ ଶରଣାର୍ଥୀମାନଙ୍କର ପଟୁଆର ଦେଖିଲା ଏବଂ କିଛି କ୍ଷଣ ପରେ ଦ୍ରୁତ ଗତିରେ ସିଧା ସହର ଆଡ଼କୁ ଅଗ୍ରସର ହେଲା । କାରଣ ପ୍ଲାନକାର୍ଡ଼ ପରିବାର ପାଇଁ ଲମ୍ବ ତାଲିକା ଅନୁଯାୟୀ ପ୍ରୟୋଜନୀୟ ଜିନିଷପତ୍ରସବୁ କିଣି ନିର୍ଦ୍ଦିଷ୍ଟ ସମୟ ଭିତରେ ତାହାକୁ “ଭିଲା ମନରେପୋ”କୁ ଫେରି ଆସିବାକୁ ପଡ଼ିବ ।

 

ସୀମା ସହର ଭିତରକୁ ଆସି ଗିର୍ଜା ସାମନା ଉଦ୍ୟାନ ପାଖରେ ପହଞ୍ଚିଲା । ସେ ଦେଖିଲା, ଏଠାରେ ବି ଶରଣାର୍ଥୀମାନଙ୍କର ଭିଡ଼ ହୋଇଛି ଏବଂ ସହରବାସୀମାନେ ଠିଆହୋଇ ସେମାନଙ୍କର କରୁଣ କାହାଣୀ ଶୁଣୁଛନ୍ତି । ଆସିଲା ବେଳେ ବାଟରେ ଜର୍ମାନ ବିମାନରୁ ବାରମ୍ବାର ସେମାନଙ୍କ ଉପରେ ବୋମା ବୃଷ୍ଟି ହୋଇଛି । ଅଗଣିତ ଶରଣାର୍ଥୀ ଭୂଇଁରେ ନଡ଼ା ବିଛାଇ ଅସହାୟ ଅବସ୍ଥାରେ ଶୋଇଥିଲେ । ବହୁ ଶରଣାର୍ଥୀ ଦୋକାନ ଦୋକାନ ବୁଲୁଥିଲେ । ପ୍ରାୟ ସବୁ ଦୋକାନ ବନ୍ଦ ଥିଲା ଏବଂ ସାମନାରେ ଖାଲି ବିଜ୍ଞାପନ ଝୁଲୁଥିଲା–ରୋଟି ନାହିଁ, ମାଂସ ନାହିଁ, ପେଟ୍ରୋଲ ନାହିଁ, ତମାଖୁ ନାହିଁ ।

 

ଏହି ଦୁର୍ଦ୍ଦିନରେ ଦୋକାନ ବନ୍ଦ ଥିଲେ ସୁଦ୍ଧା ପଛ ବାଟେ ଭିତରକୁ ପଶିଯିବାର କାଇଦା ସୀମାକୁ ବେଶ୍‍ ମାଲୁମ ଥିଲା । ସେ ଦୋକାନ ଦୋକାନ ବୁଲି ପ୍ଲାନକାର୍ଡ଼ ପରିବାର ସକାଶେ ତାଲିକା ଭୁକ୍ତ ଦ୍ରବ୍ୟସବୁ ଖରିଦ କଲା । ପ୍ରାୟ ଅଧିକାଂଶ ଦୋକାନର ମାଲିକମାନେ ସହର ଛାଡ଼ି ପଳାଇ ଯାଇଥିଲେ । ଉଦ୍ୟାନର ପାଚେରୀ କଡ଼ରେ ଦୁଇଜଣ ଶରଣାର୍ଥୀ ବସିଥିଲେ–ବୟସ୍କ ଓ ବାଳକଟିଏ । ପିଲାଟି ଅତି ରୁଷ୍ଟ ଭାବରେ ତାହା ଆଡ଼କୁ ଅନାଇବାରୁ, ସୀମା ସଙ୍ଗେ ସଙ୍ଗେ ଖଣ୍ଡିଏ ରବେଲକନ ଚିଜ ତାହର ହାତରେ ଧରାଇ ଦେଇ ଭୀତତ୍ରସ୍ତ ହୋଇ ପଳାଇଗଲା ।

 

ମାଜିନୋ ଲାଇନ ଓ ସୈନ୍ୟବାହିନୀର ସତର୍କତା ସତ୍ତ୍ୱେ ସହସା ରାତାରାତି ଶତ୍ରୁ ସୈନ୍ୟମାନେ ଦେଶ ଭିତରକୁ ପଶି ଆସିଛନ୍ତି ଏବଂ ସାରା ଫ୍ରାନ୍ସରେ ଦୁଃଖ ଓ ଦୁର୍ଦ୍ଦଶାରେ ଅର୍ଦ୍ଧୋନ୍ମତ୍ତ ଅସହାୟ ଶରଣାର୍ଥୀମାନେ ଦଳ ଦଳ ହୋଇ ଭରି ଯାଇଛନ୍ତି ।

 

ସୀମା ଭିଲା ମନରେପୋର ସୁଖ ଓ ସ୍ୱାଚ୍ଛନ୍ଦ୍ୟର ପରିବେଶରେ ପ୍ରତିପାଳିତ । ଦଶ ବର୍ଷ ବୟସରେ ତାହାର ବାବା ମରିଗଲାଠୁଁ ସେ ଏହି ଘରେ ଜଣେ ଦରିଦ୍ର ଆତ୍ମୀୟ ଭାବରେ କଷ୍ଟରେ ବାସ କରୁଛି । ତାହାକୁ ଜଣେ ପ୍ରକୃତ ଦାସୀ ଭାବରେ କଠିନ ପରିଶ୍ରମ କରିବାକୁ ପଡ଼େ । ତାହାର ବାବାର ସାନ ଭାଇ ପ୍ରସପାର ଦାଦାଙ୍କ ହୁକୁମ ଅନୁସାରେ ତାହାକୁ ଏ ଘରର ଜଣେ ବୋଲି ଧରାଯାଏ । କର୍ତ୍ତବ୍ୟ ଓ ସୁବିଧା ଉଭୟକୁ ସେ ସ୍ଵାଭାବିକ ନିୟମ ହିସାବରେ ମାନି ଚଳୁଛି । ଦାଦାଙ୍କର ମାଆ ଶ୍ରୀମତୀ ପ୍ଲାନକାର୍ଡ଼ଙ୍କର ସକଳ ଆଦେଶ ଓ ନିର୍ଦ୍ଦେଶ ସେ ଅକୁଣ୍ଠିତ ଚିତ୍ତରେ ପାଳନ କରେ ।

 

ପ୍ରସପାର ଜଣେ ସଦୟ ଓ ସହୃଦୟ ଫରାସୀ ଭଦ୍ରଲୋକ ଏବଂ ଅତ୍ୟନ୍ତ ସ୍ଵଦେଶ ହିତୈଷୀ । ନିଜର ଯାନବାହନ ବ୍ୟବସାୟରେ ସେ ସର୍ବଦା ବ୍ୟସ୍ତ । ଶ୍ରୀମତୀ ପ୍ଲାନକାର୍ଡ଼ ସାମ୍ପ୍ରତିକ ଘଟଣାବଳୀଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଘର ଭିତରେ ରହି ଦିନ କାଟୁଛନ୍ତି ।

 

ସୀମାକୁ ଏକ୍ଷଣି ଇତେନ ସହିତ ଦେଖା କରି ଯିବାକୁ ହେବ । ଇତେନ ଚାତିଲୋର ମେସିନର କାରଖାନାରେ କାମ କରୁଛି । ସୀମା ଓ ଇତେନଙ୍କ ଭିତରେ ଘନିଷ୍ଠ ବନ୍ଧୁତା ଅଛି । ଇତେନ ସୀମାକୁ ଭଲ ପାଏ । ଇତେନ ହେଉଛି ସୀମାର ଅନ୍ତରଙ୍ଗ ସହପାଠିନୀ ହେନରିୟେଟର ଭାଇ । କିନ୍ତୁ ସହରର ନୂତନ ଅଞ୍ଚଳରେ ପହଞ୍ଚି ପୂର୍ବ ମତ ପରିବର୍ତ୍ତନ କରି ସୀମା ପେରୀ ବାସଟିଡ ସହିତ ଦେଖା କରିବ ବୋଲି ସ୍ଥିର କଲା । ପେରୀ ହେଉଛି ଭିଲା ମନରେପୋର ପୁରୁଣା ଦପ୍ତରୀ । ଦୀର୍ଘକାଳ ହେଲା ବ୍ୟବସାୟରୁ ଅବସର ନେଇଥିଲେ ସୁଦ୍ଧା, ଆତ୍ମତୃପ୍ତି ପାଇଁ ସେ ଏବେ ବି ବହି ବାନ୍ଧେ ଏବଂ ବୁଲିବାକୁ ଭଲ ପାଏ । ସୀମା କାଚ ଝରକା ବାଟେ ଦେଖିଲା, ବୃଦ୍ଧ ପେରୀ ଆରାମ ଚଉକିରେ ଶୋଇପଡ଼ିଛି । ସୀମା ଘର ଭିତରକୁ ପଶିଯାଇ ସଶବ୍ଦରେ ଦୁଆର ବନ୍ଦ କଲା । ତାହାର ପାଦ ଶବ୍ଦରେ ପେରୀର ନିଦ ଭାଙ୍ଗି ଗଲା । ସେ ସୀମାକୁ ଦେଖି ଖୁସି ହେଲା । ସୀମାକୁ ଗୋଟିଏ ଚଉକିରେ ବସାଇ ସେ ଘର ଭିତରେ ପଦଚାରଣ କରୁଁ କରୁଁ ଉତ୍ତେଜିତ ସ୍ଵରରେ କହିଲା–ଜାଣୁ, ଆମେ କେତେ ତଳକୁ ଚାଲି ଗଲୁଣି । ଶରଣାର୍ଥୀମାନଙ୍କର ପଳାଇ ଆସିବା ଗୋଟାଏ ତୁଛା ପାଗଳାମି ଛଡ଼ା ଆଉ କିଛି ନୁହେଁ । ଗୋଟାଏ ବିପଦରୁ ସେମାନେ ଆଉ ଗୋଟାଏ ବଡ଼ ବିପଦ ଭିତରକୁ ଡେଇଁ ପଡ଼ିଛନ୍ତି । ସେମାନେ ରାସ୍ତାରେ ଜମା ହୋଇଥିବାରୁ, ଆମର ରିଜାର୍ଭ ବାହିନୀ ଆଗେଇ ପାରୁ ନାହିଁ । ପ୍ରଧାନ ମନ୍ତ୍ରୀ ବେତାର ଭାଷଣରେ କହିଛନ୍ତି, ଆମ ସୈନ୍ୟମାନଙ୍କର ଯେଉଁଠି ରହିବାର କଥା ସେଠାରେ ସେମାନେ ନାହାନ୍ତି । ସେଥିପାଇଁ ସେ ଗୋଟାଏ ବିଦ୍ରୋହର ସୂଚନା ଦେଇଛନ୍ତି । ଫ୍ରାନ୍ସ ଏକ ଐତିହାସିକ ମନ୍ଦିର । ବହୁ ଶତାବ୍ଦୀର ସମବେତ ଦୁଃଖ, ଯାତନା ଓ ଲାଞ୍ଛନା ଭିତରେ ଏହି ପ୍ରକାଣ୍ଡ ମନ୍ଦିର ଧୀରେ ଧୀରେ ଠିଆ ହୋଇଛି । ତୁ କଅଣ ବିଶ୍ୱାସ କରୁ, ମାଆ, ଏମିତି ଫରାସୀ ଅଛି ଯେ ଦେଶର ସଙ୍କଟ କାଳରେ ବିଶ୍ୱାସଘାତକତା କରିପାରେ ? ମୁଁ ତ ଏହା କଦାପି ବିଶ୍ୱାସ କରିପାରୁ ନାହିଁ ।

 

ନିଜର ଦୁଃଖ ଓ କ୍ରୋଧ ଭିତରେ ବୃଦ୍ଧ ପେରୀ ସହସା ପ୍ରୀତିପୂର୍ଣ୍ଣ ଦୃଷ୍ଟିରେ ସୀମାକୁ ଅନାଇ ପୁଣି କହିଲା–‘ମାଆ, ତୁ ନିଶ୍ଚୟ ମୋ ପାଖକୁ ଏସବୁ କଥା ଶୁଣିବାକୁ ଆସି ନାହୁଁ । ଆଚ୍ଛା, ଟିକିଏ ରହ ।

 

ସଙ୍ଗେ ସଙ୍ଗେ ପେରୀ ପାଖ ଘରକୁ ଚାଲିଗଲା ଏବଂ ଗୋଟାଏ ବହି ପୁଡ଼ିଆ ଆଣି ସୀମାର ହାତକୁ ବଢ଼ାଇଦେଲା ।

ପୁଣି ଝରକା ବାଟେ ରାଜପଥ ଆଡ଼କୁ ଅନାଇ ପେରୀ କହିଲା–ଜାଣୁ ମାଆ, ଫ୍ରାନ୍ସ ବହୁବାର ବିପଦରେ ପଡ଼ିଛି, କିନ୍ତୁ ସେହି ବିପଦ ଆପେ ଆପେ କଟି ଯାଇଛି ।

ତାହା ଏହି ଆତ୍ମବିଶ୍ଵାସ ସୀମାର ଅନ୍ତର ଛୁଇଁଲା । ସଙ୍ଗେ ସଙ୍ଗେ ପ୍ରାଚ୍ୟରେ ଗୋଟିଏ ବାଣୀ ତାହାର ମନେପଡ଼ିଲା–ଯଦି ଏକ୍ଷଣି ନ ହୁଏ ତ କେବେ ହେବ ? ଯଦି ତୁମେ ନ ପାରିବ ତ ଆଉ କିଏ ପାରିବ ?

ନୂତନ ସହରର ପଶ୍ଚିମ ପ୍ରାନ୍ତରେ ପ୍ଲାନକାର୍ଡ଼ ଟ୍ରାନ୍ସପୋର୍ଟ କମ୍ପାନୀ, ବଡ଼ ରାସ୍ତାରୁ ଟିକିଏ ଭିତରକୁ । ଶରଣାର୍ଥୀମାନଙ୍କ ହାତରୁ ରକ୍ଷାପାଇବା ପାଇଁ ପ୍ରସପାର ଯଥେଷ୍ଟ ବ୍ୟବସ୍ଥା କରିଛି । ସେଠାକୁ ଯିବାର ରାସ୍ତାରେ ଜଞ୍ଜିର ବନ୍ଧାଯାଇ ଗୋଟିଏ ବଡ଼ ସାଇନବୋର୍ଡ଼ ଝୁଲା ହୋଇଛି–“ପ୍ରାଇଭେଟ ରାସ୍ତା, କେବଳ ଏହି ଘରକୁ ଯିବା ପାଇଁ ।” କାରଖାନାର ଦୁଇଜଣ ଶ୍ରମିକଙ୍କୁ ଜଗୁଆଳି କାମରେ ମୁତୟନ କରା ଯାଇଛି । ପ୍ରାଙ୍ଗଣରେ ଅବରୁଦ୍ଧ ଫାଟକରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି–“ପେଟ୍ରୋଲ ନାହିଁ, ମରାମତି କାମ ହୁଏନା, ପାର୍ଟସ୍‍ ନାହିଁ, ରାସ୍ତାର ମାନଚିତ୍ର ମିଳେନା ।”

ଏଠାରେ ବି ସୀମାକୁ ଗୁପ୍ତ ଇଙ୍ଗିତ ସାହାଯ୍ୟରେ ପ୍ରବେଶ କରିବାକୁ ହେଲା । ଅଫିସ ଘରେ ପ୍ରସପାର ଦାଦାକୁ ନ ଦେଖି ପ୍ରଥମେ ସୀମା ଟିକିଏ ବିସ୍ମିତ ହେଲା । ଜଣେ କର୍ମଚାରୀଠାରୁ ଜାଣିଲା ଯେ ସେ ଖାସ୍‍ କୋଠରୀରେ କବାଟ କିଳି ଫାସିଷ୍ଟ ସାଟାଲିନ ସହିତ କଥା ହେଉଛି । ପେଟ୍ରୋଲ ପମ୍ପର ଚାବିକାଠି ନେଇ ସୀମା ପ୍ରାଙ୍ଗଣ ଟପି ନିଜର କାମରେ ଚାଲିଲା । ପ୍ରସପାର ଯେଉଁ କାମର ଦାୟିତ୍ଵ ସାଧାରଣତଃ କର୍ମଚାରୀଙ୍କ ଉପରେ ଦେବା କ୍ଷତିକର ବୋଲି ମନେକରେ, ସେ ସେହି କାମ ସୀମାକୁ ଦିଏ । ପେଟ୍ରୋଲ ପମ୍ପର କାମଟା ସେହି ଧରଣର । ପଡ଼ି ଆଇନ ଅନୁସାରେ ଯେତିକି ପେଟ୍ରୋଲ ରଖିବାର କଥା, ସେ ତାହାଠାରୁ ଅଧିକ ପରିମାଣରେ ପେଟ୍ରୋଲ ମହଜୁତ ରଖିଛି ଏବି କଳା ବଜାରରେ ଚଢ଼ା ଦାମରେ ତାହାକୁ ବିକୁଛି । ଗଲା କେତେଦିନ ହେଲା ପେଟ୍ରୋଲ ଉତ୍କୃଷ୍ଟ ମଦଠାରୁ ବି ମୂଲ୍ୟବାନ ହୋଇଛି । ତେଣୁ ପେଟ୍ରୋଲ ବିକ୍ରିର ସମୟ ଅପରାହ୍ନରେ କିଛି କ୍ଷଣ ପାଇଁ ସୀମାବଦ୍ଧ କରି ସେ ଏହି ଝିଅଟି ଉପରେ ତାହାର ଭାର ଦେଇଛି ।

ଅନମନୀୟ ଗମ୍ଭୀର ମୁଖରେ ସୀମା ପେଟ୍ରୋଲ ପମ୍ପର କାମ ଆରମ୍ଭ କଲା । ଖରିଦଦାରମାନେ ଆସି ଅତିଶୟ ବିରକ୍ତ ହୋଇ ଚଢ଼ା ଦାମରେ ପେଟ୍ରୋଲ କିଣିବାକୁ ଲାଗିଲେ ।

ଗେରେଜର ପ୍ରବେଶ ଦ୍ଵାରରେ ସୀମା ଡ୍ରାଇଭର ମରିସକୁ ଦେଖି ଟିକିଏ ସ୍ଵସ୍ତି ଅନୁଭବ କଲା । ମରିସ ତରୁଣ, ଦୁର୍ବିନୀତ, ଗୋଲ ମୁଖ, ମୋଟାସୋଟା ଏବଂ ପ୍ରସାରର ବିରୋଧୀ ରାଜନୈତିକ ମତବାଦୀ । ସେ ଦୀର୍ଘ ଅଳସ ପଦକ୍ଷେପରେ ଆଗେଇ ଯାଇ ଦଳର ଅନ୍ୟମାନଙ୍କ ସାଙ୍ଗରେ ବେଞ୍ଚର ଗୋଟାଏ ପାଖରେ ବସିଲା । ତା’ପରେ ସେମାନଙ୍କ ଭିତରେ ବର୍ତ୍ତମାନ ପରିସ୍ଥିତି ସମ୍ବନ୍ଧରେ ଆଲୋଚନା ଚାଲିଲା । ମରିସର ବକ୍ତବ୍ୟ ସୁସ୍ପଷ୍ଟ ଓ ତୀବ୍ର ମାଲୁମ ହେଉଥିଲା ।

ମରିସ ଉଚ୍ଚ ସ୍ଵରରେ କହିଲା–ଫ୍ରାନ୍ସର ଦୁଇଶହ ପୁଞ୍ଜିପତି ପରିବାରକୁ ଆମେ ଉଡ଼ାଇ ଦେଇ ପାରି ଥାଆନ୍ତେ, ଯଦି ଆମେ ବାମପନ୍ଥୀ ବୁର୍ଜୋୟା ଦଳର ସହାୟତାରେ ସଂଖ୍ୟା ଗୁରୁ ହୋଇ ପାରି ଥାଆନ୍ତେ । କିନ୍ତୁ ଅସଲ କାମ ବେଳକୁ ଏହି ବୁର୍ଜୋୟା ଦଳ ଆମକୁ ପୃଷ୍ଠ ପ୍ରଦର୍ଶନ କଲେ । ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି । ଶେଷ କାଳରେ ଆମ ଭଳି କେରାଣ୍ଡିଙ୍କୁ ଠେଲା ସମ୍ଭାଳିବାକୁ ପଡ଼ୁଛି ।

ମରିସା ନୀଳ ଜାମାର ଛାତି ଖୋଲି ଦେଇ ବେଞ୍ଚରେ ଆରାମରେ ବସି ଅନର୍ଗଳ ଗପୁଥିଲା, ଆଉ ଅନ୍ୟମାନେ ତାହାର କଥା ଶୁଣୁଥିଲେ । ସୀମା ମରିସକୁ ଉଦ୍ଧତ କଣ୍ଠରେ କହିବାର ଶୁଣି ପାରିଲା–ହେଇ ଦେଖୁନ, ମାନନୀୟା ଝିଆରୀ ସେଠାରେ ଠିଆହୋଇ କେମିତି ଲୋକଙ୍କୁ ଭୁଲାଉଛି । ସୀମାର ମୁଖ ଭଙ୍ଗୀ କଠୋର ହେଲା । ସେ ତ ମରିସର କିଛି କରି ନାହିଁ, କିନ୍ତୁ ମରିସ କାହିଁକି ତାହାକୁ ଏମିତି ଘୃଣା କରୁଛି ? ତାହାର ଛାତି ଭିତରୁ କୋହ ଉଠିଲା, ମାତ୍ର ସେ ସଂଯତ ହୋଇ ସିଧା ସାମନାକୁ ଅନାଇ ରହିଲା । ତାହାର ସୂର୍ଯ୍ୟତପ୍ତ ଲାଲ ଘର୍ମାକ୍ତ ମୁଖଟି ବେଶ୍‍ ଶାନ୍ତ ଦିଶୁଥିଲା, କିନ୍ତୁ ତାହାର ପ୍ରଶସ୍ତ ଦୃଢ଼ ଭ୍ରୂର ପଛରେ ବିଭ୍ରାନ୍ତିକର ଚିନ୍ତା ଓ ଛବି ଭାସି ଆସି ତାହାକୁ ଉତ୍ପୀଡ଼ନ କରୁଥିଲା ।

ଅବଶେଷରେ ସମୟ ହେଲାରୁ, ଘରକୁ ଯିବା ପାଇଁ ସୀମା ଦୃଢ଼ ଓ କଠିନ ପଦକ୍ଷେପରେ ପ୍ରାଙ୍ଗଣ ଟପିବାକୁ ବସିଲା ବେଳେ ମରିସ ଉଦ୍ଧତ କଣ୍ଠରେ କହିଲା–ବିଦାୟ, କୁମାରୀ ସୀମା । ଏହି ମାମୁଲି କଥାଟି ଗୋଟାଏ ପ୍ରଚଣ୍ଡ ଆଘାତ ପରି ସୀମାର ଦେହରେ ବାଜିଲା-। ସେ ବି ଗଭୀର ସ୍ଵରରେ ଜବାବ ଦେଲା–ବିଦାୟ । ତା’ପରେ ସେ ଅଫିସ ଘରେ ଚାବିକାଠି ରଖିଦେଇ ବାହାରିଗଲା ।

ସୀମା ଘରକୁ ଫେରି ଆସି ଗାଧୋଇ ପାଧୋଇ ନୈଶ ଭୋଜନ ପାଇଁ ପ୍ରସ୍ତୁତ ହେଲା । ପ୍ରସପାର ଦାଦା ଆଜି ଟିକିଏ ଉଛୁରରେ ଫେରିବ ବୋଲି ସକାଳେ କହୁଥିଲ । ତାହାର ବୁଢ଼ୀ ମାଆ ଏକ୍ଷଣି ଘରେ ବସିଛି ।

ଘରଟି ଧୂସର, ଶାନ୍ତ ଓ ପ୍ରଶସ୍ତ, ରାଜସିକ ବାର୍ଗେଣ୍ଡୀୟ ଆସବାବପତ୍ରରେ ସୁସଜ୍ଜିତ, ଆଉ ନୀଳ କକ୍ଷ ନାମରେ ଅଭିହିତ । ଆଗରୁ ପ୍ଲାନକାର୍ଡ଼ ପରିବାର ପୁରୁଣା ସହରରେ ବାସ କରୁଥିଲା । କେତେ ବର୍ଷ ହେଲା ପ୍ରସପାର ଅଫିସଠାରୁ ଦୂରରେ ସହରର ପୂର୍ବ ପ୍ରାନ୍ତରେ ଏହି ରମଣୀୟ ଅଟ୍ଟାଳିକା ନିର୍ମାଣ କରି “ଭିଲା ମନରେପୋ’’ ନାମ ଦେଇଛି । ଘରର ଚାରିପଟେ ଫାଙ୍କା ଜମି । ଏକ ଦିଗରେ ଚକ୍ରାକାର ସେରିନ ଉପତ୍ୟକାର ଚମତ୍କାର ଅରଣ୍ୟ ଓ ପାର୍ବତ୍ୟ ଦୃଶ୍ୟ, ଆଉ ଅପର ଦିଗରେ ଛୋଟ ନୈରେଟ ଗାଁଟି ଦେଖାଯାଏ ।

ବାଦାମୀ ପୋଷାକ ପିନ୍ଧି ସୀମା ଖଣ୍ଡିଏ ଛୋଟ ଚଉକିରେ ବସିଥିଲା । ଭୋଜନ କକ୍ଷର ପରଦା ଶୋଭିତ ପ୍ରକାଣ୍ଡ ଦରଜା ଖୋଲା ଥିଲା । ଅତି ଯତ୍ନରେ ସେ ଟେବୁଲ ସଜାଇଥିଲା–ପ୍ଲେଟ, ଗିଲାସ, ରୂପା ବାସନ, ଶାମୁକା ଧରିବାର ଚିମୁଟା, ହାତ ଧୁଆ ଫିଙ୍ଗର ବାଉଲ, ବରଫର ପାତ୍ରରେ ଶ୍ୱେତ ମଦିରା ସାବଲେ, ମେଣ୍ଢା ଫଡ଼ିଆର ପାତ୍ର, ରକ୍ତ ବର୍ଣ୍ଣ ମଦିରା ପମାର, ସାଇଡ ବୋର୍ଡ଼ରେ କମଳା ମାର୍ମାଲେଡ଼ ଓ ମଦ । ନିଷ୍ପ୍ରଦୀପ ଆଇନ ଅନୁସାରେ ସୀମା ଅନ୍ୟ କୋଠରୀର ଝରକା ବନ୍ଦ କରି ପରଦା ପକାଇ ଦେଲା । ବୁଢ଼ୀ ଆସିଲେ ନୀଳ କକ୍ଷ ଓ ଭୋଜନ କକ୍ଷର ପରଦା ପଡ଼ିବ ।

ସ୍ଥୂଳାଙ୍ଗୀ ବୁଢ଼ୀ ଘରେ ପ୍ରବେଶ କଲା–ପ୍ରାୟ ଷାଠିଏ ବର୍ଷ, କଳା ରେଶମୀ ପୋଷାକ ପରିହିତ, ଦରପାଚିଲା କେଶ, ଆଉ ନମ୍ର । ସୀମା ଉଠି ଠିଆ ହେଲା । ବୁଢ଼ୀ ଚଉକିରେ ବସିପଡ଼ି କୋମଳ କଣ୍ଠରେ କହିଲା–ପରଦାସବୁ ପକାଇ ଦେ । ସଙ୍ଗେ ସଙ୍ଗେ ସୀମା ପରଦା ପକାଇ ଦୁଇଟି କକ୍ଷର ଆଲୁଅରେ ସୁଇଚ ଟିପିଦେଲା । ବୁଢ଼ୀ ଉଜ୍ଜ୍ୱଳ ଆଲୁଅ ପସନ୍ଦ କରେ । ସୀମା ପୁଣି ଛୋଟ ଚଉକିଟିରେ ବସିପଡ଼ିଲା । ଦେହର ଓଜନ ହେତୁ ବୁଢ଼ୀ ଭାରୀ ନିଃଶ୍ଵାସ ଛାଡ଼ୁଥିଲା ଏବଂ ପ୍ରସପାରର ନୀରବ ପ୍ରତୀକ୍ଷାରେ ଶାନ୍ତ ଭାବରେ ବସିଥିଲା ।

 

ପ୍ରସପାର ଦାଦା ଅବିବାହିତ, ମାତ୍ର ସଚ୍ଚରିତ୍ର ନୁହେଁ । ମଝିରେ ମଝିରେ ଘରକୁ ଫେରିଲା ବେଳେ ସେ କୌଣସି ସ୍ତ୍ରୀଲୋକର ଘରକୁ ଯାଏ । ଯୁଦ୍ଧକୁ ଯାଇଥିବା ଡାକ୍ତର ସିମେରେଲସର ସ୍ତ୍ରୀ ସହିତ ତାହାର ଅବୈଧ ସଂସର୍ଗ ସମ୍ବନ୍ଧରେ ଜନରବ ଶୁଣାଯାଏ । ବୁଢ଼ୀ ଏସବୁ କଥା ଜାଣେ । ପ୍ରସପାରର ବାବା ହେନରୀ ପ୍ଲାନକାର୍ଡ଼ର ପ୍ରଥମ ସ୍ତ୍ରୀର ସନ୍ତାନ ହେଲା ପୀୟର ପ୍ଲାନକାର୍ଡ଼, ସୀମାର ବାବା । ଆଶ୍ଚର୍ଯ୍ୟର, ସେଣ୍ଟମାର୍ଟିନର ଧନୀ ଓ ସମ୍ମାନିତା ତରୁଣୀ ହେନରୀ ପରି ଜଣେ କପର୍ଦକହୀନ ବିପତ୍ନୀକକୁ ନଅ ବର୍ଷର ସନ୍ତାନ ସମେତ ବିଭା ହୋଇଥିଲା । ସୀମାର ପିତାମହ ଥିଲା କଳ୍ପନାବିଳାସୀ, ପ୍ରିୟଦର୍ଶନ, ବହୁବିଧ ବିଷୟରେ ଆଗ୍ରହଶୀଳ ଓ ବଦଖରଚି । ଏଣେ ବୁଢ଼ୀ କଠୋର, ଦୃଢ଼ ଚିତ୍ତ ଓ କଞ୍ଜୁସ ଥିବାରୁ ଉଭୟଙ୍କ ଭିତରେ ସେମିତିକା ମେଳ ନ ଥିଲା ।

 

ଅବଶେଷରେ ସ୍ତବ୍ଧତା ଭାଙ୍ଗି ବୁଢ଼ୀ ପଚାରିଲା–ରବେଲକନ ଚିଜ୍‍ ମିଳିଲା ନାହିଁ ? ତାହାହେଲେ ପିଲାଟା ଆଜି ଖାଇବ କଅଣ ? ହଁ, ସହରର ହାଲଚାଲ କଅଣ ?

 

ସୀମା ମୋଟାମୋଟି ଭାବରେ ଜଣାଇଲା–ଦିନକୁ ଦିନ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କ୍ଷୁଧାର ତାଡ଼ନାରେ ସେମାନେ କାତର ହୋଇଛନ୍ତି । ସେଣ୍ଟ ମାର୍ଟିନରୁ ଅନେକ ଲୋକ ପଳାଇଲେଣି ।

 

ଉଜ୍ଜ୍ୱଳ ଆଲୋକରେ ବୁଢ଼ୀର ଆକୃତି ଅବିଚଳିତ ଦିଶିଲା । ଖାଲି ତାହାର ବିଶାଳ ବକ୍ଷ ମୃଦୁ ଆନ୍ଦୋଳିତ ହେଲା । ସୀମାର କଥାର ପ୍ରତିଧ୍ୱନି କରି ବୁଢ଼ୀ କହିଲା–ତାହାହେଲେ ସେମାନେ ଯେଝେ ଯେଝାର ପ୍ରାଣ ନେଇ ପଳାଉଛନ୍ତି । ଆଜି ଫ୍ରାନ୍ସରେ ତିଳେହେଲେ ଶୃଙ୍ଖଳା ନାହିଁ । କେତେକ ଦୋକାନି ଦୋକାନ ଛାଡ଼ି ଏତେବେଳେ ପଳାଇଯାଇ ଥିବାରୁ ମୁଁ ଅତିଶୟ ଦୁଃଖିତ । ଆଜିକାଲି ମଣିଷ ଯେତିକି ନିର୍ବୋଧ ସେତିକି କାପୁରୁଷ ମଧ୍ୟ ହୋଇ ଯାଉଛି ।

 

ବୁଢ଼ୀ ସିଗାରେଟ ଟାଣୁଥିଲା । ତାହାର ଛୋଟ ଛୋଟ ଆଖି ଦୁଇଟା ଚକଚକ କରୁଥିଲା-। କିଛି କ୍ଷଣ ପରେ ବୁଢ଼ୀ କହିଲା–ରେଡ଼ିଓଟା ଖୋଲି ଦେ । ସୀମା ଆଦେଶ ପାଳନ କଲା-। ରେଡ଼ିଓରୁ ମାର୍ଶାଇ ସଙ୍ଗୀତର ସ୍ୱର ଲହରୀ ଭାସି ଆସିଲା ।

 

ଅବଶେଷରେ ବଗିଚାରେ ପଦଧ୍ଵନି ଶୁଭିଲା । ସୀମା ସାମନା ଦରଜା ଆଡ଼କୁ ଧାଇଁଗଲା । ଦାଦାକୁ ଦେଖିଲା କ୍ଷଣି ତାହାର ସବୁ ଶଙ୍କା ଓ ଉଦ୍ବେଗ ଉଭେଇଗଲା । ତତ୍‍କ୍ଷଣାତ୍‍ ଘରଟାର ରୂପ ପରିବର୍ତ୍ତିତ ହେଲା । ପ୍ରସପାର ବୁଢ଼ୀକୁ ଭକ୍ତି ଭରେ ଆଲିଙ୍ଗନ କଲା, ଆଉ ବୁଢ଼ୀ ପୁଅର ବେଶବାସ ଭିତରେ ସୁଗନ୍ଧିର ଆମେଜ ଅଛି କି ନା ଜାଣିବା ପାଇଁ ବିଶେଷ ଭାବରେ ସୁଙ୍ଘିବାକୁ ଲାଗିଲା । ତାହାହେଲେ ସେ ବୁଝିପାରିବ ପୁଅ, କୌଣସି ସ୍ତ୍ରୀ ଲୋକ ପାଖକୁ ଯାଇଥିଲା କି ନା ।

 

ସମସ୍ତେ ଖାଇ ବସିଲେ । ପରିତୃପ୍ତି ସହକାରେ ଖାଉଁ ଖାଉଁ ପ୍ରସପାର ସେହି ଦିନର ଘଟଣାବଳୀ ବର୍ଣ୍ଣନା କରିବାକୁ ଲାଗିଲା–ଶୁଣା ଯାଉଛି, ଗଣ୍ଡଗୋଳ ବଢ଼ାଇବା ଉଦ୍ଦେଶ୍ୟରେ ଜର୍ମାନମାନେ ଅତିରିକ୍ତ ଫରାସୀ ଅଞ୍ଚଳ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କର ଆତଙ୍କ ସଂକ୍ରାମକ । ତେଣୁ ଆଜି ଅଧେ ଫ୍ରାନ୍ସ ପଳାୟନ ରତ, ସବୁ ରାସ୍ତାରେ ଭିଡ଼ ଓ ଗୋଳମାଳ, ସାମରିକବାହିନୀର ଗତିରୋଧ ହେଉଛି, ସରକାର କୌଣସି ମତେ ଅବସ୍ଥାକୁ ଆୟତ୍ତ କରିପାରୁ ନାହାନ୍ତି । ବହୁ ହୃଦୟ ବିଦାରକ ଦୃଶ୍ୟ ଦୃଷ୍ଟିରେ ପଡ଼ୁଛି । କର୍ତ୍ତୃପକ୍ଷଙ୍କର ଅନ୍ତତଃ ଶରଣାର୍ଥୀମାନଙ୍କୁ ବଳ ପ୍ରୟୋଗ କରି ରାସ୍ତାରୁ ହଟାଇ ଦେବା ଉଚିତ । ଏହି ଶରଣାର୍ଥୀମାନଙ୍କର ବ୍ୟବହାର ସକାଶେ ମୁଁ ଡେପୁଟି ପ୍ରିଫେକଟଙ୍କ ହାତରେ ବିନା ସର୍ତ୍ତରେ ଦୁଇଟି ଗାଡ଼ି ଛାଡ଼ି ଦେଲି ।

 

ନିଜର କ୍ଷୁଦ୍ର ସନ୍ଧାନୀ ଆଖି ଟେକି ବୁଢ଼ୀ ପୁଅର ମୁହଁକୁ ଅନାଇ କହିଲା–ତାହାହେଲେ ତୁ ଭାରି ଭଲ ପିଲା, ତୋର ମନ ଖୁବ୍‍ ସରଳ । କିନ୍ତୁ ଏହି ସମୟରେ ଦୁଇଟି ଗାଡ଼ି ହାତଛଡ଼ା କରିବା କଅଣ ଅବିବେଚନାର କାମ ନୁହେଁ ?

 

ପ୍ରସପାର ହସି ହସି କହିଲା–ହେଉ ମାଆ, ଟିକିଏ ଅବିବେଚକ ହେଲି । ଏକ୍ଷଣି ମଥା ଥଣ୍ଡା ରଖିବା ପ୍ରତ୍ୟେକ ବ୍ୟବସାୟୀର ଜାତୀୟ କର୍ତ୍ତବ୍ୟ ।

 

ଉତ୍ତପ୍ତ ପ୍ଲେଟରେ ଲାଲ ଓ ରସାଳ ମେଣ୍ଢା ମାଂସର ଟୁକୁରା ପଡ଼ି ରହିଥିଲା । ବଡ଼ ଗିଲାସରେ ଗାଢ଼ ଲାଲ ରଙ୍ଗର ଫରାସୀ ମଦ ଥୁଆ ହୋଇଥିଲା । ପ୍ରସପାର ପୁଣି କହିଲା–ଏହା ଅବଶ୍ୟ ଅସ୍ଵୀକାର କରିବାର ଉପାୟ ନାହିଁ ଯେ ବର୍ତ୍ତମାନ ଦେଶରେ ଏକ ଗୁରୁତର ସଙ୍କଟ ଉପସ୍ଥିତ । ଏହି ଅଞ୍ଚଳର କୌଣସି ସାମରିକ ଗୁରୁତ୍ୱ ନ ଥିଲେ ସୁଦ୍ଧା ଜର୍ମାନମାନେ କେତେବେଳେ ଏଟା ଅଧିକାର କରି ପାରନ୍ତି । ସେହି ଅବସ୍ଥା ହେବ ବୋଲି ଭାବି କେତେକ ଭଦ୍ରଲୋକ ସହର ଛାଡ଼ି ପଳାଇଲେଣି ।

 

ବୁଢ଼ୀ ଘୃଣାରେ ନାକ ଫୁଲାଇ କହିଲା–ମୁଁ ତ ବୁଝିପାରୁ ନାହିଁ, ଘରଠାରୁ ରାସ୍ତା କେଉଁ ହିସାବରେ ଅଧିକ ନିରାପଦ । ଯଦି ବା ଜର୍ମାନମାନେ ଆସନ୍ତି, ତାହାହେଲେ ଆମକୁ ହତ୍ୟା କଲେ ସେମାନଙ୍କର କି ଲାଭ ହେବ ? ବରଂ ଆମେ ବଞ୍ଚି ରହିଲେ ସେମାନେ ବେଶି ଫାଇଦା ଉଠାଇବେ-

 

ସୀମା ପ୍ଲେଟଗୁଡ଼ାକ ଉଠାଇନେଲା ଏବଂ ପାନ-କେକ୍‍ ନେଇ ଫେରି ଆସିଲା । ପାନ-କେକରେ ମଦ ଢାଳି ଷ୍ଟୋଭରେ ଗରମ କରୁଁ କରୁଁ ପ୍ରସପାର କହିଲା–ମାର୍କୁଇସ ଡି ସେଣ୍ଟ ବ୍ରିସନ ତାହାର ଦ୍ରାକ୍ଷାକୁଞ୍ଜର ସମସ୍ତ ମଦ ବେୟନର ଦକ୍ଷିଣ ପଶ୍ଚିମ ଅଞ୍ଚଳର କୌଣସି ନିରାପଦ ସ୍ଥାନରେ ରଖିଦେଇ ଆସିବାକୁ ଚାହେଁ । ତେବେ ଏହି କାମଟା ଏଡ଼େ ସହଜ ନୁହେଁ । କିଛି କ୍ଷଣ ରହି ସେ ପୁଣି କହିଲା–ମୋର ତ ମନେ ହେଉ ନାହିଁ, ଆଜି ବିନା ବାଧାରେ ଆମେ ଭୋଜନ ଶେଷ କରି ପାରିବା । ଡେପୁଟି ପ୍ରିଫେକ୍ଟ ଫିଲିପେ ଆସିବ ବୋଲି କହିଛି । ସେ କାଲି ମୋତେ ଅଫିସରେ ଦେଖା କରିବାକୁ ଆସିଥିଲା । କିନ୍ତୁ ଏସବୁ ଆଲୋଚନା ଗୋପନରେ ହେବା ଭଲ । ସରକାର ମୋର ଲରିସବୁ ଭଡ଼ା ନେବାକୁ ଚାହେଁ । ଶରଣାର୍ଥୀମାନଙ୍କ ପାଇଁ ମୋର ଯେତିକି କରିବାର କଥା, ମୁଁ ନିଶ୍ଚୟ ତାହା କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ତାହା କିପରି ଭାବରେ କରିବାକୁ ହେବ ମୁଁ ସ୍ଥିର କରିବି । ସବୁ ଲୋକଙ୍କୁ ମୋ ପାଖରୁ ନେଇଯିବା ଅବଶ୍ୟ ଠିକ୍‍ ହେବ ନାହିଁ ।

 

ତରୁଣୀ ସୀମାର କପାଳର ରେଖା ଗଭୀର ହେଲା । ଖାଇସାରି ପ୍ରସପାର ହୃଷ୍ଟ ଚିତ୍ତରେ ସୀମାକୁ କହିଲା–ବାଃ, ତୁ ଆଜି ଗେରେଜରେ ପେଟ୍ରୋଲ ବିକ୍ରି କରିଛୁ । ତା’ପରେ ସେ ତଉଲିଆଟା ଉଠାଇ ନେଇ ମୁହଁ ହାତ ପୋଛିଲା ।

 

ବଗିଚାରେ ପଦଧ୍ଵନି ଶୁଭିଲା । ଦଲାଣର ଆଲୁଅରେ ଦୀର୍ଘକାୟ କୃଶ ଡେପୁଟି ପ୍ରିଫେକ୍ଟ ଫିଲିପେ କର୍ଡ଼ୋଲିୟର ଆଖି କୁଞ୍ଚିତ କଲା । ସୀମା ତାହାକୁ ଭୋଜନ କକ୍ଷକୁ ନେଇଗଲା-। ପ୍ରସପାର ତାହାକୁ ସାଦର ଅଭ୍ୟର୍ଥନା ଜଣାଇଲା ଏବଂ କହିଲା–ଆମ ସାଙ୍ଗରେ କପେ କଫି ହେଉ ।

 

ସୀମା ଟେବୁଲ ସଫା କରି ସାରି କଫି ବନାଇଲା । ନୀଳ କକ୍ଷରେ କଫି ଥୋଇ ଦେଇ ଚାଲିଗଲା ବେଳେ ବୁଢ଼ୀ ସୀମାକୁ କହିଲା–ଭୋଜନ କକ୍ଷର ଦୁଆରଟା ବନ୍ଦ କରି ଦେ ।

 

ଦୁଆର ବନ୍ଦ ଥିଲେ ସୁଦ୍ଧା ବାସନକୁସନ ଥୋଇଲା ବେଳେ ସେମାନଙ୍କ କଥାବାର୍ତ୍ତାର କିଛି ଅଂଶ ସୀମାର କାନରେ ପଡ଼ିଲା । କାର୍ଡ଼େଲିୟରର ଚଢ଼ା ଗଳାରୁ ମାଲୁମ ହେଉଛି, ସବୁ ଲରି ସରକାରଙ୍କ ହାତରେ ସମର୍ପଣ କରିବାକୁ ସେ କହୁଛି । ପ୍ରସପାର ବି ଉତ୍ତେଜିତ ହୋଇ ଜବାବ ଦେଉଛି । ତା’ପରେ ସମ୍ପୂର୍ଣ୍ଣ ସ୍ତବ୍ଧତା । ଏହି ଆଲୋଚନାର ପରିଣତି କଅଣ ହେବ, ସୀମା ତାହା ଜାଣିଥିଲା । ସୀମାର କାନରେ ଆସି ବାଜିଲା–ମୁଁ ବୋତଲେ ପେନରଦ ବାଜି ରଖୁଛି, ଶରଣାର୍ଥୀମାନେ କଦାପି ଲରି ପାଇବେ ନାହିଁ । ବାହାର ଘରେ କଣ୍ଠସ୍ଵର ପୁଣି ଚଢ଼ା ପର୍ଦାକୁ ଉଠିଲା ।

 

ବାସନ ଧୁଆ ସରିବା ଆଗରୁ ବୁଢ଼ୀ ହାଣ୍ଡିଶାଳକୁ ଆସି କଠିନ ଦୃଷ୍ଟିରେ ସୀମାକୁ ଅନାଇ ଠିଆ ହେଲା ଏବଂ କିଛି କ୍ଷଣ ପରେ କୋମଳ କଣ୍ଠରେ କହିଲା–ସେତିକି ଥାଉ, କାଲି ହେବ, ରାତି ବେଶୀ ହେଲାଣି, ଶୋଇବୁ ଯାଆ ।

 

ବୁଢ଼ୀର ଏପରି ଆକସ୍ମିକ କରୁଣାରେ ସୀମା ଅବାକ ହେଲା ଏବଂ ହାତ ପୋଛୁ ପୋଛୁ ବୁଢ଼ୀକୁ ଧନ୍ୟବାଦ ଦେଇ ଶୋଇବାକୁ ଚାଲି ଗଲା ।

 

ଚାକର ବାକରଙ୍କ ରହିବା ଉପଯୋଗୀ ଛୋଟ କୋଠରୀଟିଏ । ଆସବାବପତ୍ର କିଛି ନାହିଁ, ଖାଲି କେତେ ଖଣ୍ଡ ବହି । କାନ୍ଥରେ ଟଙ୍ଗା ହୋଇଛି ତାହାର ମୃତ ବାବା ପିୟର ପ୍ଲାନକାର୍ଡ଼ର ଖଣ୍ଡିଏ ମଳିନ ହଳଦିଆ ଫଟ, ସେଣ୍ଟ ମାର୍ଟିନଙ୍କର ରଙ୍ଗିନ ଛବି, ନେପୋଲିୟନଙ୍କର ଅନ୍ତିମ ଶୟନର ଦୃଶ୍ୟ ଓ ଲୁଭର ଯାଦୁଘରେ ରକ୍ଷିତ ଖଣ୍ଡିଏ ବିଖ୍ୟାତ ଚିତ୍ରର ପ୍ରତିଲିପି ।

 

ସୀମା ଲୁଗା ପାଲଟିଲା, ମୁହଁ ହାତ ଧୋଇ ବିଛଣାରେ ଗଡ଼ି ପଡ଼ି ଆଲୁଅ ଲିଭାଇଦେଲା । ତଳୁ ରେଡ଼ିଓର ଅସ୍ପଷ୍ଟ ଆବାଜ ଶୁଭୁଥିଲା, ହୁଏତ ଖବର ଏବଂ ତା’ପରେ ମାର୍ସାଇ ସଙ୍ଗୀତ । ଏଲାର୍ମ ଘଡ଼ିର ଅତି ମୃଦୁ ଆବାଜ, ବାହାରେ ଝିଲ୍ଲି ରବ । ଗରମ ପଡ଼ିଛି । ସୀମା ଅତ୍ୟନ୍ତ କ୍ଳାନ୍ତ, ଆଶା କରିଥିଲା ଶୋଇ ପଡ଼ିବ, ମାତ୍ର କିଛି କ୍ଷଣ ପରେ ବୁଝିଲା ନିଦ ସହଜରେ ଆସିବ ନାହିଁ ।

 

ଅନ୍ଧକାର ଉତ୍ତପ୍ତ କକ୍ଷରେ ସୀମା ଆଉ ନିଃସଙ୍ଗ ରହି ପାରିଲା ନାହିଁ । ଆଲୁଅ ଜଳାଇ ପେରୀ ବାସଟିଡ଼ ଦେଇଥିବା ତିନି ଖଣ୍ଡ ବହି ସେ ଉଠାଇ ଆଣିଲା । ବହିଗୁଡ଼ିକ ହେଉଛି ଅରଲିନର କୁମାରୀ ଜେନ ଅଫ୍‍ ଆର୍କର ଜୀବନ ଚରିତ । ସେହି ଝିଅଟିର ଜୀବନ ଅତି ସରଳ ଓ ମଧୁର । ତାହା ସମ୍ବନ୍ଧରେ ବହୁତ ବହି ଲେଖା ହୋଇଛି । ଜୋନର ମାତ୍ର ଉଣେଇଶ ବର୍ଷ ବୟସ ହୋଇଥିଲା, ସୀମାଠାରୁ ମୋଟେ ଚାରି ବର୍ଷ ବଡ଼ । ତାହାର ଜୀବନର ସମଗ୍ର କାହାଣୀ ମାତ୍ର ତିନୋଟି ବର୍ଷ ଭିତରେ ସୀମାବଦ୍ଧ । କେତୋଟି କଥାରେ ସେସବୁ କୁହା ଯାଇ ପାରେ । ତଥାପି ବହୁ ପଣ୍ଡିତ ଜୋନର ଚରିତ୍ର, ତାହାର ଅଦୃଷ୍ଟ ଓ ତତ୍କାଳୀନ ସମୟ ସମ୍ବନ୍ଧରେ ନିୟତ ବିଭିନ୍ନ ଭାଷ୍ୟ କରି ଚାଲିଛନ୍ତି ।

 

ବେଳେ ବେଳେ ସୀମାର ମନେହୁଏ, ଏହି ସବୁ ପଣ୍ଡିତମାନଙ୍କଠାରୁ ସେ ଜୋନର ଚରିତ୍ର ଅଧିକ ଭଲଭାବରେ ବୁଝିଛି । ସେ ଜୋନ ସମ୍ପର୍କୀୟ ବହିପତ୍ର ଆଗ୍ରହ ସହକାରେ ପଢ଼େ ଏବଂ ସର୍ବଦା ତାହାର ମନେହୁଏ, ଏହି ଜୀବନୀରୁ ସେ ଏକ ଅଲୌକିକ ଶକ୍ତି ସଞ୍ଚୟ କରିଛି । ତାହାର ସ୍ମୃତି ଶକ୍ତି ପ୍ରଖର, ସବୁ କଥାର ମସିହା ଓ ତାରିଖ ତାହାର ଠିକ୍‍ ମନେ ଅଛି ।

 

ଡମରେମିର ଜାକୋସ ଦ୍ୟ ଆର୍କର ଝିଅ ଜୋନ ୧୪୧୨ ମସିହାରେ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମ ହୋଇଥିଲା । ଝିଅଟି ନମ୍ର, ପ୍ରଫୁଲ୍ଲ, ଶକ୍ତ ସମର୍ଥ ଓ କର୍ମପଟୁ ଥିଲା । ଏହି ସମୟରେ ସେଣ୍ଟ ଜନଙ୍କର ବାଣୀ ତାହାର କାନରେ ବାଜିଲା । ଫଳରେ ସେ ଜିଲାପାଳଙ୍କ ପାଖକୁ ଗଲା । ସେ ତାହାକୁ ପଠାଇଲେ ସପ୍ତମ ଚାର୍ଲସ ଡାଫିନଙ୍କ ଠାକୁ, ତାହାଙ୍କୁ ଜରା ସିଂହାସନରେ ଅଧିଷ୍ଠାନ କରାଇବା ଉଦ୍ଦେଶ୍ୟରେ । ଡାଫିନ ନିଜ ସୈନ୍ୟବାହିନୀର ଭାର ଜୋନ ଉପରେ ଦେଲେ-। ଜୋନ ଏହି ସୈନ୍ୟ ସାହାଯ୍ୟରେ ଇଂରେଜ ଶତ୍ରୁକୁ ପରାସ୍ତ କରି ଆରଲିନ୍ସର ଅଧିକୃତ ନଗରୀ ସେମାନଙ୍କ ହାତରୁ ମୁକ୍ତ କଲା । ଟ୍ରୟାସ ଓ ଅନ୍ୟାନ୍ୟ ସହର ଅଧିକାର କଲା ପରେ ଡାଫିନଙ୍କୁ ସମ୍ରାଟ ଭାବରେ ଅଭିଷିକ୍ତ କରାଗଲା । ତା’ପରେ ରାଜ ଦରବାରରେ ଜୋନ ଅପ୍ରୟୋଜନୀୟ ବିବେଚିତ ହେଲାରୁ, ତାହାର କ୍ଷମତା ହ୍ରାସ କରାଗଲା ଏବଂ ସୈନ୍ୟମାନଙ୍କୁ ପଦଚ୍ୟୁତ କରାହେଲା-। ଜୋନ ମୁଷ୍ଟିମେୟ ସୈନ୍ୟ ନେଇ ପ୍ୟାରିସ ଆକ୍ରମଣ କରି ଆହତ ହେଲା-। ତାହାର ଆକ୍ରମଣ ବି ନିଷ୍ଫଳ ହେଲା । ତହୁଁ ଜୋନ କମ୍ପିନ ସହର ମୁକ୍ତ କରିବା ପାଇଁ ଚେଷ୍ଟା କଲା-। କିନ୍ତୁ ଯେତେବେଳେ ସହରର ପ୍ରାଚୀର ନିକଟରେ ଯୁଦ୍ଧ ଚାଲିଥିଲା, ସେତେବେଳେ ନିଜ ଦଳର ଲୋକମାନେ ଫାଟକ ବନ୍ଦ କରିଦେଲେ ଏବଂ ସହର ସଂଲଗ୍ନ ଝୁଲା ପୋଲଟିକୁ ଟେକି ଦେଲେ-। ଫଳରେ, ଜୋନ ଇଂରେଜଙ୍କର ମିତ୍ର କାଉଣ୍ଟ ଅଫ୍‍ ଲୁକ୍ସେମବାର୍ଗଙ୍କ ଦ୍ଵାରା ଧୃତ ହେଲା-। ଦଶ ହଜାର ରୌପ୍ୟ ମୁଦ୍ରାର ବିନିମୟରେ ସେ ଜୋନକୁ ଇଂରେଜଙ୍କୁ ବିକି ଦେଲେ । ଇଂରେଜମାନେ ତାହାକୁ ବିଚାର ପାଇଁ ଏକ ବିଶେଷ ଅନୁସନ୍ଧାନକାରୀ ଅଦାଲତକୁ ଚାଲାଣ କଲେ-। ଏହି ବିଚାର ୧୪୩୯ ମସିହାରେ ୯ ଜାନୁଆରୀରୁ ୨୪ ମଇ ମାସ ପର୍ଯ୍ୟନ୍ତ ଚାଲିଲା ଏବଂ ତାହାକୁ ଜିଅନ୍ତା ପୋଡ଼ିଦେବାର ଦଣ୍ଡ ପ୍ରଦତ୍ତ ହେଲା । ସେହି ବର୍ଷ ୩୦ ମଇରେ ଏହି ଘଟଣାଟି ଘଟିଥିଲା ।

 

ସ୍ଵାସ୍ଥ୍ୟବତୀ ସୀମା ବିଛଣାରେ ଶୋଇ ଜୋନ ଅଫ୍‍ ଆର୍କର କାହାଣୀ ପଢ଼ୁଥିଲା । ଏହି କାହାଣୀ ତାହାର ସୁପରିଚିତ ଥିବାରୁ, ସେ ଯଥାରୀତି ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ବଛା ବଛା ମନଲାଖି ଅଂଶତକ ପଢ଼ିବାରେ ଲାଗିଥିଲା । ସେ ଆଗରୁ ପଢ଼ିଥିଲା ଯେ ଜୋନ କଠିନ, କଠୋର ଓ ବିରାଟ ଥିଲା, ମାତ୍ର ସୁନ୍ଦରୀ ନ ଥିଲା । ଚମତ୍କାର ଲାଲ ରଙ୍ଗର ବନ୍ଧେଇ ବହିଟିରେ ସୀମା ଜୋନର ଛବିଟି ନିରୀକ୍ଷଣ କଲା । ଏହି ଛବିଟି ସତରେ ତାହାକୁ ଭାରି ଭଲ ଲାଗିଲା ।

 

ବହିଟି ହାତରେ ଧରି ସୀମା ଭାବିଲା, ଜୋନର ସମୟରେ ଦେଶରେ କି ଦୁର୍ଦ୍ଦଶା ଓ ଦୁଃଖର ଦିନ ଆସି ନ ଥିଲା ! ସେତେବେଳେ ଫ୍ରାନ୍ସର କୃଷକମାନେ ଅଭିଯୋଗ କରିଥିଲେ–ଆମର କଅଣ ହେବ ? ଆମେ ତ ମାଟିର ମଣିଷ ! ଏହି ସବୁ ଲଢ଼େଇରେ ଆମର କଅଣ ଯାଏ ଆସେ ? କୁଶାସନ ଫଳରେ ଆମକୁ ପରିବାର ଛାଡ଼ି ଦେଇ ବଣରେ ଯାଇ ଲୁଚି ରହିବାକୁ ହେବ । ବର୍ଷେ କି ଦୁଇ ବର୍ଷ ନୁହେଁ, ପ୍ରାୟ ଚଉଦ ବର୍ଷ ଯାଏ ଏହି ବେଦନାଦାୟକ ଘଟଣା ଚାଲିଲା ।

 

ସୀମା ଭାବିଲା, ସେହି ସମୟରେ ବି ଯୁଦ୍ଧରେ ପଳାତକ ଓ ଶରଣାର୍ଥୀମାନଙ୍କର ଭିଡ଼ ଥିଲା । ସେଦିନ ବି ଆଜି ପରି ଅନ୍ଧକାରମୟ ଥିଲା । ସେତେବେଳେ ଜନତା କାନ୍ଦି କାଟି ଗୁହାରି କରିଥିଲା–ଆମେ ଗରିବ, ଆମକୁ ବିକି ଦିଆଯାଇଛି । ତଥାପି ଜୋନ ସେମାନଙ୍କୁ ଛାଡ଼ି ଦେଇ ନ ଥିଲା, ନିଜର କର୍ତ୍ତବ୍ୟ ଭୁଲିଯାଇ ନ ଥିଲା ଏବଂ କହିଥିଲା–ମୁଁ ଗରିବଙ୍କ ପାଇଁ ସାନ୍ତ୍ଵନା ଓ ଶାନ୍ତିର ବାଣୀ ଆଣିଛି । ସତକୁ ସତ ସେ ତାହା ଅକ୍ଷରେ ଅକ୍ଷରେ ପାଳନ କରିଥିଲା ।

 

ସହସା ସୀମା ଗୋଟାଏ ଆବାଜ ଶୁଣିପାରିଲା । ଦୁଆର ଖୋଲିଲା ଓ ବନ୍ଦ ହେଲା । ହୁଏତ ଡେପୁଟି ପ୍ରିଫେକ୍ଟ ଏବେ ଚାଲିଗଲେ । ସଙ୍ଗେ ସଙ୍ଗେ ବହିଗୁଡ଼ିକ ରଖି ଦେଇ ସୀମା ଆଲୁଅ ଲିଭାଇ ଦେଲା । ଅନ୍ଧକାର ଓ ଗରମ ଭିତରେ ସୀମା ନୀରବରେ ଶୋଇ ପଡ଼ିଲା ।

 

ସକାଳେ ଦୁଆରେ ଘଣ୍ଟା ବାଜିଲା । ସୀମା ଦୌଡ଼ି ଯାଇ କବାଟ ଖୋଲିଦେଲା । ଡାକପିଅନ ତାହାର ହାତକୁ ଖଣ୍ଡିଏ ଚିଠି ବଢ଼ାଇ ଦେଇ କହିଲା–ଦସ୍ତଖତ କରନ୍ତୁ, ଚିଠିଟା ଅତ୍ୟନ୍ତ ଜରୁରୀ, ଦେଖନ୍ତୁନା ଉପରେ ସରକାରୀ ମୋହର ମରା ହୋଇଛି ।

 

ଲଫାପାଟି ବଡ଼ ଓ ବେଶ୍‍ ଭାରୀ । ତାହା ଉପରେ “ସାମ୍ୟ, ମୈତ୍ରୀ ଓ ସ୍ଵାଧୀନତା”ର ମୋହର ମରା ଯାଇଛି–ସାଧାରଣତନ୍ତ୍ର ରାଷ୍ଟ୍ରର ଚିହ୍ନ । ଅତି ଆଗ୍ରହ ଅଥଚ ଭୟରେ ସୀମା ଲଫାପାଟି ହାତରେ ଧରି ପଚାରିଲା–ସତରେ ଏଟା ମୋ ଚିଠି ?

 

ଡାକପିଅନ ସୀମାକୁ ଅଭିବାଦନ ଜଣାଇ କହିଲା–ଦେଖନ୍ତୁ, ଉପରେ ପରିଷ୍କାର ଭାବରେ ଆପଣଙ୍କ ନାମ ଲେଖା ହୋଇଛି । ଏଠାକାର କାହାକୁ କେବେହେଲେ ଏପରି ସମ୍ମାନ ମିଳି ନାହିଁ । ଏହି ସମ୍ମାନ ହେଉଛି ଆମ ସେଣ୍ଟ ମାର୍ଟିନ ଅଞ୍ଚଳରେ ସମସ୍ତଙ୍କର ।

 

ସୀମା ଚିଠି ଖଣ୍ଡିକ ହାତରେ ଧରି କିଛି କ୍ଷଣ ଠିଆହୋଇ ରହିଲା । ତାହାର ଆଣ୍ଠୁ ଥରିବାରୁ ସେ ବସିପଡ଼ିଲା । ତାହାର ସର୍ବାଙ୍ଗରେ ଆନନ୍ଦର ସୁଅ ପ୍ରବାହିତ ହେଲେ ସୁଦ୍ଧା, ଚିଠିର ବିଷୟ ବସ୍ତୁ ସମ୍ବନ୍ଧରେ ତାହାର ଅନ୍ତରରେ ଗୋଟାଏ ଆଶଙ୍କା ମିଶ୍ରିତ ଉଦ୍ବେଗ ଜାତ ହେଲା । ଆତ୍ମସମ୍ବରଣ କରି ନ ପାରି ସେ ସଙ୍ଗେ ସଙ୍ଗେ ଚିଠିଟି ଖୋଲି ପକେଇଲା । ଚିଠିଟି ଆଣ୍ଟିକ ଅକ୍ଷରରେ ଲିଖିତ, ପ୍ରତି ଧାଡ଼ିର ପ୍ରଥମ ଅକ୍ଷରଟି ନୀଳ, ଲାଲ ଓ ସୁନା ରଙ୍ଗରେ ରଞ୍ଜିତ । ସେଥିରେ ଲେଖା ହୋଇଛି, ବିଶେଷ କାର୍ଯ୍ୟରେ ତାହାକୁ ଡାଫିନର ସଦର କାର୍ଯ୍ୟାଳୟକୁ ଯିବାକୁ ହେବ । ‘ବିଶେଷ କାର୍ଯ୍ୟ’ ତଳେ ଗାର ଦିଅ ଯାଇଛି ।

 

ସୀମାର ଆପାଦ ମସ୍ତକ କମ୍ପିଲା । ତାହାର କପାଳରେ ଝାଳର ବିନ୍ଦୁ ସବୁ ଫୁଟିଲା । ଚିଠିରେ ପରିଷ୍କାର ଲେଖା ହୋଇଛି–କୁମାରୀ ପ୍ଲାନକାର୍ଡ଼ ଡାଫିନଙ୍କୁ ଜଣାଇ ଦେବେ କିଏ ତାଙ୍କର ଶତ୍ରୁ । ଡାଫିନଙ୍କୁ ସେହି ସବୁ ଶତ୍ରୁ ସାଙ୍ଗରେ ଯୁଦ୍ଧ କରିବା ପାଇଁ କୁମାରୀ ସତର୍କ କରିଦେବେ । ଯେ ପର୍ଯ୍ୟନ୍ତ ଦୁଇ ଶହ ପରିବାର ନିଶ୍ଚିତ ଓ ସ୍ଥାୟୀ ଭାବରେ ପରାଜିତ ନ ହୋଇଛନ୍ତି, ସେତେ ଦିନ ଯାଏ କୁମାରୀ ପ୍ଲାନକାର୍ଡ଼ ନିଜର ତରବାରି କୋଷବଦ୍ଧ, କରିବେ ନାହିଁ । ସେତେବେଳେ କୁମାରୀ ପ୍ଲାନକାର୍ଡ଼ ଡାଫିନଙ୍କୁ ସମ୍ରାଟ ହିସାବରେ ଅଭିଷିକ୍ତ କରିବେ । ମାନଡ଼େଟର କର୍ତ୍ତୃକ ସ୍ଵାକ୍ଷରିତ ।

 

ଚିଠି ଖଣ୍ଡିକ କୋଳରେ ଧରି ସୀମା ଦଲାଣର ବେଞ୍ଚରେ ଅତିଶୟ ଶ୍ରାନ୍ତ ଭାବରେ ବସି ରହିଲା । ତାହାର ମନରେ ଅତ୍ୟନ୍ତ ଭୟ ଜାତ ହେଲା । ଯେଉଁମାନେ ଏହି ଦୁଇ ଶହ ପରିବାରକୁ ଜୟ କରିବା ପାଇଁ ଚେଷ୍ଟା କରିଥିଲେ, ସେମାନେ ସମସ୍ତେ ଧ୍ଵଂସ ହୋଇଛନ୍ତି । ଜୋନ ଅଫ୍‍ ଆର୍କକୁ ଭସ୍ମୀଭୂତ କରାହୋଇଛି, ଜାଉରେସକୁ ହତ୍ୟା କରାଯାଇଛି, ତାହାର ବାବାକୁ କଙ୍ଗୋର ଜଙ୍ଗଲରେ ନିହତ କରାହୋଇଛି । ସେ ମାତ୍ର ପନ୍ଦର ବର୍ଷର ଛୋଟ ଝିଅଟିଏ, ଅକିଞ୍ଚିତକର ଧନୀର ଦରିଦ୍ର ଆତ୍ମୀୟ, ଦାସୀବୃତ୍ତି କରେ, ବୁଢ଼ୀ ମାଆ ତାହା ଉପରେ ଅଭଦ୍ର ଓ ରୂଢ଼ ଭାବରେ ହୁକୁମ ଚଳାନ୍ତି । ଏପରି ସ୍ଥଳରେ କିପରି ବା ସେ ଏହି ଗୁରୁ ଦାୟିତ୍ୱର ଭାର ନିଜର କାନ୍ଧକୁ ନେବ !

 

ସେ ଚିଠିର କଥା ଯେତେ ଭାବିବାକୁ ଲାଗିଲା, ସେତେ ବେଶୀ ମର୍ମପୀଡ଼ା ଅନୁଭବ କଲା । ସେ ଚିଠିଟିକୁ ପଚାରିଲା–ତୁ କେଉଁଠୁ ଆସିଲୁ ? ଶୂନ୍ୟରୁ ତାହାର ବାବାର କଣ୍ଠ ସ୍ଵର ଶୁଭିଲା–ଭୟ କରନା, ମାଆ । ତତ୍‍କ୍ଷଣାତ୍‍ ତାହାର ଶରୀରରୁ ସବୁ ବୋଝ ଓହ୍ଲାଇ ଗଲା । ଆତଙ୍କିତ ହେବା ଆଗରୁ ଚିଠିଟି ତାହାର ପୂରାପୂରି ପଢ଼ିବା ଉଚିତ ଥିଲା । ତାହାର ବାବାର ଇଚ୍ଛା, ସେ ଯେଉଁଠି ଅଟକିଛନ୍ତି ସେଠାରୁ ତାହାକୁ ନିଶ୍ଚୟ ବାକି କାମ କରିଯିବାକୁ ହେବ । ମାତ୍ର ଲଜ୍ଜାର କଥା ଯେ ସେ ସବୁ କଥା ଠିକ୍‍ ବୁଝିପାରି ନ ଥିଲା ।

 

ସହସା ଲରି ଡ୍ରାଇଭର ମରିସ ଗେରେଜର ଝରକା ବାଟେ ମୁହଁ ଗଳାଇ ତାହାକୁ ଦେଖି ମୁଖ ବିକୃତ କଲା । ସୀମା ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ, ଗେରେଜକୁ ଧାଇଁ ଯାଇ ମରିସର ହାତକୁ ଭିଡ଼ି ଆଣି କହିଲା–ଶୁଣ ମରିସ, ତୋ ମୁହଁର ସେହି କୁଟିଳ ହସ ରଖ, ମୁଁ ରାଷ୍ଟ୍ରର ଅଧିନାୟକଙ୍କ ଠାରୁ ଖଣ୍ଡିଏ ଚିଠି ପାଇଛି । ବିଶେଷ ଜରୁରୀ କାର୍ଯ୍ୟରେ ମୋତେ ସଦର ଦପ୍ତରକୁ ଡକା ହୋଇଛି ।

 

ମରିସ ମୁହୂର୍ତ୍ତେ ସ୍ତବ୍ଧ ହୋଇଗଲା । ତାହାର ଗୁଣ୍ଡା ପ୍ରକୃତିର ମୁଖରୁ ଅଚିରେ କୁଟିଳ ହସ ଅନ୍ତର୍ହିତ ହେଲା । କିନ୍ତୁ ସଙ୍ଗେ ସଙ୍ଗେ ସେ ପୁଣି ମୁଖ ବିକୃତ କରି ତାଚ୍ଛଲ୍ୟରେ କହିଲା–ତୁମର ଜେଜେମାଆଙ୍କୁ ଯାଇ ଏ କଥା କୁହ । ଭାରି ତ ଚିଠି ସଦର, ଦପ୍ତର ! ସମସ୍ତେ ସେମିତିକା କହି ପାରନ୍ତି ।

 

ସୀମା ଚଟିଗଲା, ସଙ୍ଗେ ସଙ୍ଗେ ବେତର ଝୁଡ଼ିରୁ ଚିଠିଟା କାଢ଼ି ନେଇ ମରିସକୁ ଦେଖାଇବାକୁ ବସିଲା । କିନ୍ତୁ ଅଜବ କଥା, ଝୁଡ଼ିରେ ଚିଠି ନାହିଁ । ତହୁଁ ଡ୍ରାଇଭର ମରିସ ଅଟ୍ଟହାସ୍ୟ କରି ତାହାକୁ କହିଲା–ଦେଖିଲ ତ ! ତା’ପରେ ପାଣି କଳର ଝରଣା ତଳେ ଯାଇ ସେ ବସିପଡ଼ିଲା ।

 

ସୀମା ଅପମାନ ଓ ଲଜ୍ଜାରେ ମ୍ଳାନ ହୋଇଗଲା । କିନ୍ତୁ ସହସା ଅପରିଷ୍କାର ପୋଷାକ ପରିହିତ ଜଣେ ଲୋକ ଆସି ଉପସ୍ଥିତ ହେଲା–ଶୀର୍ଣ୍ଣ ମୁଖ, ଫିକା ଲାଲ କେଶ, ମୁଖ ସାରା କୁଞ୍ଚିତ ରେଖା, ନୀଳ ଲୋହିତ ଆଖିର ତାରକା । ବେଞ୍ଚରେ ଗୋଡ଼ ଉପରେ ଗୋଡ଼ ରଖି ବସିପଡ଼ି ସେ ମରିସକୁ ମଧୁର ସ୍ଵରରେ କହିଲା–ଶୁଣ, ତୁମେ ଏହି ସାନ ଝିଅଟି ପ୍ରତି ଅବିଚାର କରୁଛ । ସତରେ ମୁଁ ଚିଠିଟା ପଠାଇଥିଲି । ତାହାକୁ ଆଉ ପରିହାସ ନ କରି ଚିଠିଟା ନେଇ ଦେଖ ।

 

ସଙ୍ଗେ ସଙ୍ଗେ ମରିସ ତଉଲିଆଟା ଦେହରେ ବେଢ଼ାଇ ଦେଇ ନିଜର ଲଜ୍ଜା ଢାଙ୍କିବାକୁ ଚେଷ୍ଟା କଲା ।

 

ସୀମା ସଦର ଦପ୍ତର ଆଡ଼କୁ ଧାଇଁଲା । ଡାଫିନର ସଦର ଦପ୍ତର ସିନୋନରେ । ତାହାକୁ ବାଟ ଜଣା ଥିଲା । ଶରଣାର୍ଥୀମାନଙ୍କ ଭିତରେ ବାଟ କାଟି ଯାଉଁ ଯାଉଁ ଗୋଟିଏ ବାଳକ ଆସି ତାହା ଆଗରେ ଠିଆ ହେଲା । ମଧ୍ୟାହ୍ନ ଭୋଜନ ପାଇଁ ଆଣିଥିବା ରାବେଲକନ ଚିଜ ଖଣ୍ଡିକ ସେ ପିଲାଟିର ହାତକୁ ବଢ଼ାଇଦେଲା । ଶରଣାର୍ଥୀମାନଙ୍କର ସମଗ୍ର ଶୋଭାଯାତ୍ରା ସ୍ଥିର ଚିତ୍ର ପରି ଗତିହୀନ । ମଟରର ଆବାଜ ନାହିଁ, ଲୋକଙ୍କ ତୁଣ୍ଡରେ କଥା ନାହିଁ, କି ଘୋଡ଼ାର ହ୍ରେଷା ନାହିଁ । ନିଜର ତଥା ପାରିପାର୍ଶ୍ୱିକ ଜନଗଣର ମୃତ୍ୟୁ ସମ ନୀରବତା ଅସହ୍ୟ ।

 

ମନରେ ଦମ୍ଭ ଧରି ସୀମା ଅତି ଦ୍ରୁତ ଗତିରେ ଅଗ୍ରସର ହେଲା । ଅବଶେଷରେ ସେ ସିନୋନରେ ଯାଇ ପହଞ୍ଚିଲା । ହୋଟେଲ ଭିତରକୁ ପଶି ଯାଇ ସେ ସାହସରେ ସହଜ ଗଳାରେ କହିଲା–ଗୋଟିଏ କୋଠରୀ ଦରକାର । ସବୁ କିଛି ସରକାରୀ ଖର୍ଚ୍ଚରେ ହେବ । ମୁଁ ସରକାରୀ କାମରେ ଆସିଛି । ଏହା କହି ସେ ଚିଠି ଖଣ୍ଡିକ କାଢ଼ି ଦେଖାଇଲା ।

 

ହୋଟେଲର ମାଲିକ ସସମ୍ଭ୍ରମରେ ସୀମାକୁ ଅଭିବାଦନ ଜଣାଇଲା ଏବଂ ତାହାକୁ ନେପୋଲିୟନଙ୍କର କକ୍ଷକୁ ନେଇଗଲା । ଏକଦା ଏହି କକ୍ଷରେ ସ୍ଵୟଂ ସମ୍ରାଟ ନେପୋଲିୟନ ଶଯ୍ୟା ଗ୍ରହଣ କରିଥିଲେ । ଦରଜି ଦୁହେଁ ଆସି ତାହାର ବର୍ମ-ପରି-ଚ୍ଛଦର ମାପ ନେଲେ । ବାନ୍ଧବୀ ହେନରିୟେଟ ଖଣ୍ଡିଏ ପତାକା ଆଣି ସୀମାର ହାତକୁ ବଢ଼ାଇଦେଲା । ହେଲମେଟ ପିନ୍ଧି ସେ ସଦର ଦପ୍ତର ସାମନାରେ ଯାଇ ଛିଡ଼ା ହେଲା । ପରିଚୟ ପତ୍ର ଦେଖାଇବାରୁ ପ୍ରହରୀମାନେ ସଙ୍ଗୀନ ନୁଆଁଇ ସସମ୍ଭ୍ରମରେ କହିଲେ, ସିଧା ଉପରକୁ ଚାଲି ଯାଆନ୍ତୁ । ଆମେ ଆପଣଙ୍କ ପ୍ରତୀକ୍ଷାରେ ଥିଲୁ-। ଆଜି ଫ୍ରାନ୍ସର ଏକ ସ୍ମରଣୀୟ ଦିନ ।

 

ସୀମା ସିଡ଼ିରେ ଉପରକୁ ଉଠିବାକୁ ଲାଗିଲା । ୩୪୨ଟି ପାହାଚ ପରେ ସୀମା ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିଲା । କଳା ରୂପେଲି ପୋଷାକ ପିନ୍ଧି ଡାପିନ ଠିଆ ହୋଇଥିଲେ । ସେ ସୀମାକୁ କହିଲେ–ଟିକିଏ ବିଶ୍ରାମ କର ମାଆ, କ୍ଳାନ୍ତ ହୋଇ ପଡ଼ିଛି । ଆମେ ଡାକିଲା ମାନେ ତୁମେ ଚାଲି ଆସି ଭଲ କରିଛ ।

 

ସୀମା ସମ ପର୍ଯ୍ୟାୟର ବ୍ୟକ୍ତି ପରି ସହଜ ସ୍ଵରରେ ପଚାରିଲା–ମୋ ବାବାଙ୍କୁ ଆପଣ ଜାଣନ୍ତି ତ ?

 

ଡାଫିନ ଜବାବ ଦେଲେ–ନିଶ୍ଚୟ, ତାହାଙ୍କ ଦ୍ୱାରା ମୁଁ ବହୁତ କାମ କରାଇଛି । ସେ ମୋତେ ଢେର୍‍ ସାହାଯ୍ୟ କରିଛନ୍ତି । ତା’ପରେ ତାହାଙ୍କୁ କଙ୍ଗୋକୁ ପଠାଇଥିଲି, ସେ ଆଉ ଫେରିଲେ ନାହିଁ । ମୋର ବିଶ୍ଵାସ, ଆମ ଦେଶର ପୁଞ୍ଜିପତିମାନେ ତାହାଙ୍କୁ ବିଷ ଦେଇ ମାରିଛନ୍ତି ।

 

ତା’ପରେ ସେ ବସିପଡ଼ି କ୍ରେପ ସୁଜେଟସ ଖାଇବାକୁ ଲାଗିଲେ । ସୀମା ତାହାଙ୍କ ପାଖକୁ ଯାଇ ଦୃଢ଼ ସ୍ଵରରେ କହିଲା–ମହାମାନ୍ୟ ଡାଫିନ ! ଆପଣ ଅତୀତର କଥା ଭୁଲି ଯାଆନ୍ତୁ । ଏହି ଦୁଇ ଶହ ପୁଞ୍ଜିପତି ପରିବାରକୁ ଏବେ ଅନ୍ୟ ଭାବରେ ସମ୍ଭାଳିବାକୁ ହେବ । ସେମାନଙ୍କୁ ଥଣ୍ଡା କରିବାକୁ ହେବ । ଆପଣଙ୍କୁ ବିଦେଶକୁ ମୂଳଧନର ଚାଲଣ ଏବଂ ଜର୍ମାନମାନଙ୍କୁ ଇସ୍ପାତ ବିକ୍ରି ବନ୍ଦ କରିବାକୁ ହେବ । ଧନୀଙ୍କୁ ସମୂଳେ ବିନାଶ କରିବାକୁ ପଡ଼ିବ । ଦରିଦ୍ରକୁ ଆଉ ଶୋଷଣ କରିବାକୁ ହେବ ନାହିଁ । ଆପଣ ଏହା କରି ନ ପାରିଲେ ନିଶ୍ଚୟ ପ୍ରତାରିତ ହେବେ ।

 

ଡାଫିନ ଅସନ୍ତୁଷ୍ଟ ହୋଇ କହିଲେ, ଏ ସବୁ ମୋ କାମ ନୁହେଁ । ମୁଁ ରାଜା, ରାଜ କାର୍ଯ୍ୟ କରିବି ।

 

ଏହା ଶୁଣି ସୀମା ନିଜକୁ ଧିକ୍କାରିଲା । ସେ ପତାକାକୁ ଆହୁରି ଜୋରରେ ଧରିଲା ଏବଂ ଗଭୀର କଣ୍ଠରେ ଡାଫିନଙ୍କୁ କହିଲା–ଯାହା କରିବାର କଥା ତୁରନ୍ତ କରନ୍ତୁ । ଆମର ଜନ୍ମଭୂମି ଫ୍ରାନ୍ସ ବହୁ ଶତାବ୍ଦୀର ସମବେତ ଦୁଃଖ, ଲାଞ୍ଛନା ଓ କ୍ଳେଶ ଭିତରେ ଗଠିତ ହୋଇଛି । ଶ୍ରେଣୀ ସଂଗ୍ରାମ କିମ୍ବା ସାମାଜିକ ବିଭେଦ ଅବଶ୍ୟ ଥାଇ ପାରେ । ତାହା ବୋଲି ମାତୃଭୂମିର ସଂଜ୍ଞାର ପରିବର୍ତ୍ତନ ହେବ ନାହିଁ ।

 

ଡାଫିନ ପୁରୁଷୋଚିତ ଭାବରେ ଘରେ ପଦଚାରଣ କରି ସମର୍ଥନ ସୂଚକ କଣ୍ଠରେ କହିଲେ–ତୁମେ ଚମତ୍କାର କଥା କହିଲ, ସୀମା ।

 

ଲଜ୍ଜାରେ ସୀମାର ଗଣ୍ଡ ଦେଶ ରକ୍ତିମ ହୋଇଗଲା । ସେ ସରଳ ଭାବରେ ଜଣାଇଲା, ଏ ସବୁ କଥା ମୋର ନୁହେଁ, ଜାଉରେସଙ୍କର ବାଣୀ ।

 

ଡାଫିନ ସୀମାର ପିଠି ଥାପୁଡ଼ାଇ ସ୍ନେହରେ କହିଲେ–କିନ୍ତୁ ଏସବୁ କଥା ତ ତୁମର ମଧୁର କଣ୍ଠରୁ ଶୁଣିଲି । ହଁ, ତୁମେ ଯୁଦ୍ଧକ୍ଷେତ୍ରକୁ ଯିବ ପରା ?

 

ଅବଶେଷରେ ସୀମା ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲା । ମାର୍ଶାଲ, ଏଡ଼ମିରାଲ, ପ୍ରମୁଖ ସମସ୍ତେ ସେଠାରେ ଉପସ୍ଥିତ ଥିଲେ । ସୀମା ସହଜ ସରଳ ଭାବରେ ସେମାନଙ୍କ ସହିତ କଥା ହେବାକୁ ଲାଗିଲା । ସେ ସ୍ପଷ୍ଟ ଭାବରେ ନିଜର ବକ୍ତବ୍ୟ ପ୍ରକାଶ କଲା । ସେନାପତିମାନେ ତାହାର ମତ ଗ୍ରହଣ କଲେ ସତ, କିନ୍ତୁ ଆଉ କିଛି ହେଲା ନାହିଁ । ତହୁଁ ସେ ନିଜର ମିତ୍ରମାନଙ୍କ ସନ୍ଧାନରେ ଚାରିପଟେ ଆଖି ବୁଲାଇଲା ।

 

ତା’ପରେ ସମସ୍ତେ ଶୋଇବାକୁ ଗଲେ । କେତେଜଣ ସେନାପତିଙ୍କ ସାଙ୍ଗରେ ସୀମା ବି ଏକା ତମ୍ବୁରେ ଶୋଇଲା । ସେ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡ଼ିଥିଲା । ସୌଭାଗ୍ୟକୁ ଇତିୟେନ ଏଠାରେ ଥିଲା । ସେ କହିଲା–ସୀମା, ଡର ନାହିଁ । ଯଦି କେହି କିଛି ଖରାପ ଇଙ୍ଗିତ କରେ, ତାହାର ହାଡ଼ ଗୁଣ୍ଡ କରିଦେବି ।

 

ରାତି ପାହିଲା । ଯୁଦ୍ଧ ଚାଲିଲା । ସୀମା ହାତରେ ପତାକା ଧରି ଉଡ଼ାଇଲା । ସାଞ୍ଜୁଆ ଗାଡ଼ି ସବୁ କଦର୍ଯ୍ୟ ଭାବରେ ଆଗେଇ ଆସିଲା । ଶତ୍ରୁ ପକ୍ଷର ବିମାନଗୁଡ଼ିକରେ ଆକାଶ ଅନ୍ଧାର ହୋଇଗଲା ।

 

ତା’ପରେ ସଂଗ୍ରାମ ପରିଷଦର ବୈଠକ ବସିଲା । ଡାଫିନ ସଭାପତିର ଆସନ ଗ୍ରହଣ କରି ଉଦ୍ବୋଧନ ପ୍ରସଙ୍ଗରେ କହିଲେ, କୁମାରୀ ସୀମା ନିଜ ପିତାଙ୍କର ଆଦେଶ ଅନୁସାରେ ଜଣାଇଛନ୍ତି ଯେ ଅବିଳମ୍ବେ ପରିସମାପ୍ତିର ଉଦ୍ଦେଶ୍ୟରେ ପରମ ଉତ୍ସାହରେ ଯୁଦ୍ଧ ପରିଚାଳନା କରିବାକୁ ହେବ । କେତେ ରକମ ଜ୍ଞାନଗର୍ଭ କଥା କହି ସେ ଆଲୋଚନା ଆରମ୍ଭ କଲେ ଏବଂ ଅନ୍ୟମାନେ ସେଥିରେ ଯୋଗ ଦେଲେ । ମାର୍କୁଇସ କହିଲେ–କୁମାରୀ ସୀମା, ତୁମର ପ୍ରତିଭା ପ୍ରଶଂସନୀୟ । କିନ୍ତୁ ଯୁଦ୍ଧର ରୀତି ଆଇନ ଅନୁସାରେ ଗଠିତ । ଧୀରେ ଧୀରେ ଅଥଚ ତୁରନ୍ତ କର ହେଉଛି ସକଳ ସମର ନିପୁଣ ନେତାଙ୍କର ନୀତି ।

 

ବୃଦ୍ଧ ଫିଲ୍‍ଡ୍‍ ମାର୍ଶାଲ ଜେନେରାଲ ପେଁତା ଭଗ୍ନ ଅଥଚ ଶ୍ରଦ୍ଧାସିକ୍ତ କଣ୍ଠରେ କହିଲେ–ଏ କଥା ଅବଶ୍ୟ ଠିକ୍‍ । ଆମ ଅବସ୍ଥା କାହିଁକି ଆମକୁ ଆତ୍ମସମର୍ପଣ କରିବାକୁ ହେବ ।

 

ସମସ୍ତେ ଉଠିପଡ଼ି ଡାଫିନଙ୍କ ଚାରିପଟେ ବେଢ଼ିଯାଇ ଫୁସୁରୁ ଫାସର ହେଲେ । ସୀମା ନିଜକୁ ଅତି ଅସହାୟ ମଣିଲା । ସୀମା ଆଡ଼କୁ ଅନାଇ ଡାଫିନ କହିଲେ–ବର୍ତ୍ତମାନ ଯୁଦ୍ଧ ପରିଚାଳନା କଲା ଭଳି ଯଥେଷ୍ଟ ଅର୍ଥ ଆମର ନାହିଁ । ଯୁଦ୍ଧ ଚଳାଇବାକୁ ହେଲେ ନୂଆ ଟିକସ ବସାଇବାକୁ ହେବ, ଆଉ ସେହି ଟିକସ ଗରିବ ଲୋକଙ୍କୁ ଦେବାକୁ ପଡ଼ିବ । ଦୁଇ ଶହ ପରିବାର ମୋତେ ଜଣାଇଛନ୍ତି ଯେ ସେମାନଙ୍କର ଆଉ କିଛି ଦେବାର କ୍ଷମତା ନାହିଁ ।

 

ମାର୍ଶାଲ ପେଁତା ଠିଆ ହୋଇ ପଡ଼ି କହିଲେ–ତାହାହେଲେ ଆତ୍ମସମର୍ପଣ କରନ୍ତୁ ।

 

ବ୍ୟଥିତ ଡାଫିନ ସୀମାକୁ କହିଲେ–ଦେଖୁଛ ତ ! ଫ୍ରାନ୍ସ ଯୁଦ୍ଧ ଚାହେଁନା ।

 

କମରରେ ହାତରଖି ଗିଲେ ଦ୍ୟ ରେଇସ ଘୋଷଣା କଲେ–ମାନନୀୟ ଡାଫିନ, ଆପଣ ଯାହା ଦେଖୁଛନ୍ତି ତାହା ପ୍ରକୃତ ଫ୍ରାନ୍ସ ନୁହେଁ ।

 

ମଁସିୟେ ଲେଭାତୁର ଅତ୍ୟନ୍ତ ଉତ୍ତେଜିତ ଭଙ୍ଗୀରେ ଆଗେଇ ଆସି ଖଣ୍ଡିଏ ବଡ଼ କାଗଜ କାଢ଼ି ଆଣି କହିଲେ–ଏଟା ହେଉଛି ଶାନ୍ତିର ପ୍ରସ୍ତାବ, ଏକ୍ଷଣି ଶତ୍ରୁ ପକ୍ଷରୁ ଆସିଛି । ଏପରି ଉତ୍ତମ ଓ ସୁବିଧାଜନକ ପ୍ରସ୍ତାବକୁ ଉପେକ୍ଷା କରି ଯୁଦ୍ଧ ଚଳାଇବା ଅତିଶୟ ଗର୍ହିତ କାର୍ଯ୍ୟ ହେବ ।

 

ସଙ୍ଗେ ସଙ୍ଗେ ସମସ୍ତେ ସମ ସ୍ୱରରେ ଚିତ୍କାର କଲେ–ଫ୍ରାନ୍ସ ଶାନ୍ତି ଚାହେଁ, ଯୁଦ୍ଧ ଚାହେଁ ନାହିଁ ।

 

ଡାଫିନ ଅନୁଶୋଚନାର ଭଙ୍ଗୀରେ କହିଲେ–ତାହାହେଲେ ଶାନ୍ତି ପ୍ରସ୍ତାବ ଗ୍ରହଣ କରାଯାଉ ।

 

କିନ୍ତୁ ହାତରେ ପତାକା ଧରି ଆଗେଇ ଆସି ସୀମା ଦୃଢ଼ ସ୍ଵରରେ ପଚାରିଲା–ଫ୍ରାନ୍ସ କଅଣ ସତରେ ଶାନ୍ତି ଚାହେଁ ? ତା’ପରେ ଯେଉଁ ସବୁ କଥା ସେ କେବେ କହିପାରିବ ବୋଲି ଆଶା କରି ନ ଥିଲା ସେହିସବୁ କଥା ସେ କହିବାକୁ ଲାଗିଲା । ସମସ୍ତେ ତାହାର ମୁହଁକୁ କଟମଟ କରି ଅନାଇ ରହିଲେ । ସେ ବଡ଼ ପାଟିରେ କହିଲା ଏସବୁ ସହ୍ୟ କଲେ ଚଳିବ ନାହିଁ । ଏହି ଦୁଇ ଶହ ପରିବାରକୁ ଉଡ଼ାଇ ଦେବାକୁ ହେବ । ଫ୍ରାନ୍ସ, ତୋର ତରବାରି ଉଠା, ନିଆଁ ଜାଳି ଦେ । ସୀମା ଅତି ଆବେଗପୂର୍ଣ୍ଣ କଣ୍ଠରେ କହିବାକୁ ଲାଗିଲା । ସମସ୍ତେ ନୀରବ । ସୀମାର ବନ୍ଧୁମାନେ ସହସା ସେଠାରେ ଆସି ହାଜର ହେଲେ । ଇତିୟେନ ସପ୍ରଶଂସ ଦୃଷ୍ଟିରେ ତାହାର ମୁଖକୁ ଅନାଇଲା, ପେରୀ ବାସଟିଡ଼ର କୁଞ୍ଚିତ ମୁଖ ଆନନ୍ଦରେ ଉଦ୍ଭାସିତ ହେଲା, ଆଉ ରେଇସ ନିଶରେ ହାତ ମାରିଲେ ।

 

ଡାଫିନ ପୁଣି ଗମ୍ଭୀର ହେଲେ ଏବଂ ପରିଷ୍କାର ଭାବରେ ଘୋଷଣା କଲେ–ସୀମା, ତୁମେ ମୋତେ ସତରେ ସବୁ କଥା ବୁଝାଇଦେଲ । ମୁଁ ତୁମକୁ ଅର୍ଥ ଓ ସୈନ୍ୟ ଯୋଗାଇବି ।

 

ତା’ପରେ ଅଗ୍ରଗତି ଆରମ୍ଭ ହେଲା । ସୀମା ପ୍ରଥମେ ସାଞ୍ଜୁଆ ଗାଡ଼ିରେ ଉଠିଲା । ସେ ଏତେ ଦ୍ରୁତଗତିରେ ଆଗେଇ ଚାଲିଲା ଯେ ଅନ୍ୟମାନେ ତାହା ସହିତ ତାଳ ଦେଇ ପାରିଲେ ନାହିଁ ।

 

ତା’ପରେ ଏଲାର୍ମ ଘଡ଼ି ବାଜିଲା । ଏହି ଘଣ୍ଟା ଧ୍ଵନିର କାରଣ ହେଉଛି ରାଇନର ବିଧ୍ଵସ୍ତ ଗିର୍ଜାରେ ଡାଫିନଙ୍କର ଅଭିଷେକ ହେଉଛି । ଘଣ୍ଟା ବାଜୁଛି, ନୀଳ ଆକାଶରେ ପଲେ ବିମାନ ଉଡ଼ୁଛନ୍ତି, ମାର୍ସାଇ ସ୍ଵରରେ ବାଜା ବାଜୁଛି, ଆଉ ସମସ୍ତେ ସମ ସ୍ଵରରେ ଜାତୀୟ ସଙ୍ଗୀତ ବୋଲୁଛନ୍ତି । ବର୍ମ ପରିହିତ ସୀମା ଘନ ନୀଳ ପୋଷାକରେ ସେଠାରେ ଠିଆହୋଇ ପତାକା ହଲାଉଛି । ସୀମା ପରିଚିତ ବ୍ୟକ୍ତିମାନଙ୍କ ଉପରେ ଆଖି ବୁଲାଇ ନେଲା । ସୀମା ପ୍ରସପାର ଦାଦାର ମୁହଁକୁ ଅନାଇ ସବିସ୍ମୟରେ ଦେଖିଲା, ସେ ତାହାର ଦାଦା ନୁହେଁ, ପରଲୋକଗତ ପିତୃଦେବ ପୀୟର ପ୍ଲାନକାର୍ଡ଼ । ସେ କହିଲେ–ମାଆ, ତୁ ଚମତ୍କାର କାମ କଲୁ । ମୁଁ ଅତିଶୟ ସନ୍ତୁଷ୍ଟ ହୋଇଛି । ବାସ୍ତବିକ ତୁ ମୋର ସୁଯୋଗ୍ୟ ସନ୍ତାନ ।

 

ଏହା ଶୁଣି ସୀମା ଅପରିସୀମ ଆନନ୍ଦରେ ବୁଡ଼ିଗଲା ।

 

 

ମଧ୍ୟାହ୍ନ ଭୋଜନ ପରେ ବୁଢ଼ୀ ବିଶ୍ରାମ ନେବାକୁ ଗଲା । ସୀମା ବାସନକୁସନ ଧୋଇ ସାରି ସୂର୍ଯ୍ୟାଲୋକିତ ସୁସଜ୍ଜିତ ବଗିଚା ଆଡ଼କୁ ଶୂନ୍ୟ ଦୃଷ୍ଟିରେ ଅନାଇ ହାତ ଦୁଇଟି କୋଳରେ ରଖି ଉଦାସ ମନ ଓ ଅଳସ ଭଙ୍ଗୀରେ ବସିଥିଲା । ବହୁ ଦିନ ପରେ ଆଜି ତାହାର ହାତରେ ଆଉ କିଛି କାମ ନ ଥିଲା, କି ତାହାକୁ ସଉଦାପତ୍ର ଆଣିବା ପାଇଁ ସହରକୁ ଯିବାକୁ ପଡ଼ିବ ନାହିଁ । କିଛି କ୍ଷଣ ସେ ନୀରବରେ ବସି ରହିଲା । ତା’ପରେ ଉଠିପଡ଼ି ଅଳସ ଭାଙ୍ଗି ସେ ନିଜ କୋଠରୀରେ ପ୍ରବେଶ କଲା । ଘନ ସବୁଜ ପାଇଜାମା ପିନ୍ଧି ଏବଂ ବେତ ଝୁଡ଼ିଟା ଧରି ସେ ସହର ଅଭିମୁଖେ ବାହାରି ପଡ଼ିଲା ।

 

ଗୋଟାଏ ଆକସ୍ମିକ ଖବର ଶୁଣି ସହରର ବହୁ ଅଧିବାସୀ ଘର ଛାଡ଼ି ପଳାଇଛନ୍ତି । ଜର୍ମାନ ବୈମାନିକମାନେ ସହସା ସେରିନ ନଦୀର ପୋଲ ଉପରେ ପଳାତକ ଶରଣାର୍ଥୀମାନଙ୍କ ଉପରେ ଗୁଳି ଚଳାଇଲେ । ନିହତ ବ୍ୟକ୍ତିଙ୍କର ସଂଖ୍ୟା ଜଣା ନାହିଁ । ଆହତମାନଙ୍କର ଅବସ୍ଥା ଅତି ଶୋଚନୀୟ । ଯୁଦ୍ଧ ସେଣ୍ଟ ମାର୍ଟିନ ପର୍ଯ୍ୟନ୍ତ ଆଗେଇ ଆସିଥିବାରୁ ସ୍ଥାନୀୟ ଅଧିବାସୀମାନେ ଆତଙ୍କିତ ହୋଇଛନ୍ତି । ଯଦି ଶତ୍ରୁ ପୋଲଟା ଉଡ଼ାଇ ଦିଏ, ତାହାହେଲେ ଦକ୍ଷିଣ ମୁଖୀ ରାସ୍ତା ଏକାବେଳେ ବନ୍ଦ ହୋଇଯିବ ।

 

ସୀମା କାଫେ ନେପୋଲିୟାଁରେ ପ୍ରବେଶ କଲା । ଲୋକେ ଯୁଦ୍ଧ ସମ୍ବନ୍ଧରେ ଆଲୋଚନା କରୁଥିଲେ । ଏତିକିବେଳେ ରୋଗା ଡେଙ୍ଗା ତୀକ୍ଷ୍ଣ ମୁଖ ଇତିୟେନକୁ ଆସିବାର ଦେଖି ସୀମାର ହୃଦୟ ଆନନ୍ଦରେ ଆନ୍ଦୋଳିତ ହେଲା । ତାହାର ହାତ ଦୁଇଟି ଧରି ପକାଇ ଇତିୟେନ ସୀମାକୁ ଟେବୁଲରେ ବସିବାକୁ ଅନୁରୋଧ କଲା ।

 

କାଫେର ଭିତରଟା ପ୍ରାୟ ଅନ୍ଧାରିଆ, ଧୁଆଁଳିଆ ଓ ଆରମ ଦାୟକ ଶୀତଳ । ଇତିୟେନ ସୀମା ଆଡ଼କୁ ମୁଖ ନେଇ କହିଲା–ଏହା ଏକ ଅସହ୍ୟ ଅବସ୍ଥା । କଅଣ ଯେ ଏକ୍ଷଣି କରିବା ଉଚିତ, ମୁଁ ନିଜେ ତାହା ସ୍ଥିର କରିପାରୁ ନାହିଁ । ଶୁଣା ଯାଉଛି, ଜର୍ମାନମାନେ କୁଆଡ଼େ ସାଦା ପୋଷାକଧାରୀ ସାମରିକ ବୟସର ଯୁବକମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି । ବୟସ ଅନୁପାତରେ ମୁଁ ବଡ଼ ଦିଶେ । କିନ୍ତୁ ମୁଁ ଜର୍ମାନମାନଙ୍କ ହାତରେ ଧରା ପଡ଼ିବାକୁ ଚାହେଁନା । ତେଣୁ ମୁଁ ଏଠାରେ ନିରାପଦ ବୋଧ କରୁ ନାହିଁ । ହୁଏତ ସେମାନେ ଆସି ପହଞ୍ଚିଲେ ଆମକୁ କିଛି କରିବାକୁ ହେବ ।

 

ଏହା ଶୁଣି ସୀମାର ହୃଦୟ ଆବେଗରେ ଉତ୍ତପ୍ତ ହେଲା । କରୁଣାମୟ ଡିମାଡିମା ଆଖିରେ ଇତିୟେନ ଆଡ଼କୁ ଅନାଇ ସୀମା ଆଗ୍ରହ ସହକାରେ କହିଲା–ନିଶ୍ଚୟ କିଛି ନା କିଛି କରି ପାରିବ । କିନ୍ତୁ ଏକ୍ଷଣି ତାହା ଘଟିବ ନାହିଁ ।

 

ଇତିୟେନର ଦୃଷ୍ଟି ବନ୍ଧୁତା ଓ ଶ୍ରଦ୍ଧାରେ ପରିପୂର୍ଣ୍ଣ । କିଛି କ୍ଷଣ ଉଭୟେ ଚୁପ୍‍ ରହିଲେ । ସୀମା ସହସା ଆରମ୍ଭ କଲା–ଆଶ୍ଚର୍ଯ୍ୟର କଥା, କାଲି ରାତିରେ ମୁଁ ହେନରିୟେଟକୁ ସ୍ଵପ୍ନ ଦେଖିଛି । ଦେଖିଲି, ସେ ଯେମିତି ସେହି ଜୋନ ଅଫ୍‍ ଆର୍କ ପରି ମୋତେ ଦିଶିଲା ।

 

ଇତିୟେନ ଆପେଲ ସାଇଡ଼ାର ପାନ କରି ସେହି ବିଷୟରେ କିଛି ନ କହି ବରଂ ପଚାରିଲା–ଘରର ଅବସ୍ଥା କଅଣ ଏବେ ବି ସେହି ରକମ ?

 

ହଁ–ସୀମା ଜବାବ ଦେଲା ।

 

ଇତିୟେନ କହିଲା–ତୁମେ ପୀୟର ପ୍ଲାନକାର୍ଡ଼ଙ୍କର ସୁଯୋଗ୍ୟ ସାହସୀ ଝିଅ ।

 

ସୀମାର ମୁଖ ଲଜ୍ଜାରେ ଆରକ୍ତ ହେଲା । ଦୁହେଁ ଉଠିଲେ । ଇତିୟେନକୁ ବିଦାୟ ଦେଇ ସୀମା ଡେପୁଟି ପ୍ରିଫେକ୍ଟର ଅଫିସରେ ପ୍ରବେଶ କଲା । ବାହାରେ ସିନା ବଡ଼ କଡ଼ା ପହରା, କିନ୍ତୁ ଭିତରେ ଅଫିସର ଦୁଆର ସବୁ ମେଲା । ଶରଣାର୍ଥୀମାନେ ଚାରିଆଡ଼େ ଘୂରି ବୁଲୁଛନ୍ତି । ଡେପୁଟି ପ୍ରିଫେକ୍ଟ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେ ବିଷାଦ କଣ୍ଠରେ ଜଣାଇଲେ, ଏବେ ଖବର ଆସିଲା ଯେ ସେରିନ ନଦୀର ପୋଲ ଉପରେ ଯେଉଁ ବୀଭତ୍ସ ଓ ଶୋଚନୀୟ କାଣ୍ଡ ଘଟିଛି, ତାହା କଳ୍ପନାତୀତ ।

 

ସୀମା ସହସା କହି ପକାଇଲା–୨୧୪ ଜଣ ନିହତ ହୋଇଛନ୍ତି ।

 

ଉପସ୍ଥିତ ସମସ୍ତେ ସୀମା ଆଡ଼କୁ ବିସ୍ମୟରେ ଚାହିଁଲେ । ଜାଭିୟେର କହିଲା–ଆଚ୍ଛା, ସେରିନ ନଦୀର ପୋଲ ଉପରେ ମୁଁ ଦୁଇଜଣ ଜଗୁଆଳି ରଖିଦେବି । ସୀମାର ମୁଣ୍ଡ ଉପରେ ହାତ ରଖି ସେ ହସି ହସି ପଚାରିଲା–ତୁମର କଅଣ ହୋଇଛି, ସୀମା ?

 

ସୀମା କିଛି ଜବାବ ଦେଇ ପାରିଲା ନାହିଁ । କିଛି ସମୟ ସହରରେ ବୁଲି ସେ ପ୍ଲାନକାର୍ଡ଼ ଟ୍ରାନ୍ସପୋର୍ଟ କମ୍ପାନୀର ଗେରେଜରେ ଯାଇ ପହଞ୍ଚିଲା । ଅଫିସ ଘରେ ବୁକ୍‍ କିପାର ପେରୁ ପାଖରେ ସେ ଖାଲି ଝୁଡ଼ିଟା ଥୋଇ ଦେଇ କହିଲା–ଆଜି କିଛି ମିଳିଲା ନାହିଁ ।

 

ଠେକୁଆ ଭଳି ମୁଖଟି ଅଧିକ ଅସୁଖୀ କରି ପେରୁ ଅଭିଯୋଗ କଲା–ସମସ୍ତେ ଭାଙ୍ଗି ପଡ଼ୁଛନ୍ତି । ପ୍ଲାନକାର୍ଡ଼ କାହିଁକି ଯେ ସେହି ଭୟଙ୍କର ଦିନର ଅପେକ୍ଷାରେ ଚୁପ୍‍ ହୋଇ ବସିଛନ୍ତି, ମୁଁ କିଛି ବୁଝିପାରୁ ନାହିଁ । ପ୍ରାୟ ସମସ୍ତେ ପଳାଇଲେଣି । ଲୋଡ଼ିଂ ଇୟାର୍ଡ଼ରେ ଜଣେ ହେଲେ ଦରୁଆନ ନାହିଁ । ପ୍ଲାନକାର୍ଡ଼ ଆମର କର୍ତ୍ତା, ପ୍ରାଚୀନ ରୋମାନମାନଙ୍କ ପରି କଠୋର ଓ ସାହସୀ । ସେ କାମ ଛାଡ଼ି ଚାଲିଯିବାର ଲୋକ ନୁହନ୍ତି । ଏଣେ ଦାବିର ସଂଖ୍ୟା ବଢ଼ିବାରେ ଲାଗିଛି । ଏକ୍ଷଣି ଆମକୁ ସବୁ ଟ୍ରକ ଓ ଗାସୋଲିନ ଛାଡ଼ି ଦେବାକୁ ପଡ଼ିବ ।

 

ସୀମା ଅଫିସରୁ ବାହାରି ଗାସୋଲିନ ପମ୍ପ ପାଖରେ ଯାଇ ଛିଡ଼ା ହେଲା । ଅତ୍ୟଧିକ ଗରମ ଓ ଉତ୍ତେଜନା ହେତୁ ସୀମା ବେଶି ପରିଶ୍ରାନ୍ତ ଦିଶୁଥିଲା । ବହୁତ ଖରିଦଦାର ଆସି ଗାସୋଲିନ ନେବାକୁ ଲାଗିଲେ । ଯେଉଁମାନେ ବେଞ୍ଚରେ ବସିଥିଲେ, ସେମାନେ ମାଲିକକୁ ଶ୍ରୀମତୀ ମିମାରେଲ ସହିତ ଜଡ଼ିତ କରି ପରିହାସ କଲେ । ମରିସ କହିଲା–ମୁଁ ବାଜି ରଖି କହିପାରେ, ଜର୍ମାନମାନେ ଆସିଲେ ଏହି ମାର୍କୁଇ ସାଟାଲିନ ସେମାନଙ୍କ ସାଙ୍ଗରେ ଗଳିଯିବ ।

 

ସୀମା ମନେମନେ ଭାବିଲା, ତାହାହେଲେ ମରିସ କାହିଁକି ଏଠାରେ ପଡ଼ି ରହିଛି ? ହୁଏତ ଅତି ଦାମ୍ଭିକ ଓ ଗର୍ବିତ ବୋଲି । ଉଜ୍ଜ୍ଵଳ ସୂର୍ଯ୍ୟାଲୋକର ପ୍ରସପାର ଓ ମାର୍କୁଇ ପ୍ରାଙ୍ଗଣରେ ଆସି ଛିଡ଼ା ହେଲେ । କର୍ମଚାରୀମାନେ ନୀରବରେ ଅପେକ୍ଷା କଲେ, ସହସା ପ୍ରସପାର ଗଳା ପରିଷ୍କାର କରି କହିଲା–ବନ୍ଧୁଗଣ, ମାର୍କୁଇଙ୍କ ସହିତ ଆମ କମ୍ପାନୀର ଗୋଟାଏ ଚୁକ୍ତି ହୋଇଛି, ବେଓୟାଜ ପର୍ଯ୍ୟନ୍ତ ତାଙ୍କର ମାଲ ପହଞ୍ଚାଇ ଦେବାର ଭାର ନେଇଛି । ଏହି ମୂଲ୍ୟବାନ ଜିନିଷ ଶତ୍ରୁର ହାତରେ ପଡ଼ିବା ଉଚ଼ିତ ନୁହେଁ । ସୁତରାଂ ଏହି କାର୍ଯ୍ୟଟି ସମ୍ପୂର୍ଣ୍ଣ କରିବାର ଭାର ତୁମ୍ଭମାନଙ୍କ ହାତରେ ରହିଲା ।

 

ସୀମା ନିଜର କାନକୁ ବିଶ୍ୱାସ କରିପାରିଲା ନାହିଁ ଯେ ତାହାର ଦାଦା ସତରେ ଶରଣାର୍ଥୀମାନଙ୍କ ବଦଳରେ ମଦ ବୋହିବାକୁ ରାଜି ହୋଇଛି । ସେ କପାଳରୁ ଝାଳ ପୋଛିଲା । ମରିସ ଧୀରେ ଧୀରେ ଆପତ୍ତି କଲା–ଯଦି ଜର୍ମାନମାନେ ଆମଠାରୁ ମାଲ କାଢ଼ି ନିଅନ୍ତି, ତାହାହେଲେ ଆମେ କଅଣ କରିବୁ ?

 

ମାର୍କୁଇ ଅନ୍ୟ ଆଡ଼କୁ ମୁହଁ ବୁଲାଇ କହିଲା–ହଁ, ଟିକିଏ ସାହସ ଦରକାର ।

 

ମରିସ ଶାନ୍ତ ଭାବରେ ଜବାବ ଦେଲା–ଏମିତି ହୋଇପାରେ ଯେ ଗାଡ଼ିରୁ ପିପାପୁଡ଼ାକ ରାସ୍ତାରେ ଫିଙ୍ଗିଦେଇ ଶରଣାର୍ଥୀମାନେ ଚଢ଼ିବସିବେ ।

 

ମାର୍କୁଇ ତୀକ୍ଷ୍ଣ ଭାବରେ ବୁଲିପଡ଼ି କହିଲା–ଏ ଦେଶରେ ଯାହା କିଛି ଘଟୁନା କାହିଁକି ଦିନେ ନା ଦିନେ ଶୃଙ୍ଖଳା ନିଶ୍ଚୟ ଫେରି ଆସିବ ।

 

ସେମାନେ ଅଫିସ ଘର ଆଡ଼କୁ ଚାଲିଗଲାରୁ, ବୁଢ଼ା ଡ୍ରାଇଭର ରିଚାର୍ଡ଼ ମରିସକୁ କହିଲା–ଏକ୍ଷଣି ଆମର ଏଠାରୁ ଚାଲିଯିବା ଉଚିତ ।

 

ମରିସ ପୁଣି କହିଲା–ଯଦି ମୁଁ ମଦ ବୋହି ନେଇ ଯାଏ, ଶରଣାର୍ଥୀମାନେ ମୋ ମୁଣ୍ଡଟା ଉଡ଼ାଇ ଦେବେ ।

 

ଏଥିରେ ସୀମା ମନେମନେ ଗର୍ବ ଅନୁଭବ କଲା ।

 

ସନ୍ଧ୍ୟାରେ ଭୋଜନ କକ୍ଷ ଯଥାରୀତି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ଏବଂ ଭୋଜନ ଟେବୁଲ ଖୁବ୍‍ ଜାକଜମକରେ ସଜ୍ଜିତ ହୋଇଥିଲା । ବୁଢ଼ୀ ଓ ପ୍ରସପାର ଖାଉଥିଲେ, ସୀମା ପରିବେଷଣ କରୁଥିଲା । ଗାଜର ଚୋବାଉଁ ଚୋବାଉଁ ପ୍ରସାପାର କହିଲା–କାଲି ସେଣ୍ଟ ମାର୍ଟିନରୁ ଯେଉଁମାନେ ପଳାଇଛନ୍ତି, ସେମାନଙ୍କ ସ୍ୱପକ୍ଷରେ ଅନେକ ଯୁକ୍ତି ଅଛି । ବିଶ୍ଵସ୍ତ ସୂତ୍ରରୁ ଜଣାଯାଇଛି, ୭ ଓ ୭୭ ନମ୍ବର ରାସ୍ତା ଏବେ ପ୍ରାୟ ଜନହୀନ । ଚାରିଆଡ଼େ ଶୁଣା ଯାଉଛି ଯେ ଜର୍ମାନମାନେ ଅଧିକୃତ ସହରରେ ସେମାନଙ୍କର ଦାବି ଦୃଢ଼ କରିବା ସକାଶେ ଅନେକ ଲୋକଙ୍କୁ ଧରି ରଖିଛନ୍ତି । ଯଦି ଏଠାରେ ସେୟା ହୁଏ, ତାହାହେଲେ ଆମର ବି ବିପଦର ସମ୍ଭାବନା ଅଛି ।

 

ସୀମା ଖାଉଥିଲା, ଏହା ଶୁଣି ହାତ ଟେକି ଦାଦାର ମୁହଁକୁ ଆଗ୍ରହରେ ଅନାଇ ରହିଲା । ସେ କହି ଯିବାକୁ ଲାଗିଲା–ଗୋଟିଏ ଦିଗରୁ ଦେଖିବାକୁ ଗଲେ, ମୋର କଅଣ କର୍ତ୍ତବ୍ୟ ନୁହେଁ ଟ୍ରକଗୁଡ଼ିକ ଓ ପ୍ରତିଷ୍ଠାନର ପ୍ରଧାନ ବ୍ୟକ୍ତିମାନଙ୍କୁ ରକ୍ଷା କରିବା ? କଅଣ କହୁଛୁ ମାଆ, ତୋର ମତ କଅଣ ? ଏହା କହି ଟିକିଏ ଦୀର୍ଘଶ୍ୱାସ ଛାଡ଼ି ପ୍ରସପାର ମାଂସ ଓ ପରିବା ଉପରେ ଝୋଳ ଢାଳିଲା-। ବୁଢ଼ୀ ଖୁବ୍‍ ଗମ୍ଭୀର ହୋଇ ବସିଥିଲା, କହିଲା–ସଙ୍କଟ ସମୟରେ ଅବଶ୍ୟ ଏ କଥା ଠିକ୍‍-। ତେବେ ମୋର ମନେହୁଏ, ସେଣ୍ଟ ମାର୍ଟିନରେ ତୋ ପରି ଜଣେ ଲୋକ ଅଛି ଯେ ଜର୍ମାନ ଓ ଜନତାକୁ ଦେଖାଇ ଦେଇ ପାରେ ଯେ ବିପଦ ବେଳେ କିପରି ଭାବରେ କାମ କରିବା ଉଚିତ-। ଏହା ଗୋଟାଏ ବଡ଼ କଥା ।

 

କି ରକମ କୌଶଳରେ ପ୍ରଶଂସାର ଛଳରେ ବୁଢ଼ୀ ପୁଅକୁ ତିରସ୍କାର କଲା, ସୀମା ମନେମନେ ତାହାର ତାରିଫ କଲା । ତାହାର ଦାଦା ବି ଜୋରରେ ଟିକିଏ ହସିଲା, ସହସା ସେ ପ୍ଲେଟଟା ଘୁଞ୍ଚାଇ ଦେଲା । କ୍ରିମ ଗ୍ରେଭିରେ ଜାଇଫଳ ଦିଆ ହୋଇଥିବାର ଦେଖି ସେ ରାଗରେ ଚିତ୍କାର କଲା–ମୋତେ ଜବଦ କରିବା ଲାଗି ଏମିତିକା କରା ଯାଉଛି । ଘରେ ରଖି ଝିଅ ଭଳି ମଣିଷ କରିବାରେ ଏହି ଫଳ । ପ୍ରତିଦାନରେ ତୁ ଖାଲି ମୋ କର୍ମଚାରୀମାନଙ୍କୁ ଉସୁକାଇ କ୍ଷାନ୍ତ ହେଉ ନାହୁଁ, ଏଣେ ମୋର ଖାଦ୍ୟ ସବୁ ମଧ୍ୟ ନଷ୍ଟ କରି ଦେଉଛୁ ।

 

ତାହାର ଅପ୍ରତ୍ୟାଶିତ ବ୍ୟବହାରରେ ସୀମା ଟିକିଏ ଲଜ୍ଜିତ ହେଲା । ସେ ବୁଢ଼ୀ ଆଡ଼କୁ ଅନାଇଲା । ପ୍ରସପାର ଜୋରରେ ନିଃଶ୍ଵାସ ନେଉଥିଲା । ବୁଢ଼ୀ କହିଲା–ସୀମା, ସିଗାରେଟ ଓ ଦିଆସିଲି ଦେ, ଆଉ ଟେବୁଲ ସଫା କର ।

 

ବିନା ବାକ୍ୟ ବ୍ୟୟରେ ସୀମା ଆଦେଶ ପାଳନ କଲା । ବୁଢ଼ୀ ଚଷମା ଖସାଇ ସିଗାରେଟରେ ପାଉଁଶ ଝାଡ଼ୁ ଝାଡ଼ୁ କହିଲା–ତାହାହେଲେ ସବୁ ଘିଅ ପାଉଁଶରେ ଢଳା ହେଲା । ଯେଉଁ ଦାଦା ତୋ ପାଇଁ ଏତେ କରିଛି, ନିଜ କର୍ମଚାରୀଙ୍କ ସାମନାରେ ତୁ ତାହାକୁ ଅପମାନ ଦେଲୁ-। ଆମ ଶତ୍ରୁଙ୍କ ସାଙ୍ଗରେ ହାତ ମିଳାଇ ତୁ ଆମକୁ ପଛରୁ ଛୁରା ମାରୁଛୁ । ଯଦି ସମୟ ଏତେ ଖରାପ ନ ହୋଇ ଥାଆନ୍ତା, ତାହାହେଲେ ମୋ ପୁଅକୁ କହି ଥାଆନ୍ତି ଆଜି ତୋତେ ଏଠାରୁ ଦୂର କରି ଦେବାକୁ । ସବୁ ଦିଗରୁ ଆମେ ବଞ୍ଚି ଯାଇ ଥାଆନ୍ତୁ । ତେବେ ଶେଷଥର ପାଇଁ ମୁଁ ତୋତେ ସାବଧାନ କରି ଦେଉଛି । ତୋ ଶରୀରରେ ଖରାପ ରକ୍ତ ଅଛି । ତୋ ବାବା ଆମ କଥାକୁ କାନ ନ ଦେବାରୁ ନିଜର ଫଳ ଭୋଗିଲା ।

 

ସୀମା ମୁଣ୍ଡ ନୁଆଁଇ ଠିଆ ହୋଇଥିଲା । ପ୍ରସପାର ସ୍ୱାଭାବିକ ଦ୍ରୁତ ଗତିରେ ପଦଚାରଣ କରୁଥିଲା । ସେ ରାଗରେ ପୁଣି କହିଲା–ଠିକ୍‍ କହିଲ, ମାଆ । ମୋର ଉଚିତ ଥିଲା ଏହି ଅବାଧ୍ୟ ଝିଅଟାକୁ ଖାଇବାକୁ ନ ଦେଇ ଶୁଖାଇ ମାରିବା ।

 

ବୁଢ଼ୀ କହିଲା–ଏତେ ଉତ୍ତେଜିତ ହୁଅନା, ପ୍ରସପାର । ତୁ କିଛି ଖାଆ ।

 

ତହୁଁ ପ୍ରସପାର ଖଣ୍ଡିଏ ଛେନା ପାଟିରେ ପୂରାଇ ମଦ ଗିଲାସଟା ଉଠାଇ ନେଲା ।

 

ପରଦିନ ଅପରାହ୍ନରେ ସେହି ଢିଲା ପାଇଜାମା ପିନ୍ଧି ଝୁଡ଼ି ଧରି ସୀମା ସାଇକେଲରେ ଚଢ଼ି ପୁଣି ସହରକୁ ଗଲା । ରାସ୍ତା ସେତେ ଜନବହୁଳ ନ ଥିଲା । ସେ ସିଧା ଲୋଡ଼ିଂ ଇୟାର୍ଡ଼ରେ ଯାଇ ପହଞ୍ଚିଲା । ଡ୍ରାଇଭର ଓ ଅନ୍ୟମାନେ ବେଞ୍ଚରେ ବସି ଖରା ପୋହୁଥିଲେ । ସୀମା ସାଇକେଲଟା ଚଉକିକୁ ଡେରିଦେଇ ପମ୍ପ ଆଡ଼କୁ ଆଗେଇଲା, ବୁଢ଼ା ରିଚାର୍ଡ଼ କହିଲା–ଆଜିକାଲି ଆମେ ଆଉ ପେଟ୍ରୋଲ ବିକୁ ନାହୁଁ, କର୍ତ୍ତା ଚାବି ପକାଇଛନ୍ତି ।

 

ମରିସ ମନ୍ତବ୍ୟ କଲା–ଧୀରେ ଧୀରେ ଫ୍ରାନ୍ସର ମୃତ୍ୟୁ ହେଉଛି ।

 

ପମ୍ପରେ ଚାବି ପଡ଼ିଥିବାରୁ, ସୀମା ଯାଇ ସେମାନଙ୍କ ପାଖରେ ବେଞ୍ଚରେ ବସିଲା । ଯୁଦ୍ଧ ଓ ଶରଣାର୍ଥୀମାନଙ୍କ ବିଷୟରେ ଆଲୋଚନା ଚାଲିଲା । ଗେରେଜରେ ଚାବି ଦିଆଯାଇଥିବା ଦରଜାରେ ଘଣ୍ଟା ବାଜିଲା । ସୀମା ଧାଇଁଯାଇ ଗୋଟିଏ ଫାଙ୍କରେ ଦେଖିଲା, ଜଣେ ବ୍ରିଟିଶ ପୋଷାକଧାରୀ ବୈମାନିକ ଛିଡ଼ା ହୋଇଛି । ସୀମା ତାହାକୁ ଆସିବାକୁ କହିଲା । ସେ ଖଲେଇ ଖଲେଇ ଚାଲୁଥିଲା । ସୀମା ବିନୀତ ଭାବରେ ପଚାରିଲା–ଆପଣଙ୍କ ପାଇଁ କଅଣ କରିପାରେ ?

 

ଲୋକଟି ଟିକିଏ ଲଜ୍ଜିତ ଭଙ୍ଗୀରେ ଜବାବ ଦେଲା–ଜର୍ମାନମାନେ ମୋ ବିମାନଟିକୁ ଗୁଳି କରି ଖସାଇ ଦେଇଛନ୍ତି । ମୁଁ ପାରାଚୁଟରେ ଓହ୍ଲାଇଛି । ମୁଁ ଜର୍ମାନମାନଙ୍କ ହାତରେ ପଡ଼ିବାକୁ ଚାହେଁନା । ଏକ୍ଷଣି ମୋତେ ବୋର୍ଦୋକୁ ଯିବାକୁ ହେବ । ମୋ ପାଖରେ ଇଂରେଜୀ ଟଙ୍କା ଅଛି । ମୋତେ ଟିକିଏ ସାହାଯ୍ୟ କରିପାରିବେ ?

 

ବୁଢ଼ା ରିଚାର୍ଡ଼ ମରିସକୁ କହିଲା–ଯଦି ତୁମେ ପଳାଇବାକୁ ଚାହଁ, ଆଜି ଯାଅ । ମଟର ସାଇକେଲରେ ଏହି ଭଦ୍ରଲୋକଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଅ ।

 

ମରିସ ଉଦ୍ଧତ ଭଙ୍ଗୀରେ ଗର୍ଜନ କଲା–ତୁମେ ଚୁପ୍‍ କର । ପ୍ରକୃତ ଅବସ୍ଥା କଅଣ ନ ଦେଖି ମୁଁ ଏଠାରୁ ପାହୁଣ୍ଡେ ହେଲେ ଘୁଞ୍ଚିବି ନାହିଁ ।

 

ସୀମା ଉତ୍ତେଜିତ ଭାବରେ ମରିସ ଆଡ଼କୁ ଅନାଇଲା, ଆଉ ମରିସ କମରରେ ହାତ ଦେଇ ଛିଡ଼ା ହୋଇ ଅସୀମ ଘୃଣାରେ ସୀମାର ଆପାଦ ମସ୍ତକ ନିରୀକ୍ଷଣ କଲା । ତା’ପରେ ସେ ଧୀରେ ଧୀରେ ଚଢ଼ା ଗଳାରେ ସୀମାକୁ କହିଲା–ବଡ଼ଲୋକଙ୍କର ରୀତି ଏମିତିକା । ଇଂରେଜ ଟୋକାଟା ପାଇଁ ଯଦି କରୁଣାରେ ଏତେ ଗଳି ପଡ଼ୁଛ, ଯାଉ ନାହଁ ତାହା ସାଙ୍ଗରେ ଶୋଇ ପଡ଼ିବ ।

 

ସୀମାର ମନେହେଲା, ମରିସ ଯେମିତି ତାହାକୁ ପ୍ରହାର କଲା । ତାହାର ହାତଗୋଡ଼ କମ୍ପୁଥିଲା, ଆଖି ଲୁହରେ ଛଳଛଳ ହେଲା । ସେ ଦ୍ରୁତ ପଦରେ ଧାଇଁ ଯାଇ ଗେରେଜ ଭିତରେ ପଶିଗଲା । ଅନ୍ଧାରରେ ଉତ୍ତାପ ଭିତରେ ବସି ରହି ସେ ଦେଖିଲା, ସେହି ଇଂରେଜ ବିଚରା ସହିତ ସେମାନେ ନାନା ରକମ ରହସ୍ୟ କରି ଅବଶେଷରେ ତାହାକୁ ମଟର ସାଇକେଲ, ଗାସୋଲିନ, ଖାଦ୍ୟ ଓ ରାସ୍ତାର ମାନଚିତ୍ର ଦେଇ ବିଦା କରିଦେଲେ ।

 

ସୀମା ନିଜର ସାଇକେଲ ଓ ଝୁଡ଼ି ନେଇ ସିଧା ଅଫିସ ଫାଟକ ବାଟେ ଘର ଆଡ଼କୁ ଚାଲିଗଲା ।

 

ପରଦିନ ସକାଳେ ସୀମା ଯେତେବେଳେ ସାଇକେଲରେ ସେଣ୍ଟ ମାର୍ଟିନ ଅଭିମୁଖେ ଯାଉଥିଲା, ତାହାର ରୌଦ୍ରତପ୍ତ ମୁଖ, ଚଉଡ଼ା ଚିବୁକ ଓ ଅବିନୀତ କପାଳ ବେଶ୍‍ ପ୍ରଶାନ୍ତ ମାଲୁମ ହେଉଥିଲା । କିନ୍ତୁ ତାହାରି ପଛରେ ଲୁଚି ରହିଥିଲା ଏକ ଆବେଗ ଜନିତ ଉତ୍ତେଜନା । ସେ ମନେମନେ ଯାହା ସ୍ଥିର କରିଥିଲା, ତାହା ସମ୍ପନ୍ନ କରିବାର ଅସହିଷ୍ଣୁତାରେ ତାହାର ଶରୀର ଥରୁଥିଲା । ସେ ବାରମ୍ଵାର ପକେଟରେ ହାତ ମାରି ଚାବିକାଠି ଓ ଦିଆସିଲି ଅଛି କି ନା ଦେଖୁଥିଲା-

 

କାଲି ରାତିରେ ପ୍ରସପାର ଓ ଡେପୁଟି ଫ୍ରଫେକ୍ଟଙ୍କର କଥୋପକଥନ ପରେ ସୀମା ଭାବିଲା, ଯଦି ଜର୍ମାନମାନେ ସହସା ସହରରେ ଆସି ପହଞ୍ଚନ୍ତି ଏବଂ ଜିନିଷପତ୍ର ସବୁ ଧ୍ଵଂସ କରିବା ପୂର୍ବରୁ ସେମାନଙ୍କ ହାତରେ ପଡ଼େ, ତାହାହେଲେ ପ୍ଲାନକାର୍ଡ଼ ପରିବାର ପକ୍ଷରେ ଅପରିସୀମା ଲଜ୍ଜାକର ହେବ । ସେଇଥିପାଇଁ ସେ କାର୍ଯ୍ୟର ଦାୟିତ୍ୱ ଦାଦାର ହାତରୁ ନିଜେ ନେବାକୁ ସ୍ଥିର କଲା । ତା’ପରେ କାମଟା ଖତମ ହେଲେ, ତାହାର ଦାଦା ନିଶ୍ଚୟ ମୁକ୍ତିର ନିଃଶ୍ଵାସ ମାରିବ ।

 

ସେଣ୍ଟ ମାର୍ଟିନ ସହରର ରାସ୍ତାରେ କାଁଭାଁ ଦୁଇ ଚାରି ଜଣ ଲୋକ ଦେଖା ଯାଉଛନ୍ତି । ଶତ୍ରୁର ଆଗମନର ଆଶଙ୍କାରେ ସହରଟି ପ୍ରାଣହୀନ ହୋଇ ଯାଇଛି । ଖାଲି ଶୂନ୍ୟ କୋଠାଗୁଡ଼ାକ ଠିଆ ହୋଇଛି । ମଝିରେ ମଝିରେ ଜଣେ ଦୁଇଜଣ ସୈନ୍ୟ ପଇଁତରା ମାରୁଛନ୍ତି ।

 

ହଠାତ୍‍ ସେଣ୍ଟ ଲାଜାରର ରାସ୍ତା କଡ଼ରେ ଏଲମ ଗଛ ତଳୁ କେହି ତାହାର ନାମ ଧରି ଡାକିବାରୁ, ସୀମା ସ୍ୱସ୍ତିର ନିଃଶ୍ଵାସ ଛାଡ଼ିଲା । ସେ ଦେଖିଲା, ବେଞ୍ଚରେ ମରିସ ଜଣେ ଝିଅକୁ ନେଇ ବସିଛି । ସୀମା ବେଞ୍ଚ ଆଡ଼କୁ ଆଗେଇ ଗଲା । ମରିସ ମୁରୁକି ମୁରୁକି ହସି ଠିଆ ହୋଇ ପଡ଼ି କହିଲା–ଏ ହେଉଛି ମୋର ବାନ୍ଧବୀ ଲୁଇସନ, ଆଉ ଏ କୁମାରୀ ସୀମା, ମୋ ମୁନିବଙ୍କ ଝିଆରୀ । ଚାଲ ସୀମା, ଜର୍ମାନମାନେ ଆସି ପହଞ୍ଚିବା ଆଗରୁ କାଫେରେ ଗିଲାସେ ଲେଖାଏଁ ବିୟର ପାନ କରିବା ।

 

ସମସ୍ତେ କାଫେକୁ ଗଲେ । ସାମନାରେ ତିନି ଗିଲାସ ବିୟର ଥୁଆ ହେବାର ଦେଖି ମରିସ ସୀମାକୁ କହିଲା–କାଲି ମତଭେଦ ଯୋଗୁଁ ଆମର କଥାବାର୍ତ୍ତାରେ ବାଧା ପଡ଼ିଥିଲା । ଏଥର ଦେଖାଯାଉ, ଗାସୋଲିନ ଓ ଟ୍ରକଗୁଡ଼ିକର ଅବସ୍ଥା କଅଣ ହେଉଛି । ଶତ୍ରୁମାନେ ଆମକୁ ଚଉଦିଗରୁ ଘେରି ଗଲେଣି । ଆମେ ବର୍ତ୍ତମାନ ଗୋଟାଏ ବ୍ୟୁହ ଭିତରେ ପଡ଼ିଛୁ ।

 

ସୀମା ହଠାତ୍‍ ଉଠିପଡ଼ି କହିଲା–ମୋତେ ଏକ୍ଷଣି ପ୍ରିଫେକ୍ଟର ଅଫିସକୁ ଯିବାକୁ ହେବ ।

 

ମରିସ ଥଟା କଲା–ତାହାହେଲେ ଦୌଡ଼ି କରି ଯାଅ ।

 

ସୀମା ସାଇକେଲ ଛୁଟାଇ ପାଲେସ ନଇରେଟରେ ଯାଇ ପହଞ୍ଚିଲା । ପ୍ରକାଣ୍ଡ ପ୍ରାଚୀନ ଦରଜାରେ ତାଲା ଝୁଲୁଥିଲା । ପାଖ ଦୁଆର ବାଟେ ସାଇକେଲ ନେଇ ସେ ଅଫିସ ଭିତରକୁ ପଶିଗଲା । ଜାଭିୟେର ତାହାକୁ ଦେଖି ପଚାରିଲା–କି, ମତଲବ କଅଣ ?

 

ସୀମା ଉପର ଠାଉରିଆ ଜବାବ ଦେଲା–ଘରେ ଭଲ ଲାଗିଲା ନାହିଁ ।

 

ଏତିକିବେଳେ ଗୋଟାଏ ଦୀର୍ଘ ତୀକ୍ଷ୍ଣ ଘଣ୍ଟା ଧ୍ୱନି ଶୁଭିଲା । ସମସ୍ତେ ସଚକିତ ହୋଇ ଡେପୁଟି ପ୍ରିଫେକ୍ଟର ଅଫିସକୁ ଧାଇଁଲେ । ଏହି ଅବସରରେ ସୀମା ଚୁପ୍‍ଚାପ୍‍ ଅଫିସରୁ ବାହାରି ଏଭିନିଉ ଦି ପାର୍କ ଆଡ଼କୁ ଦ୍ରୁତ ପଦରେ ଚାଲିଲା । ଇତିୟେନର ଘର ସାମନାରେ ପହଞ୍ଚି ସେ ଏକ ସାଙ୍କେତିକ ଆବାଜ କଲା । ତାହାକୁ ଦେଖି ଉଲ୍ଲସିତ ହୋଇ ଇତିୟେନ ତାହାର ହାତ ଦୁଇଟି ଜାବୁଡ଼ି ଧରି କହିଲା–ଆଜି ଦିନ ଯାକ ଭାବୁଛି, ତୁମେ ଆସିବ କି ନା ।

 

ଇତିୟେନ ତାହା ସାଙ୍ଗରେ ଚାଲିଥିଲା । ଦୁହେଁ ଉଦ୍ୟାନକୁ ଯାଇ ଗୋଟିଏ ଛୋଟ ବେଞ୍ଚରେ ବସିଲେ । କିଛି କ୍ଷଣ ପରେ ଇତିୟେନ ତାହାକୁ ପଚାରିଲା–ଫେର୍‍ ହେନରିୟେଟକୁ ସ୍ୱପ୍ନ ଦେଖିଲ ନା କଅଣ ?

 

ସୀମା ସଙ୍ଗେ ସଙ୍ଗେ ଜବାବ ଦେଲା–ହଁ, ସେ ମୋତେ ଗୋଟାଏ କାମର ଭାର ଦେଇଛି । ମୋର ଏକ୍ଷଣି ଯିବା ଦରକାର । ରାସ୍ତାରେ ଭିଡ଼ ଥିବ ଭାବି ଘରେ ସାଇକେଲ ରଖି ଆସିଛି । ଦେଖୁଛି, ଭିଡ଼ ନାହିଁ । ତୁମ ସାଇକେଲଟା ଟିକିଏ ଦେବ ?

 

ନିଶ୍ଚୟ–ଇତିୟେନ ସଙ୍ଗେ ସଙ୍ଗେ କହିଲା ।

 

ତହୁଁ ଦୁହେଁ ଇତିୟେନର ଘରକୁ ଫେରି ଆସିଲେ । ସାଇକେଲରେ ଚଢ଼ି ଗମ୍ଭୀର ଓ ସୁଖୀ ସୀମା ଲକ୍ଷ୍ୟ ପଥରେ ଅଗ୍ରସର ହେଲା । ପଥ ସମ୍ପୂର୍ଣ୍ଣ ଜନହୀନ । ସୀମା ଏକାନ୍ତ ଏକାକୀ । ଚଉଦିଗରେ ଅନନ୍ତ ସ୍ତବ୍ଧତା । ଅବଶେଷରେ ସେ ପ୍ଲାନକାର୍ଡ଼ ପ୍ରତିଷ୍ଠାନର ତାଲା ଦିଆହୋଇଥିବା ଦୁଆରମୁହଁରେ ଆସି ପହଞ୍ଚିଲା । ସାଇକେଲଟା କାନ୍ଥରେ ଡେରିଦେଇ ସେ ପାଚେରୀ ଡେଇଁ ପ୍ରାଙ୍ଗଣକୁ କୁଦି ପଡ଼ିଲା । ଲୋଡ଼ିଂ ଇୟାର୍ଡ଼ ଶୂନ୍ୟ । ଖଣ୍ଡିଏ ପଥରରେ ଅଫିସକୁ ଯିବାର କାଚ ଦୁଆରଟା ସେ ଟିକିଟିକି କରି ଭାଙ୍ଗିଦେଲା । ସିଡ଼ିରେ ଉଠିଯାଇ ସେ ପ୍ରସପାରର ଖାସ୍‍ ଅଫିସ୍‍ର ତାଲା ଖୋଲିଲା । ଟେବୁଲର ଦ୍ଵିତୀୟ ଦରାଜରୁ ସେ ଗାସୋଲିନ ଟାଙ୍କିର ଚାବିକାଠିଟା କାଢ଼ି ଆଣିଲା । ତା’ପରେ ସେ ତଳକୁ ଓହ୍ଲାଇ ଯାଇ ଗେରେଜ ଭିତରେ ତେଲରେ ଭିଜା କନା ଖଣ୍ଡସବୁ ଅତି ଯତ୍ନରେ ବିଛାଡ଼ି ଦେଲା ଏବଂ ଟାଙ୍କି ପାଖକୁ ଯାଇ ତାଲା ଖୋଲି ଛୋଟ ଢାଙ୍କୁଣିଟା ଉଠାଇଦେଲା । ସେଠାରୁ ଚାଲି ଆସି ସେ ପ୍ରଥମ କନା ଖଣ୍ଡିକରେ ନିଆଁ ଲଗାଇଲା । ତୈଳାକ୍ତ କନାରେ ନିଆଁ ଧରିଲା, ଧୂଆଁ ଉଠିଲା, ଆଉ ଖଣ୍ଡିଏ କନାକୁ ଗ୍ରାସ କଲା ।

 

ସୀମା ଦୁଆର ମୁହଁକୁ ଆସିଲା, ଗେରେଜର କଳଘରେ ହାତର କ୍ଷତଟା ଧୋଇଲା, ଲୋଡ଼ିଂ ଇୟାର୍ଡ଼ ଟପି ପୁଣି ସାଇକେଲରେ ଚଢ଼ି ଦ୍ରୁତ ଗତିରେ ପ୍ରତ୍ୟାବର୍ତ୍ତନ କଲା ।

 

ସେହି ଦିନ ନୈଶ ଭୋଜନ ପୂର୍ବରୁ ବୁଢ଼ୀ ଓ ସୀମା ଯଥାରୀତି ନୀଳ କକ୍ଷରେ ପ୍ରସପାରକୁ ଅପେକ୍ଷା କରି ବସିଥିଲେ । ସୀମା ଘରକୁ ଫେରି ଆସି ବଗିଚା ଓ ହାଣ୍ଡିଶାଳରେ ନିଜର ନିୟମିତ କର୍ତ୍ତବ୍ୟ ସମ୍ପାଦନ କରିଛି ।

 

ବୁଢ଼ୀ ତାହାକୁ ଜଣାଇଲା–ବିସ୍ଫୋରଣ ହେଲାପରେ ସଠିକ୍‍ ଖବର ଜାଣିବା ଲାଗି ପ୍ରସପାର ମଟରରେ ସହରକୁ ଧାଇଁଗଲା ।

 

ଏହା ଶୁଣି ସୀମା ସ୍ୱସ୍ତିରେ ନିଃଶ୍ଵାସ ନେଲା ।

 

ଘରଟି ଶୀତଳ, ସ୍ତବ୍ଧ ଓ ଧୂସର । ବୁଢ଼ୀ ଶାନ୍ତ ଭାବରେ ଆରାମ ଚଉକିରେ ପଡ଼ିଛି । ସୀମା ମନେମନେ ଭାବିଲା, ବୁଢ଼ୀକୁ ତାହାର ସହର ପରିକ୍ରମାର କଥା ମାଲୁମ ଅଛି କି ?

 

ସହସା ବୁଢ଼ୀ କହିପକାଇଲା–ମୋ ପୁଅ ଆଜି ତାହାର ଖାସ୍‍ ଅଫିସ୍‍ର ଚାବିକାଠି ଖୋଜି ପାଇଲା ନାହିଁ । ପଚିଶି ବର୍ଷ ଭିତରେ ପ୍ରଥମେ ଏମିତିକା ଘଟଣାଟିଏ ଘଟିଲା ।

 

ସୀମା ତିଳେମାତ୍ର ବିଚଳିତ ହେଲା ନାହିଁ, କି କିଛି ଜବାବ ଦେଲା ନାହିଁ । କିଛି କ୍ଷଣ ପରେ ବୁଢ଼ୀ କହିଲା–ରେଡ଼ିଓଟା ଖୋଲି ଦେ । ଦିଜନ ଷ୍ଟେସନରୁ ଜର୍ମାନ ସୈନ୍ୟବାହିନୀର ଅଗ୍ରଗାମନର ଖବର ରେଡ଼ିଓ ପରିବେଷଣ କରୁଥିଲା । ଇଂରେଜ ସୈନ୍ୟମାନେ କୁଆଡ଼େ ଇଂଲଣ୍ଡକୁ ପଳାଉଛନ୍ତି । ସଦ୍ୟ ଅଧିକୃତ ବାର୍ଗେଣ୍ଡି ସହର ସମ୍ବନ୍ଧରେ ହୁକୁମନାମା ପ୍ରଚାରିତ ହେଲା–ସବୁ ରକମ ଯାନବାହନର ଚଳାଚଳ ଚବିଶ ଘଣ୍ଟା ପାଇଁ ବନ୍ଦ ରହିବ, ରାତିରୁ ଭୋର ଛଅଟା ପର୍ଯ୍ୟନ୍ତ କେହି ବାହାରକୁ ଯିବା ନିଷେଧ । ତା’ପରେ ଆଞ୍ଚଳିକ ସମ୍ବାଦ–ସେଣ୍ଟ ମାର୍ଟିନରୁ ଖବର ମିଳିଛି, ପ୍ଲାନକାର୍ଡ଼ ଟ୍ରାନ୍ସପୋର୍ଟ କମ୍ପାନୀର ସବୁ ଟ୍ରକ ସମେତ କାରଖାନାଟା ପୋଡ଼ି ଛାରଖାର ହୋଇ ଯାଇଛି । ଅଧିକୃତ ଅଞ୍ଚଳର ସୈନ୍ୟବାହିନୀ ଫରାସୀ କର୍ତ୍ତୃପକ୍ଷଙ୍କ ସହଯୋଗିତାରେ ଏହି ଘଟଣା ତଦନ୍ତର ବ୍ୟବସ୍ଥା କରିଛନ୍ତି ।

 

ଖବରର ଗୁରୁତ୍ଵ ଉପଲବ୍ଧି କରି ସୀମା ଉତ୍ତେଜନାରେ ଉଠିପଡ଼ିଲା । ବୁଢ଼ୀ କହିବାକୁ ଲାଗିଲା–ହାୟ ଭଗବାନ, ଏହା ହେଲା ! ସେ ଏମିତି ଭାବରେ ଧଇଁସଇଁ ହେଲା ଯେ ସୀମା ଡରିଗଲା । କିଛି କ୍ଷଣ ପରେ ବୁଢ଼ୀ ଶାନ୍ତ ହେଲା । ଟେଲିଫୋନ ଅଚଳ ହୋଇ ଯାଇଥିଲା । ବୁଢ଼ୀ ହୁକୁମ ଦେଲା–ଝରକା ବନ୍ଦ କରି ଦେ, ଆଲୁଅ ଲିଭାଇ ଦେ । ଜର୍ମାନମାନଙ୍କର ହୁକୁମ ଅନୁଯାୟୀ ଆଜି ମୋ ପୁଅର ଘରକୁ ଫେରିବାର ଆଶା ନାହିଁ । ଚାଲ, ଆମେ ଖାଇ ବସିବା ।

 

ସୀମା ଖାଦ୍ୟ ପରିବେଷଣ କଲା । ଉଭୟେ ଭୋଜନ କଲେ । ଖାଉଁ ଖାଉଁ ବୁଢ଼ୀ ପଚାରିଲା–ସୀମା, ତୁ ପରା ଆଜି ସହରକୁ ଯାଇଥିଲୁ ? ଖବର କଅଣ ?

 

ସାଲାଡ଼ ତିଆରି କରୁଁ କରୁଁ ସୀମା ଜବାବ ଦେଲା–ସହର ବିଲକୁଲ ଫାଙ୍କା । ଦୁଇ ଚାରି ଜଣ ସୈନିକ ଛଡ଼ା କାହାରି ଦେଖା ନାହିଁ । ଡେପୁଟି ପ୍ରିଫେକ୍ଟଙ୍କ ପାଖକୁ ଯାଇଥିଲି ସେମାନେ ସମସ୍ତେ ଜର୍ମାନମାନଙ୍କର ଆଗମନ ପ୍ରତୀକ୍ଷା କରୁଥିଲେ ।

 

ବିସ୍ଫୋରଣ ହେଲାବେଳେ ତୁ କଅଣ ସହରରେ ଥିଲୁ ?

 

ନା, ମୁଁ ସେତେବେଳେ ରାସ୍ତାରେ ଘରକୁ ଫେରୁଥିଲି ।

 

ତୁ କଅଣ ଆଜି ସେହି ନୀଳ ଡୋରିଆ ଜାମା ପିନ୍ଧିଥିଲୁ ?

 

ମୁଁ ପାଇଜାମା ପିନ୍ଧିଥିଲି ।

 

ସହରକୁ ଗଲାବେଳେ ତୋର ପାଇଜାମା ପିନ୍ଧିବା ମାନେ ଅତ୍ୟନ୍ତ ଅବାଧ୍ୟତା ।

 

ସୀମା ନୀରବ ରହିଲା ।

 

ହଠାତ୍‍ ଟେଲିଫୋନର ଘଣ୍ଟି ବାଜିଲା । ଡେପୁଟି ପ୍ରିଫେକ୍ଟ ଜଣାଇଲା–ବୁଢ଼ୀଙ୍କୁ କୁହ, ସେ କିଛି ଚିନ୍ତା କରିବେ ନାହିଁ । ଖାଲି ସାନ୍ଧ୍ୟ ଆଇନ ହୋଇଛି ବୋଲି ପ୍ରସପାର ଘରକୁ ଯାଇ ପାରିଲେ ନାହିଁ । ସକାଳ ହେଲା କ୍ଷଣି ସେ ଯାଇ ପହଞ୍ଚିବେ ।

 

ସୀମା ସଙ୍ଗେ ସଙ୍ଗେ ଟେଲିଫୋନର ସବୁ ଖବର ବୁଢ଼ୀକୁ ଜଣାଇ ଦେଲା । ବୁଢ଼ୀ କରୁଣ ଭାବରେ ନରମ ଗଳାରେ କହିଲା–ମୋ ପୁଅର କିଛିହେଲେ ସମସ୍ତେ ଈର୍ଷାରେ ଖୁସି ହୁଅନ୍ତି-। ହୁଏତ କୌଣସି ଟ୍ରକ ଡ୍ରାଇଭର ଏହି କାଣ୍ଡ କରିଛି । ମୁଁ ସମସ୍ତଙ୍କୁ ଜାଣେ । ନିଷ୍ଫଳ ଆକ୍ରାଶରେ ବୁଢ଼ୀ ଫୁଲି ଉଠିଲା । ସେ ଏକା ବସି ରହି ନୀରବରେ ସିଗାରେଟ ଟାଣିଲା ।

 

ରାତି ପାହୁ ନ ପାହୁଣୁ ସୀମା ଅସହିଷ୍ଣୁ ଭାବରେ ପ୍ରସପାର ଦାଦାର ପ୍ରତ୍ୟାବର୍ତ୍ତନ ଆଶା କଲା । ସେ ବାରମ୍ବାର ବଗିଚାକୁ ଯାଇ ରାସ୍ତାକୁ ଅନାଉଥିଲା ଏବଂ ହତାଶ ହୋଇ ଫେରି ଆସୁଥିଲା । ଅବଶେଷରେ ଟେଲିଫୋନର ଘଣ୍ଟି ବାଜିଲା । ପ୍ରସପାର ବୁଢ଼ୀ ସହିତ କଥା ହେଲା । ବାରନ୍ଦାରେ ଠିଆହୋଇ ସୀମା ବୁଢ଼ୀର ଆଳାପରୁ କିଛି ବୁଝିପାରିଲା ନାହିଁ । ମଧ୍ୟାହ୍ନ ଭୋଜନ ପରେ ବି ପ୍ରସପାର ଫେରିଲା ନାହିଁ । ସୀମା ଯଥାରୀତି ସହରକୁ ଯିବା ପାଇଁ ନୀଳ ଡୋରିଆ ଜାମା ପିନ୍ଧି ଝୁଡ଼ି ଓ ସାଇକେଲ ଧରି ବାହାରି ପଡ଼ିଲା ।

 

ସହରର ପ୍ରବେଶ ପଥରେ ଜର୍ମାନ ସୈନ୍ୟମାନେ ରାସ୍ତା ଅବରୋଧ କରି ପହରା ଦେଉଥିଲେ । ଏଥିରେ ସୀମା ଆହତ ହେଲା । ପଥିକମାନଙ୍କ ପାଇଁ ରାସ୍ତା ଟିକିଏ ଖୋଲା ଥିଲା, ସୀମା ବିନା ବାଧାରେ ସେହି ବାଟେ ଗଳି ଗଲା । ଜର୍ମାନ ସୈନ୍ୟମାନେ ତରୁଣ, ଫୁର୍ତ୍ତିବାଜ, ଉଚ୍ଚ କଣ୍ଠ, ମାତ୍ର ଅନିଷ୍ଟକର ନୁହନ୍ତି । ଆଜି ବେଶି ଦୋକାନ ଫିଟିଥିଲା । ସେଣ୍ଟ ମାର୍ଟିନର ଅଧିବାସୀମାନେ ଭୀରୁ ଭାବରେ ଚୁପିଚୁପି ଅତି ଦ୍ରୁତ ପଦରେ ରାସ୍ତାରେ ଯାତାୟାତ କରୁଥିଲେ ।

 

ସଙ୍କେତ ପାଇ ଇତିୟେନ ଘରୁ ବାହାରି ଆସିଲା । ତାହାର ସରଳ ତୀକ୍ଷ୍ଣ ମୁଖରେ କିଞ୍ଚିତ ଭାବାବେଗ ପରିସ୍ଫୁଟ । ପୂର୍ବ ପରି ସେମାନେ ଯାଇ ଉଦ୍ୟାନର ବେଞ୍ଚରେ ବସିଲେ । ସୀମାର ମୁଖ ଆଡ଼କୁ ସପ୍ରଶଂସ ଦୃଷ୍ଟିରେ ଅନାଇ ରହି ଇତିୟେନ ଆବେଗରେ କହିଲା–ମୁଁ ମୂଳରୁ ଜାଣେ ପରା, ତୁମେ ନିଶ୍ଚୟ ଦିନେ ନା ଦିନେ ଗୋଟାଏ ବିରାଟ କାଣ୍ଡ ଘଟାଇବ ।

 

ସୀମାର ମୁଖ ଲଜ୍ଜାରେ ଆରକ୍ତ ହେଲା । କିନ୍ତୁ ତାହାର ଅନ୍ତର ଆନନ୍ଦ ଓ ଗର୍ବରେ ପରିପୂର୍ଣ୍ଣ । ସେ ଥଙ୍ଗେଇ ଥଙ୍ଗେଇ ପଚାରିଲା–ତାହାହେଲେ ମୋ କାମଟା ଠିକ୍‍ ହୋଇଛି ତ ?

 

ଅପୂର୍ବ, ଅଦ୍ଭୁତ, ଚମତ୍କାର–ଇତିୟେନ ଜବାବ ଦେଲା । କିଛି କ୍ଷଣ ପରେ ନମ୍ର ଭାବରେ ମୃଦୁ ହସି ସେ ପୁଣି କହିଲା–କିନ୍ତୁ ସମସ୍ତେ ଜାଣନ୍ତି, ଏ କାମ ତୁମରି ।

 

ସୀମା ଚମକି ପଡ଼ିଲା–କେମିତି ?

 

ଏଟା ତ ସ୍ପଷ୍ଟ କଥା, ତୁମେ ପରା ପୀୟର ପ୍ଲାନକାର୍ଡ଼ର ଝିଅ ! ମୋର ତ ମନେହୁଏ, ସମସ୍ତେ ଏହା ଜାଣିବା ଉଚିତ ।

 

ସୀମା କହିଲା–ତୁମ କଥା ଠିକ୍‍ । ତେବେ ସେମାନେ ଯେ ଏହା ଜାଣନ୍ତି ସେ କଥାଟା ଅପ୍ରକାଶ ରହିବା ଦରକାର । ମୋର ନାମ ନ ହେବା ଉଚିତ ।

 

ସେମାନେ ପୁଣି ସହର ଭିତରକୁ ଫେରି ଚାଲିଲେ । ମରିସ ଏଲମ୍‍ ଗଛର ଛାଇରେ ଲୁଇସନ ସାଙ୍ଗରେ ବେଞ୍ଚରେ ବସିଥିଲା । ସେ ଚିତ୍କାର କଲା–ସୀମା, ଖବର କଅଣ ? ତୁମ ସାଙ୍ଗରେ ଦୁଇ ପଦ କଥା ଅଛି ।

 

ସୀମା ମରିସର ପାଖରେ ବସିପଡ଼ିଲା ।

 

ତିକ୍ତ ସ୍ୱରରେ ମରିସ କହିଲା–ଜାଣ, ତୁମର ଏହି ଦେଶପ୍ରୀତିର ଉଚ୍ଛ୍ୱାସର ଦୁର୍ଭୋଗ ସର୍ବପ୍ରଥମେ ମୋତେ ଭୋଗ କରିବାକୁ ହେଲା । ସେମାନେ ମୋତେ ଅପରାଧୀ ବୋଲି ମନେକରୁଛନ୍ତି ।

 

କାହିଁକି ?

 

କାରଣଟା ଅବଶ୍ୟ ସେମିତି ସ୍ପଷ୍ଟ ନୁହେଁ । କିନ୍ତୁ ଏମିତିକା ତ ହେବ ।

 

ମୁଁ ତୁମକୁ ବିପଦରେ ପକାଇବାକୁ ଚାହେଁନା ।

 

ତୁମର ଅନୁଗ୍ରହ । ଜର୍ମାନମାନେ ଜାଣିବାକୁ ଚାହିଁଥିଲେ କାଣ୍ତଟା କେତେବେଳେ ଘଟିଛି ଏବଂ ସ୍ଥାନୀୟ ଲୋକମାନଙ୍କ ଭିତରୁ କେଉଁମାନେ ଦେଶ ପ୍ରେମିକ । ମୁଁ ଅବଶ୍ୟ କାହାକୁ ବିପଦରେ ପକାଇ ନାହିଁ । ତେବେ ନିଜର ନିର୍ଦ୍ଦୋଷୀତା ପ୍ରମାଣ କରିବାକୁ ମୋତେ ବେଶି ସମୟ ଲାଗିଲା ନାହିଁ ।

 

ସୀମା ଆନ୍ତରିକ ସ୍ଵରରେ କହିଲା–ସେଥିପାଇଁ ମୁଁ ଭାରି ଖୁସି ହେଲି । ତୁମେ କଅଣ ବିଶ୍ୱାସ କରୁଛ, ସମସ୍ତେ ଘଟଣାଟା ଜାଣନ୍ତି ?

 

ନିଶ୍ଚୟ ।

 

ଯଦି ଜର୍ମାନମାନେ ଜାଣନ୍ତି ଯେ ସେମାନେ ଆସି ପହଞ୍ଚିବା ଆଗରୁ ଘଟଣାଟା ଘଟିଛି, ତାହାହେଲେ ହେଙ୍ଗାମ ତୁଟିଯିବ ତ ?

 

କିନ୍ତୁ ପ୍ରଧାନ ବିପଦ ଜର୍ମାନମାନଙ୍କ ଠାରୁ ଆସୁ ନାହିଁ, ଅନ୍ୟ ଦିଗରୁ ଆସୁଛି ।

 

ସୀମା ବିସ୍ମୟରେ ତାହା ଆଡ଼କୁ ଚାହିଁଲା ।

 

ମରିସ ଉଚ୍ଚ ଗଳାରେ କହିଲା–ଆମ ସ୍ୱଦେଶୀ ଫାସିଷ୍ଟମାନେ ତୁମକୁ କଦାପି କ୍ଷମା କରିବେ ନାହିଁ ।

 

ଯଦି ମୋର କିଛି ହୁଏ, ତୁମେ ମୋତେ ସାହାଯ୍ୟ କରିବନା ?

 

ଜଣେ ଲରି ଡ୍ରାଇଭର ତୁମକୁ କିପରି ସାହାଯ୍ୟ କରିପାରେ ? –ମରିସ ହସିଲା ।

 

ତୁମେ ପରା କହିଲ, ବିପଦ ଜର୍ମାନମାନଙ୍କ ତରଫରୁ ଆସିବ ନାହିଁ ?

 

ଓଃ, ଏହି କଥା ! ତାହାହେଲେ ଆମେସମସ୍ତେ ତୁମ ପଛରେ ଅଛୁଁ ।

 

ଧନ୍ୟବାଦ, ମରିସ–ସୀମା ଅସୀମ ସ୍ଵସ୍ତି ଅନୁଭବ କଲା । ମରିସଠାରୁ ବିଦାୟ ନେଇ ସହର ଭିତରେ ସାଇକେଲ ଚଳାଇ ସେ ଘରକୁ ଫେରି ଆସିଲା । ସେ ଦେଖିଲା, ପ୍ରସପାର ଦାଦା ବୁଢ଼ୀ ସାଙ୍ଗରେ ଗଭୀର ଆଲୋଚନାରେ ମଗ୍ନ ।

 

 

ସୀମା ବଗିଚାରେ କାମ କରୁଥିଲା । ସଞ୍ଜ ହୋଇ ନ ଥାଏ । ବୁଢ଼ୀ ତାହାକୁ ପ୍ରସପାର ଦାଦାର ଟେବୁଲରୁ ନିର୍ବାସିତ କରି ହାଣ୍ଡିଶାଳରେ ଅବହେଳିତ ଅବସ୍ଥାରେ ବନ୍ଦିନୀ କଲାଠୁଁ ଏକ ସପ୍ତାହ ବିତି ଗଲାଣି । ସହରରେ କି ଦେଶରେ କଅଣ ଘଟୁଛି, ସେ କିଛିହେଲେ ଖବର ଜାଣି ପାରୁ ନାହିଁ । ମାତ୍ର ଅନ୍ଧକାରରେ ରହିବା ତାହା ପକ୍ଷରେ ଏକାବେଳେ ଅସମ୍ଭବ । ତାହାର ଯେ କଅଣ ହୋଇପାରେ, ସୀମା ତାହା ଭାବି କିଛି ଥଳକୁଳ ପାଉ ନାହିଁ । ଏହା ସୁନିଶ୍ଚିତ ଯେ ବୁଢ଼ୀ ତାହାକୁ ଶତ୍ରୁ ମନେକରି ଅନବରତ ତାହା ଉପରେ ନଜର ରଖିଛି ଏବଂ ତାହାକୁ ପୁଅ ସାଙ୍ଗରେ କେବେହେଲେ କଥା କହିବାକୁ ଦେଉ ନାହିଁ । ନଃସଙ୍ଗ ନୀରବତା ଓ ବନ୍ଦୀ ଦଶା ଭିତରେ ସୀମା କଠିନତର ହୋଇ ଯାଇଛି ।

 

ବୁଢ଼ୀ ଦୋତାଲାରେ ଥିଲା । ପ୍ରସପାର ନୀଳ କକ୍ଷରେ ବସି ରେଡ଼ିଓର ଡାୟେଲ ଘୂରାଉଥିଲା । ପାଇଜାମା ପିନ୍ଧିଥିବା ଅବସ୍ଥାରେ ସୀମା ଦାଦା ପାଖରେ ଯାଇ ଠିଆ ହେଲା ।

 

ତାହାକୁ ଦେଖି ଦାଦା ସବିସ୍ମୟରେ ତାହା ଆଡ଼କୁ ଅନାଇ ରହିଲା ।

 

ସୀମା ନିର୍ଭୟରେ କହିଲା–ଆପଣଙ୍କ ସାଙ୍ଗରେ କିଛି କଥା ଅଛି ।

 

ପ୍ରସପାର ବିଷାଦ କଣ୍ଠରେ ଜବାବ ଦେଲା–କିନ୍ତୁ ମୁଁ ତ ତୋ ସାଙ୍ଗରେ କଥା କହିବାକୁ ଚାହେଁନା ।

 

ସୀମା ଦୃଢ଼ ସ୍ଵରରେ କହିଲା–ଆପଣଙ୍କୁ କଥା କହିବାକୁ ହେବ । ଏଠାରେ ଏମିତି ଭାବରେ ରହିବା ଅପେକ୍ଷା ବରଂ ମୁଁ ଜର୍ମାନମାନଙ୍କୁ ଯାଇ କହିଦେବି ଯେ ମୁଁ କରିଛି ।

 

ଆରାମ ଚଉକିରେ ବସି ପ୍ରସପାର ସୀମାର ମୁହଁକୁ ସପ୍ରଶ୍ନ ଦୃଷ୍ଟିରେ ଅନାଇଲା–ହଁ, ତୋର କଅଣ କହିବାର ଅଛି କହ । ସେମାନେ ଯେ ଏଯାଏ ତୋତେ ଆସି ଧରି ନାହାନ୍ତି, ସେଥିପାଇଁ ତୋର କପାଳ ତେଜ ବୋଲି ଭାବିବା ଉଚିତ । ତୁ ମୋ ଗୁପ୍ତ ଦରାଜର ଚାବିକାଠି ଚୋରି କରିଛୁ ! ମୋ ସହିତ ଶଠତା ! ଘରର ଶତ୍ରୁ ବିଭୀଷଣ !

 

ସୀମାକୁ ନୀରବ ରହିବାର ଦେଖି ପ୍ରସପାର ପୁଣି କହିଲା–ଦେଖୁଛି, ଏଯାଏ ତୋର ଅକଲ ହୋଇ ନାହିଁ । ତୁ ଯେ ଖାଲି କେତୁଟା ଗାଡ଼ି ନଷ୍ଟ କରିଛୁ ତାହା ନୁହେଁ, ତୁ ମୋର ସାରା ଜୀବନର କଠୋର ସାଧନାକୁ ସମୂଳେ ଧ୍ଵଂସ କରି ଦେଇଛୁ ।

 

ତଥାପି ସୀମା ଶାନ୍ତ କଣ୍ଠରେ କହିଲା–ଆପଣ ତ ଜାଣିଥିଲେ, ପେଟ୍ରୋଲ ଓ ଗାଡ଼ିସବୁ ଜର୍ମାନମାନଙ୍କ ହାତକୁ ଟେକି ଦେବାକୁ ହେବ ନାହିଁ । ଡେପୁଟି ପ୍ରିଫେକ୍ଟ ଆପଣଙ୍କୁ ଏ କଥା କହିଥିଲେ, ଆଉ ଆପଣ ମଧ୍ୟ ଯଥା ସମୟରେ କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

ପ୍ରସପାର ହସିଲା–ଆତ୍ମସମର୍ପଣ କରିବାର ଦୁଇ ମିନିଟ ଆଗରୁ କଅଣ ସେହି ଯଥା ସମୟ ? ତୋର କଅଣ ଧାରଣା ଥିଲା ଯେ ସେଗୁଡ଼ାକ ଧ୍ଵଂସ କରିଦେଲେ ଶାନ୍ତିଚୁକ୍ତି ରଦ୍ଦ ହୋଇପାରିବ ? ମର୍ଶାଲ ପେଁତା ଦେଶରେ ଆଇନ ଓ ଶୃଙ୍ଖଳା ବଜାୟ ରଖିଛନ୍ତି । ସେ ଯେତେ ଦିନ ଯାଏ ରାଷ୍ଟ୍ରର ନାୟକ ଥିବେ, ସେତେ ଦିନ ଯାଏ ଜର୍ମାନମାନଙ୍କ ସହିତ ଆମର ସମ୍ପର୍କ ଭଲ ରହିବ । ତୁ ତ ଜର୍ମାନମାନଙ୍କର କିଛି କ୍ଷତି କରି ନାହୁଁ, ଖାଲି ମୋର ସର୍ବନାଶ କରିଛୁ ।

ସୀମା ମନଦେଇ ଦାଦାର ବିଳାପ ଶୁଣିଲା ଏବଂ ତାହାର ଭବିଷ୍ୟତ ବୁଝିଲା । ତଥାପି ସେ କହିଲା–ଆପଣ ଭଲଭାବରେ ଜାଣନ୍ତି, ମୁଁ କିଛି କରିଛି ।

ଦାଦା ବ୍ୟଙ୍ଗ କରି କହିଲା–ହଁ, ତୁ ମୋତେ ଓ ମୋ ବ୍ୟବସାୟକୁ ଏକାବେଳେ ଧ୍ଵଂସ କରିଛୁ । ଏହା ଛଡ଼ା ତୁ ଆଉ କିଛି କରିନାହୁଁ । ବ୍ୟବସାୟ ଛଡ଼ା ମୋର ବଞ୍ଚିବାର ଆଉ କି ଉପାୟ ଅଛି ?

ସୀମା ପଚାରିଲା–ଆପଣ କଅଣ ଜର୍ମାନମାନଙ୍କୁ ମାଲ ଓ ସୈନ୍ୟ ବୋହିବା ପାଇଁ ପେଟ୍ରୋଲ ଓ ଗାଡ଼ି ଦେଇ ଥାଆନ୍ତେ ? ଆପଣ ଜଣେ ବଡ଼ ବ୍ୟବସାୟୀ ହୋଇ ଥାଇ ପାରନ୍ତି, ମାତ୍ର ପ୍ରଥମେ ଆପଣ ଜଣେ ଫରାସୀ । ଯଦି ଜର୍ମାନମାନେ ଆମ ଟ୍ରକରେ ଅସ୍ତ୍ର ବୋଝାଇ କରି ଥାଆନ୍ତେ, ଆମ ପେଟ୍ରୋଲ ସେମାନଙ୍କ ସାଞ୍ଜୁଆ ଗାଡ଼ିରେ ଭରି ଥାଆନ୍ତେ, ତାହାହେଲେ ମୁଁ କଅଣ କରି ଥାଆନ୍ତି ? ବାବାଙ୍କ ଛବିଟା କାନ୍ଥରୁ ଟାଣି ଆଣି ମୁଁ ତଳେ ଫିଙ୍ଗିଦେଇ ଥାଆନ୍ତି ।

ପ୍ରସପାର ଚୁପ୍‍ଚାପ୍‍ ଢୋକ ଗିଳି କହିଲା–ତୋ ସାଙ୍ଗରେ କଥା କହି କିଛି ଫଳ ନାହିଁ । ତହୁଁ ସେ ଘରୁ ବାହାରି ଗଲା ।

ରାତିରେ ଅନ୍ଧାରରେ ଶୋଇ ରହି ସୀମା ଏହି ଆଲୋଚନାର କଥା ମନେମନେ ଭାବିବାକୁ ଲାଗିଲା । ବୁଢ଼ୀ ତାହାକୁ ଜଣେ ସାଧାରଣ ଦାସୀ ଭାବରେ ଦେଖୁଥିବାରୁ, ଦାଦା ନିକଟରେ ସୀମାର ଉପସ୍ଥିତି ଅବିରାମ ତିରସ୍କାରର ଆକାର ଧରିଥିଲା । ମନକୁ ଯେତେ ପ୍ରବୋଧନା ଦେଲେ ସୁଦ୍ଧା, ତାହାର ଆଖିକୁ ନିଦ ଆସିଲା ନାହିଁ । ଅବଶେଷରେ ସେ ପୁଣି ଆଲୁଅ ଜାଳି ଅଫ୍‍ ଆର୍କର ବହିଟି କାଢ଼ି ଆଣି ଲମ୍ବ ହୋଇ ଶୋଇ ରହି ପଢ଼ିବାକୁ ଲାଗିଲା । ସେ ସେହି ବର୍ଷର କଥା ପଢ଼ିଲା, ଯେବେ ବନ୍ଧୁର ଛଦ୍ମବେଶରେ ଜୋନ ଶତ୍ରୁଙ୍କ ଦ୍ୱାରା ପରିବେଷ୍ଟିତ ହୋଇଥିଲା-। ମାତ୍ର ତାହାର ପ୍ରଥମ ସଫଳତା ହେଉଛି, ଡାଫିନ ଚାର୍ଲସ ସମ୍ରାଟ ଭାବରେ ଅଭିଷିକ୍ତ ହେଲେ । ଜୋନ ବରାବର ଆକ୍ରମଣ କରିବା ପାଇଁ ତାଗଦା କଲେ ସୁଦ୍ଧା, ଚାର୍ଲସ ତାହାକୁ ଏଡ଼ାଇ ଯାଉଥିଲେ । ସେଥିରେ ଜୋନର ଦୁଃଖ, ବେଦନା ଓ ଘୃଣା ବଢ଼ିଗଲା । ଯଦିଚ ଚାର୍ଲସ ଶାନ୍ତି ପାଇଁ ଚେଷ୍ଟା ଚଳାଇଥିଲେ, ଜୋନ ତାହାଙ୍କୁ ବହୁତ କହି ବୋଲି ପ୍ୟାରିସ ଆକ୍ରମଣର ଆୟୋଜନ କଲା-। ମାତ୍ର ଆକ୍ରମଣ ପୂର୍ବରୁ ଅନ୍ତର୍ଘାତୀ କାର୍ଯ୍ୟ ଆରମ୍ଭ ହେଲା । ଜୋନକୁ ରାଜ ଦରବାରରେ ଦେଶର ସଙ୍କଟ ତାରିଣୀ ଭାବରେ ସମ୍ମାନିତ କରା ହୋଇଥିଲା, ଅଥଚ ସେ ପ୍ରକୃତରେ ବନ୍ଦିନୀ ଥିଲା-। ୧୪୩୦ ମସିହା ମାର୍ଚ୍ଚ ୨୦ ତାରିଖର ଅପରାହ୍ନରେ ଜୋନ ଗୋଟିଏ ବାର୍ଗେଣ୍ଡୀୟ ଡିଭିଜନକୁ ହଟାଇବା ପାଇଁ ଅଳ୍ପ ସଂଖ୍ୟକ ସୈନ୍ୟବାହିନୀ ଘେନି ଅଗ୍ରସର ହେଲା ବେଳେ, ତାହାର ସୈନ୍ୟମାନେ ପଛଘୁଞ୍ଚା ଦେଲେ । ସେମାନେ ପଳାଇ ଯାଇ ଓଇସ ନଦୀର ପୋଲଟା ଉଠାଇ ଦେଲେ । ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଜୋନ ନଗର ପ୍ରାଚୀରର ବାହାରେ ଏକା ପଡ଼ି ରହିଲା-। ଜୋନ ଶତ୍ରୁ ସହିତ ଏକା ଲଢ଼ିଲା, ମାତ୍ର ଅବଶେଷରେ ସେ ପରାସ୍ତ ହୋଇ ଧରା ପଡ଼ିଲା ।

ପରଦିନ ସୀମା ବଗିଚାର ପାଚେରୀର କଡ଼ରେ ଛିଡ଼ା ହୋଇଥିଲା । ସହର ଆଡ଼ୁ ମରିସ ସାଇକେଲରେ ଆସି ସେଠାରେ ପହଞ୍ଚିଲା ଏବଂ ପାଚେରୀ ଡେଇଁ ଭିତରକୁ ପଶିଯାଇ କହିଲା–ସୀମା, ଏହି ଗଛ ତଳକୁ ଆସ, ତୁମ ସହିତ କେତେକ କଥା ଅଛି ।

ସୀମା ଆସି ତାହା ପାଖରେ ବସିଲା । ମରିସ ଜଣାଇଲା–ଏଠାରେ ମୋର ଆଉ କିଛି କାମ ନାହିଁ । ମୁଁ ଅନଧିକୃତ ଅଞ୍ଚଳକୁ ପଳାଉଛି । ହୁଏତ ସେଠାରୁ ଯୁଦ୍ଧ ଚାଲୁ ରଖିବା ସମ୍ଭବ ହେବ-

 

ହଠାତ୍‍ ଯୁଦ୍ଧର ଖିଆଲ କାହିଁକି ? –ସୀମା ପଚାରିଲା ।

 

ମରିସ ଅସହିଷ୍ଣୁ ଭାବରେ ଜବାବ ଦେଲା–ପ୍ରଥମେ ଏହି ଯୁଦ୍ଧ ଆମର ନ ଥିଲା, ବର୍ତ୍ତମାନ ଏହା ଏକ ଜନ ଯୁଦ୍ଧ ହୋଇଛି । ସବୁ ଅବସ୍ଥା ବଦଳି ଯାଇଛି । ଏକ ଦିଗରେ ଫରାସୀ ଫାସିଷ୍ଟମାନେ, ଅନ୍ୟ ଦିଗରେ ବିରୋଧୀମାନେ ।

 

ତୁମେ କେବେ ଯାଉଛ ?

 

କାଲି ରାତିରେ । ମୁଁ ପଳାଇବା ଆଗରୁ ତୁମର ଗୋଟାଏ ବ୍ୟବସ୍ଥା କରିବାକୁ ଚାହେଁ । ତୁମର ବନ୍ଧୁ ଇତିନେୟକୁ ସେମାନେ ଚାଟିଲୋକୁ ପଠାଇଛନ୍ତି । ସେହି ପାଗଳା ବୁଢ଼ା ପେରୀ ବାସଟିଡ଼ ତୁମଠାରୁ ବହି ଫେରସ୍ତ ନେବାକୁ ଆସିଥିଲା, ସେମାନେ ଜଣାଇଲେ ଯେ ତୁମେ କୁଆଡ଼େ ଏଠାରେ ନାହଁ । ସେଥିପାଇଁ ମୁଁ ସ୍ଥିର କଲି, ତୁମେ ଯେତେବେଳେ ବଗିଚାରେ କାମ କରୁଥିବ ସେତିକିବେଳେ ବରଂ ତୁମ ସହିତ ସାକ୍ଷାତରେ ସୁଯୋଗ ମିଳିବ ।

 

ସୀମା ଆନନ୍ଦରେ ଅଭିଭୂତ ହୋଇ ପଡ଼ିଲା । ମରିସ ଖଣ୍ଡିଏ ସିଗାରେଟ ଲଗାଇ ପୁଣି ଧୀରସ୍ଥିର ଭାବରେ କହିଲା–ତାହାହେଲେ ଅସଲ କଥାଟା ଶୁଣ । ବେସାମରିକ ପରିବହନ ପୂରାପୂରି ଭାଙ୍ଗି ପଡ଼ିଛି । ଡେପୁଟି ପ୍ରିଫେକ୍ଟ ଚେଷ୍ଟା ଚଳାଇଛନ୍ତି ପ୍ଲାନକାର୍ଡ଼ କମ୍ପାନୀକୁ ଯାନବାହନ ବ୍ୟବସ୍ଥା ସଂଗଠନର ଭାର ଦେବାକୁ । କିନ୍ତୁ ଜର୍ମାନମାନେ ପ୍ଲାନକାର୍ଡ଼କୁ ବିଶ୍ୱାସ କରୁ ନାହାନ୍ତି, ତେଣୁ ତାହାର ବ୍ୟବସାୟ ବାଜ୍ୟାପ୍ତି କରିଛନ୍ତି । ଚତୁର ସାଟାଲିନ ଜର୍ମାନମାନଙ୍କ ସହିତ ମିଳାମିଶା କରୁଛି । ସେ ପ୍ରମାଣ କରିବାକୁ ଚାହେଁ, ପୀୟର ପ୍ଲାନକାର୍ଡ଼ର ଝିଅ ବୋକା ବିଦ୍ରୋହୀ ଓ ଦେଶ ପ୍ରେମିକା । ସୁତରାଂ ସେ ତୁମକୁ ସେମାନଙ୍କ ହାତକୁ ଟେକି ଦେବ ।

 

ନିଜକୁ ସଂଯତ କରିବାକୁ ଚେଷ୍ଟା କରି ସୀମା କହିଲା–ମୁଁ ସ୍ଵୀକାର କରୁଛି, ଏକ୍ଷଣି ସମସ୍ତେ ପ୍ରସପାର ଦାଦାର ବିରୋଧୀ । ତଥାପି ସେ ଯେ ଏପରି କଦର୍ଯ୍ୟ କାମ କରିବେ, ଏହା କହିବା ଅନ୍ୟାୟ । ସେ କଦାପି ମୋର କ୍ଷତି କରିବେ ନାହିଁ ।

 

ମରିସ ହସି ହସି କହିଲା–ହୁଏତ ସେ ତୁମକୁ ଭଲ ପାଆନ୍ତି । କିନ୍ତୁ କୁକୁର ଯେମିତି ହାଡ଼ ଖଣ୍ଡିକରେ ଲାଗିଥାଏ, ସେମିତି ସେ ବ୍ୟବସାୟ ପ୍ରତି ବିଶେଷ ଆସକ୍ତ । ଯଦି ତାହାର କିଛି ମତଲବ ନାହିଁ, ସେ ତୁମକୁ ଏଠାରେ ଅଟକ ରଖିଛି କାହିଁକି ? ଏବେ ନିଜେ ସେଟା ଭାବି ଦେଖ । ମୋ ହାତରେ ବେଶୀ ସମୟ ନାହିଁ । ହୁଏତ ଆଜି କିଛି ଘଟି ପାରେ । ଯିବା ଆଗରୁ ମୁଁ ଦ୍ଵିତୀୟ ଥର ଆସି ପାରିବି ନାହିଁ । ମୋତେ ବିଶ୍ୱାସ କର, ତୁମକୁ ଏକ୍ଷଣି ଗୋଟାଏ କିଛି ସ୍ଥିର କରିବାକୁ ହେବ । ମୁଁ ଗୋଟାଏ ବାଟ ବତାଇ ଦେଇ ପାରେଁ, ମୋ ସାଙ୍ଗରେ ତୁମେ ଅନଧିକୃତ ଅଞ୍ଚଳକୁ ଚାଲ-

 

ଅତି କୋମଳ ମଧୁର ସ୍ଵରରେ ସୀମା ପଚାରିଲା–ଆଚ୍ଛା, ମରିସ, ମୋତେ ଉଦ୍ଧାର କରିବା ସକାଶେ ତୁମର ଏତେ ଆଗ୍ରହ କାହିଁକି ? ତୁମର କଅଣ ଧାରଣା ଯେ ମୁଁ ଯାହା କିଛି କରିଛି ସବୁ ଭୁଲ ?

 

ତତ୍‍କ୍ଷଣାତ୍‍ ମରିସ ଜବାବ ଦେଲା–ନିଶ୍ଚୟ । ଏକ୍ଷଣି ତୁମର ଶିକ୍ଷାର ସୁଯୋଗ ଆସିଛି । ଆଚ୍ଛା, ତାହାହେଲେ କାଲି ରାତି ସାଢ଼େ ବାରଟା ବେଳେ ମୁଁ ଏହି ପାଚେରୀ କଡ଼ରେ ତୁମ ପାଇଁ ଅପେକ୍ଷା କରିବି । ତୁମେ ସାମାନ୍ୟ କେତୁଟା ଜିନିଷ ସାଙ୍ଗରେ ଆଣିବ ।

 

ସୀମା ଦୃଢ଼ ସ୍ଵରରେ କହିଲା–ମୁଁ ପଳାଇଗଲେ ଫାସିଷ୍ଟମାନେ ଦାଦାକୁ ଶାସ୍ତି ଦେବେ । ତେଣୁ ମୁଁ ତୁମ ସାଙ୍ଗରେ ଯାଇ ପାରିବି ନାହିଁ ।

 

ମରିସ କାନ୍ଧ ହଲାଇ ରାଗରେ କହିଲା–ତୁମର ଯାହା ଇଚ୍ଛା କର । ଆଚ୍ଛା, ବିଦାୟ । ବୋକା ଝିଅ, ତୁମକୁ ସାହାଯ୍ୟ କରିବାର କ୍ଷମତା କାହାରି ନାହିଁ ।

 

ତା’ପରେ ମରିସ ରାସ୍ତା ଉପରକୁ କୁଦି ପଡ଼ିଲା । ସୀମା ଚୁପ୍‍ଚାପ୍‍ ଠିଆହୋଇ ତାହାର ଗମନ ପଥକୁ ଚାହିଁ ରହିଲା ଏବଂ କିଛି କ୍ଷଣ ପରେ ହାଣ୍ଡିଶାଳକୁ ଯାଇ ନୈଶ ଭୋଜନ ପ୍ରସ୍ତୁତ କରିବାରେ ଲାଗିଲା ।

 

ରାତି ହେଲା, ପରଦିନ ଏବଂ ଆଉ ଏକ ରାତି । ଏହି ସମୟ ଭିତରେ ସୀମା ଖାଲି ପ୍ରସପାର ଦାଦାର ମନର କଥା ଭାବିବାକୁ ଲାଗିଲା । ତାହାର ପ୍ରେଞ୍ଚେଭିଲକୁ ଯିବାର କାରଣ କଅଣ ? ହୁଏତ ଜର୍ମାନମାନେ ତାହା ବିରୁଦ୍ଧରେ ଗୋଟାଏ ଶାସ୍ତି ମୂଳକ ବ୍ୟବସ୍ଥା ଅବଲମ୍ବନ କରିଛନ୍ତି, ଦାଦା ସଦର ମହକୁମାକୁ ଯାଇଛି ସୀମା ପାଇଁ ଆବେଦନ ଜଣାଇବାକୁ ।

 

ଆଜି ଦ୍ୱିତୀୟ ରାତି । ଅନ୍ଧାରରେ ବିଛଣାରେ ପଡ଼ି ରହି ସୀମାର ଚିନ୍ତା ସେହି ଏକ ବେଦନାଦାୟକ ବୃତ୍ତର ପରିଧିରେ ଘୂରୁଥିଲା । ଗୋଟାଏ ଅସହ୍ୟ ଉତ୍ତେଜନାରେ ତାହାର ହୃଦୟ ଆନ୍ଦୋଳିତ ହେଲା । ସେ ଧୀରେ ଧୀରେ ଉଠିଲା, ଘନ ନୀଳ ପାଇଜାମା ଓ ବ୍ଲାଉଜ ପିନ୍ଧିଲା, କେତୁଟା ଦରକାରୀ ଜିନିଷ ସାଙ୍ଗରେ ନେଲା ଏବଂ ଖାଲି ପାଦରେ ନିଃଶବ୍ଦରେ ସିଡ଼ିରେ ତଳକୁ ଓହ୍ଲାଇ ଗଲା । ସେ ଅତି ସାବଧାନରେ ତାଲା ଖୋଲି ବଗିଚା ଟପି ପାଚେରୀ ଉପରେ ନୀରବରେ ପୁଟୁଳିଟା ଧରି ବସିଲା । ମରିସର ଆଗମନର ପ୍ରତୀକ୍ଷାରେ ଅଧ ଘଣ୍ଟାଏ ବିତିଲା । କେତେ ସମୟ ଯେ ସେ ସେଠାରେ ବସି ରହିଲା ତାହାର ଖିଆଲ ନାହିଁ । ଅବଶେଷରେ ସେ ଧୀର ପଦରେ ଘରକୁ ଫେରି ଆସି ପୁଣି ବିଛଣାରେ ଗଡ଼ି ପଡ଼ିଲା । ସେ ମୃତ ପରି କ୍ଳାନ୍ତ ହୋଇଛି, ମୁଣ୍ଡ ଭିତରେ ଯନ୍ତ୍ରଣା ହେଉଛି, ଆଖିରେ ବେଦନା, ହାତଗୋଡ଼ ବିନ୍ଧୁଛି । ତିକ୍ତ ଚିନ୍ତାରେ ନିଦ ଆସିଲା ନାହିଁ । ସେ ଆଲୁଅ ଜଳାଇ ଖଣ୍ଡିଏ ବହି ଟାଣି ଆଣି ଜୋନ୍‍ ଅଫ୍‍ ଆର୍କର କାରାବାସର କାହାଣୀ ପଢ଼ିଲା । ଯେଉଁ ସପ୍ତମ ଚାର୍ଲସକୁ ସେ ରାଜମୁକୁଟ ପିନ୍ଧାଇଥିଲା, ଜୋନକୁ ମୁକ୍ତ କରିବା ପାଇଁ ସେ ଆଦୌ ଚେଷ୍ଟା କଲେ ନାହିଁ । କାରାଗାରରେ ତାହାର ପାଦ ସର୍ବଦା ଶୃଙ୍ଖଳା ବଦ୍ଧ । ପାଞ୍ଚ ଜଣ ଇଂରେଜ ରକ୍ଷୀ ତାହା ପ୍ରତି ନିର୍ମମ ବ୍ୟବହାର କରୁଥିଲେ । ଫରାସୀ ଧର୍ମଯାଜକର ଅଦାଲତ ତାହାର ବିଚାର କରିଥିଲା । ଅଦାଲତ ଯଥାରୀତି ତିନି ଥର ଜୋନକୁ ଅନୁରୋଧ କଲା ଦୈବବାଣୀ ସମ୍ବନ୍ଧରେ ତାହାର ଉକ୍ତି ପ୍ରତ୍ୟାହାର ଓ ସମ୍ରାଟଙ୍କୁ ଅସ୍ୱୀକାର କରିବାକୁ । ଯେତେବେଳେ ତାହାକୁ କୁହାଗଲା ଯେ ପ୍ରତ୍ୟାହାର ନ କଲେ ତାହାକୁ ପୋଡ଼ି ମାରି ଦିଆଯିବ, ସେ ଦୁର୍ବଳ ହୋଇ କହି ପକାଇଲା–ହେଉ, ମୁଁ ପ୍ରତ୍ୟାହାର କଲି । ଜୋନ ଦଲିଲରେ ଦସ୍ତଖତ କଲା । କିନ୍ତୁ ତାହାକୁ ପୁଣି ସେହି ଅନ୍ଧକୂପରେ ରଖାଗଲା । ତହୁଁ ବିଶପଙ୍କ ଉପରୁ ସୀମାର ବିଶ୍ୱାସ ତୁଟିଗଲା । ସେ ପୁଣି କହିଲା–ଏବେ ବି ମୁଁ ଦୈବବାଣୀ ଶୁଣି ପାରୁଛି । ପ୍ରାଣ ଭୟରେ ମୋର ବିଶ୍ୱାସକୁ ପ୍ରତ୍ୟାହାର କରି ମୁଁ ଅନ୍ୟାୟ କରିଛି । ୧୪୩୧ ମଇ ୩୦ ତାରିଖରେ ଏକ ବିରାଟ ମଞ୍ଚ ଉପରେ ଜୋନକୁ ବାନ୍ଧି ଠିଆ କରାଇ ତାହା ତଳେ କାଠ ସଜାଇ ରଖା ହେଲା । ସାମନାରେ ବିଚାରକ ମଣ୍ଡଳୀ ବସିଥିଲେ । ଖଣ୍ଡିଏ କାଠରେ ଲେଖା ହୋଇଥିଲା–ଜୋନ ହେଉଛି ଭଣ୍ଡ, ପ୍ରତାରକ, ଡାହାଣୀ, କଳଙ୍କବତୀ, ରକ୍ତପାୟୀ, ଦାନବ ଉପାସିକା, ପିଶାଚିନୀ । ଚିତାରେ ଅଗ୍ନି ସଂଯୋଗ କରା ହେଲା । ସାତ ଥର ଯୀଶୁଙ୍କର ନାମ ଉଚ୍ଚାରଣ କରି ଜୋନର ମଥା ଟଳି ପଡ଼ିଲା । ତାହାର ମୃତ୍ୟୁ ହେଲା ।

 

ଦୁଇ ଦିନ ପରେ ସକାଳେ ପ୍ରସପାର ଘରକୁ ଫେରି ଆସିଲା, ଦିନ ସାରା ସେ ଘରେ ରହିଲା, ସୀମାକୁ କଥା କହିଲା ନାହିଁ, ବରାବର ବୁଢ଼ୀ ସାଙ୍ଗରେ ଫୁସୁରଫାସର ହେଲା ।

 

ସନ୍ଧ୍ୟା ବେଳେ ସୀମା ହାଣ୍ଡିଶାଳରେ ରୋଷେଇ କରୁଥିଲା । ବୁଢ଼ୀ ଆସି ତାହାକୁ ନୀଳ କକ୍ଷକୁ ଯିବାକୁ କହିଲା । ସୀମାକୁ ଦେଖି ପ୍ରସପାର କୃତ୍ରିମ ଆନନ୍ଦର ଭଙ୍ଗୀରେ ପଚାରିଲା–ଏ ଘରେ ତୁ ଦଶ ବର୍ଷ ହେଲା ରହିଲୁଣି, ଏତେ ବଡ଼ ଗୋଟିଏ କାଣ୍ଡ କରିବା ଆଗରୁ ମୋତେ ଟିକିଏ ପଚାରିଲୁ ନାହିଁ ?

 

କିନ୍ତୁ ସୀମା ଅବାଧ୍ୟତାର ସ୍ଵରରେ ଜବାବ ଦେଲା–ଆପଣ ତ ଜାଣନ୍ତି ମୁଁ କାହିଁକି ଏ କାମ କଲି । ମୋର କଅଣ କିଛି ବିପଦର ସମ୍ଭାବନା ଅଛି ? ଜର୍ମାନମାନେ ଏଠାକୁ ଆସିବା ଆଗରୁ ତ ମୁଁ ଏହା କରିଛି । ମୁଁ ଜଣେ ଫରାସୀ ସୈନିକର କର୍ତ୍ତବ୍ୟ କରିଛି ମାତ୍ର ଜର୍ମାନମାନେ ମୋର କିଛି କରିପାରିବେ ନାହିଁ ।

 

ଟିକିଏ ମଦ ପାନ କରି ପ୍ରସପାର କହିଲା–କିଏ ତୋ ମଗଜରେ ଏମିତି ଅଜବ ଚିନ୍ତା ଢୁକାଇଲା ? ଜର୍ମାନମାନେ ଏକ୍ଷଣି ଦେଶର ମାଲିକ । ସେମାନେ ଯାହା ଖୁସି କରିପାରିବେ, ତେବେ ତୋର ବେଶି କିଛି ବିପଦ ନାହିଁ । ମୁଁ ଗୋଟାଏ ମତଲବ ପାଞ୍ଚିଛି । କଥାଟା ହେଉଛି, ଯଦି ନିଆଁ ଲଗାଇବାର ବ୍ୟାପାରରେ ରାଜନୈତିକ ଉଦ୍ଦେଶ୍ୟ ବାଦ ଦେଇ ଖାଲି ବ୍ୟକ୍ତିଗତ କଳହର ଫଳ ବୋଲି କୁହାଯାଏ, ତାହାହେଲେ କିଛି ଗୋଳମାଳ ହେବ ନାହିଁ ।

 

ସୀମା ସତର୍କ ଗଳାରେ ପଚାରିଲା–ସେ କଥା କିପରି ଭାବରେ କୁହାଯିବ ?

 

ହାତରେ ଓଠ ପୋଛି ପ୍ରସପାର କହିଲା–ତୁ ଗୋଟାଏ ସ୍ୱୀକାରୋକ୍ତି କରିବୁ ଯେ ବ୍ୟକ୍ତିଗତ କାରଣରୁ ମାଆ ସାଙ୍ଗରେ ଝଗଡ଼ା ହେଲାରୁ ତୁ ଗେରେଜରେ ନିଆଁ ଲଗାଇ ଦେଲୁ ।

 

ସୀମାର ମୁଣ୍ଡରେ ସତେ ଯେମିତି କିଏ ପ୍ରଚଣ୍ଡ ଆଘାତ କଲା । ତାହାକୁ ଚଉଦିଗ ଅନ୍ଧାର ଦିଶିଲା । ତାହାର କଣ୍ଠରୁ ଧ୍ଵନିତ ହେଲା–ମୁଁ ଏପରି ମିଥ୍ୟା ସ୍ଵୀକାରୋକ୍ତିରେ କଦାପି ଦସ୍ତଖତ କରିବି ନାହିଁ ।

 

ପ୍ରସପାର ଚମକି ପଡ଼ିଲା । କିଛି କ୍ଷଣ ନୀରବ ରହି ସେ ପୁଣି କହିଲା–ବର୍ତ୍ତମାନ ଶାନ୍ତିଚୁକ୍ତି ପରେ ଲଢ଼େଇ ବନ୍ଦ ହୋଇଛି । ଯଦି ଏକ୍ଷଣି ବାରମ୍ଵାର କୁହାଯାଏ ଯେ ରାଜନୈତିକ ଉଦ୍ଦେଶ୍ୟରେ ଏହା ହୋଇଛି, ତାହାହେଲେ କାହାର ଲାଭ ହେବ ? ଫଳରେ ଆମର ସର୍ବନାଶ ଘଟିବ । ଜର୍ମାନମାନେ ତୋତେ ବନ୍ଦୀ କରିବେ । ଏବଂ ସେଣ୍ଟ ମାର୍ଟିନ ଅଞ୍ଚଳକୁ କଠୋର ଭାବରେ ଶାସନ କରିବେ । ତୋର ବିପଦ ଯଥେଷ୍ଟ ବେଶି । ବେଳ ଥାଉଣୁ କାମ ସାରିଦେବା ହେଉଛି ଚତୁର ପଣିଆ । ମୁଁ ତୋତେ କଦାପି ଶତ୍ରୁର ହାତକୁ ଟେକି ଦେବି ନାହିଁ । ଏହି ସ୍ଵୀକାରୋକ୍ତିରେ ଦସ୍ତଖତ କରିଦେଲେ ତୋର ବୁଦ୍ଧିମତ୍ତାର ପରିଚୟ ଦେବୁ ।

 

ସୀମା ଉତ୍ତେଜିତ ହୋଇ କହିଲା–ଏହା କଅଣ କେହି କେବେ ବିଶ୍ୱାସ କରିବେ ?

 

କିନ୍ତୁ ଜର୍ମାନମାନେ ଏପରି ଏକ ସ୍ଵୀକାରୋକ୍ତି ପାଇଲେ ନିଶ୍ଚୟ ଖୁସି ହେବେ ।

 

ଯଦି ମୁଁ ଦସ୍ତଖତ କରେଁ, ତାହାହେଲେ ଜର୍ମାନମାନେ, ଆପଣଙ୍କର ବ୍ୟବସାୟ ଫେରାଇ ଦେବେ ?

ହୁଏତ ଦେବେ ।

ମୋ ନାମରେ ସେମାନେ କିଛି ମାମଲା କରିବେ ନାହିଁ ତ ?

ମୁଁ ଅଭିଯୋଗ ନ କଲେ ମାମଲା କିପରି ହେବ ? ମୋର ବ୍ୟବସାୟ ନଷ୍ଟ ହୋଇଛି, ଆଉ ତୋର ଜୀବନ ବିପନ୍ନ । ଏପରି ସ୍ଥଳେ ତୁ ଗୋଟାଏ ସାମାନ୍ୟ ସ୍ଵୀକାରୋକ୍ତିରେ ଦସ୍ତଖତ କରିବାକୁ ପଛଉଛୁ !

ଏହି ତର୍କର ସ୍ରୋତରେ ସୀମା ଅତିଶୟ ଶ୍ରାନ୍ତ ହୋଇ ପଡ଼ିଥିଲା । ତେଣୁ ଦାଦାର ପ୍ରସ୍ତାବରେ ଏକମତ ହେବାକୁ ଶେଷରେ ତାହାର ମନ ଡାକିଲା ।

ପ୍ରସପାର ସୀମାର ମନୋଭାବ ବୁଝିପାରି କହିଲା–ମୁଁ ତୋତେ ଆଉ କିଛି କହିବି ନାହିଁ-। ତୁ ନିଜ କଥାଟା ଭାବ । ଏଣିକି ଆମେ ଏକାଠି ଖାଇବା । ଯାଆ, ବୁଝି ସୁଝି କାମ କର-

ପରଦିନ ସୀମା ନୀଳ କକ୍ଷ ପରିଷ୍କାର କରୁଥିଲା । ବୁଢ଼ୀ ଘରକୁ ପଶିଆସି ଚଉକିରେ ବସିପଡ଼ି ମୃଦୁ ଓ ତୀକ୍ଷ୍ଣ ସ୍ୱରରେ କହିଲା–ତାହାର କପାଳରେ ଯାହା ଥାଉନା କାହିଁକି, ମୋ ପୁଅ ତୋତେ ବଞ୍ଚାଇବା ପାଇଁ ବଦ୍ଧପରିକର । ଜର୍ମାନମାନଙ୍କ ନିକଟରେ ଗୋଟାଏ ଭୟଙ୍କର ମିଛ କଥା କହିବାର ଆୟୋଜନ ହେଉଛି । ମେତର ଲୋଭାତୁର ଆଜି ସନ୍ଧ୍ୟା ବେଳେ ଆସିବେ । ସେ ତୋର ସ୍ଵୀକାରୋକ୍ତିରେ ସାକ୍ଷୀ ପଡ଼ିବେ । ଆଜି ଦିନଟି ତୋ ପକ୍ଷରେ ଅବିସ୍ମରଣୀୟ ।

ଏହା ଶୁଣିଲା କ୍ଷଣି ସୀମାର ସର୍ବାଙ୍ଗରେ ଶିହରଣ ଖେଳିଗଲା ।

ତିନିହେଁ ଏକାଠି ମଧ୍ୟାହ୍ନ ଭୋଜନ କଲେ । ନୀଳ କକ୍ଷରେ ସୀମା ପିଆଲାରେ କଫି ଢାଳିଲା ବେଳେ ପ୍ରସପାର ତାହାକୁ କହିଲା–ମୁଣ୍ଡ ଟେକି ଠିଆ ହେବୁ, ସୀମା । ଆଜି ରାତି ଭିତରେ ସବୁ କିଛି ଠିକ୍‍ ହୋଇଯିବ ।

ଅଧ ଘଣ୍ଟାଏ ପରେ । ବୈଠକଖାନାରେ ସମସ୍ତେ ଆସି ବସିଲେ–ବୁଢ଼ୀ, ପ୍ରସପାର, ସୀମା ଓ ମେତର ଲେଭାତୁର ।

ମେତର ଲେଭାତୁର ବ୍ରିଫ୍‍-କେଶ୍‍ ଖୋଲି ଦ୍ରୁତ ଗତିରେ ପଢ଼ିବାକୁ ଲାଗିଲା–ମନରେପୋ ଭବନର ଅଧିବାସୀ ଶ୍ରୀମତୀ କାଥେରିନ ପ୍ଲାନକାର୍ଡ଼ ଓ ଶ୍ରୀ ପ୍ରସପାର ପ୍ଲାନକାର୍ଡ଼ଙ୍କ ଉପସ୍ଥିତିରେ, ଏହି ଘରର ଅପର ବାସିନ୍ଦା କୁମାରୀ ସୀମା ପ୍ଲାନକାର୍ଡ଼ ନିମ୍ନଲିଖିତ ସ୍ଵୀକାରୋକ୍ତି କରୁଛି । ମୁଁ ସ୍ଵେଚ୍ଛାରେ, ଖୁସି ମିଜାଜରେ, ସୁସ୍ଥ ଶରୀରରେ ସ୍ୱୀକାର କରୁଛି ଯେ ୧୯୪୦ ମସିହା ଜୁନ ୧୭ ତାରିଖରେ ପ୍ରସପାର ପ୍ଲାନକାର୍ଡ଼ ଆଣ୍ଡ କମ୍ପାନୀର ବ୍ୟବସାୟରେ ମୁଁ ସ୍ଵହସ୍ତରେ ନିଆଁ ଲଗାଇ ଦେଇଛି । ମୋର ଏହି କୁକର୍ମର କାରଣ ହେଉଛି, ଶ୍ରୀମତୀ ପ୍ଲାନକାର୍ଡ଼ଙ୍କର କେତୋଟି କଥା ମୋତେ ଖୁବ୍‍ ବାଧିଲା ଏବଂ ତାହାର ସମାଲୋଚନା କରିବା ଅନ୍ୟାୟ ବୋଲି ମୋର ମନେହେଲା । ସୁତରାଂ ଆଉ କିଛି ଉପାୟ ନ ପାଇ ଏହି ଭାବରେ ମୋର ମାନସିକ କ୍ଳେଶର ପ୍ରତିବାଦ କରିଛି । ମୋର ବିଶ୍ଵାସ ଥିଲା, ଏପରି ଭାବରେ ମୁଁ ଶ୍ରୀମତୀ ପ୍ଲାନକାର୍ଡ଼ଙ୍କର ବିଶେଷ କ୍ଷତି କରିପାରିବି । ଏହି ବିବୃତି ପଢ଼ି ମୁଁ ଦସ୍ତଖତ କଲି ।

ଅସ୍ଵାଭାବିକ ଶାନ୍ତ କଣ୍ଠରେ ସୀମା ଲେଭାତୁରକୁ ପଚାରିଲା–ଆପଣ କଅଣ ଏସବୁ ବିଶ୍ୱାସ କରନ୍ତି ?

 

ଖାଲି ଭଙ୍ଗୀହୀନ ଚତୁର ଦୃଷ୍ଟିରେ ଲେଭାତୁର ସୀମାର ମୁହଁକୁ ଅନାଇଲା, ଏବଂ ନିଜର ଆଙ୍ଗୁଳିରେ ଦଲିଲର ଏକ ବିଶେଷ ଅଂଶ ଦେଖାଇ ନମ୍ର ଭାବରେ କହିଲା–ଏହି ଜାଗାରେ ଦସ୍ତଖତ କରିବାକୁ ହେବ, ଅବଶ୍ୟ ଯଦି ତୁମର ଇଚ୍ଛା ଥାଏ ।

 

ପ୍ରସପାରର ମୁହଁକୁ କୋମଳ ଦୃଷ୍ଟିରେ ଅନାଇ ସୀମା ଅନୁନୟ କଲା–ଏଥିରେ ଦାଦା, ତାହାହେଲେ ମୁଁ କଅଣ ଦସ୍ତଖତ କରିବି ?

 

ପ୍ରାସପାରର ତୁଣ୍ଡରୁ ଅତି ସାମାନ୍ୟ ପଦେ କଥା ବାହାରିଲା, ଯାହାର ମାନେ ହଁ କିମ୍ବା ନାଁ ହେବ ।

 

ତା’ପରେ ସୀମା ଦସ୍ତଖତ କଲା ।

 

ସେହି ରାତିରେ ସୀମା ନିଜର ନିର୍ଜନ କୋଠରୀରେ ଅନୁତାପ କଲା । ନିଜ ଜୀବନର ଶ୍ରେଷ୍ଠ ଧର୍ମକୁ ସେ ଦୁଇ ପାଦରେ ଦଳି ନଷ୍ଟ କରି ଦେଇଛି । ଦାଦାର କ୍ଳିଷ୍ଟ ଓ ବିଷଣ୍ଣ ଦୃଷ୍ଟି ସହି ନ ପାରି ଶେଷ ମୁହୂର୍ତ୍ତରେ ସେ ଦୁର୍ବଳ ହୋଇ ପଡ଼ିଲା ଏବଂ ନିଜ ପ୍ରତି ବିଶ୍ଵାସଘାତକତା ଆଚରିଲା । ଏହି ଦସ୍ତଖତ ପରେ ସେ ଖାଲି ଆପଣାକୁ ନୁହେଁ, ନିଜର ସ୍ୱର୍ଗୀୟ ପିତାକୁ ମଧ୍ୟ ଅସ୍ଵୀକାର କରିଛି ।

 

ଶୋକ ଓ ଦୁଃଖର ମୁହ୍ୟମାଣ ଅବସ୍ଥାରୁ ନିଜକୁ ମୁକ୍ତ କରିବା ସକାଶେ ସୀମା ତାହାର ପ୍ରିୟ ଗ୍ରନ୍ଥଟି ପଢ଼ିବାକୁ ଲାଗିଲା–ଯେଉଁ ବିଚାରକମାନେ ନିରପରାଧିନୀ ଜୋନକୁ ଶାସ୍ତି ଦେଇଥିଲେ, ଭଗବାନଙ୍କ ବିଚାରରେ ଏହି ପୃଥିବୀରେ ଦିନେ ସେମାନଙ୍କର ସର୍ବନାଶ ହୋଇଛି । ଅବଶେଷରେ ରାଷ୍ଟ୍ର ମଧ୍ୟ ତାହାର ସମ୍ମାନାର୍ଥେ ବିଭିନ୍ନ ସ୍ଥାନରେ ସ୍ମୃତି ସୌଧ ନିର୍ମାଣ କଲା ଏବଂ ଗିର୍ଜା ତାହାକୁ ଜଣେ ସିଦ୍ଧ ରମଣୀ ବୋଲି ଘୋଷଣା କଲା । ଅଦ୍ୟାବଧି ତାହାର ମହତ କୀର୍ତ୍ତି ଅକ୍ଷୁଣ୍ଣ ରହିଛି ।

 

ବହି ପଢ଼ିବାରୁ ସୀମାର ଭୟ କଟିଗଲା । ଆଜି ପର୍ଯ୍ୟନ୍ତ ଫ୍ରାନ୍ସର ପତନ ହୋଇ ନାହିଁ । ଲଢ଼େଇ ଚାଲିଛି ବୋଲି ସୀମାର କାମର ମହତ୍ତ୍ଵ ଅଛି । ଯେତେବେଳେ ସେ ମରିସ ସାଙ୍ଗରେ ଯାଇ ନାହିଁ, ବର୍ତ୍ତମାନ ତାହାକୁ ଏକା ଅନଧିକୃତ ଅଞ୍ଚଳକୁ ପଳାଇ ଯିବାକୁ ହେବ, ଏହି ନିର୍ବୋଧ ଦଲିଲର ସୁଯୋଗ ନେବା ଆଗରୁ ।

 

ଆକାଶରେ ମ୍ଳାନ ଜ୍ୟୋତ୍ସ୍ନା । ଭୀତ ନ ହୋଇ ସୀମା ଅତି ଧୀରେ ଧୀରେ ଘରୁ ବାହାରି ଯାଇ ବଗିଚାର ପାଚେରୀ ଉପରକୁ ଚଢ଼ିଗଲା ଏବଂ ଥରେ ସାମନାକୁ ଅନାଇଲା ।

 

ସୀମା ଘରୁ ବାହାରି ଗଲା ।

 

ପରଦିନ ସଞ୍ଜବେଳେ ମଟରରେ ନେଭାରସରେ ଯାଇ ପହଞ୍ଚିଲା କ୍ଷଣି ପୋଲିସ ସୀମାକୁ ଗିରଫ କରି ପ୍ରେଞ୍ଚେଭିଲକୁ ନେଇଗଲା । ତା’ପରେ ସଶସ୍ତ୍ର ପୋଲିସ ତାହାକୁ ସେଣ୍ଟ ମାର୍ଟିନର ଡେପୁଟି ପ୍ରିଫେକ୍ଟଙ୍କ ନିକଟରେ ହାଜର କଲା । ସେଠାରେ ପୁରୁଣା ବନ୍ଧୁମାନେ ତାହାକୁ ଦେଖି ଅବଶ୍ୟ ଦୁଃଖିତ ହେଲେ । ସୀମା ଅଫିସରେ ଚୁପ୍‍ଚାପ୍‍ ବସି ରହି ନିଜର ନିଷ୍ଫଳ ପଳାୟନ ସମ୍ବନ୍ଧରେ ଚିନ୍ତା କରିବାକୁ ଲାଗିଲା । କିଛିକ୍ଷଣ ପରେ ଜାଭିୟେର ପ୍ରବେଶ କଲା । ସୀମା କୋମଳ କଣ୍ଠରେ ପଚାରିଲା–ମୋର କଅଣ ଖୁବ୍‍ କଠୋର ଶାସ୍ତି ହେବ ?

 

ଜାଭିୟେର ଜବାବ ଦେଲା–ଅବଶ୍ୟ ଖୁବ୍‍ ସହଜ ହେବ ନାହିଁ ।

 

ତାହାହେଲେ ମୁଁ କଅଣ କରିବି ?

 

ବେଶୀ ଚାଲାକି ଏଠାରେ ଖାଟିବ ନାହିଁ । ତୁମର ଯାହା ଇଚ୍ଛା କହିବ । କିନ୍ତୁ କେଉଁଥିରେ ତୁମର ଭଲ ଫଳ ହେବ ନାହିଁ । ଯଥା ସମୟରେ ଆମେ ତୁମକୁ ସାହାଯ୍ୟ କରିବୁ । ତୁମେ କିଛି ଖାଅ ।

 

ଜାଭିୟେର ଉଦାସୀନ ଭାବରେ ପଦଚାରଣ କଲା । ସୀମା ଅଗତ୍ୟା କିଛି ଖାଇଲା । ତା’ପରେ ଡାକରା ପଡ଼ିବାରୁ ସେମାନେ ପାଖ କକ୍ଷକୁ ଗଲେ । ସେଠାରେ ଉପସ୍ଥିତ ଥିଲେ କାର୍ଡ଼ଲିୟର, ଡେପୁଟି ପ୍ରିଫେକ୍ଟ, ପେସ୍କାର, ବୁଢ଼ୀ ପ୍ଲାନକାର୍ଡ଼, ପ୍ରସପାର, ମାର୍କୁଇ ଓ ଲେଭାତୁର । ସୀମା ସଶସ୍ତ୍ର ପ୍ରହରୀ ପାଖରେ ଶାନ୍ତ ଭାବରେ ଠିଆହୋଇ ରହିଲା ।

 

କଛି କ୍ଷଣ ପରେ ଡେପୁଟି ପ୍ରିଫେକ୍ଟ କହିଲା–ଆପଣମାନେ ବସନ୍ତୁ ।

 

ମାର୍କୁଇ କହିଲା–ମୁଁ ଜାଣେ, ଆପଣମାନଙ୍କ ପକ୍ଷରେ ସମସ୍ତ ଘଟଣା ବର୍ଣ୍ଣନା କରିବ ବେଦନାଦାୟକ । ମାତ୍ର ଏହି ଅବସ୍ଥାରେ ମୀମାଂସା ନ ହେଲେ ଏଠାକାର ପରିସ୍ଥିତି ଅତି ଶୋଚନୀୟ ହେବ ।

 

ଚତୁର୍ଦିଗରେ ବିହ୍ଵଳ ସ୍ତବ୍ଧତା । ବୁଢ଼ୀ ପ୍ରଥମେ ମୃଦୁ ଗଳାରେ ଆରମ୍ଭ କଲା–ମୋର ସାବତ ପୁଅ ପୀୟରର ଏହି ଝିଅଟିର ଅପକର୍ମ ଯୋଗୁଁ ଆମକୁ ଭୀଷଣ କଷ୍ଟରେ ପଡ଼ିବାକୁ ହେଲା-। ଦଶ ବର୍ଷ ହେଲା ମୁଁ ତାହାକୁ ମଣିଷ କରିବାକୁ ଚେଷ୍ଟା କରୁଛି, କିନ୍ତୁ ତାହାର ଦୁରନ୍ତ ଆଚରଣକୁ ବଦଳାଇ ପାରି ନାହିଁ । ଏହି ଘଟଣାରୁ ପ୍ରମାଣିତ ହୋଇଛି ଯେ ତାହାର ଉଚ୍ଛୃଙ୍ଖଳ ଚରିତ୍ରର ଏକ ଘୃଣ୍ୟ ପ୍ରତିଶୋଧର ସ୍ପୃହା ଚରିତାର୍ଥ କରିବା ଛଡ଼ା ଏହା ଆଉ କିଛି ନୁହେଁ । ଏହି ଝିଅଟି ପାଇଁ ସମସ୍ତ ଦେଶବାସୀ ଆଜି କଷ୍ଟ ଭୋଗୁଛନ୍ତି । ଗୋଟାଏ ଭୁଲ ବୁଝାମଣା ଫଳରେ ଜର୍ମାନମାନେ ଆମ ବ୍ୟବସାୟ ପ୍ରତି ଏପରି କଠୋର ବ୍ୟବସ୍ଥା ଅବଲମ୍ବନ କରିଛନ୍ତି । ସେହି ଭ୍ରାନ୍ତ ଧାରଣା ଦୂର କରିବା ଆମର ପ୍ରଥମ କର୍ତ୍ତବ୍ୟ । ସେଇଥିପାଇଁ ମୋ ନାତୁଣୀ ବିରୁଦ୍ଧରେ ମୋତେ ଏପରି ଅଭିଯୋଗ କରିବାକୁ ହେଉଛି । ମୋ ପୁଅ ତାହାକୁ ବରାବର ନିଜର ଝିଅ ପରି ଦେଖେ-। ବିନିମୟରେ ସେ ଥରେ ପୁଅର ଅଫିସ୍‍ର ଚାବିକାଠି ଚୋରି କରିଛି ଏବଂ ଦ୍ଵିତୀୟ ଥର ଘରୁ ଟଙ୍କା ପଇସା ନେଇ ପଳାଇ ଆସିଛି । ତେଣୁ ଆଜି ଏହି ଝିଅଟିକୁ ଆମେ ଆପଣଙ୍କର ହାତରେ ଟେକି ଦେଉଛୁଁ ।

 

ସୀମା ଠିଆହୋଇ ଖାଲି କହିଲା–ସମସ୍ତେ ଜାଣନ୍ତି, ମୁଁ ଏହି କାମଟା ଖାଲି ଜର୍ମାନମାନଙ୍କ ଯୋଗୁଁ କରିଛି ।

 

ଏଥିରେ ବୁଢ଼ୀ ଅଚଞ୍ଚଳ ହୋଇ କହିଲା–ତାହାହେଲେ ମୁଁ କଅଣ ମିଥ୍ୟାବାଦୀ ?

 

ହଁ–ସୀମାର ଶାନ୍ତ ଉତ୍ତର ।

 

ଲେଭାତୁର ଆଗେଇ ଯାଇ କହିଲା–ଏସବୁ ଆଲୋଚନା ନିରର୍ଥକ । ମୋ ପାଖରେ କୁମାରୀ ସୀମା ପ୍ଲାନକାର୍ଡ଼ର ଦସ୍ତଖତ କରା ଦଲିଲ ଅଛି ।

 

ସେ ଦଲିଲଟା ପଢ଼ିଲା । ସୀମା ନିଜର ଅସହାୟ ଅବସ୍ଥା ବୁଝିପାରି କହିଲା–ଦାଦା, ଆପଣ ପରା କଥା ଦେଇଥିଲେ...

 

କାର୍ଡ଼ଲିୟାର ପଚାରିଲା ତୁମକୁ କଅଣ ଭୁଲାଇ ଦସ୍ତଖତ ନିଆ ହୋଇଛି ?

 

ସେ ଜବାବ ଦେବା ଆଗରୁ ପ୍ରସପାର ସିଧା ସୀମାର ମୁହଁକୁ ଅନାଇ କହିଲା–ମୁଁ କି ମୋ ମାଆ ତୋ ବିରୁଦ୍ଧରେ କିଛି ଅଭିଯୋଗ କରିନାହୁଁ । ଏହା ଅଦାଲତର ବିଚାର ନୁହେଁ, ସମ୍ପୂର୍ଣ୍ଣ ଶାସନଗତ ବ୍ୟାପାର ।

 

ତତ୍‍କ୍ଷଣାତ୍‍ ତରୁଣୀ ଓ ଉଦ୍ଦାମ ସୀମା ସତ୍ୟର ସନ୍ଧାନ ପାଇଲା । ସେ କଠୋର ହୋଇ ସ୍ଥିର କଲା, ସେମାନଙ୍କର ଏହି ଘୃଣ୍ୟ ଅଭିଯାନକୁ ସେ ନିଶ୍ଚୟ ପ୍ରତହିତ କରିବ । ତହୁଁ ସେ ଦୃଢ଼ ସ୍ଵରରେ ଜଣାଇଲା–ଦାଦା ମୋତେ କହିଥିଲେ, ଏଟା ଗୋଟାଏ ମାମୁଲି କଥା, ମୋର କିଛି ହେବ ନାହିଁ । ମାତ୍ର ସେହି କାଗଜର କଥା ତିଳେହେଲେ ସତ ନୁହେଁ । ହେଉ, ଆପଣମାନେ ମୋର କଅଣ କରିବେ କରନ୍ତୁ ।

 

ଜାଭିୟେର କହିଲା–ସୀମା, ସେମାନେ ତୁମକୁ ଗ୍ରେ ହାଉସକୁ (ଶିଶୁ ଅପରାଧୀଙ୍କ କାରଗାର) ପଠାଇବେ ।

 

ସୀମା ଏକ ମର୍ମଭେଦୀ ଆର୍ତ୍ତନାଦ କଲା । ଗ୍ରେ ହାଉସର ନିଷ୍ଠୁର ପୈଶାଚିକ ଛବି ସଙ୍ଗେ ସଙ୍ଗେ ତାହାର ମନ ଭିତରେ ଭାସିଗଲା । ଆତଙ୍କ ଓ ଭୟରେ ସେ ସଙ୍କୁଚିତ ହେଲା । ସେ ଚିତ୍କାର କଲା–ନା, ନା, ତାହା ହୋଇ ନ ପାରେ । ସେଣ୍ଟ ମାର୍ଟିନର ଲୋକେ ଯାହା ଚାହିଁଥିଲେ, ମୁଁ ତାହା କରିଛି । ମୋତେ ଗ୍ରେ ହାଉସକୁ ପଠାଇବା ମାନେ ବିଶ୍ଵାସଘାତକତା !

 

ଏହି ଆର୍ତ୍ତନାଦ ଶୁଣି ବାହାରର ଲୋକମାନେ ଦୁଆର ଠେଲି ଚଉଦିଗରୁ ଧାଇଁ ଆସିଲେ-। ସୀମା ସେମାନଙ୍କୁ ଲକ୍ଷ କରି କହିଲା–ପେଟ୍ରୋଲ ଓ ଟ୍ରକ ପୋଡ଼ି ଅପରାଧରେ ଏମାନେ ମୋତେ ବନ୍ଦୀ କରିଛନ୍ତି । ସେହିସବୁ ଜିନିଷ ଜର୍ମାନମାନଙ୍କ ହାତର ବଢ଼ାଇ ଦେଇ ନାହିଁ ବୋଲି ଆଜି ମୋତେ ଗ୍ରେ ହାଉସକୁ ଯିବାକୁ ହେବ । ତୁମ୍ଭେମାନେ ତାହା କରିବାକୁ ଦିଅ ନାହିଁ । ମୁଁ ବାରାମ୍ବାର କହୁଛି, ଜେଜେମାଆ ଉପରେ ରାଗି ମୁଁ କେବେ ଏ କାମ କରି ନାହିଁ, କରିଛି ଜର୍ମାନମାନଙ୍କ ଯୋଗୁଁ-

 

ଡେପୁଟି ପ୍ରିଫେକ୍ଟ ଇଙ୍ଗିତରେ ସମସ୍ତ୍ର ପହରୀକୁ ଡାକିଲେ ଏବଂ କହିଲେ–ସୀମା, ଏବେ ମୋ କାମ ଶେଷ କରିବାକୁ ଦିଅ । ମୁଁ ଗୋଟାଏ ଯନ୍ତ୍ର ମାତ୍ର, ତୁମେ ମୋର ଦୋଷ ଧର ନାହିଁ ।

 

ଧୀରେ ଅଥଚ ଅନିଶ୍ଚିତ ପଦରେ ପ୍ରହରୀ ସୀମା ଆଡ଼କୁ ଆଗେଇଗଲା । ସେ ଉପସ୍ଥିତ ସମସ୍ତଙ୍କ ଉପରେ ଥରେ ଆଖି ବୁଲେଇ ନେଲା ଏବଂ ତା’ପରେ ନୀରବରେ ସଶସ୍ତ୍ର ପ୍ରହରୀକୁ ନୀରବରେ ଅନୁସରଣ କଲା ।

 

ଧୂସର ପ୍ରାଙ୍ଗଣ ଲୋକାରଣ୍ୟ । ବୁଢ଼ା ପେରୀ ବାସଟିଡ଼ ଭିଡ଼ ଠେଲି ସାମନାକୁ ଆସି ସୀମାର ହାତକୁ ଖଣ୍ଡିଏ ବହି ବଢ଼ାଇଦେଲା । ବିରାଟ ଜନତା ହାତ ଟେକି ଜୟ ଧ୍ଵନି କଲା–ବିଦାୟ ସୀମା, ଆମେ ତୁମକୁ ପାଶୋରିବୁ ନାହିଁ, ତୁମକୁ ନିଶ୍ଚୟ ଫେରାଇ ଆଣିବୁ ।

✽✽✽

 

ସୀଗରିଡ଼ ଉଣ୍ଡସେଟ

Unknown

ଇଚ୍ଛାମତୀ

 

ଚତୁର୍ଦ୍ଦଶ ଶତାବ୍ଦୀ । ନରଓୟେର ସ୍କଗ ଜମିଦାରର ସମ୍ଭ୍ରାନ୍ତ ବଂଶରେ ଲେଭ୍ରାଂସଦତ୍ତାରର ଜନ୍ମ । ସେ ବିଭା ହୋଇଥିଲା ଜୁରାନଗାର୍ଡ଼ ଜମିଦାରର ଝିଅକୁ । ଶଶୁରର ଦେହାନ୍ତ ପରେ ଜୁରାନଗାର୍ଡ଼ ଜମିଦାରୀ ଉତ୍ତରାଧିକାରୀ ସୂତ୍ରରେ ଲେଭ୍ରାଂସଦତ୍ତାରର ହାତକୁ ଛାଏଁ ଛାଏଁ ଆସିଲା । ତାହାର ବଡ଼ ଝିଅ କ୍ରୀଷ୍ଟୀନ ସ୍କଗରେ ଜନ୍ମ ହେଲେ କଅଣ ହେବ, ତାହାର ଶୈଶବ ଜୁରାନଗାର୍ଡ଼ରେ ଅଜାଙ୍କ ନିକଟରେ ରାଜକୀୟ ବିଳାସ ବ୍ୟସନ ଭିତରେ ପରମ ଆନନ୍ଦରେ ଅତିବାହିତ ହୋଇଥିଲା ।

 

କ୍ରୀଷ୍ଟୀନର ତଳ ଭଉଣୀ ଉଲଭହିଣ୍ଡ ଦୁର୍ଭାଗ୍ୟ କ୍ରମେ ତିନି ବର୍ଷ ବୟସ ବେଳୁ ଅକସ୍ମାତ ପଙ୍ଗୁ ହୋଇଗଲା । ଚିକିତ୍ସାର କୌଣସି ତ୍ରୁଟି ନ ଥିଲା, ମାତ୍ର ସେଥିରେ କିଛି ଫଳ ହେଲା ନାହିଁ । ଶେଷକୁ ଅନନ୍ୟୋପାୟ ହୋଇ ତା’ର ବାପା ଝିଅର ଚିକିତ୍ସା ପାଇଁ ଯାଦୁକରୀ ମାଦାମ ଆସ୍‍ହିଣ୍ଡକୁ ଡକାଇଲା । ଅଳ୍ପ ଦିନ ଭିତରେ ମାଦାମ ଆସ୍‍ହିଣ୍ଡ ସହିତ କ୍ରୀଷ୍ଟୀନର ଖୁବ୍‍ ଭାବ ଜମିଗଲା ।

 

ଷୋଳ ବର୍ଷ ବୟସରେ କ୍ରୀଷ୍ଟୀନର ଦେହରେ ରୂପ ଓ ଯୌବନ ପଦ୍ମଫୁଲ ପରି ବିକଶିତ ହେଲା । ଲେଭ୍ରାଂସଦତ୍ତାର ଡାଇଫ୍ରିନର ଜମିଦାରର ସୌମ୍ୟ ଦର୍ଶନ ପୁତ୍ର ସିମନ ସହିତ ଝିଅର ବିବାହ ଦେବାକୁ ସ୍ଥିର କଲା ।

 

ଆର୍ନି ହେଉଛି କ୍ରୀଷ୍ଟୀନର ଶୈଶବର ଖେଳ ସାଥୀ ଓ ଅନ୍ତରଙ୍ଗ ବନ୍ଧୁ । କ୍ରୀଷ୍ଟୀନର ବିବାହ ଠିକ୍‍ ହେବା ପରେ ତାହାର ମନ ନିଜର ବାଲ୍ୟ ବନ୍ଧୁ ଆର୍ନିକୁ ଦେଖିବା ପାଇଁ ଆଉଟି ପାଉଟି ହେଲା । ତାହା ସହିତ ଶେଷ ଦେଖା କରିବା ପାଇଁ କ୍ରୀଷ୍ଟୀନ ଦିନେ ସଞ୍ଜବେଳେ ଚୁପି ଚୁପି ଘରୁ ବାହାରି ପଡ଼ିଲା ।

 

ଦେଖା ସାକ୍ଷାତ ଓ ଘନିଷ୍ଠ ବାନ୍ଧବୀ ସହିତ ନିଭୃତରେ ଆଳାପ ଓ ରଙ୍ଗରସ ପରେ କ୍ରୀଷ୍ଟୀନ ନିଜ ଘରକୁ ଫେରି ଆସିଲା । ବାଟରେ ଅନ୍ଧାର ରାତିରେ ବାନ୍ଧବୀର ପଡ଼ିଶା ବେନୀଟିନ ନାମକ ଜଣେ ବାରବୁଲା ଯୁବକ ତାହାର ପଛେ ପଛେ ଗୋଡ଼ାଇଲା । କିଛି ଦୂର ଆସିଲା ପରେ ବେନୀଟିନ ରୂପସୀ ଯୁବତୀ କ୍ରୀଷ୍ଟୀନ ନିକଟରେ ଏକ ଅଶୋଭନୀୟ ପ୍ରସ୍ତାବ ପକାଇଲା । ତାହାର କଥା ଶୁଣି କ୍ରୀଷ୍ଟୀନ ରାଗରେ ନିଆଁ ହୋଇଗଲା । କିନ୍ତୁ ଦୁଷ୍ଟ ଚରିତ୍ରହୀନ ବେନୀଟିନ ସହଜରେ ଛାଡ଼ିବାର ପାତ୍ର ନୁହେଁ । ସେ ଲୋଲୁପ ଦୃଷ୍ଟିରେ ଆଉ କିଛି ବାଟ ଆଗେଇ ଯାଇ ତାହା ଆଡ଼କୁ ହାତ ବଢ଼ାଇଲା ମାତ୍ରେ, କ୍ରୀଷ୍ଟୀନ ଚିତ୍କାରକଲା–ଖବରଦାର, ବଦମାସ । କିନ୍ତୁ ପାଜି ବେନୀଟିନ ତାହାର କଥା କାନକୁ ନେଲା ନାହିଁ ଏବଂ କ୍ରୀଷ୍ଟୀନ ଉପରକୁ କୁଦି ପଡ଼ିଲା । ତହୁଁ ଦୁହିଁଙ୍କ ଭିତରେ କିଛି ସମୟ ଧସ୍ତାଧସ୍ତି ଚାଲିଲା । କ୍ରୀଷ୍ଟୀନ କୌଣସି ମତେ ସେହି ପାମରର ହାତରୁ ଖସି ପଳାଇଲା । ଅକ୍ଷତ ଦେହ ନେଇ ସେ ନିଜ ଘରକୁ ଧାଇଁ ପଳାଇ ଆସିଲା ସିନା, କିନ୍ତୁ ସେହି ତିକ୍ତ ଅଭିଜ୍ଞତାର ବିଷାକ୍ତ ପ୍ରତିକ୍ରିୟା ତାହାର ମନରୁ କେବେହେଲେ ଲିଭିଲା ନାହିଁ ।

 

ଦୁଇ ଦିନ ପରେ ନିଜର ବାନ୍ଧବୀ କ୍ରୀଷ୍ଟୀନର ଏପରି ଲଜ୍ଜାକର ଅପମାନ ବିରୁଦ୍ଧରେ ପ୍ରତିବାଦ ଜଣାଇବାକୁ ଯାଇ ଆର୍ନି ସେହି ନରାଧମର ହାତରେ ପ୍ରାଣ ହରାଇଲା । ତାହାରି ପାଇଁ ବାନ୍ଧବୀର ଅପମୃତ୍ୟୁ ଘଟିବାରୁ, କ୍ରୀଷ୍ଟୀନ ଅତ୍ୟନ୍ତ ମର୍ମାହତ ହେଲା । ଗାଁରେ ରହିବାକୁ ତାହାକୁ ଆଉ ଭଲ ଲାଗିଲା ନାହିଁ । ଏହି ଶୋଚନୀୟ ଘଟଣାର ସ୍ମୃତି ମନରୁ ପାଶୋରି ଦେବା ଉଦ୍ଦେଶ୍ୟରେ ଟିକିଏ ଦୂରକୁ ଚାଲିଯିବା ପାଇଁ ସେ ସ୍ଥିର କଲା । ତହୁଁ କୌଣସି କନଭେଣ୍ଟରେ ଯାଇ ଅନ୍ତତଃ ବର୍ଷଟିଏ କଟାଇବା ପାଇଁ ସେ ବାପର ଅନୁମତି ଲୋଡ଼ିଲା ।

 

ଝିଅର ମାନସିକ ଦୁରବସ୍ଥା ଦେଖି ଲେଭ୍ରାଂସଦତ୍ତାର ସଙ୍ଗେ ସଙ୍ଗେ ତାହାକୁ ସେଥିପାଇଁ ଅନୁମତି ଦେଲା । କ୍ରୀଷ୍ଟୀନ ଯାଇ ନନେଷ୍ଟାରର କନଭେଣ୍ଟରେ ଭର୍ତ୍ତି ହେଲା । ତାହାର ଗୃହ ସଙ୍ଗୀ ହେଲା ନୂତନ ବାନ୍ଧବୀ ଇନଗେବଜର୍ଗ ।

 

ବଜାରରୁ କିଛି ଜିନିଷପତ୍ର କିଣିବା ଉଦ୍ଦେଶ୍ୟରେ ଦିନେ ଦୁଇ ବାନ୍ଧବୀ ଜଣେ ବୁଢ଼ା ଚାକରକୁ ସାଙ୍ଗରେ ନେଇ ଅସ୍ଲୋ ସହର ଅଭିମୁଖେ ଯାଉଥିଲେ । ଜଙ୍ଗଲ ଭିତରେ ଯାଉଁ ଯାଉଁ ସେମାନେ ଏକ ସମୟରେ ସେହି ଚାକରଠାରୁ ଟିକିଏ ଦୂରେଇ ଗଲେ । ଠିକ୍‍ ସେତିକିବେଳେ ଦଳେ ଅଶ୍ଵାରୋହୀ ଆଗନ୍ତୁକ ସାମନାରୁ ଆସୁଥିଲେ । ସେମାନଙ୍କ ସହିତ ଦୁଇ ବାନ୍ଧବୀଙ୍କର କିଛି କ୍ଷଣ ଆଳାପ ହେଲା ।

 

ସେହି ଅଶ୍ଵାରୋହୀ ଦଳରେ ହୁସାରର ଜମିଦାର ଆରଲାଣ୍ଡ ଥିଲା । କ୍ରୀଷ୍ଟୀନ ସହିତ ତାହାର ଦୃଷ୍ଟି ବିନିମୟ ହେଲା ମାତ୍ରେ, ଆରଲାଣ୍ଡ ଘୋଡ଼ାରୁ ଓହ୍ଲାଇ କ୍ରୀଷ୍ଟୀନ ନିକଟରେ ଯାଇ ଠିଆହେଲା । କ୍ରୀଷ୍ଟୀନ ଜାଣିଲା, ଆଗନ୍ତୁକ ତରୁଣ ହେଉଛି ତାହାର ପରିଚିତ ମାଦାମ ଆସ୍‍ହିଣ୍ଡର ଭଣଜା । କିଛି କ୍ଷଣ ଆଳାପ କଲା ପରେ ଦୁହେଁ ପରସ୍ପର ପ୍ରତି ଏକ ନିବିଡ଼ ଆକର୍ଷଣ ଅନୁଭବ କଲେ । ତା’ପରେ ଶୁଭେଚ୍ଛା ଜଣାଇ ଦୁଇ ଦଳ ଯାତ୍ରୀ ପୁଣି ଯେଝେ ଯେଝାର ବାଟ ଧରିଲେ ।

 

କିଛି ଦିନ ପରେ ସେଣ୍ଟ ମାରଗାରେଟର ଉତ୍ସବରେ କ୍ରୀଷ୍ଟୀନକୁ ଆରଲାଣ୍ଡ ସହିତ ପୁଣି ସାକ୍ଷାତର ଏକ ସୁବର୍ଣ୍ଣ ସୁଯୋଗ ମିଳିଲା । ସେହି ରାତିରେ ଯୁବକ ଯୁବତୀ ଦୁହେଁ ପରସ୍ପରକୁ ଦେଖି ବୁଝିପାରିଲେ ଯେ ସେମାନେ ଗଭୀର ପ୍ରେମରେ ଆବଦ୍ଧ ହୋଇ ପଡ଼ିଛନ୍ତି ।

 

ପରଦିନ ସକାଳେ ଆନନ୍ଦରେ ଆତ୍ମହରା ହୋଇ କ୍ରୀଷ୍ଟୀନ ତାହାର ବାନ୍ଧବୀ ଇନଗେବଜର୍ଗ ଆଗରେ ଗତ ରାତିର ଘଟଣା ସବୁ ଖୋଲି କହିଲା ।

 

ଏହା ଶୁଣି ବାନ୍ଧବୀ ଇନଗେବଜର୍ଗ ଚମକି ପଡ଼ିଲା ଏବଂ ତାହାକୁ ବୁଝାଇଲା–ତୁ କି ଅଜବ କଥା କହୁଚୁ, କ୍ରୀଷ୍ଟୀନ ! ତୁ ଯେ ସର୍ବନାଶର ପଥକୁ ପାଦ ବଢ଼ାଉଛୁ ! ତୁ ଆରଲାଣ୍ଡର ବାହାରର ଚେହେରା ଦେଖି ମୁଗ୍ଧ ଓ ପାଗଳ ହୋଇଛୁ ସିନା । କିନ୍ତୁ ତାହାର ଭିତରର ଅସଲ କଦର୍ଯ୍ୟ ରୂପର ଖବର ତୁ ମୋଟେ ଜାଣି ନାହୁଁ । ଏଲିନ ଜଣେ ବିବାହିତା ନାରୀ । ଆରଲାଣ୍ଡ ତାହାକୁ ତାହାର ଶଶୁର ଘରୁ ଫୁସଲାଇ ଏଠାକୁ ଲୁଚାଇ ନେଇ ଆସିଥିଲା । ସେ ଆଜି ଯାଏ ତାହାକୁ ବିଭା ହୋଇ ନାହିଁ । କିନ୍ତୁ ଇତିମଧ୍ୟରେ ବିଚାରୀର ଦୁଇଟି ପୁଅ ହେଲେଣି ।

 

ଆରଲାଣ୍ଡର ଅସତ୍‍ ଚରିତ୍ର ସମ୍ବନ୍ଧରେ ଯେତେ କହିଲେ ସୁଦ୍ଧା, କ୍ରୀଷ୍ଟୀନର ମନକୁ ବାନ୍ଧବୀର କଥା ତିଳେହେଲେ ଛୁଇଁଲା ନାହିଁ । କେବେ ପୁଣି ପ୍ରେମିକ ସହିତ ତାହାର ଭେଟ ହେବ, ସେହି ଆଶାରେ ସେ ଉତ୍କଣ୍ଠିତ ହୋଇ ଦିନ ଗଣିବାକୁ ଲାଗିଲା ।

 

କିଛି ଦିନ ପରେ ସେହି ସୁଯୋଗ ଆପେ ଆପେ ଉପସ୍ଥିତ ହେଲା । ଗ୍ରୀଷ୍ମ ଛୁଟିରେ କ୍ରୀଷ୍ଟୀନ ସ୍କଗକୁ ବୁଲିବାକୁ ଗଲା । ଖବର ପାଇ ଆରଲାଣ୍ଡ ମଧ୍ୟ ସେଠାକୁ ଧାଇଁଲା । ସେମାନଙ୍କର ଗୋପନ ଅଭିସାରରେ କିଛି ଅସୁବିଧା ନ ଥିଲା । ଆରଲାଣ୍ଡ ନିଜର ପ୍ରେୟସୀକୁ ପ୍ରେମ ନିବେଦନ କଲା, ଆଉ ବିନିମୟରେ କ୍ରୀଷ୍ଟୀନ ପ୍ରେମିକକୁ ଆତ୍ମ ଦାନ କଲା ।

 

ଶୀତ ଋତୁ ଆସିଲା । ଦୁଇ ପ୍ରେମିକ ପ୍ରେମିକା ଆହୁରି ଅନ୍ତରଙ୍ଗ ହେଲେ । ମିଳନର ଅପୂର୍ବ ଆନନ୍ଦରେ ସେମାନେ ଉଚ୍ଛ୍ଵସିତ ହେଲେ ।

 

ବସନ୍ତର ମୃଦୁ ମଧୁର ସମୀରଣ ପ୍ରେମିକ ଯୁଗଳର ହୃଦୟରେ ପ୍ରେମର ଉତ୍ତାଳ ତରଙ୍ଗ ଖେଳାଇଲା । ସେମାନେ ଆଉ ଅପେକ୍ଷା କରିପାରିଲେ ନାହିଁ । ଏହି ଲୁଚକାଳି ଖେଳ ସେମାନଙ୍କୁ ଆଉ ଭଲ ଲାଗିଲା ନାହିଁ । ସେମାନେ ଏକାନ୍ତ ଭାବରେ ନିରନ୍ତର ପରସ୍ପରର ସାନ୍ନିଧ୍ୟ ଚାହିଁଲେ ।

 

ଦିନେ କ୍ରୀଷ୍ଟୀନ ତାହାର ବାଗ୍‍ଦତ୍ତ ସ୍ଵାମୀ ସିମନ ପାଖରେ ଯାଇ ହାଜର ହେଲା । ଆରଲାଣ୍ଡ ପ୍ରତି ତାହାର ଗଭୀର ଅନୁରାଗର କଥା ସେ ସିମନ ଆଗରେ ଅକପଟରେ ପ୍ରକାଶ କଲା । ତାହାକୁ ଅନୁରୋଧ କରି କ୍ରୀଷ୍ଟୀନ ଜଣାଇଲା–ସିମନ, ତୁମେ କିଛି ମନେକରିବ ନାହିଁ । ଟିକିଏ ଚିନ୍ତା କରି ଦେଖ, ତୁମର ଓ ମୋର ପ୍ରସ୍ତାବିତ ପ୍ରେମହୀନ ବିବାହ କଦାପି ସୁଖକର ହୋଇପାରିବ ନାହିଁ । ତୁମକୁ ମୋର ଏକାନ୍ତ ଅନୁରୋଧ, ତୁମେ ମୋତେ ମନରୁ ପୋଛି ପକାଅ, ଆଉ କୌଣସି ଝିଅକୁ ବିଭା ହୋଇ ସୁଖରେ ସଂସାର କର ।

 

କ୍ରୀଷ୍ଟୀନର କଣ୍ଠରେ କାତର ଅନୁନୟ ପୂରି ରହିଥିଲା । ଏହା ଶୁଣି ସିମନ ବିସ୍ମିତ ହେଲା-। ଶେଷକୁ ନିରୂପାୟ ହୋଇ ସେ କ୍ରୀଷ୍ଟୀନକୁ ଜବାବ ଦେଲା–ହେଉ, ସେୟା ହେବ ।

 

କ୍ରୀଷ୍ଟୀନର ପିତାମାତାଙ୍କୁ ମଧ୍ୟ ଅଗତ୍ୟା ସିମନ ଓ କ୍ରୀଷ୍ଟୀନର ଏମିତି ଅଜବ ପ୍ରସ୍ତାବ ମାନି ନେବାକୁ ପଡ଼ିଲା । କିଛି ଦିନ ପରେ ଆୟଲାଣ୍ଡର ଆତ୍ମୀୟମାନେ ଲେଭ୍ରାଂସଦତ୍ତାର ନିକଟକୁ ତାହାର ଝିଅ ସହିତ ଆରଲାଣ୍ଡର ବିବାହ ପ୍ରସଙ୍ଗ ନେଇ ଆସିଲେ । ଏହା ଶୁଣି ଲୋଭ୍ରାଂସଦତ୍ତାର ରାଗରେ ଲାଲ ପଡ଼ିଗଲା ।

 

ଏହି ବିବାହରେ ବାପର ସ୍ଵୀକୃତି ନ ପାଇବାରୁ, କ୍ରୀଷ୍ଟୀନ ସ୍ଥିର କଲା ଯେ ଦିନେ ସେ ତାହାର ପ୍ରେମିକ ଆରଲାଣ୍ଡ ସହିତ ଘରୁ ଲୁଚି କରି ସୁଇଡେନକୁ ପଳାଇଯିବ । ଆରଲାଣ୍ଡର ମାଈଁ ଆସ୍‍ହିଣ୍ଡର ଘରେ ରହି ସେମାନଙ୍କ ଯାତ୍ରାର ସବୁ ଆୟୋଜନ ହେଲା ।

 

ଆରଲାଣ୍ଡର ରକ୍ଷିତା ଏଲିନ ଏହି ଖବର ପାଇ ଠିକ୍‍ ସମୟରେ ଆସି ଆସ୍‍ହିଣ୍ଡର ଘରେ ଉପସ୍ଥିତ ହେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ କ୍ରୀଷ୍ଟୀନ ଉପରେ ତାହାର ମନରେ ତିଳେମାତ୍ର ଈର୍ଷାର ଲକ୍ଷଣ ପ୍ରକଟିତ ହେଲା ନାହିଁ । ମୂଳରୁ କ୍ରୀଷ୍ଟୀନ ପ୍ରତି ଏଲିନର ଶ୍ରଦ୍ଧା ଦେଖି ଆରଲାଣ୍ଡର ମନରେ ଟିକିଏ ସନ୍ଦେହ ଉପୁଜିଲା । ସେ ଏଲିନର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଲା । ଏଲିନ ଚୁପିଚୁପି ଯାଇ କ୍ରୀଷ୍ଟୀନର ଖାଦ୍ୟରେ ବିଷ ମିଶାଉଥିଲା । ଠିକ୍‍ ଏତିକିବେଳେ ଆରଲାଣ୍ଡ ଗୋଡ଼ ଟିପିଟିପି ପଛରୁ ଯାଇ ତାହାର ହାତ ଧରି ପକାଇଲା । ଏପରି ଅପ୍ରତ୍ୟାଶିତ ଭାବରେ ଧରା ପଡ଼ିଯିବାରୁ, ଏଲିନ ସେହି ଗ୍ଳାନିକର ଜୀବନରୁ ଚିର ମୁକ୍ତି ପାଇବା ନିମନ୍ତେ ହଠାତ୍‍ ଆତ୍ମହତ୍ୟା କଲା ।

 

ଏହି ଆକସ୍ମିକ ଦୁର୍ଘଟଣା ପରେ ସେମାନେ ଆଉ ସୁଇଡେନକୁ ଗଲେ ନାହିଁ । କ୍ରୀଷ୍ଟୀନ ନିଜର ପିତାମାତାଙ୍କ ନିକଟକୁ ଫେରି ଆସିଲା ।

 

 

ଇତିମଧ୍ୟରେ କ୍ରୀଷ୍ଟୀନର ପଙ୍ଗୁ ଭଉଣୀର କାଳ ହେଲା । ସେଥିପାଇଁ କ୍ରୀଷ୍ଟୀନର ମୁଖ ବିଷାଦରେ ଝାଉଁଳି ପଡ଼ିଲା । ଝିଅର ମାନସିକ ଚିନ୍ତାର କାରଣ ବୁଝିବାରେ ବାପକୁ ବେଶି ବେଳ ଲାଗିଲା ନାହିଁ । ଝିଅର ଢଙ୍ଗଢାଙ୍ଗ ଦେଖି ବାପର ମନରୁ ଆନନ୍ଦ ଓ ସରାଗ କୁଆଡ଼େ ଉଭେଇଗଲା-। ଠିକ୍‍ ଏହି ସମୟରେ ପୁଣି ତାହା ପାଖକୁ ଆରଲାଣ୍ଡର ତରଫରୁ ବିବାହ ପ୍ରସଙ୍ଗ ନେଇ ଲୋକ ଆସିଲା । ନାନା କାରଣରୁ ଲେଭ୍ରାଂସଦତ୍ତାରର ମନରେ ସୁଖ ନ ଥିବାରୁ, ସେ ଝିଅର ମୁହଁକୁ ଅନାଇ ଏଥର ବାଧ୍ୟ ହୋଇ ସେହି ବିବାହର ପ୍ରସ୍ତାବରେ ସମ୍ମତି ହେଲା । କିନ୍ତୁ ବିବାହ ଦିନ ସେ ଉପଲବ୍‍ଧି କଲା, ତାହାର ଝିଅ କ୍ରୀଷ୍ଟୀନକୁ ଜଣେ ନବବଧୂ ଭାବରେ ଜୋଇଁ ଆରଲାଣ୍ଡର ହାତରେ ସମର୍ପଣ କରିବାରେ କିଛି ନୂତନତା ନାହିଁ, କାରଣ ଏହା ଖାଲି ଗୋଟାଏ ଲୋକ ଦେଖାଣିଆ ବିବାହ ଛଡ଼ା ଆଉ କିଛି ନୁହେଁ । ବିବାହ ଆଗରୁ କ୍ରୀଷ୍ଟୀନ ଯେ ଆରଲାଣ୍ଡର ସନ୍ତାନର ଜନନୀ ହେବାକୁ ବସିଲାଣି !

 

ବିବାହ ପରେ ଆରଲାଣ୍ଡ ନବ ପରିଣୀତା ବଧୂ କ୍ରୀଷ୍ଟୀନକୁ ନେଇ ନିଜ ଜମିଦାରୀ ହୁସାରକୁ ଚାଲିଗଲା । ସେଠାରେ ସବୁ କିଛି ବିଶୃଙ୍ଖଳ ଅବସ୍ଥାରେ ରହିଥିଲା । ତାହା ଦେଖି କ୍ରୀଷ୍ଟୀନ ବୁଝିପାରିଲା ଯେ ସେଥିପାଇଁ ତାହାର ସ୍ଵାମୀ ଆରଲାଣ୍ଡର ବ୍ୟକ୍ତିଗତ ଉଦାସୀନତା ଓ ଅବହେଳା ଏକମାତ୍ର ଦାୟୀ ।

 

ଦାମ୍ପତ୍ୟ ଜୀବନର ପନ୍ଦର ବର୍ଷ ଭିତରେ କ୍ରୀଷ୍ଟୀନ ସାତୋଟି ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କଲା । ସେମାନଙ୍କ ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କଲେ ତାହାର ଅନ୍ତର ଦୁଃଖରେ ବ୍ୟଥିତି ଓ ବ୍ୟାକୁଳ ହୁଏ । ସବୁବେଳେ ତାହାର ଇଚ୍ଛା ହୁଏ, ନିଜର ସନ୍ତାନମାନଙ୍କ ପାଇଁ ସେ କିଛି ସଞ୍ଚୟ କରନ୍ତା । ସେଥିପାଇଁ ଜମିଦାରୀର ଆୟ ବଢ଼ାଇବାକୁ ହେବ । ମାତ୍ର ଏଣେ ଖାମଖିଆଲୀ ସ୍ଵାମୀ ନିଜର ନାମ କମାଇବାରେ ବ୍ୟସ୍ତ, ଜମିଦାରୀର ପରିଚାଳନା ଓ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ତାହାର ସମୟ ନାହିଁ । ସୁତରାଂ କ୍ରୀଷ୍ଟୀନର ସେହି ଅଭିଳାଷ ପୂରଣ ହେଲା ନାହିଁ ।

 

କ୍ରୀଷ୍ଟୀନର ବାଗ୍‍ଦତ୍ତ ସ୍ଵାମୀ ସିମନ ପାଖ ଗାଁରେ ବାସ କରୁଥିଲା । ଏଯାଏ ସେ ବିଭା ହୋଇ ନ ଥିଲା, ମାତ୍ର ଗୋଟିଏ ଅବୈଧ ଝିଅକୁ ଆଣି ତାହା ପାଖରେ ରଖିଥିଲା । ବର୍ତ୍ତମାନ ସେ କ୍ରୀଷ୍ଟୀନର ସାନ ଭଉଣୀ ରେମବର୍ଗକୁ ବିବାହ କଲା । ବିବାହର ପର ବର୍ଷ କ୍ରୀଷ୍ଟୀନର ବାପା ପରଲୋକ ଗମନ କଲା । ଦୁଇ ବର୍ଷ ଆଗରୁ ତାହାର ମାଆର ଦେହାନ୍ତ ହୋଇଥିଲା । ବାପର ମୃତ୍ୟୁ ପରେ କ୍ରୀଷ୍ଟୀନ ଉତ୍ତରାଧିକାର ସୂତ୍ରରେ ଜୁରାନଗାର୍ଡ଼ ଜମିଦରୀ ଲାଭ କଲା ।

 

ସେତେବେଳେ ଦେଶର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଅଶାନ୍ତିର ପ୍ରବଳ ଝଡ଼ ବହୁଥିଲା । ଇତିମଧ୍ୟରେ ମାଗନାସ ନାମଧେୟ ଜଣେ ନାବାଳକ ସନ୍ତାନକୁ ସୁଇଡେନ ଓ ନରଓୟେର ରାଜସିଂହାସନରେ ବସାଇ ଦିଆଗଲା ଏବଂ ମଧ୍ୟବର୍ତ୍ତୀ ସମୟ ପାଇଁ ନରଓୟେର ଶାସକ ପଦରେ ନିଯୁକ୍ତ ହେଲା । କିନ୍ତୁ ମାଗନାସର ବୟସ ଷୋଳ ବର୍ଷ ହେଲାରୁ ଆର୍ଲିଂକୁ ସେହି ପଦରୁ ବିଦାୟ ନେବାକୁ ପଡ଼ିଲା । ଫଳରେ, ସମଗ୍ର ନରଓୟେରେ ଆଇନ ଓ ଶୃଙ୍ଖଳା ବୋଲି କିଛି ରହିଲା ନାହିଁ । ଦେଶରେ ଭୟଙ୍କର ଅରାଜକ ପରିସ୍ଥିତିର ସୁଯୋଗ ନେଇ ନରଓୟେର ରାଜସିଂହାସନରେ ଆଉ ଜଣକୁ ବସାଇବା ପାଇଁ ଏକ ଭୀଷଣ ଗୃପ୍ତ ଷଡ଼ଯନ୍ତ୍ର ଚାଲିଲା । ଆରଲାଣ୍ଡ ସେଥିରେ ଲିପ୍ତ ଥିବାର ଜଣା ପଡ଼ିବାରୁ ରାଜଦ୍ରୋହ ଅପରାଧରେ ସେ ଗିରଫ ହେଲା । ହୁଏତ କ୍ରୀଷ୍ଟୀନର କପାଳ ଟାଣ ଥିବାରୁ ସେ ପ୍ରାଣଦଣ୍ଡରୁ ଉଧୁରି ଗଲା । ଆରଲାଣ୍ଡ ମୁକ୍ତି ପାଇଲା ସିନା, ମାତ୍ର ସେହି ଗୁରୁତର ଅପରାଧର ଶାସ୍ତି ହିସାବରେ ତାହାକୁ ନିଜର ଜମିଦାରୀଟି ହରାଇବାକୁ ପଡ଼ିଲା ।

 

ଅନନ୍ୟୋପାୟ ହୋଇ ଆରଲାଣ୍ଡ ସପରିବାରରେ ଜରାନଗାର୍ଡ଼କୁ ଉଠିଗଲା । ଏଠାକୁ ଆସିଲେ କଅଣ ହେବ, ସେ ଜମିଦାରୀ ପ୍ରତି ପୂର୍ବ ପରି ଉଦାସୀନ ରହିଲା ଏବଂ ଚାଷବାସ ପ୍ରତି ଆଦୌ ନଜର ଦେଲା ନାହିଁ । ଏଣେ ତାହାର ପିଲାମାନେ ବଡ଼ ହେବାକୁ ଲାଗିଲେ । ସେମାନଙ୍କର ଭବିଷ୍ୟତ ଚିନ୍ତା କରି କରି କ୍ରୀଷ୍ଟୀନ ପ୍ରାୟ ଆହାର ନିଦ୍ରା ତ୍ୟାଗ କଲା ।

 

ଦିନେ କ୍ରୀଷ୍ଟୀନ ବାଧ୍ୟ ହୋଇ ନିଜର ସ୍ୱାମୀକୁ ମିନତି କଲା–ଦେଖ, ଆମର ଏତେଗୁଡ଼ିଏ ପିଲା ଛୁଆ ହେଲେଣି । ସେମାନଙ୍କର ମୁହଁକୁ ଟିକିଏ ଅନାଅ, ସେମାନଙ୍କ କଥା ଚିନ୍ତା କର, ଆମ ସମ୍ପତ୍ତିର ଆୟ ବଢ଼ାଇବାକୁ ଚେଷ୍ଟା କର । ଏଠାକାର ଜମିରେ ସୁନା ଫଳେ । ତୁମେ ଆଉ କିଛି ନ କର ପଛକେ, ଅନ୍ତତଃ ଚାଷବାସ ପ୍ରତି ଟିକିଏ ନଜର ଦେଲେ ଆମର ଅବସ୍ଥା ନିଶ୍ଚୟ ବଦଳିଯିବ ।

 

କ୍ରୀଷ୍ଟୀନର ସବୁ ଚେଷ୍ଟା ପଣ୍ଡ ହେଲା । ଦିନେ ତାହା ସହିତ ଅକାରଣରେ ଝଗଡ଼ା କରି ଆରଲାଣ୍ଡ ହୁଗେନକୁ ପଳାଇ ଯାଇ ତାହାର ମାଈଁ ମାଦାମ ଆସ୍‍ହିଣ୍ଡର ଘରେ ରହିଲା ।

 

ସ୍ୱାମୀର ଏତାଦୃଶ ନିଠୁର ଆଚରଣରେ କ୍ରୀଷ୍ଟୀନ ଭୀଷଣ ଆଘାତ ପାଇଲା । ସାତୋଟି ନାବାଳକ ପିଲାଙ୍କୁ ଧରି ଖାଲି ଅହରହ ଅନୁଶୋଚନା କରିବାକୁ ଲାଗିଲେ ତ ତାହାର ଚଳିବ ନାହିଁ-। ଯେତେହେଲେ ସେ ସେମାନଙ୍କର ଗର୍ଭଧାରିଣୀ ମାଆ, ତାହାର କର୍ତ୍ତବ୍ୟ ହେଉଛି ଯେକୌଣସି ଉପାୟରେ ସେମାନଙ୍କୁ ବଢ଼େଇ କୁଢ଼େଇ ମଣିଷ କରିବା । ଅଧିକ କାଳ ଅନୁଶୋଚନାରେ ଅଯଥା ନଷ୍ଟ ନ କରି କ୍ରୀଷ୍ଟୀନ ଯଥାସାଧ୍ୟ ନିଜର ଜମିଦାରୀ ବୁଝାସୁଝା କଲା, ଆଉ ବିଶ୍ୱସ୍ତ ଭୃତ୍ୟ ଉଲ୍‍ଫର ସାହାଯ୍ୟରେ ବିଲବାଡ଼ିରେ ଅଧିକ ଫସଲ ଉତ୍ପାଦନରେ ମନ ବଳାଇଲା ।

 

ପୁଣି ଶୀତ ଆସିଲା । ଏହି ସମୟରେ ଦିନେ ଦୁଇଜଣ ମାତାଲଙ୍କର ଝଗଡ଼ା ମେଣ୍ଟାଇବାକୁ ଯାଇ କ୍ରୀଷ୍ଟୀନର ଭିଣେଇ ସିମନ ଗୁରୁତର ଭାବରେ ଆହତ ହୋଇ ମୃତ୍ୟୁର ମୁଖରେ ପତିତ ହେଲା । ମୃତ୍ୟୁ ପୂର୍ବରୁ ସେ କ୍ରୀଷ୍ଟୀନକୁ ଅନୁରୋଧ କରିଗଲା–କ୍ରୀଷ୍ଟୀନ, ମୋର ସମୟ ହେଲା । ମୁଁ ଚାଲି ଯାଉଛି । ମୋ କଥା ଟିକିଏ ଶୁଣ । ତୁମ ଦୁହିଁଙ୍କର ବୟସ ହୋଇଛି, ପିଲାମାନେ ବି ବଡ଼ ହେଲେଣି । ଏତେବେଳେ ତୁମେ ସ୍ୱାମୀ ସ୍ତ୍ରୀ ଝଗଡ଼ାରେ ମାତି ରହିବା ଆଦୌ ଠିକ୍‍ ନୁହେଁ । ଦୁନିଆର ଲୋକଙ୍କ ଆଗରେ ତୁମେ ହୀନ ଓ ଛୋଟ ହୋଇଯିବ । ତେଣୁ ମୋ କଥା ମାନ, ସେଠାକୁ ଯାଇ ତୁମର ସ୍ୱାମୀକୁ ବୁଝାଇ ସୁଝାଇ ଘରକୁ ଫେରାଇ ଆଣ ।

 

କ୍ରୀଷ୍ଟୀନ ସିମନର ଶେଷ ଅନୁରୋଧ ମନରୁ ପାଶୋରି ନ ଥିଲା । ଦିନେ ସେ ହୁଗେନକୁ ଗଲା । ତାହାର ସବୁ ଦୋଷ କ୍ଷମା କରିବା ପାଇଁ ସେ ନିଜର ସ୍ୱାମୀକୁ ମିନତି କଲା ଏବଂ ତାହା ସାଙ୍ଗରେ ଘରକୁ ଫେରି ଆସିବା ପାଇଁ ମଧ୍ୟ ଅନୁରୋଧ ଜଣାଇଲା । କିନ୍ତୁ ସେଥିରେ କିଛି ଫଳ ହେଲା ନାହିଁ । ଜିଦଖୋର ଆରଲାଣ୍ଡର ମନ କୌଣସି ମତେ ଟଳିଲା ନାହିଁ । ସେହି ଗ୍ରୀଷ୍ମ କାଳରେ କ୍ରୀଷ୍ଟୀନ ସ୍ୱାମୀ ପାଖରେ ରହି ତାହାକୁ ବାରମ୍ବାର ବୁଝାବୁଝି କରି ଘରକୁ ଫେରାଇ ନେବା ପାଇଁ ବହୁତ ଚେଷ୍ଟା କଲା । ଶେଷରେ ନିଜର ଉଦ୍ୟମରେ ବ୍ୟର୍ଥ ହୋଇ କ୍ରୀଷ୍ଟୀନ ଏକା ସେଠାରୁ ଘରକୁ ଫେରି ଆସିଲା ।

 

କିନ୍ତୁ ଘରକୁ ଫେରି ଆସି କ୍ରୀଷ୍ଟୀନ ବୁଝିପାରିଲା ଯେ ସେ ଏକା ଆସି ନାହିଁ, ଆଉ ଗୋଟିଏ ସନ୍ତାନକୁ ଗର୍ଭରେ ଧାରଣ କରି ସେ ଫେରିଛି । ସନ୍ତାନଟି ଜନ୍ମ ହେଲାରୁ କ୍ରୀଷ୍ଟୀନ ପୁଣି ତାହାର ସ୍ୱାମୀଠାକୁ ଖବର ପଠାଇଲା । ତଥାପି ଆରଲଣ୍ଡ ଜୁରାନଗାର୍ଡ଼କୁ ଫେରିଲା ନାହିଁ । ଏଣେ ନବଜାତ ସନ୍ତାନଟି ମଧ୍ୟ ତିନି ମାସ ପରେ ଆର ପୁରକୁ ବାହୁଡ଼ି ଗଲା ।

 

କିଛି ଦିନ ପରେ ବିଶପ ଥରେ ସେ ଅଞ୍ଚଳକୁ ବୁଲି ଆସିଲା । ଖବର ଶୁଣି ଉଲ୍‍ଫର ସ୍ତ୍ରୀ ଯାଇ ତାହାଙ୍କ ଆଗରେ ଅଭିଯୋଗ କଲା–ପ୍ରଭୁ ! ଆପଣ ମୋ କଥା ଟିକିଏ ବିଚାର କରନ୍ତୁ । ଆଜିକୁ କେତେ ବର୍ଷ ହେଲା ମୋର ସ୍ଵାମୀ ଘର ସଂସାର ତୁଚ୍ଛ କରି ଜମିଦାରଙ୍କ ସ୍ତ୍ରୀ କ୍ରୀଷ୍ଟୀନଙ୍କ ସହିତ ଅବୈଧ ପ୍ରେମ ଲୀଳାରେ ମାତିଛି । ଏଣେ ମୋ ଦୁରବସ୍ଥାର ସୀମା ନାହିଁ । ମୋତେ ଦେଖାଶୁଣା କରିବା ପାଇଁ ଆଉ କେହି ଲୋକ ନାହାନ୍ତି ।

 

ଏହା ଶୁଣି ବିଶପ ମୁଣ୍ଡରେ ହାତ ଦେଲେ । କ୍ରୀଷ୍ଟୀନର କାନରେ ବି ତାହା ପଡ଼ିଲା । ସେ ଲାଜରେ ମଥା ଟେକି ପାରିଲା ନାହିଁ ।

 

ଦିନେ କାହାକୁ ନ ଜଣାଇ କ୍ରୀଷ୍ଟୀନର ଉଦ୍ଧତ ପୁଅ ଲେଭରେନ ଧୂମକେତୁ ପରି ଯାଇ ବାପ ନିକଟରେ ହାଜର ହେଲା । ଆଉ କିଛି ବାଟ ନ ଦେଖି ଆରଲାଣ୍ଡ ବାଧ୍ୟ ହୋଇ ପୁଅ ସାଙ୍ଗରେ ଘରକୁ ଫେରି ଆସିଲା । ସେ ଘରର ଅଗଣାରେ ଗୋଡ଼ ଦେଇଛି କି ନାହିଁ, ବାପ ଓ ପୁଅ ଭିତରେ ତୁମୂଳ ଝଗଡ଼ା ଆରମ୍ଭ ହେଲା । ଝଗଡ଼ାରୁ ହାତାହାତି ମଧ୍ୟ ଚାଲିଲା । ଫଳରେ, ଆରଲାଣ୍ଡ ଗୁରୁତର ଭାବରେ ଆହତ ହୋଇ ମୃତ୍ୟୁ ମୁଖରେ ପତିତ ହେଲା ।

 

ବର୍ଷର ଶେଷଭାଗରେ ସେହି ଅଞ୍ଚଳରେ ଏକ କଳା ବ୍ୟାଧି ବ୍ୟାପିଗଲା । କ୍ରୀଷ୍ଟୀନର ଷଷ୍ଠ ପୁତ୍ର ମୁନାନ ଏହି ବ୍ୟାଧିର ଶିକାର ହେଲା । ଅବଶିଷ୍ଟ ଛଅ ପୁଅ ସମସ୍ତେ ସାବାଳକ ହୋଇ ଯାଇଥିଲେ । ସେମାନେ ନିଜ ନିଜର ଭାଗ୍ୟର ସନ୍ଧାନରେ ବାହାରି ପଡ଼ିଲେ ।

 

ଦୁଇ ଯାଆଁଳା ଭାଇ ଆଇଭାର ଓ ସ୍କୁଲେ ଚାକିରି କରିବା ପାଇଁ ଜଣେ ଦୂର ସମ୍ପର୍କୀୟ ଆତ୍ମୀୟ ନିକଟକୁ ଚାଲିଗଲେ । ତା’ପରେ ଆଇଭାର ଜଣେ ସମ୍ଭ୍ରାନ୍ତ ତରୁଣୀ ବିଧବାକୁ ବିଭା ହୋଇ ପରିବାରଠାରୁ ବିଚ୍ଛିନ୍ନ ହେଲା । ନିକୁଲାସ ଓ ବଜୋରଗାଲ୍‍ଫ ଯାଜକ ବୃତ୍ତି ଗ୍ରହଣ କଲେ । ଚତୁର ଗୁତେ ଦେଖି ଶୁଣି ଜଣେ ଧନୀ ଜମିଦାରର ଏକମାତ୍ର କନ୍ୟା ଜୋଫ୍ରିଡ଼ର ପ୍ରେମରେ ପଡ଼ିଲା ଏବଂ କିଛି ଦିନ ପରେ ସେମାନେ ଦେଶ ଛାଡ଼ି ପଳାଇଲେ । ସେଠାରେ ସେମାନଙ୍କର ଗୋଟିଏ ପୁଅ ଜନ୍ମ ହେଲା ଉତ୍ତାରୁ ସେମାନେ ଦେଶକୁ ଫେରି ଆସି ବିବାହ କରି ସୁଖରେ ଘର ବାନ୍ଧିଲେ । ଦିନେ ଉଦ୍ଧତ ଲେଭରେନ ନିଜକୁ ବିଶପଙ୍କ ପାଦ ତଳେ ସମର୍ପଣ କରି ସୁଦୁର ଆଇସଲାଣ୍ଡକୁ ଚାଲିଗଲା-

 

୧୩୪୯ ମସିହା । ଅବଶେଷରେ କ୍ରୀଷ୍ଟୀନ ଗୋଟିଏ ଆଶ୍ରମରେ ଯାଇ ଆଶ୍ରୟ ନେଲା-

 

ଦୁଇ ବର୍ଷ ପରେ । ଦିନେ ସ୍କୁଲେ ତାହାର ମାଆ କ୍ରୀଷ୍ଟୀନ ସାଙ୍ଗରେ ଦେଖା କରିବା ପାଇଁ ସେହି ଆଶ୍ରମକୁ ଗଲା । କ୍ରୀଷ୍ଟୀନ ତାହାର ପୁଅଠାରୁ ଜାଣିଲା ଯେ ସେହି ଅଞ୍ଚଳରେ ମହାମାରୀ ପ୍ଳେଗ ଦେଖା ଦେଇଛି । ଚାହୁଁ ଚାହୁଁ ସେହି କାଳାନ୍ତକ ରୋଗ ସମସ୍ତ ସହରକୁ ଗ୍ରାସ କଲା । କ୍ରୀଷ୍ଟୀନର ଯାଜକ ପୁଅ ନିକୁଲାସ ଓ ବଜୋରଗାଲ୍‍ଫ‍ ଏହି କାଳ ବ୍ୟାଧିର ଶିକାର ହେଲେ-। କ୍ରୀଷ୍ଟୀନ ନିଜେ ମଧ୍ୟ ସେହି ରୋଗର ହାତରୁ ତ୍ରାହି ପାଇଲା ନାହିଁ । ଦୁଇ ଦିନ କାଳ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ, ଶେଷରେ କ୍ରୀଷ୍ଟୀନ ମହାକାଳର କୋଳରେ ଆଶ୍ରୟ ନେଇ ସମସ୍ତ ସାଂସାରିକ ନିର୍ଯାତନାରୁ ମୁକ୍ତି ପାଇଲା ।

✽✽✽

 

ଲେଖକ ପରିଚୟ

 

ମିଗୁୟେଲ ଦ୍ୟ କାରଭାନଟେସ ସାଭେଦ୍ରା : ସ୍ପେନର ଆଲକାଲାଠାରେ ଏକ ଅଭିଜାତ ବଂଶର ମିଗୁୟେଲ ଦ୍ୟ କାରଭାନଟେସ ସାଭେଦ୍ରା (୧୫୪୭-୧୬୧୬) ଜନ୍ମଗ୍ରହଣ କରିଥିଲେ, ଶିକ୍ଷାଲାଭ ସାଲାମାନକାରେ ଓ ମାଦ୍ରିଦରେ ଏବଂ ଶୈଶବରୁ କବିତା ପ୍ରତି ଅନୁରାଗ, ଯାହାର ପରିଚୟ “ଫିଲେନା” କାବ୍ୟ । ଅଧ୍ୟୟନ ପରେ ସେ ସୈନ୍ୟବାହିନୀରେ ପ୍ରବେଶ କଲେ । ୧୫୭୦ରେ କଲୋନ୍ନାର ନେତୃତ୍ୱରେ ତୁର୍କି ଓ ଆଫ୍ରିକା ବିରୁଦ୍ଧରେ ସେ ଯୁଦ୍ଧ କଲେ । ଲେପାନ୍ତୋର ଯୁଦ୍ଧରେ ତାଙ୍କର ବାମ ହାତଟି ଏପରି ଭାବରେ ଜଖମ ହେଲା ଯେ ଜୀବନ ସାରା ତାହା ଅକର୍ମଣ୍ୟ ରହିଲା-। ୧୫୭୫ରେ ବର୍ବର ଜଳଦସ୍ୟୁମାନଙ୍କ ଦ୍ୱାରା ବନ୍ଦୀ ହୋଇ ସେ ଆଲଜିରିୟାରେ କ୍ରୀତଦାସ ଭାବରେ ବିକ୍ରୀତ ହେଲେ । ସାତ ବର୍ଷ କାଳ ତାହାଙ୍କୁ ସେହି ଲାଞ୍ଛିତ ଜୀବନ ଭୋଗିବାକୁ ପଡ଼ିଥିଲା-। ତା’ପରେ ଆତ୍ମୀୟ ଓ ବନ୍ଧୁମାନଙ୍କର ଅଦମ୍ୟ ଚେଷ୍ଟାରୁ ସେ ମୁକ୍ତି ପାଇ ସ୍ୱଦେଶକୁ ଫେରିଆସି ବିବାହ କଲେ ଏବଂ ପୁଣି ସୈନ୍ୟବାହିନୀରେ ଯୋଗ ଦେଲେ । ୧୫୮୩ରେ ସୈନ୍ୟବାହିନୀରୁ ଅବସର ନେଇ ଏସ୍କୁଇଭିୟାସ ସହରରେ ବାସକରି ସେ ସାହିତ୍ୟ ସାଧନାରେ ସମ୍ପୂର୍ଣ୍ଣ ଆତ୍ମ-ନିୟୋଗ କଲେ । ପର ବର୍ଷ ପଲ୍ଲୀଗାଥା “ଗାଲାଟି” ପ୍ରକାଶିତ ହେଲା । ନାଟକ ରଚନାରୁ ଆଶାନୁରୂପ ଉପାର୍ଜନ ନ ହେବାରୁ, ତାହାଙ୍କୁ କର ସଂଗ୍ରାହକ ଓ ମାଲ ସରବରାହକାରୀର ସହକାରୀ ଭାବରେ ସାମାନ୍ୟ ବେତନରେ ନଗଣ୍ୟ ଚାକିରି ଗ୍ରହଣ କରିବାକୁ ପଡ଼ିଲା-। ଅସତ୍‍ ସହକର୍ମୀମାନଙ୍କର ଭୀଷଣ ଦୁର୍ନୀତି ଯୋଗୁଁ ଚୋରି ଅଭିଯୋଗରେ (୧୫୮୭-୧୬୦୩) ସେ ଦୁଇ ଥର କାରାଦଣ୍ଡ ଭୋଗିଥିଲେ । ଜେଲ ଭିତରେ ସେ ପ୍ରଥମେ କାଳଜୟୀ ରସ ରଚନା “ଡନ କୁଇକସୋଟ”ର ପରିକଳ୍ପନା କଲେ ଏବଂ ତା’ପରେ ଜେଲ ଓ ହୋଟେଲରେ ବସି ଏହି ଅସାଧାରଣ ଉପନ୍ୟାସଟି ଶେଷ କଲେ । ୧୬୦୫ରେ ଏହାର ପ୍ରଥମ ଭାଗ ଏବଂ ୧୬୧୫ରେ ଦ୍ୱିତୀୟ ଭାଗ ପ୍ରକାଶିତ ହୁଅନ୍ତେ ସେ ବିଶ୍ୱ ଖ୍ୟାତିର ଶିଖରରେ ଉପନୀତ ହେଲେ । ଏହି ବହିଟି ପୃଥିବୀର ବହୁ ଭାଷାରେ ଅନୂଦିତ ହୋଇ ପାଠକ ମହଲରେ କଳ୍ପନାତୀତ ପ୍ରଶଂସା ଅର୍ଜନ କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ବିଶ୍ୱ ସାହିତ୍ୟର ଇତିହାସରେ ମୃତ୍ୟୁଞ୍ଜୟ କରିଅଛି ।

 

ସଂକ୍ଷିପ୍ତ ଉପନ୍ୟାସ : “ଡନ କୁଇକସୋଟ”

 

ଲିଅନ ଫୟେଟଭାନଗାର : ପ୍ରସିଦ୍ଧ ଜର୍ମାନ ଔପନ୍ୟାସିକ ଡକ୍ଟର ଫୟେଟଭାନଗର (୧୮୮୪) ମ୍ୟୁନିକର ଏକ ଇହୁଦୀ ପରିବାରରେ ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବର୍ଲିନ ଓ ମ୍ୟୁନିକରେ ଦର୍ଶନଶାସ୍ତ୍ର ଅଧ୍ୟୟନ ପରେ ସେ କବିତା, ଗପ ଓ ଉପନ୍ୟାସ ରଚନା କରି ଖ୍ୟାତି ଲଭିଲେ । ସେ ମଧ୍ୟ ଜଣେ ଯଶସ୍ୱୀ ନାଟ୍ୟକାରର ପରିଚୟ ଦେଇଥିଲେ । ୧୯୩୩ରେ ଜର୍ମାନୀରୁ ବିତାଡ଼ିତ ହୋଇ ସେ ଦକ୍ଷିଣ ଫ୍ରାନ୍ସରେ ଯାଇ ବସବାସ କଲେ । ଜର୍ମାନ ଅଧିକାର ପରେ ଅନ୍ତରୀଣାବଦ୍ଧ ଅବସ୍ଥାରେ ସେ ଆମେରିକାରେ ଆଶ୍ରୟ ନେଲେ । ତାଙ୍କର ଶ୍ରେଷ୍ଠ ଉପନ୍ୟାସ “ସୀମା” ଯୁଦ୍ଧ ଓ ଅବରୋଧ କାଳୀନ ଦକ୍ଷିଣ ଫ୍ରାନ୍ସର ପଟ୍ଟଭୂମିକାରେ ରଚିତ ଏକ ଅନବଦ୍ୟ କୃତି । “ସୀମା” କାଳର ସୀମାନ୍ତ ଟପି ପାଞ୍ଚଶହ ବର୍ଷ ତଳର ବିପ୍ଳବୀ ନାୟିକା ଜୋନ ଅଫ୍‍ ଆର୍କର ଜୀବନ ସହିତ ମିଶି ଯାଇଛି । ତାଙ୍କର ଅନ୍ୟାନ୍ୟ ବିଶ୍ୱ ବିଖ୍ୟାତ ଐତିହାସିକ ଉପନ୍ୟାସ–‘‘ଜୁ ସୁସ”, “ଜୋସେଫସ” ଓ “ଆଗ୍‍ଲୀ ଡାଚେସ” ।

 

ସଂକ୍ଷିପ୍ତ ଉପନ୍ୟାସ : “ସୀମା”

 

ସୀଗରୀଡ଼ ଉଣ୍ଡସେଟ : ନରଓୟେର ପ୍ରଖ୍ୟାତ ଔପନ୍ୟାସିକ ସୀଗରୀଡ଼ ଉଣ୍ଡସେଟ (୧୮୮୨-୧୯୪୯) ଡେନମାର୍କର କଲୁଣ୍ଡବର୍ଗରେ ଜନ୍ମଗ୍ରହଣ କରି କ୍ରିଷ୍ଟିୟାନିୟାରେ ଶିକ୍ଷାଲାଭ କରିଥିଲେ । ୧୯୦୨ ମସିହାରେ ତାଙ୍କର ପ୍ରଥମ ସାର୍ଥକ ଉପନ୍ୟାସ “ଜେନି” ଅପ୍ରତ୍ୟାଶିତ ଭାବରେ ତାହାଙ୍କୁ ବିରକ୍ତିକର କିରାଣି ଜୀବନରୁ ମୁକ୍ତି ଦେଇଥିଲା । ଏହି ବହିର ପ୍ରକାଶନ ପରେ ପରେ ସେ ସରକାରୀ ବୃତ୍ତି ପାଇ ବିଦେଶ ଭ୍ରମଣରେ ବାହାରି ପଡ଼ିଲେ । ବୁଲି ବୁଲି ସେ ରୋମରେ ଯାଇ ପହଞ୍ଚିଲେ ଏବଂ ରୋମାନ କାଥଲିକ ରୂପେ ଦୀକ୍ଷିତ ହେଲେ ।

 

ଦ୍ଵିତୀୟ ମହାଯୁଦ୍ଧ ସମୟରେ ସେ ଆମେରିକାରେ ଥିଲେ । ସେ ତିନିଖଣ୍ଡ ବିଶିଷ୍ଟ ଐତିହାସିକ ଉପନ୍ୟାସ “କ୍ରୀଷ୍ଟୀନ ଲାଭ୍ରାଂସଦତ୍ତାର” (୧୯୨୦-୨୨) ରଚନା କଲେ, ଯାହା ୧୯୩୦ରେ ଇଂରେଜୀରେ ଅନୂଦିତ ହୋଇଥିଲା । ତାଙ୍କର ସବୁ ଉପନ୍ୟାସ ନାରୀ ଜୀବନର ସୁଖ ଦୁଃଖ ଉପରେ ଭିତ୍ତିକରି ଲିଖିତ । ଚାରି ଖଣ୍ଡ ବିଶିଷ୍ଟ ଶ୍ରେଷ୍ଠ କୃତି “ମାଷ୍ଟର ଅଫ୍‍ ହେଷ୍ଟଭିକେନ” (୧୯୧୫-୨୭) ପ୍ରକାଶିତ ହୁଅନ୍ତେ, ତାଙ୍କର ସାହିତ୍ୟିକ ପ୍ରତିଭାର ସ୍ଵୀକୃତି ରୂପେ ୧୯୨୮ରେ ସେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ଉପନ୍ୟାସ–‘‘ସ୍ମେକ ପିଟ”, “ଇନ ଦି ଓୟାଇଲ ଡରନେସ”, “ଏକ୍ସ”, “ସନ ଏଭେଞ୍ଜର”, “ଓୟାଇଲଡ ଅର୍ଚିଡ଼”, “ଇଦା ଏଲିଜାବେଥ”, “ଷ୍ଟେଡଫାଷ୍ଟ ଓୟାଇଫ”, “କ୍ରସ”, “ବ୍ରାଇଡ଼େଲ ରେଥ”, “ମିଷ୍ଟ୍ରେସ ଅଫ୍‍ ହୁସାବି” ।

 

ସଂକ୍ଷିପ୍ତ ଉପନ୍ୟାସ : “କ୍ରୀଷ୍ଟୀନ ଲାଭ୍ରାଂସଦତ୍ତାର”

Image